ଟିଟିଲାଗଡ଼: ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମ ପଞ୍ଚାୟତ ୱାର୍ଡ ନଂ ୩ର ଦାବଝର ଗ୍ରାମର ୧୪୨ ଜଣ ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି। କେବଳ ଉକ୍ତ ଗ୍ରାମର ୬ ଜଣଙ୍କୁ ହିଁ ମତଦାତା ସୂଚିରେ ରଖାଯାଇଥିବା ସୋମବାର ଟିଟିଲାଗଡ ଉପଜିଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଠାରେ ଗ୍ରାମବାସୀ ଆସି ଅଭିଯୋଗ କରିଛନ୍ତି। କେବଳ ଆଦିବାସୀ ରହୁଥିବା ଏହି ଗ୍ରାମରେ ଜାଣିଶୁଣି ଆମର ମତଦାନ ଅଧିକାରକୁ କାଟି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉପଜିଲାପାଳଙ୍କ ନିକଟକୁ ଆସିଥିବା ଗ୍ରାମର ବୃଦ୍ଧବୃଦ୍ଧା ପଦାସ ଭୋଇ, କୌଶଲ୍ୟା ଭୋଇ, ଶତୃଘ୍ନ ଭୋଇ, ସୁର୍ଯ୍ୟ ମାଝୀ, ସୁରୁସିଂ ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଆମେ ଅନେକ ଥର ପଞ୍ଚାୟତ ଏବଂ ଲୋକସଭା ନିର୍ବାଚନରେ ଭୋଟ ଦେଲୁଣି, ହେଲେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଅଭିସନ୍ଧି ରଖି ଆମକୁ ଭୋଟ ଦାନରୁ ବଞ୍ଚିତ କରିବା ପାଇଁ ଏଭଳି କରିଛି। ଯଦି ଆମ ଭୋଟ ଦାନରୁ ବଞ୍ଚିତ ରହିବୁ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବୁ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି।
ଏନେଇ ଉପଜିଲାପାଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଜିଲା ନିର୍ବାଚନ ଅଧିକାରୀ ତଥା ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଉପଜିଲାପାଳଙ୍କ ପରାମର୍ଶ ଅନୁସାରେ ଗ୍ରାମବାସୀ ଭୋଟର ତାଲିକାରୁ ବଞ୍ଚିତ ସମସ୍ତ ଗ୍ରାମବାସୀଙ୍କ ତାଲିକା ମଧ୍ୟ ପ୍ରଦାନ କରିଛନ୍ତି। ଏସମ୍ପର୍କରେ ଟିଟିଲାଗଡ ଉପଖଣ୍ଡ ପଞ୍ଚାୟତ ଅଧିକାରି ହେମାନନ୍ଦ ବିଶ୍ୱାଲଙ୍କୁ ଯୋଗାଯୋଗ କରିବାରୁ ବୁଥ ସ୍ତରୀୟ ଅଧିକାରୀ ଏନେଇ କୌଣସି ତୃଟି କରିଥିବା ସନ୍ଦେହ ହେଉଛି। ତେବେ ରାଜ୍ୟ ନିର୍ବାଚନ କମିଶନର ଏନେଇ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଅପରପକ୍ଷରେ ଗୋଟିଏ ଗାଁର ସମସ୍ତ ଅଧିବାସୀଙ୍କୁ ମୃତ ଦର୍ଶାଇ ମତଦାତା ସୂଚୀରୁ ବାଦ ଦେବା ନେଇ ଆଦିବାସୀ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ମହାସଚିବ ନିରଞ୍ଜନ ବିଶି ଚେତାବନି ଦେଇଛନ୍ତି।



