www.samajalive.in
Monday, December 15, 2025
24.1 C
Bhubaneswar

ଆହୁରି ୪ ଦିନ ଝଡ ବର୍ଷା, ୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ଉପକୂଳ ଏବଂ ଉତ୍ତର ଓଡ଼ିଶା‌େ‌ର କାଳବୈଶାଖୀ ତାଣ୍ଡବ ରଚିଛି। ଘଣ୍ଟା ପ୍ରତି ୬୦କିମି ବେଗରେ ପବନ ବହିବା ଦ୍ବାରା ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଘର ଛପର ଉଡ଼ିଯାଇଛି। କେତେକ ଅଞ୍ଚଳରେ କୁଆପଥର ମାଡ଼ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। କାଳବୈଶାଖୀ ଯୋଗୁଁ ଭୁବନେଶ୍ବର, ବାଲେଶ୍ବର, କଟକ, ପୁରୀ, ଅନୁଗୋଳ, ବାରିପଦା, ପାରଳାଖେମୁଣ୍ଡି, ଢେଙ୍କାନାଳ, ଯାଜପୁର, ବଲାଙ୍ଗିର ଏବଂ ଖୋର୍ଦ୍ଧା ଆଦି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୁବନେଶ୍ବର, ବାରିପଦା, ବାଲେଶ୍ବର, ବଲାଙ୍ଗିର ଏବଂ ଢେଙ୍କାନାଳରେ କ୍ଷତି ଅଧିକ ହୋଇଛି। କେଉଁଠି ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା ତ ଆଉ କେଉଁଠି ଘର ଚାଳଛପର ଉଡ଼ିଯାଇଥିଲା। ଘଣ୍ଟାପ୍ରତି ୬୦କି.ମି.ରୁ ଅଧିକ ବେଗରେ ପବନ ବହିବାରୁ ବିଦ୍ୟୁତ୍‌ ଖୁଣ୍ଟି ବି ଧରାଶାୟୀ ହୋଇଛି। ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବା ଯୋଗୁଁ ଦିନତମାମ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିଲା। ଘଡ଼ଘଡ଼ିରେ ପୁରୀ ଜିଲାରେ ଜଣେ ଏବଂ ବାଲେଶ୍ବର ଜିଲାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖୋଦ୍ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ଉପୁଜିବାରୁ ପଥଚାରୀ ଜାତୀୟ ରାଜପଥ ଏବଂ ଟ୍ରାଫିକ୍‌ ଛକରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ।
ପୁରୀ ଜିଲା ସତ୍ୟବାଦୀ ବ୍ଲକ କେତକୀପାଟଣା ପଞ୍ଚାୟତ ପଦ୍ମପୁର ଗ୍ରାମର ଚାଷୀ ଦୀପ୍ତିରଞ୍ଜନ ବାରିକ ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ ବାପା କାଶୀନାଥ ବାରିକ ଓ ମଝିଆ ଭାଇ ସୌମ୍ୟରଞ୍ଜନ ବାରିକ  ଆହତ ହୋଇଛନ୍ତି। ବାଲେଶ୍ବର ଜିଲାର ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର କୃଷ୍ଣ ଚନ୍ଦ୍ର ଘଡ଼େଇଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବରରେ ୨୬.୨ମି.ମି. ବର୍ଷା ହୋଇଥିବାବେଳେ ପୁରୀ ୨୬, ଢେଙ୍କାନାଳ ୨୩.୮, ବାଲେଶ୍ବର ୧୮, ବାରିପଦା ୧୧, ପାରଳାଖେମୁଣ୍ଡି ୬.୬, ଖୋର୍ଦ୍ଧା ଏବଂ ଅନୁଗୋଳ ୨ ଏବଂ କଟକରେ ୩.୨ମି.ମି ବର୍ଷା ହୋଇଛି। ପୂର୍ବାହ୍ଣ ସାଢ଼େ ୯ଟା ବେଳକୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ସାରା ରାଜଧାନୀକୁ ଅନ୍ଧକାରମୟ କରି ଦେଇଥିଲା। ୬୦କି.ମି ବେଗରେ ପବନ ବହିଥିଲା। ବିଜୁଳି ଘଡ଼ଘଡ଼ି ଏବଂ ପ୍ରବଳ ବର୍ଷା ଭୁବନେଶ୍ବର ସହିତ ଉପକଣ୍ଠ ଅଞ୍ଚଳରେ ତାଣ୍ଡବ ରଚିଥିଲା। କିଛି ସମୟ ପାଇଁ କଟକ-ପୁରୀ ରାସ୍ତା ଭିଡ଼ ହୋଇଥିଲା। ଜୟଦେବ ବିହାର-ଆଚାର୍ଯ୍ୟ ବିହାର ଫ୍ଲାଏ ଓଭରବ୍ରିଜ୍‌ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ସୁଅ କାଟିଥିଲା। ଗାଡ଼ି ମୋଟର ଯାତାୟାତରେ ସମସ୍ୟା ଦେଖାଦେବା ସହ ଭିଡ଼ ହେବାରୁ ଲମ୍ବାଧାଡ଼ିରେ ଠିଆ ହୋଇଥିଲା। ବିଏମସି ୧୮ନଂ ୱାର୍ଡରେ ଲୋକଙ୍କ ଘରେ ବର୍ଷାଜଳ ପଶିଥିଲା। କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ଖୁଣ୍ଟ କିଛି ସ୍ଥାନରେ ଉପୁଡ଼ି ପଡ଼ିବାରୁ ବିଜୁଳି ସରବରାହ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ବ୍ୟାହତ ହୋଇଥିଲା। ଉପକଣ୍ଠ ଭିଙ୍ଗାରପୁର, ବେଣୁପୁର, କାକରୁଦ୍ରପୁର, ପ୍ରତାପରୁଦ୍ରପୁର, ଜୟଦେବ ଏବଂ ବେଣ୍ଟପୁର ପଞ୍ଚାୟତରେ କ୍ଷତି କରିଛି କାଳବୈଶାଖୀ। ଏହିସବୁ ପଞ୍ଚାୟତରେ ୧୨ଘଣ୍ଟା ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ଭରତପୁର, ଜିଏ କଲୋନୀ, ଶ୍ୟାମପୁର, କଳିଙ୍ଗନଗର, ମଳିପଡ଼ା, ଡୁମୁଡୁମା, ଖଣ୍ଡଗିରି, ଜାଗମରା ଏବଂ ପାତ୍ରପଡ଼ା ଅଞ୍ଚଳରେ କାଳବୈଶାଖୀ କ୍ଷତି କରିଛି। ଉପକଣ୍ଠର ଯାଁଳା, ଗଙ୍ଗପଡ଼ା, ଅଙ୍ଗାରପଡ଼ା, ଛତାବର ଓ ମଦନପୁର ଆଦି ଅଞ୍ଚଳରେ ଝଡ଼ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭରତପୁର ବିଦ୍ୟୁତ୍ ବିଭାଗ ଅଧୀନରେ ଥିବା କେତେକ ଅଞ୍ଚଳରେ ଖୁଣ୍ଟି ଉପୁଡ଼ି ପଡ଼ିଥିଲା। କେତେକ ଅଞ୍ଚଳରେ ଗଛ ପଡ଼ି ବିଦ୍ୟୁତ ତା’ର ଛିଣ୍ଡି ଥିଲା। ଅଗ୍ନିଶମ ବାହିନୀର ୩ଟି ଦଳ ବିଦ୍ୟୁତ୍ କର୍ମଚାରୀଙ୍କ ସହ ମିଶି ଭରତପୁର ଅଞ୍ଚଳରେ ପହଞ୍ଚି ଗଛ କାଟି ରାସ୍ତା ପରିଷ୍କାର କରିଥିଲେ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା।
ଅପରାହ୍ଣରେ ବାଲେଶ୍ବର ଜିଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଘଣ୍ଟା ପ୍ରତି ୬୨କି.ମି ବେଗରେ ପବନ ବହିଛି। ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି। ବାଙ୍କି, ଢେଙ୍କାନାଳ, ପୁରୀ ଜିଲାରେ ବର୍ଷା ପବନ ବ୍ୟାପକ କ୍ଷତି ଘଟାଇଛି। ବଲାଙ୍ଗିର ଜିଲାର ପାଟଣାଗଡ଼ ଅଞ୍ଚଳରେ କାଳବୈଶାଖୀ ପବନରେ ଗଛ ଉପୁଡ଼ି ୮ଟି ବାଇକ୍‌ ଉପରେ ପଡ଼ିଥିଲା। ବାଇକ୍‌ଗୁଡ଼ିକ ଭାଙ୍ଗି ଯାଇଛି। ମୟୂରଭଞ୍ଜ ଜିଲାର କରଞ୍ଜିଆ, ଶୁକୃଳି, ରରୁଆଁ ବ୍ଲକରେ କୁଆପଥର ମାଡ଼ ହେବାରୁ ୮୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଛି। ଗଜପତି ଜିଲାର ମୋହନ ବ୍ଲକରେ ବର୍ଷା ଓ କୁଆପଥର ମାଡ଼ ଦ୍ବାରା ୨୦ରୁ ଅଧିକ ଘରର ଛପର ନଷ୍ଟ ହୋଇଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ରହିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲାକୁ ବଜ୍ରପାତ ଏବଂ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଲାଙ୍ଗିରରେ ପାରଦ ୪୧.୮ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ ୪୧.୫, ଭବାନୀପାଟଣା ୪୧, ସୁବର୍ଣ୍ଣପୁର ୪୦.୮, ବୌଦ୍ଧ ୪୦, ସମ୍ବଲପୁର ୪୦.୮, ଝାରସୁଗୁଡ଼ା ୪୦.୫, ଭୁବନେଶ୍ବର ୩୩.୨ ଏବଂ କଟକରେ ୩୩ ଡିଗ୍ରୀ ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories