ଗ୍ୟାଙ୍ଗଷ୍ଟର ଟିଟୋର ୬ ସହଯୋଗୀଙ୍କୁ ଗିରଫ କଲା ଏସ୍ଟିଏଫ୍
ଭୁବନେଶ୍ୱର : କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସ୍ମାନ୍ ଅଲ୍ଲୀକୁ ଗତକାଲି ଏକ ଡକାୟତି ଓ ହତ୍ୟା ଯୋଜନା ଘଟଣାରେ କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ୍ ଟାସ୍କଫୋର୍ସ(ଏସ୍ଟିଏଫ୍)ର ଏକ ଟିମ୍ ଏନ୍କାଉଣ୍ଟର କରିବା ସହିତ ଏହାର ଅନ୍ୟ ୬ ସହଯୋଗୀଙ୍କୁ ରବିବାର ଗିରଫ କରିଛି। ଟିଟୋକୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୬ ସହଯୋଗୀଙ୍କୁ ଆସନ୍ତାକାଲି କେନ୍ଦ୍ରାପଡା କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର ଅଣ୍ଡରୱାର୍ଲଡ ସମ୍ପୃକ୍ତ ଥିବା ନେଇ ଏସ୍ଟିଏଫ୍ ତଦନ୍ତ କରୁଥିବା ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରାଜ୍ୟରେ ସଂଗଠିତ ଅପରାଧକୁ ଖୋଳତାଡ଼ କରୁଥିବା ଏସ୍ଟିଏଫ୍କୁ ଟିଟୋର ସେଭଳି କିଛି ଅପରାଧ ସହିତ ସମ୍ପୃକ୍ତି ଥିବା ସୂଚନା ମିଳିଛି। ତାକୁ ନେଇ ଏବେ ତଦନ୍ତ କରାଯାଉଛି। ଟିଟୋର କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ଅନେକ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଛି। ଏସବୁ ଦିଗକୁ ନେଇ ଏସ୍ଟିଏଫ୍ ଖୋଳତାଡ କରୁଥିବା ସେ କହିଛନ୍ତି।
ଏସ୍ଟିଏଫ୍ ସୂଚନା ଅନୁସାରେ ଟିଟୋ ବିରୋଧରେ ରାଜ୍ୟର ବିଭିନ୍ନ ଜିଲାରେ ଅପରାଧର ଲମ୍ବା ତାଲିକା ରହିଛି। ଏପର୍ଯ୍ୟନ୍ତ ଟିଟୋ ବିରୋଧରେ ୫୦ରୁ ଅଧିକ ମାମଲା ରହିଥିବା ଜଣାପଡିଛି। ବିଲ୍ଡର, ପେଟ୍ରୋଲ୍ପମ୍ପ ଓ ଠିକାଦାରଙ୍କଠାରୁ ଦାଦାବଟି ଆଦାୟ କରିବାଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଓ ଡକାୟତି ଭଳି ମାମଲାରେ ଟିଟୋ ଓ ତା’ର ଗ୍ୟାଙ୍ଗ ସମ୍ପୃକ୍ତ ବୋଲି ଜଣାପଡିଛି। ଅନ୍ୟ ସହଯୋଗୀମାନେ ହେଲେ ସେକ୍ ଆସିମ୍(୨୮), ସେକ୍ ଚୁନୁ(୩୫), କଟକ ଲାଲ୍ବାଗର ସୟଦ ଅଜର ସହିଦ(୨୮), ସରଫରାଜ୍ ଖାନ୍(୩୮), କଟକ ଦରଘାବଜାରର ନଦିମ୍ ଖାନ(୨୭) ଓ ଲାଲବାଗ୍ ଖଟବିନ୍ ସାହିର ବାବୁ ଖାନ୍(୩୨)। ଟିଟୋ ସୁସ୍ଥ ହେବା ପରେ ତାକୁ ଏସ୍ଟିଏଫ୍ ରିମାଣ୍ଡରେ ଆଣିବ ବୋଲି ଏସ୍ପି ଡ. ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ସହଯୋଗୀଙ୍କଠାରୁ ଏସ୍ଟିଏଫ୍ ୨ଟି ବନ୍ଧୁକ, ୪ଟି ଅଫୁଟା ଗୁଳି, ଗୋଟିଏ ଖୋକା, ୨ଟି ଭୁଜାଲି, ୬ଟି ମୋବାଇଲ୍ ଫୋନ୍ ଏବଂ ୪୫୦୦ ଟଙ୍କା ଜବତ କରିଛି।
ଗତକାଲି ଟିଟୋ ଏବଂ ତା’ର ସହଯୋଗୀମାନେ ଡକାୟତି ଓ ହତ୍ୟା ପାଇଁ ଯୋଜନା କରୁଥିବା ବେଳେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏସ୍ଆଇ ଜଗନ୍ନାଥ ସାହୁ ଏବଂ ଅନ୍ୟମାନେ ସେଠାରେ ଚଢ଼ଉ କରିଥିଲେ। ସମସ୍ତଙ୍କୁ ଏସ୍ଟିଏଫ୍ ଟିମ୍ ଧରି ପଚରାଉଚରା କରିବା ବେଳେ ସେମାନେ ଡକାୟତି ଓ ହତ୍ୟା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ। ମାରଣାସ୍ତ୍ର ଜବତ କରିବା ଲାଗି ଟିଟୋକୁ ବଡ଼ଚଣା ଅଞ୍ଚଳକୁ ନିଆଯାଇଥିଲା। ମାରଣାସ୍ତ୍ର ଖୋଜାଖୋଜି କରିବା ବେଳେ ଟିଟୋ ପୁଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା। ଏସ୍ଟିଏଫ୍ ଅଧିକାରୀ ନିଜକୁ ବଞ୍ଚାଇବା ଲାଗି ଟିଟୋ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଆହତ ହୋଇଥିବା ଟିଟୋକୁ ପ୍ରଥମେ ବଡ଼ଚଣା ହସ୍ପିଟାଲ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ବଡ଼ଚଣାରୁ ଟିଟୋକୁ କଟକ ରେଫର କରାଯାଇଥିଲା।