ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ। ବସ୍ଟି ଭରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ସେହି ବସ୍ରୁ ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଯାତ୍ରୀମାନେ ବର୍ତ୍ତମାନ ସୁବଳୟା ପଂଚାୟତ କାର୍ଯ୍ୟାଳୟରେ ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ବସ୍ଟି ଗତ ୧୫ ଦିନ ତଳେ ଚାରିଧାମ ଦର୍ଶନ ପାଇଁ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ବାହାରିଥିଲା। ଯାତ୍ରୀବାହୀ ବସ୍ଟି ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ତିରୁପତି ଅଭିମୁଖେ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସୁବଳୟା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ପୁଲିସ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଜେସିବି ମେସିନ ଦ୍ୱାରା ବସ୍ଟିକୁ ରାସ୍ତାକୁ ଅଣାଯାଇଛି। ତେବେ ସମସ୍ତ ଯାତ୍ରୀମାନଙ୍କୁ ପର୍ଯ୍ୟାୟକ୍ରମେ ନିଜ ନିଜ ଘରକୁ ପଠାଯିବାକୁ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି।



