ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲାପାଳ: ୧୧କୋଟିରୁ ଉର୍ଦ୍ଧ ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ, ଖୋଳତାଳ ଜାରି
ପତ୍ନୀଙ୍କ ନାମରେ କରୁଥିଲେ ସିମେଣ୍ଟ ବ୍ୟବସାୟ, ନିକଟରେ ରାଜ୍ୟ ସରକାର ପଦୋନ୍ନତି ଦେଇଥିଲେ
ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ସହକାରୀ ଜିଲାପାଳ ବନ୍ଧା ହୋଇ ଜେଲ ଯିବାର ୪୮ଘଣ୍ଟା ନ ପୁରୁଣୁ ଆଜି ପୁଣି ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ତଥା ଭୂ-ଅର୍ଜନ ଅଧିକାରୀ ଦାୟିତ୍ବରେ ଥିବା ବିଶ୍ବଜିତ ମହାପାତ୍ରଙ୍କ ଘର, କାର୍ଯ୍ୟାଳୟ ଓ ରାଜଗାଙ୍ଗପୁରସ୍ଥିତ ତାଙ୍କ ଜ୍ବାଇଁଙ୍କ ଘରେ ଭିଜିଲାନ୍ସର ସ୍ବତନ୍ତ୍ର ଦଳ ଚଢ଼ାଉ କରିବା ଘଟଣା ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ଗତକାଲି ସନ୍ଧ୍ୟାରୁ ନିଜ ଗାଁକୁ ଚାଲିଯାଇଥିବାରୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟ ଓ ବାସଗୃହକୁ ସିଲ କରି ଜଗି ରହିଥିବା ବେଳେ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଥିବା ତାଙ୍କ ଘରେ ଚଢ଼ାଉ ଜାରି ରହିଛି । ଏ ସମ୍ବାଦ ଲେଖା ହେଲା ବେଳକୁ ଅଢ଼େଇ କୋଟି ଟଙ୍କାର ସ୍ଥାୟୀ ଜମା, ଜୀବନ ବୀମା ଓ ୧୦ଟି ମୂଲ୍ୟବାନ ପ୍ଲଟ ସମେତ ଦୁଇଟି ଘରର ସନ୍ଧାନ ବିଭାଗ ପାଇଥିବାର ଜଣାପଡ଼ିଛି ।
ସୂଚନା ଯୋଗ୍ୟ, ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ଏହା ପୂର୍ବରୁ ପ୍ରାୟ ଦୁଇ ବର୍ଷ ରାଉରକେଲାର ପାନପୋଷ ଉପଜିଲାପାଳ ଭାବେ କାର୍ଯ୍ୟ କରିଥିବା ବେଳେ ପଦୋନ୍ନତି ପାଇ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ନିକଟରେ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେଇଥିବା ବେଳେ ସେ ନିଜର ଚାକିରୀ କାଳ ବୃଦ୍ଧି କରିବା ପାଇଁ ରାଜଧାନୀରେ ବେଶ ଚକ୍କର କାଟୁଥିବାର ଜଣାପଡ଼ିଛି ହେଲେ ସବୁଠାରୁ ରୋଚକ ଘଟଣା ସେ ତାଙ୍କ ପତ୍ନୀଙ୍କ ନାମରେ ଭୁବନେଶ୍ବରର ବାଲିଅନ୍ତାଠାରେ ସିମେଣ୍ଟ ବ୍ୟବସାୟ ଆରମ୍ଭ କରିଥିବାର ଭିଜିଲାନ୍ସ ବିଭାଗ ସୂଚନା ପାଇଛି । ପୂର୍ବରୁ ମଧ୍ୟ ତାଙ୍କ ନାମରେ ବିଭିନ୍ନ ପ୍ରକାର ଅଭିଯୋଗ ବିଭାଗ ପାଖରେ ପହଞ୍ଚିଥିବାରୁ ତାହାକୁ ନେଇ ଖୋଳତାଳ ଆରମ୍ଭ ହୋଇଥିଲା । ଆଜି ଭିଜିଲାନ୍ସଙ୍କ ସ୍ବତନ୍ତ୍ର ଜଜ୍ଙ୍କ ୱାରେଣ୍ଟ ବଳରେ ଏସବୁ ଚଢ଼ାଉ ହୋଇଥିଲା ବୋଲି ଜଣାପଡ଼ିଛି । ଆସନ୍ତା କାଲି ଶ୍ରୀ ମହାପାତ୍ରଙ୍କୁ ସୁନ୍ଦରଗଡ଼ ଅଣାଯାଇ ତାଙ୍କ ବାସଗୃହ ଓ କାର୍ଯ୍ୟାଳୟର ତଳାସି ନିଆଯିବ ବୋଲି ଜୈନିକ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ହେଲେ ଏ ପର୍ଯ୍ୟନ୍ତ ପ୍ରାଥମିକ ଆକଳନ ଅନୁସାରେ ୧୧କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବାର ଜଣାପଡ଼ିଥିଲେ ମଧ୍ୟ ଚଢ଼ାଉ ଜାରି ରହିଥିବାର ବିଭାଗ ପକ୍ଷରୁ ଏ ସଂପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ ।
Comments are closed.