ୱାଲମାର୍ଟ ବିରୋଧରେ ଆନ୍ଦୋଳନ ସଜବାଜ
ନୂଆଦିଲ୍ଲୀ: ଭାରତର ଅନ୍ଲାଇନ୍ କାରବାରରେ ପ୍ରବେଶ କରିଥିବା ବିଶ୍ୱର ସର୍ବବୃହତ୍ ଖୁଚୁରା ବିକ୍ରେତା ସଂସ୍ଥା ୱାଲମାର୍ଟ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନର ସମ୍ମୁଖୀନ ହେବାକୁ ଯାଉଛି। ୱାଲମାର୍ଟ- ଫ୍ଲିପ୍କାର୍ଟ ରାଜିନାମା ପ୍ରତିବାଦରେ ଜୁଲାଇ ୨ ତାରିଖରେ ପ୍ରାୟ ୭ ଲକ୍ଷ ବ୍ୟବସାୟୀ, ଶ୍ରମିକ, କୃଷକ ଓ ରାଜନୈତିକ ଦଳର ସଦସ୍ୟ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ। କନ୍ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ନେତୃତ୍ୱରେ ଏହି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ହେବ। ପ୍ରତିବାଦ ବିକ୍ଷୋଭରେ ସାମିଲ୍ ହେବା ପାଇଁ ଅନ୍ୟକେତେକ ସଂଗଠନ ସହିତ କଥାବାର୍ତ୍ତା ଚାଲିଛି ବୋଲି ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲ୍ୱାଲ୍ କହିଛନ୍ତି।
ଉକ୍ତ ବ୍ୟବସାୟିକ ରାଜିନାମାକୁ ସରକାର ବାତିଲ କରିବା ସହିତ ଇ-କମର୍ସ ନୀତି ଓ ନିୟାମକ କର୍ତ୍ତୃପକ୍ଷ ଗଠନ ପାଇଁ ସିଏଆଇଟି ଦାବି କରିଛି। ପ୍ରତିବାଦ ସମୟରେ ପ୍ରତି ରାଜ୍ୟର ଜିଲାପାଳଙ୍କୁ ଏହି ମର୍ମରେ ସ୍ମାରକପତ୍ର ଦିଆଯିବ। ଦିଲ୍ଳୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କିମ୍ବା କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦିଆଯିବ।
ଦୁଇ ସଂସ୍ଥା ମଧ୍ୟରେ ଚୁକ୍ତି ହେବା ପରଠାରୁ ଇଡି, ସିସିଆଇ, ଆରବିଆଇ, ଆଇଟି ପକ୍ଷରୁ ଉକ୍ତ ଯୌଥ ଉଦ୍ୟୋଗକୁ ନୋଟିସ୍ ଜାରି କରାଯାଇଥିବା ସିଏଆଇଟି କହିଛି।