ଜାତିସଙ୍ଘ କର୍ମଚାରୀଙ୍କ ବିରୋଧରେ ବଢ଼ୁଛି ଯୌନ ଶୋଷଣ ମାମଲା

0

ଜାତିସଂଙ୍ଘ : ଜାତିସଙ୍ଘ ଓ ଏହାର ସହଯୋଗୀ ଅନୁଷ୍ଠାନଗୁଡ଼ିକରେ ଯୌନ ଶୋଷଣ ଓ ନିର୍ଯାତନା ବୃଦ୍ଧିପାଉଛି। ଏଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କ ବିରୋଧରେ ଏଭଳି ଅଭିଯୋଗ ପ୍ରତିବର୍ଷ ବୃଦ୍ଧି ପାଇଚାଲିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହିକ୍ରମରେ ୨୦୧୮ରେ ସର୍ବାଧିକ ୨୫୯ଟି ଏଭଳି ଅଭିଯୋଗ ଦାୟର ହୋଇଛି ଓ ଏହା ଗତ ବର୍ଷ ତୁଳନାରେ ୧୦୦ରୁ ଅଧିକ ଥିବା ପ୍ରକାଶ। ସାଧାରଣ ପରିଷଦରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିନେଇ ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚିନ୍ତା ପ୍ରକଟ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ୨୦୧୮ ଜାନୁୟାରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ଜାତିସଙ୍ଘରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ୧୪୮ଟି ଯୌନ ଶୋଷଣ ଓ ନିର୍ଯାତନା ଅଭିଯୋଗ ଆସିଛି। ଏହା ବ୍ୟତୀତ ସହଯୋଗୀ ସଂଗଠନଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ୧୧୧ ଅଭିଯୋଗ ଦାୟର ହୋଇଛି। ଏହାକୁ ମିଶାଇ ମୋଟ ୨୫୯ ଅଭିଯୋଗ ଦାୟର ହୋଇଛି। ଏଥିମଧ୍ୟରୁ ସବୁଗୁଡ଼ିକ ଯାଞ୍ଚ ହୋଇ ନ ଥିବାବେଳେ ତଦନ୍ତାଧୀନ ରହିଛି। ୨୦୧୭ ଓ ୨୦୧୬ରେ ଏହି ସଂଖ୍ୟା ଯଥାକ୍ରମେ ୧୩୮ ଓ ୧୬୫ ଥିବା ଦର୍ଶାଯାଇଛି। ଆଫଗାନିସ୍ତାନ, ହାଇତି, ଭାରତ, ପାକିସ୍ତାନ, ଇରାକ, ଲାଇବେରିଆ, ଲିବ୍ୟା, ସିରିୟା ଓ ଦକ୍ଷିଣ ସୁଦାନ ଭଳି ବିଭିନ୍ନ ଦେଶରେ ରହିଥିବା ଜାତିସଙ୍ଘର ୩୪ଟି କାର୍ଯ୍ୟସ୍ଥଳରେ ଏଭଳି ଅଭିଯୋଗ ସର୍ବାଧିକ ବୋଲି ରିପୋର୍ଟରେ କୁହାଯାଇଛି। ବିଶେଷ କରି ଜାତିସଙ୍ଘ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ଅଞ୍ଚଳରୁ ଏଭଳି ଅଭିଯୋଗ ଅଧିକ ମିଳୁଛି। ଜାତିସଙ୍ଘର ୩୦ରାୁ ଅଧିକ କାର୍ଯ୍ୟସ୍ଥଳୀରେ ଏକ ଲକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜାତିସଙ୍ଘ କର୍ତ୍ତୃପକ୍ଷ ‘ଶୂନ୍ୟ ସହନଶୀଳତା’ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।
ଏଭଳି ଅଭିଯୋଗ ଉପରେ ପ୍ରତିକାର ବିଧାନ ପାଇଁ ଜାତିସଙ୍ଘର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ବା କାର୍ଯ୍ୟକ୍ରମ ଚାଲିଥିବା ରାଷ୍ଟ୍ରଗୁଡ଼ିକରେ ସ୍ବତନ୍ତ୍ର ‘ନେତୃମଣ୍ଡଳୀ’ ଗଠନ କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନେତୃମଣ୍ଡଳୀର ସଦସ୍ୟ ଅଛନ୍ତି। ଏହି ମଣ୍ଡଳୀ ଉପରୋକ୍ତ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଗତ ବର୍ଷ ଅକ୍ଟୋବରରେ ଜାତିସଙ୍ଘ କର୍ତ୍ତୃପକ୍ଷ ଏକ ଇଲେକ୍‌ଟ୍ରୋନିକ ‘କ୍ଲିୟର ଚେକ୍‌’ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହା ତଦନ୍ତରେ ସହାୟକ ହେଉଛି; ତେବେ ଅପରାଧିକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ନ ଥିବାରୁ ପ୍ରତିକାର ବିଧାନ ସଫଳ ହେଉ ନ ଥିବାକୁ କୁହାଯାଉଛି।

Leave A Reply