www.samajalive.in
Friday, December 5, 2025
17.1 C
Bhubaneswar

ଗୋଟିଏ ଫଟୋ ଉଠାଗଲା, ସେଥିରେ ବି ରାଜନୀତି ହେଲା: ପିଟି ଉଷାଙ୍କୁ ଟାର୍ଗେଟ କଲେ ବିନେଶ ଫୋଗତ

ନୂଆଦିଲ୍ଲୀ: ଭାରତର ତାରକା କୁସ୍ତିଯୋଦ୍ଧା ବିନେଶ ଫୋଗତ ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ) ଅଧ୍ୟକ୍ଷ ପିଟି ଉଷାଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ତାଙ୍କ ଦୁଃଖଦ ଯାତ୍ରା ସମୟରେ ପିଟି ଉଷା ଯଥେଷ୍ଟ ସମର୍ଥନ ଦେଇ ନ ଥିବା ଅଭିଯୋଗ କରିଛନ୍ତି ବିନେଶ। ଅଲିମ୍ପିକ୍ କ୍ରୀଡ଼ାରେ କୁସ୍ତି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଭାରତୀୟ ମହିଳା ସାଜିଥିଲେ ବିନେଶ। ୩୦ ବର୍ଷୀୟା ଏହି କୁସ୍ତିଯୋଦ୍ଧା ମହିଳା ୫୦ କିଲୋ ଫ୍ରୀଷ୍ଟାଇଲ ବର୍ଗର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଅତି କମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଥିଲେ। କିନ୍ତୁ ତାଙ୍କର ଏହି ଯାତ୍ରାର ଦୁଃଖଦ ପରିସମାପ୍ତି ହୋଇଥିଲା। କାରଣ ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ଫାଇନାଲର ଠିକ୍ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହିଭଳି ଭାବେ ଶେଷ ଅଲିମ୍ପିକରେ ପଦକ ଜିତିବାର ସ୍ୱପ୍ନ ତାଙ୍କର ଭାଙ୍ଗିଯାଇଥିଲା।

ତେବେ ତାଙ୍କର ଏହି କଠିନ ସମୟରେ ସମଗ୍ର ଦେଶ ତାଙ୍କ ସହ ଛିଡ଼ା ହୋଇଥିଲା, କିନ୍ତୁ ଭାରତୀୟ ଅଲିମ୍ପିକ୍ ସଂଘ ତାଙ୍କ କଠିନ ଯାତ୍ରା ସମୟରେ ତାଙ୍କୁ ସମର୍ଥନ କରିନଥିବା ଅଭିଯୋଗ କରିଛନ୍ତି ବିନେଶ। ସେ ପିଟି ଉଷାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ସେ କେବଳ ତାଙ୍କ ସହ ଫଟୋ ଉଠାଇଥିଲେ ଏବଂ କୌଣସି ସାହାଯ୍ୟ କରି ନଥିଲେ।

- Advertisement -

ଏକ ସାକ୍ଷାତକାରରେ ବିନେଶ କହିଛନ୍ତି, ‘‘ମୁଁ ଜାଣିନାହିଁ ମୋତେ ସେଠାରେ କ’ଣ ସମର୍ଥନ ମିଳିଲା। ପିଟି ଉଷା ମାଡାମ୍ ମୋତେ ଡାକ୍ତରଖାନାରେ ଭେଟିଥିଲେ। ଏକ ଫଟୋ ଉଠାଯାଇଥିଲା… ଯେମିତିକି ଆପଣ କହିଲେ, ରାଜନୀତିରେ ବନ୍ଦ ଦ୍ୱାର ପଛରେ ଅନେକ ଘଟଣା ଘଟେ। ସେହିଭଳି ସେଠାରେ(ପ୍ୟାରିସରେ) ମଧ୍ୟ ରାଜନୀତି ହୋଇଥିଲା। ସେଥିପାଇଁ ମୋ ହୃଦୟ ଭାଙ୍ଗିଯାଇଥିଲା। ନଚେତ୍ ଅନେକ ଲୋକ କୁସ୍ତି ଛାଡନ୍ତୁ ନାହିଁ ବୋଲି କହୁଛନ୍ତି। ମୁଁ କାହିଁକି ଏହା ଜାରି ରଖିବି! ସବୁଠି ରାଜନୀତି ଚାଲିଛି।’’

ବିନେଶ କହିଛନ୍ତି, ‘‘ଆପଣ ହସ୍ପିଟାଲ୍ ବେଡ୍‌ରେ ଅଛନ୍ତି, ଯେଉଁଠାରେ ଆପଣ ବାହାରେ କ’ଣ ଘଟୁଛି ଜାଣି ନାହାଁନ୍ତି। ଆପଣ ଆପଣଙ୍କ ଜୀବନର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ସେତିକିବେଳେ କେବଳ ସମସ୍ତଙ୍କୁ ଦେଖାଇବା ପାଇଁ ଯେ ଆପଣ ମୋ ସହିତ ଛିଡା ହୋଇଛନ୍ତି, ଆପଣ ମୋତେ ନ ଜଣାଇ ଫଟୋ ଉଠାଉଛନ୍ତି। ପରେ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି କହୁଛନ୍ତି ଯେ ଆମେ ଏକାଠି ଛିଡ଼ା ହୋଇଛେ। ତାଙ୍କର ପୋଜ୍‌ ଫଟୋ ଉଠାଇବା ବ୍ୟତୀତ ଆଉ ଅଧିକ କ’ଣ ଥିଲା !’’

ପ୍ରତିଯୋଗିତାରୁ ଅଯୋଗ୍ୟ ଘୋଷିତ ହେବାପରେ ବିନେଶ ମିଳିତ ରୌପ୍ୟ ପଦକ ଜିତିବା ପାଇଁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ(ସିଏଏସ)ରେ ତାଙ୍କର ଅଯୋଗ୍ୟତା ବିରୋଧରେ ଆବେଦନ କରିଥିଲେ। କିନ୍ତୁ ଏକ ସପ୍ତାହର ଶୁଣାଣି ପରେ, ସିଏଏସର ନିଷ୍ପତ୍ତି ମଧ୍ୟ ତାଙ୍କ ସପକ୍ଷରେ ଯାଇ ନଥିଲା ଏବଂ ତାଙ୍କୁ ପ୍ୟାରିସରୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ସମଗ୍ର ଘଟଣା ଉପରେ ଆଲୋକପାତ କରି ବିନେଶ କହିଛନ୍ତି ଯେ, ଭାରତ ସରକାର ତାଙ୍କ ତରଫରୁ ମାମଲା ଦାୟର କରିବା କଥା, କିନ୍ତୁ ସେ ନିଜେ ଏହାକୁ ଦାୟର କରିଥିଲେ। ବିନେଶ କହିଛନ୍ତି, ‘‘ମୁଁ ନିଜେ ମୋ ମାମଲା ଦାୟର କରିଛି। ହରିଶ ସାଲ୍‌ଭେ ସାର୍ ପରଦିନ ସାମିଲ ହୋଇଥିଲେ। ପ୍ୟାରିସରେ ଥିବା ଓକିଲ ମୋ ପକ୍ଷରୁ ଏହି ମାମଲା ଦାୟର କରିଥିଲେ। ଏହା ଭାରତ ସରକାରଙ୍କ ଦ୍ୱାରା କରାଯାଇ ନଥିଲା, ସେମାନେ ତୃତୀୟ ପକ୍ଷ ଭାବରେ କାର୍ଯ୍ୟ କରିଥିଲେ। ମୁଁ ଭାରତର ପ୍ରତିନିଧିତ୍ୱ କରିବାକୁ ସେଠାକୁ ଯାଇଥିଲି, ତେଣୁ ଏହା ଦାୟର କରିବା ସେମାନଙ୍କର କର୍ତ୍ତବ୍ୟ ଥିଲା।’’ ଖେଳରୁ ଅଯୋଗ୍ୟ ଘୋଷଣା ହେବାର ଗୋଟିଏ ଦିନ ପରେ ବିନେଶ ଫୋଗତ କୁସ୍ତିରୁ ଅବସର ଘୋଷଣା କରିଥିଲେ। ସେ ନିକଟରେ ରାଜନୀତିରେ ପାଦ ଥାପି କଂଗ୍ରେସରେ ସାମିଲ ହୋଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories