www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ଭାରତ ବନ୍ଦ : ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା କାଲି(ମଙ୍ଗଳବାର) ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ ହେବ। ବନ୍ଦ ବେଳେ ଯେମିତି କିଛି ବିଶୃଙ୍ଖଳା ନ ଉପୁଜେ, ସେଥିପାଇଁ କୃଷକ ନେତାମାନେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।​‌ ବିଶେଷକରି ସର୍ବସାଧାରଣ ଯେମିତି କିଛି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତା’ଉପରେ ସେମାନେ ଗୁରୁତ୍ବ ଦେଇଛନ୍ତି। ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ବନ୍ଦବେଳେ ଯେମିତି ସାଧାରଣ ଜନତା ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି। ସରକାରୀ ଚାକିରିଆଙ୍କୁ କାର୍ଯ୍ୟାଳୟରେ ଯୋଗଦେବା ଓ ଘରକୁ ଫେରିବାରେ ସୁବିଧା ପାଇଁ ବନ୍ଦ ସମୟ ଦିନ ୧୧ଟାରୁ ୩ଟା ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି।

ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଇପାରିବେ। ଦେଶବାସୀ ଅହିଂସା ମାର୍ଗରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ବନ୍ଦ ସମୟରେ କୃଷକଙ୍କର କୌଣସି ମଞ୍ଚରେ ରାଜନୈତିକ ଦଳର ନେତାଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ରାକେଶ ଟିକାୟତ ସ୍ପଷ୍ଟ କରିଛନ୍ତି। ଭାରତୀୟ କିଷାନ ୟୁନିୟନ ସହିତ ପ୍ରାୟ ୪୦ଟି କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ସେମାନଙ୍କୁ କଂଗ୍ରେସ, ଏନସିପି, ଡିଏମକେ, ଏସପି, ଟିଆରଏସ ଓ ବାମ ଦଳ ଭଳି ଅଧିକାଂଶ ବିରୋଧୀ ଦଳ, ଶ୍ରମିକ ସଂଗଠନ ଓ ବ୍ୟାଙ୍କ କର୍ମଚାରୀ ସଂଘ ସମର୍ଥନ ଜଣାଇଛନ୍ତି। ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ କଳାବ୍ୟାଜ୍‌ ପରିଧାନ କରାଯିବ ବୋଲି ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟରେ କୃଷକମାନେ ରାଜପଥ ଅବରୋଧ କରିବେ ଓ ଟୋଲ ପ୍ଲାଜାଗୁଡ଼ିକୁ ଅଚଳ କରିବେ। ଏହି ସମୟରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଇତ୍ୟାଦି ଯଥାରୀତି କାର୍ଯ୍ୟ କରିବ।

- Advertisement -

ଅପରପକ୍ଷରେ ଭାରତ ବନ୍ଦ’ ସମୟରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ଓ ଶାନ୍ତିଶୃଙ୍ଖଳା ବଜାୟ ରହେ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ମାର୍ଗଦର୍ଶିକାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ଓ ସମାବେଶ ସମୟରେ ଶାରୀରିକ ଦୂରତା ବଜାୟ ରଖିବା ଓ କରୋନା ମାର୍ଗଦର୍ଶିକା ପାଳନ କରିବା ଅପରିହାର୍ଯ୍ୟ ବୋଲି କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ବିରୋଧୀ ଦଳଙ୍କୁ ଆକ୍ଷେପ କରାଯାଇଛି। କଂଗ୍ରେସ ସରକାର ଅମଳରେ କୃଷି ମନ୍ତ୍ରୀ ଥିବା ଶରଦ ପୱାର କୃଷି କ୍ଷେତ୍ରରେ ଘରୋଇକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ କରିଥିଲେ; କିନ୍ତୁ ଏବେ ବିରୋଧ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଅନ୍ୟ ପଟରେ ଗୁଜରାଟ ସରକାର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି। ବନ୍ଦରେ ସାମିଲ ହେଲେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଚେତାବନୀ ଦେଇଛନ୍ତି। ମୁମ୍ବଇରେ କୃଷକଙ୍କ ସମର୍ଥନରେ କାର ଶୋଭାଯାତ୍ରା ଓ ମାନବଶୃଙ୍ଖଳ ଆୟୋଜନ କରାଯାଇଛି। ବିଭିନ୍ନ ରାଜ୍ୟରେ କୃଷକ ସଂଗଠନଗୁଡ଼ିକ ବନ୍ଦ ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସରକାରମାନେ ସମ୍ଭାବ୍ୟ ସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ପାଇଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ୧୨ ଦିନ ଧରି ନିଜ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ କରୁଥିବାବେଳେ କେନ୍ଦ୍ର ସରକାର ମଧ୍ୟ ନିଜ ଜିଦ୍‌ରୁ ହଟୁ ନାହାନ୍ତି। ଉଭୟ ପକ୍ଷ ମଧ୍ୟରେ ୫ଥର ବୈଠକ ବିଫଳ ହୋଇଛି ଓ ଆସନ୍ତା ୯ରେ ପୁନଃ ଆଲୋଚନା ପ୍ରସ୍ତାବ ରହିଛି।

ଏହି ଅବସରରେ ପଦ୍ମବିଭୂଷଣ ସମ୍ମାନ ଫେରାଇଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି କୃଷକଙ୍କୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ସଂଗଟର ସମୁଚିତ ସମାଧାନ ଯଥେଷ୍ଟ ପୂର୍ବରୁ କରାଯାଇପାରିଥାଆନ୍ତା ବୋଲି ମତ ଦେଇଛନ୍ତି। ସେ ସାଧାରଣ ଜନତା ତଥା କୃଷକଙ୍କ ସ୍ବାର୍ଥ ଖୁବ୍‌ ଚିନ୍ତିତ ଥିବାରୁ ଏହି ଚିଠି ଲେଖିଥିବା ଜଣାଇଛନ୍ତି। କୃଷକଙ୍କ ସମସ୍ୟା ଏବେ କେବଳ ସେମାନଙ୍କର ନିଜର ହୋଇ ରହି ନାହିଁ; ବରଂ ସମଗ୍ର ଦେଶର ଆର୍ଥିକ ବ୍ୟବସ୍ଥାକୁ ଆଘାତ ଦେଇଛି ବୋଲି ସେ ମତ ରଖିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories