କାଲିଠୁ ନୀଳଗିରି ବଜାରରେ ମିଳିବନି ପନିପରିବା !
ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଏନଏସି ପକ୍ଷରୁ ଏକ ନୂତନ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯାଇ ମାର୍କେଟ ଭିତରେ ବ୍ୟବସାୟ ପସରା ମେଲାଉଥିବା ଦୋକାନୀଙ୍କୁ ଥଇଥାନ କରାଯାଇଥିଲା । କିନ୍ତୁ ଏକାଧିକ ଅମାନିଆ ଦୋକାନୀ ଏଯାବତ ପୂର୍ବ ସ୍ଥାନ ତଥା ରାସ୍ତା କଡ଼ରେ ବସି ବେପାର କରୁଛନ୍ତି । ଯାହା ପାଇଁ ଭେଣ୍ଡିଂ ଜୋନ ଦୋକାନୀଙ୍କ ବେପାରରେ ମାନ୍ଦା ପଡ଼ି ଯାଇଛି । ଏହି ଘଟଣା ସମ୍ପର୍କରେ ବାରମ୍ବାର ନୀଳଗିରି ଉପଜିଲାପାଳ, ତହସିଲଦାର, ଏନଏସି ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ନୀଳଗିରି ବିଧାୟକ, ଆଇଆଇସି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶେଷଥର ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକ ମାତ୍ର ୭ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଉପଜିଲାପାଳଙ୍କ ପ୍ରତିଶ୍ରୁତି ସମ୍ପ୍ରତି ପାଣିର ଗାର ପାଲଟି ଯାଇଛି । ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ବା କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରି ଭେଣ୍ଡିଂ ଜୋନରେ ବସିଥିବା ୧୨୦ରୁ ଊର୍ଦ୍ଧ୍ୱ ପରିବା ବ୍ୟବସାୟୀ, ମାଛ ମାଂସ ବେପାରୀ ନିଜର ବ୍ୟବସାୟ ବନ୍ଦ କରିବେ ବୋଲି ବୁଧବାର ସନ୍ଧ୍ୟାରେ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ସକାଳଠାରୁ ଅନିର୍ଦ୍ଧିଷ୍ଟ କାଳ ବେପାର ବନ୍ଦ ରଖି ଏମାନେ ନାଯ୍ୟ ଦାବିରେ ଏନଏସି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ନୀଳଗିରି ଭେଣ୍ଡିଂ ଜୋନ ବନ୍ଦ ହେବା ଯୋଗୁ ଖାଉଟି ମାନେ ଗୁରୁବାର ଠାରୁ ପନି ପରିବା କିମ୍ବା ମାଛ ମାଂସ ପ୍ରଭୃତି ସାମଗ୍ରୀ ପାଇବେନି ବୋଲି କୁହାଯାଉଛି । ଏହି ଘଟଣାରେ ବାଲେଶ୍ୱର ଜିଲାପାଳ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed.