ଏ ବର୍ଷ ମୌସୁମି ବର୍ଷା ସ୍ବାଭାବିକ
ଭୁବନେଶ୍ବର: ଚଳିତବର୍ଷ ଦେଶରେ ମୌସୁମି ବର୍ଷା ସ୍ବାଭାବିକ ରହିବ। ଜୁନରୁ ସେପ୍ଟେମ୍ବର ପର୍ୟ୍ୟନ୍ତ ୪ମାସ ଧରି ମୌସୁମି ସକ୍ରିୟ ରହିବା ସହିତ ସ୍ବାଭାବିକ ବର୍ଷା ହେବ। ସାରାଦେଶରେ ବୃଷ୍ଟିପାତ ପରିମାଣ ୯୬ରୁ ୧୦୪ପ୍ରତିଶତ ମଧ୍ୟରେ ରହିବ। ତେବେ ଓଡ଼ିଶାକୁ ମୌସୁମି ପହଞ୍ଚିବାରେ ଏକ ସପ୍ତାହ ବିଳମ୍ବ ହେବ। ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ନୂଆଦିଲ୍ଲୀରେ ଅନଲାଇନ ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏମଡ଼ି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗ ଆକଳନ ଆଧାରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରଥମେ ଜୁନ ୧ ସୁଦ୍ଧା କେରଳର ତିରୁବନନ୍ତପୁରମ ଛୁଇଁବ। ତେବେ ଓଡ଼ିଶାକୁ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ବିଳମ୍ବରେ ଆସିବ। ଓଡ଼ିଶାରେ ଜୁନ ୧୩ ତାରିଖ ସୁଦ୍ଧା ମୌସୁମି ପହଞ୍ଚିବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ପ୍ରାୟ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମି ପହଞ୍ଚିଥାଏ। ଆଗାମୀ ବର୍ଷା ଋତୁରେ ବୃଷ୍ଟିପାତ ୯ପ୍ରତିଶତ ପର୍ୟ୍ୟନ୍ତ କମିପାରେ ବୋଲି ପରିସଂଖ୍ୟାନ ମଡ଼େଲ ଆଧାରରେ ସୂଚନା ମିଳୁଥିଲେ ହେଁ ଏଥର ବୃଷ୍ଟିପାତ ସ୍ବାଭାବିକ ହେବ ବୋଲି ଆଇଏମଡ଼ି ପକ୍ଷରୁ କୁହାଯାଇଛି।
ଏଥର ଉତ୍ତର ଭାରତରେ ମୌସୁମି ପହଞ୍ଚିବାରେ ସାମାନ୍ୟ ବିଳମ୍ବ ଘଟିପାରେ। ଓଡ଼ିଶା ସମେତ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ମୌସୁମି ୩ରୁ ୭ଦିନ ବିଳମ୍ବ ହେବାର ସମ୍ଭାବନା ରହିଛି। ଉତ୍ତରପଶ୍ଚିମ ଭାରତରେ ମୌସୁମି ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିପାରେ। ପୂର୍ବରୁ ଜୁଲାଇ ୧୫ରେ ମୌସୁମି ଆଗମନ ନେଇ ପୂର୍ବାନୁମାନ କରାଯାଇଥିବାବେଳେ ଏଥର ସପ୍ତାହକ ପୂର୍ବରୁ ଜୁଲାଇ ୮ରେ ଉତ୍ତର ପୂର୍ବାଞ୍ଚଳ ଛୁଇଁବ ବୋଲି ଆକଳନ କରାଯାଇଛି।
ପ୍ରଶାନ୍ତ ଓ ଭାରତ ମହାସାଗରରେ ସମୁଦ୍ର ଉପର ଭାଗର ତାପମାତ୍ରା ଭାରତୀୟ ମୌସୁମି ପ୍ରବାହକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। ଚଳିତ ମୌସୁମି ଋତୁରେ ‘ଏଲ ନିନୋ’ ଏବଂ ‘ଲା ନିନା’(ସାମୁଦ୍ରିକ ଉତ୍ତାପ ବୃଦ୍ଧି ବା ହ୍ରାସ)ର ବିଶେଷ ପ୍ରଭାବ ପଡ଼ି ନପାରେ ବା ଦୁର୍ବଳ ରହିପାରେ ବୋଲି କୁହାଯାଉଛି। ଆଇଏମଡ଼ି ମୌସୁମି ପ୍ରବାହ ସଂକ୍ରାନ୍ତରେ ଆକଳନ କରିବା ସମୟରେ ସାମୁଦ୍ରିକ ଉତ୍ତାପ ପରିବର୍ତ୍ତନ ଉପରେ ନଜର ରଖିଥାଏ। ଆଇଏମଡ଼ି ଦୁଇଟି ପର୍ୟ୍ୟାୟରେ ମୌସୁମି ପ୍ରବାହ ସଂକ୍ରାନ୍ତରେ ଭବିଷ୍ୟବାଣୀ କରିଥାଏ। ୨୦୨୦ ମୌସୁମି ପ୍ରବାହ ସଂକ୍ରାନ୍ତରେ ଆଇଏମଡ଼ି ଆଜି ଏହାର ପ୍ରାକ ଆକଳନ କରିଥିବାବେଳେ ମେ ଶେଷ ସପ୍ତାହ ଏବଂ ଜୁନ ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଭବିଷ୍ୟବାଣୀ ରଖିବ ବୋଲି ସୂଚନା ମିଳିଛି।
ଜୁନରୁ ସେପ୍ଟେମ୍ବର ଭିତରେ ରାଜ୍ୟ ତଥା ଦେଶରେ ମୌସୁମି ବର୍ଷା ସ୍ବାଭାବିକ ରହିବ ବୋଲି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ.ରାଜୀବନ ମଧ୍ୟ ସୂଚନା ଦେଇଛନ୍ତି। ଚଳିତବର୍ଷଠାରୁ ମୌସୁମି ପ୍ରବେଶ ଓ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତରେ ମଧ୍ୟ ସଂଶୋଧିତ ପ୍ରାକ ସୂଚନା ପ୍ରଦାନ କରାଯିବ ବୋଲି ଆଇଏମଡ଼ି ପକ୍ଷରୁ ସେ ସୂଚନା ଦେଇଛନ୍ତି।
Comments are closed.