ନୂଆବର୍ଷ ପାଇଁ ରୁପା ଛାଉଣିରେ ଝଲସିବ ଶ୍ରୀମନ୍ଦିର

ପୁରୀ : ନୂଆବର୍ଷରେ ରୁପା ଛାଉଣିରେ ଝଲସିବ ଶ୍ରୀମନ୍ଦିର। ସିଂହଦ୍ବାର ଗୁମୁଟରୁ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଚାଦର ଲଗାଯାଉଛି। ରୁପା ମରାମତି କାର୍ଯ୍ୟର ସୂକ୍ଷ୍ମ କାରିଗରୀ ବେଶ୍ ଆକର୍ଷଣୀୟ ଦେଖାଯାଉଛି। ସେହିଭଳି ପତିତପାବନ ମନ୍ଦିର ନିକଟରେ ଖିଲଣ ଏବଂ ମଣିବନ୍ଧକୁ ରୁପା ଛାଉଣି ହେଉଛି। ଏହି ରୁପା ଛାଉଣିରେ ଶଙ୍ଖ, ଚକ୍ର ଏବଂ ପଦ୍ମ ପାଖୁଡ଼ା କାରୁକାର୍ଯ୍ୟ ଦେଖିବାକୁ ମିଳିଛି। ବଡ଼ଦେଉଳ ରତ୍ନ ଭଣ୍ଡାରକୁ ଜଗି ରହିଥିବା ଲୋକନାଥଙ୍କ ମନ୍ଦିର ଦ୍ବାରରେ ରୁପା ଛାଉଣି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ନିଷ୍ପତ୍ତି ନେଇଛି।

prayash

ରାତି ପହୁଡ଼ ପରେ ଆରମ୍ଭ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ‌‌ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ରୁପା ଛାଉଣି କାର୍ଯ୍ୟ ପାଇଁ ପ୍ରାୟ ୩୫୦ କିଲୋ ରୁପା ଲାଗିବ ବୋଲି ଆକଳନ କରାଯାଇଛି। ସେହିପରି ମଦନ ମୋହନ, ଶ୍ରୀଦେବୀ ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ଆଦି ଠାକୁରଙ୍କ ୭ଟି ପ୍ରଭାକୁ ରୁପା ଛାଉଣି କରିବାକୁ ପ୍ରସ୍ତୁତି ଚାଲିଛି। ପତିତପାବନ ମନ୍ଦିର, ଖିଲଣ, ମହାପ୍ରଭୁଙ୍କ ଅଣସର ଖଟ ଆଦିକୁ ମଧ୍ୟ ରୁପା ଛାଉଣି ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ।

ଆଗାମୀ ଦିନରେ ରତ୍ନଭଣ୍ଡାର ଦ୍ବାରକୁ ସୁନା ଛାଉଣି କରାଯିବା ପାଇଁ ବିଚାର ବିମର୍ଶ ଜାରି ରହିଛି। ଭଣ୍ଡାର ଘର ଦ୍ବାର ପ୍ରାୟ ୬ ଫୁଟ ଉଚ୍ଚ ଓ ସାଢେ଼ ତିନି ଫୁଟ ପ୍ରସ୍ଥ ହୋଇଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ତଥା ରକ୍ଷଣାବେକ୍ଷଣ ପାଇଁ ରୁପା ଛାଉଣି କାର୍ଯ୍ୟକୁ ସବୁ ମହଲରେ ସ୍ବାଗତ କରାଯାଇଛି। ସିଂହଦ୍ୱାର ଭଳି ଅନ୍ୟ ତିନି ଦ୍ବାର ମଧ୍ୟ ରୁପା ଛାଉଣି କରିବା ପାଇଁ ସେବାୟତମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ରୁପା ତାରକସି କାର୍ଯ୍ୟ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର ରୁପା ଛାଉଣି କାମ ପାଇଁ ମହାରାଷ୍ଟ୍ର କାରିଗରଙ୍କୁ ନିୟୋଜିତ କରାଯିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

Comments are closed.