ଦୁର୍ଘଟଣାର ପ୍ରମୁଖ କାରଣ ପଥ ସମ୍ମୋହନ

କଟକ : ରାଜ୍ୟରେ ଘଟୁଥିବା ସଡକ ଦୁର୍ଘଟଣାର ପ୍ରମୁଖ କାରଣ ରୋଡ ହିପ୍ନୋସିସ ବା ପଥ ସମ୍ମୋହନ ବୋଲି ଜଣାପଡିଛି।  ବିଗତ କିଛି ବର୍ଷର ଦୁର୍ଘଟଣାର କାରଣ ସମ୍ପର୍କରେ ସମୀକ୍ଷା କରାଯିବା ପରେ ଏହି ତଥ୍ୟ ଜଣାପଡିଛି। ପଥ ସମ୍ମୋହନର ବଶ ହେଲେ ଚାଳକର ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ। ଏହି ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି। ଏବେ ଏହା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଦିନକୁ ଦିନ ବଢ଼ୁଥିବା ପଥ ସମ୍ମୋହନ ଜନିତ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଚାଳକ ଓ ଯାତ୍ରୀଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନ କରାଯାଇଛି।

ପଥ ସମ୍ମୋହନ ବା ରୋଡ୍ ହିପ୍ନୋସିସ୍ ଏପରି ଏକ ଶାରୀରିକ ସ୍ଥିତି ଯାହା ସମ୍ପର୍କରେ ଅଧିକାଂଶ ଚାଳକ ସଚେତନ ନ ଥାନ୍ତି। ରାଜପଥରେ ପଥ ସମ୍ମୋହନ ପ୍ରାୟତଃ ରାତିରେ ଘଟେ। ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ। କ୍ରମାଗତ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ ପଥ ସମ୍ମୋହନ ସ୍ଥିତି ଆରମ୍ଭ ହୁଏ। ଏହି ଅବସ୍ଥାରେ ଆଖି ତ ଖୋଲା ଥାଏ ହେଲେ ମସ୍ତିଷ୍କ କିଛି ମନେ ରଖିପାରେ ନାହିଁ ଓ ବୁଝିପାରେ ନାହିଁ। ପଥ ସମ୍ମୋହିତ ଚାଳକ ଦୁର୍ଘଟଣାର ପୂର୍ବ ୧୫ ମିନିଟ୍ କିଛି ଜାଣିପାରେନାହିଁ। କେତେ ବେଗରେ ସେ ଗାଡ଼ି ଚଳାଉଛନ୍ତି କିମ୍ବା ତାଙ୍କ ସମ୍ମୁଖରେ ଥିବା ଗାଡ଼ି କେତେ ବେଗରେ ଯାଉଛି ତାହା ଜାଣିପାରନ୍ତି ନାହିଁ।

୨୦୨୩ ବର୍ଷ ତଥ୍ୟ ଅନୁସାରେ ଗାଡ଼ିକୁ ପଛରୁ ଧକ୍କା ଦେଇ ୨୪୯୬ଟି ଦୁର୍ଘଟଣା ଘଟିଥିବାବେଳେ ୧୧୯୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨୭୨ ଜଣ ଆହତ ହୋଇଛନ୍ତି। ଗୋଟିଏ ପାଖରୁ ଗାଡ଼ିକୁ ଧକ୍କା ଦେଇ ଘଟିଥିବା ୬୩୯ଟି ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୪ ଜଣ ଗୁରୁତର ହୋଇଛନ୍ତି। ସେହିଭଳି ରାସ୍ତାକଡ଼ ଗଛ, ଖୁଣ୍ଟ ଆଦିକୁ ଧକ୍କା ଦେଇ ୭୬୩ ଦୁର୍ଘଟଣା ଘଟିଥିବା ବେଳେ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୨୨ ଜଣ ଆହତ  ହୋଇଛନ୍ତି।  ଏହିସବୁ ଦୁର୍ଘଟଣା ପଛରେ ଥିବା ଅନେକ କାରଣ ମଧ୍ୟରୁ ପଥ ସମ୍ମୋହନ ଅନ୍ୟତମ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶୀତ ଋତୁରେ ପଥ ସମ୍ମୋହନରୁ ଚାଳକଙ୍କୁ ରକ୍ଷା କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାସ୍ତା କଡରେ ଚା’ ବଣ୍ଟନ କରାଯାଇଥିଲା।  ପଥ ସମ୍ମୋହନ ଏଡାଇବାକୁ ଦୀର୍ଘ ଯାତ୍ରାରେ ଯିବାବେଳେ ଓ କ୍ରମାଗତ ଭାବେ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ ନିଶ୍ଚୟ କିଛି ସମୟ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଭଲ ଭାବେ ମୁହଁ ଧୋଇବା ସହ କିଛି ସମୟ ଚଲାବୁଲା କରି ୫ରୁ ୬ ମିନିଟ ବିଶ୍ରାମ ନିଅନ୍ତୁ।  ଚା’, କଫି ଆଦି ପିଅନ୍ତୁ। ସମ୍ପୂର୍ଣ୍ଣ ସତେଜ ଅନୁଭବ କଲେ ହିଁ  ଗାଡ଼ି ଚାଳନା ଆରମ୍ଭ କରନ୍ତୁ। କେବଳ ଚାଳକ ନୁହେଁ, ଯାତ୍ରୀମାନେ ମଧ୍ୟ ଏ ଦିଗରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଖରେ ଥିବା କର୍ମଚାରୀ କିମ୍ବା ଯାତ୍ରୀମାନେ ଶୋଇଗଲେ ଚାଳକ ପଥ ସମ୍ମୋହନର ଶିକାର ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ସମସ୍ତ ଚାଳକ ଓ ଯାତ୍ରୀ ଏ ଦିଗରେ ସଚେତନ ରହି ଦୁର୍ଘଟଣା ରୋକିବା ସହ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି।

Comments are closed.