ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଏଣିକି ଇ-ଚାଲାଣରେ ହେବ ଜୋରିମାନା ଆଦାୟ

ଆଉ ଚଳିବନି ପୂର୍ବପରି ରସିଦ୍‌ ବହିରେ (ମାନୁଆଲ୍‌) ଜୋରିମାନା ଆଦାୟ

ଭୁବନେଶ୍ବର : ଏଣିକି ମୋଟରଯାନ ଆଇନ୍‌ ଉଲ୍ଲଘଂନ ଅଭିଯୋଗରେ ଆଦାୟ ହେଉଥିବା ଜୋରିମାନା କେବଳ ଇ-ଚାଲାଣ ମାଧ୍ୟମରେ କଟାଯିବ। ପୂର୍ବପରି ରସିଦ୍‌ ବହିରେ (ମାନୁଆଲ୍‌) ଜୋରିମାନା ଆଦାୟ ହେବନି। ରାଜ୍ୟରେ ମଙ୍ଗଳବାରଠାରୁ ଏହି ନିୟମ ଲାଗୁ ହୋଇଛି। ଏ ସଂକ୍ରାନ୍ତରେ ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପୁଲିସ ମହାନିର୍ଦେଶକଙ୍କୁ ଚିଠି କରିଛନ୍ତି। ପୁଲିସ ଅଧିକାରୀ ଏବଂ ମୋଟରଯାନ ବିଭାଗ ଅଧିକାରୀ ମୋଟରଯାନ ଆଇନ୍‌ ଉଲ୍ଲଘଂନ‌େ‌ର କୌଣସି ଚାଳକଙ୍କଠାରୁ ଜୋରିମାନା ଆଦାୟ କଲାବେଳେ ତାଙ୍କୁ ଇ- ଚାଲାଣ ଦେବେ।

prayash

ଏଥିପାଇଁ ରାଜ୍ୟର ବିଭିନ୍ନ ଥାନାକୁ ୭୦୦ ଇ-ଚାଲାଣ ପିଓଏସ୍‌( ପଏଣ୍ଟ ଅଫ ସର୍ଭିସ୍‌) ଯନ୍ତ୍ର ଯୋଗାଇ ଦିଆଯାଇଛି। ରସିଦ୍‌ ବହି ଚାଲାଣ କାଟିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ କାର୍ୟ୍ୟରେ ସ୍ବଚ୍ଛତା ବଜାୟ ରଖିବା ଏବଂ ଉତ୍ତମ ପରିଚାଳନା ନିମନ୍ତେ ୫ଟି କାର୍ୟ୍ୟକ୍ରମ ଲାଗୁ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ପହିଲାରୁ ରସିଦ୍‌ ବହିରେ ଜୋରିମାନା କାଟିବା କାର୍ଯ୍ୟକୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭିନ୍ନ ଥାନାକୁ ନିର୍ଦେଶ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସଂଶୋଧିତ ମୋଟରଯାନ ଆଇନ୍‌ ଲାଗୁ ହେବା ପରେ ଆଇନ୍‌ ଉଲ୍ଳଘଂନକାରୀ ଚାଳକଙ୍କଠାରୁ ଜୋରମାନା ଆଦାୟ କରାଯାଉଛି। ଅନେକ ସମୟରେ ରସିଦ୍‌ ବହିରେ ଚାଲାଣ କଟାରେ ଅନିୟମିତତା ହେଉଥିବା ଲକ୍ଷ୍ୟ କରାଯାଉଛି। ଅନେକ ଚାଳକ ସରକାରୀ ଅଧିକାରୀଙ୍କୁ ପାଟିତୁଣ୍ଡ କରୁଛନ୍ତି। ଇ-ଚାଲାଣ ଦ୍ବାରା ଅନେକାଂଶରେ ଅନିୟମିତତା ଦୂର ହେବାର ଆଶା।

Comments are closed.