ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍, ଓଡ଼ିଶାର ବିଭିନ୍ନ ଜନଜାତିଙ୍କର କେଶବିନ୍ୟାସ
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେବୃଆରୀ ୧୩ ତାରିଖ ଦିନ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଓଡ଼ିଶାର ବିଭିନ୍ନ ଜନଜାତିଙ୍କ କେଶବିନ୍ୟାସ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଲମ୍ବା କେଶ ଉତ୍ତମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ସୂଚନା ଦେଇଥାଏ । ଉଭୟ ଡଙ୍ଗରିଆ କନ୍ଧ ପୁରୁଷ ଓ ମହିଳାମାନେ ସେମାନଙ୍କର ଲମ୍ବା କେଶକୁ କ୍ଲିପ୍, ମୁଣ୍ଡକଣ୍ଟା ଓ ଫୁଲରେ ସଜାଇଥା’ନ୍ତି। ପାରମ୍ପରିକ ଖୋସାକୁ କେତେକ ପିନ୍ ଓ କଇଁଚି ଭଳି ହୋଇଥିବା ‘ସିପ୍ନା’ ଦ୍ୱାରା ଧରି ରଖିଥାନ୍ତି ଓ ସଜାଇଥାନ୍ତି।
ଲାଞ୍ଜିଆ ସଉରା ମହିଳାମାନେ ସମାନ ଭାବରେ କେଶ ପ୍ରତି ଯତ୍ନ ନେଇଥାନ୍ତି। ବେକ ପଛପଟେ ଏକ ଚଟକା ଖୋସା ତିଆରି କରି ସଉରା ମହିଳାମାନେ ନିଜକୁ ସଜେଇଥାନ୍ତି। କାନ ପଛଦେଇ ଏହି ଖୋସାକୁ ଚେନ୍ ଦ୍ୱାରା ସୁରକ୍ଷିତ ରଖାଯାଇଥାଏ। ସେମାନେ ଲମ୍ବା ହେୟାରପିନ୍କୁ ଅଳଙ୍କାର ଭାବେ ବ୍ୟବହାର କରିଥାନ୍ତି। ଏହାକୁ ମଧ୍ୟ ସେମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରିଥାନ୍ତି।
ସାନ୍ତାଳ ଜନଜାତି ମହିଳାମାନେ ରୂପାର ବଡ଼ ହେୟାରପିନ୍କୁ ଖୋସା ଉପରେ ସଜେଇଥାନ୍ତି। କୁଟିଆ କନ୍ଧ ଜନଜାତି ମହିଳାମାନେ ସେମାନଙ୍କର କେଶବିନ୍ୟାସ ନିମନ୍ତେ ବିଭିନ୍ନ ପ୍ରକାରର ଛୋଟ ହେୟାରପିନ୍, ପାନିଆ ଓ ଚେନ୍ ବ୍ୟବହାର କରିଥାନ୍ତି। ଦିଦାୟୀମାନଙ୍କର ସୁନ୍ଦର ଖୋସା ଓ ବଡ଼ ନାକଫୁଲ ସେମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ଓଡ଼ିଶାର ଅନ୍ୟାନ୍ୟ ଜନଜାତି ଖରିଆ, ପାଉଡ଼ିଭୂୟାଁ ଓ ଧରୁଆମାନେ ସେମାନଙ୍କ କେଶକୁ ବିଭିନ୍ନ ମୁଣ୍ଡକଣ୍ଟାରେ ସଜେଇଥାନ୍ତି।
Comments are closed.