କାଠ ମାଫିଆଙ୍କ ଉପରେ ଭିଜିଲାନ୍ସ ଚଢାଉ

ଆଠଗଡ :  ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମେଘା ପଞ୍ଚାୟତର ଧୁରୁକୁଡିଆ ଗ୍ରାମରେ ନିୟମିତ ଚୋରା କାଠ ବ୍ୟବସାୟ କରୁଥିବା କାଠମାଫିଆଙ୍କ କୁକୁଡାଫାର୍ମ ଉପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇ ବହୁ ପରିମାଣରେ କାଠ ଜବତ କରାଯାଇଛି। ସଂପୃକ୍ତ କାଠମାଫିଆ ଓ ତାଙ୍କ ସହଯୋଗୀ ଫେରାର ହୋଇଯିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନାହିଁ। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଧୁରୁକୁଡିଆର ପ୍ରଭାକର ଦାସ ନାମକ ଜଣେ ଚୋରା କାଠ ବ୍ୟବସାୟୀଙ୍କ କୁକୁଡା ଫାର୍ମ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅପରାହ୍ନରେ ଚଢଉ କରାଯାଇ ୬୮ଟି ସାଗୁଆନ ପଟା ଓ ୧୧ଟି ପଣସ ପଟା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ। ଭିଜିଲାନ୍ସ ବିଭାଗ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ରଜନୀକାନ୍ତ ମହାନ୍ତି, ଭିଜିଲାନ୍ସର ବନପାଳ ରମେଶ ଚନ୍ଦ୍ର ସ୍ୱାଇଁ ବାବି ମୁର୍ମୁ, ସତ୍ୟବାନ ସାହୁ, ଏଏସଆଇ ବିଭୁତି ଭୂଷଣ ନନ୍ଦ, ଆଠଗଡ ରେଞ୍ଜର ରବିନ୍ଦ୍ର କୁମାର ନାୟକ, ବନପାଳ ସୁଶିଲ କୁମାର ଜେନା ଓ ଆଠଗଡ ଥାନା ଏଏସଆଇ ସୁଦର୍ଶନ ବେହେରା ପ୍ରମୁଖ ଏହି ଚଢଉରେ ଅଂଶଗ୍ରହଣ କରିଥିଲେ। ସଂପୃକ୍ତ କାଠ ବ୍ୟବସାୟୀ ନିୟମିତ ନିକଟବର୍ତ୍ତୀ ସୁକାଶନ ସଂରକ୍ଷିତ ଜଙ୍ଗଲ ଏବଂ ମହାନଦୀର ନଦୀବନ୍ଧରେ ଥିବା ଜଗନ୍ନାଥ ବନ ପ୍ରକଳ୍ପରୁ ଅବାଧରେ ମୂଲ୍ୟବାନ ଗଛ ସବୁ କାଟି ବିକ୍ରି କରୁଥିବା ବେଳେ ଆଠଗଡ ବନବିଭାଗ କାହିଁକି ନିୟମିତ ଚଢଉ କରୁନାହାଁନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶାସକ ଦଳର ବାହୁଛାୟା ତଳେ ଓ ବନ ବିଭାଗ ସହ ସଲାସୁତୁରାରେ ସଂପୃକ୍ତ କାଠ ମାଫିଆ ଚୋରା କାଠ ବ୍ୟବସାୟ କରୁଥିବାରୁ ତାଙ୍କ ଉପରେ ଚଢଉ କରାଯାଉନାହିଁ କିମ୍ବା କାର୍ଯ୍ୟାନନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଞ୍ଚଳବାସୀଙ୍କର ଧାରଣା ରହିଛି । ଆଠଗଡ ବନଖଣ୍ଡ ଅଧିକାରୀ ସଂପୃକ୍ତ କାଠ ମାଫିଆଙ୍କର ନିୟମିତ ଚୋରାକାଠ ବ୍ୟବସାୟକୁ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଦାବି ହୋଇଛି।

Comments are closed.