ଟିକସ ଆତଙ୍କ ; ଗରିବ ଉପଭୋକ୍ତା କ୍ଷତିଗ୍ରସ୍ତ ନ ହୁଅନ୍ତୁ

କେନ୍ଦ୍ର ସରକାର ଯେତେ ଅସ୍ୱୀକାର କଲେ ମଧ୍ୟ ଟିକସ ଆତଙ୍କ ମଝିରେମଝିରେ ଆତ୍ମପ୍ରକାଶ କରୁଛି। ଏବେ ଆୟକର ବିଭାଗର କେତେକ ପଦକ୍ଷେପ ଜରିଆରେ ପୁଣି ଥରେ ଟିକସ ଆତଙ୍କର ସ୍ୱରୂପ ଦେଖିବାକୁ ମିଳିଛି। ଜାତୀୟସ୍ତରର ଏକ ଇଂରାଜୀ ଦୈନିକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯେଉଁ ଘରୋଇ କମ୍ପାନୀମାନେ ଟିକସ ପୈଠ କରିନାହାନ୍ତି ସେହି କମ୍ପାନୀର ନିର୍ଦେଶକମାନଙ୍କଠାରୁ ଟିକସ ବକେୟା ରାଶି ଅସୁଲ କରାଯିବ। ଏହି ମର୍ମରେ ଆୟକର ବିଭାଗ ସମ୍ପୃକ୍ତ କମ୍ପାନୀର ନିର୍ଦେଶକମାନଙ୍କୁ ନୋଟିସ ଜାରି କରିଛି। ବକେୟା ପୈଠ ପାଇଁ ନିର୍ଦେଶକମାନଙ୍କୁ ୧୦ ରୁ ୧୫ ଦିନ ମହଲତ ଦିଆଯାଇଛି। ଯଦି ଉକ୍ତ ରିପୋର୍ଟ ସତ ସାବ୍ୟସ୍ତ ହୁଏ ତେବେ ଭାରତର ଆୟକର ଇତିହାସରେ ଏହା ଏକ ଅଭାବନୀୟ ଓ ଅଶ୍ରୁତପୂର୍ବ ଅଧ୍ୟାୟ ହେବ। କେବଳ ସେତିକି ନୁହେଁ, ଚଳିତ ସପ୍ତାହରେ ଟିକସ ସମ୍ପର୍କିତ ଏଭଳି କିଛି ଘଟଣା ଘଟିଛି ଯାହା ଟିକସ ଆତଙ୍କର ଉପସ୍ଥିତିକୁ ନିଶ୍ଚିତ କରୁଛି।
କେବଳ ଘରୋଇ କମ୍ପାନୀ ନୁହନ୍ତି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ଟିକସ ଆତଙ୍କରୁ ବାଦ୍‍ ପଡ଼ିନାହିଁ। ଟେଲିକମ୍‍ ସଂସ୍ଥାମାନଙ୍କଠାରୁ ଆଦାୟ ହେବାକୁ ଥିବା ଏଜିଆର(ଆଡ୍‍ଜଷ୍ଟେଡ୍‍ ଗ୍ରସ ରେଭିନ୍ୟୁ) ତାଲିକାରେ ଆଶ୍ଚର୍ଯ୍ୟଜନକ ଭାବେ କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଅନ୍ତର୍ଭୁକ୍ତ କରାଯାଇଛି। ଗ୍ୟାସ୍‍ ଅଥରିଟି ଅଫ୍‍ ଇଣ୍ଡିଆ ଲିମିଟେଡ୍‍, ଅଏଲ୍‍ ଇଣ୍ଡିଆ ଲିମିଟେଡ୍‍, ପାୱାର ଗ୍ରୀଡ୍‍ କର୍ପୋରେସନ୍‍, ଗୁଜରାଟ ନର୍ମଦା ଭାଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍‍ ଲିମିଟେଡ୍‍ଠାରୁ ଏଜିଆର ବାବଦରେ ମୋଟ ୨.୭ ଲକ୍ଷ କୋଟି ଟଙ୍କା ଆଦାୟ ପାଇଁ ଟେଲିକମ୍‍ ବିଭାଗ ନୋଟିସ ଜାରି କରିଛି। ଏହି ନୋଟିସ୍‍କୁ ବିରୋଧ କରି ଉପରୋକ୍ତ ରାଷ୍ଟ୍ରାୟତ୍ତ ସଂସ୍ଥାମାନେ ସୁପ୍ରିମକୋର୍ଟରେ ଫେରାଦ ହୋଇଥିବାବେଳେ ସମ୍ପୃକ୍ତ ବିଭାଗ ନିକଟରେ ଅଭିଯୋଗ କରିବା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅଣ-ଟେଲିକମ୍‍ କମ୍ପାନୀମାନେ କାହିଁକି ଏଜିଆର ବାବଦରେ ଟଙ୍କା ପୈଠ କରିବେ ଏହି ପ୍ରଶ୍ନ ଯେତେ ଆଶ୍ଚର୍ଯ୍ୟଜନକ ନୁହେଁ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏଜିଆର ବକେୟା ରାଶିର ପରିମାଣ କେତେକ କମ୍ପାନୀର ମୋଟ ସମ୍ପତ୍ତି ମୂଲ୍ୟଠାରୁ ମଧ୍ୟ ଅଧିକ।
ଅର୍ଥନୀତିଜ୍ଞ ଓ ଟିକସ ବିଶେଷଜ୍ଞଙ୍କ ମତରେ ରାଜସ୍ୱ ନିଅଣ୍ଟ ଭରଣା ଜରିଆରେ ବିତ୍ତୀୟ ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଏହା ହିଁ ସର୍ବୋତ୍କୃଷ୍ଟ ବିକଳ୍ପ। ଚଳିତ ଆର୍ଥିକ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କାର ଟିକସ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ମାର୍ଚ୍ଚ ୩୧ ଶେଷ ସୁଦ୍ଧା ଏ ବାବଦରେ ଅତି ବେଶିରେ ୧୧.୧୮ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇପାରିବ ବୋଲି ଅନୁମାନ କରାଯାଉଛି। ତେଣୁ କେନ୍ଦ୍ର ସରକାର ଟିକସ ରାଜସ୍ୱ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୨ ହଜାର କୋଟି ଟଙ୍କା ପଛରେ ରହିଯିବେ। ଏହି ପୃଷ୍ଠଭୂମିରେ ଯେକୌଣସି ପ୍ରକାରେ ଟିକସ/କର ବକେୟା ଅସୁଲ ପାଇଁ ଆୟକର ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଲିଖିତ ନିର୍ଦେଶ ଦିଆଯାଇଥିବା ଆଲୋଚନା ହେଉଛି। ତେଣୁ ସେମାନେ ଆୟକର ଆଇନ୍‍ର ବିଭିନ୍ନ ଧାରା ଓ ଉପଧାରା ଉପଯୋଗ କରି ବକେୟା ଟିକସ ଅସୁଲ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଉଦ୍ୟମ ହିଁ ଟିକସ ଆତଙ୍କର ରୂପ ନେଉଛି।
ନ୍ୟାସ୍‍ନାଲ୍‍ କ୍ରାଇମ୍‍ ରେକର୍ଡ ବ୍ୟୁରୋ(ଏନ୍‍ସିଆରବି)ର ତଥ୍ୟାନୁଯାୟୀ, ୨୦୧୮ରେ ୭,୯୯୦ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ଏଥିମଧ୍ୟରୁ କର୍ଣ୍ଣାଟକର ୧,୧୧୩ ଜଣ, ମହାରାଷ୍ଟ୍ରର ୯୬୯ଜଣ, ତାମିଲନାଡ଼ୁର ୯୩୧ ଜଣ ବ୍ୟବସାୟୀ ଅଛନ୍ତି। ବିଡ଼ମ୍ବନା ଏହା ଯେ ଏହି ସବୁ ରାଜ୍ୟ ଅର୍ଥନୀତିରୁ ବେଶ ସମୃଦ୍ଧ। ତେଣୁ ଏହି ଆତ୍ମହତ୍ୟା ପଛରେ କର/ଟିକସ ମାମଲାଜନିତ ମାନସିକ ଚାପ ଅଧିକ ଦାୟୀ ବୋଲି ସମାଜବିଜ୍ଞାନୀମାନେ ମତ ଦେଇଛନ୍ତି।
ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ଅର୍ଥନୀତିଜ୍ଞଙ୍କ ହିସାବ ଅନୁଯାୟୀ ଏଜିଆର ବାବଦରେ କେନ୍ଦ୍ର ରାଜକୋଷକୁ ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ୧.୨୦ ଲକ୍ଷ କୋଟି ଟଙ୍କା ଆସିଯିବ। ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ଉପରେ ଏହାର ପ୍ରଭାବ ଯାହା ହେଉ ନା କାହିଁକି ତାହାର ତତ୍କାଳ ସୁଫଳ ହିସାବରେ ଚଳିତ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ(ସଂଶୋଧିତ) ଡିଜିପିର ୩.୮% ରୁ ୩.୫%କୁ ହ୍ରାସ ପାଇବ।
ସରକାରଙ୍କ ଟିକସ ସଂଗ୍ରହ କୌଶଳ ବା ଟିକସ ଆତଙ୍କ ସାଧାରଣରେ ଏତେ ଆଲୋଚିତ ହୁଅନ୍ତା ନାହିଁ, ଯଦି ତାହା କେବଳ କମ୍ପାନୀ ବା ଶିଳ୍ପ ଜଗତ ଓ ଆୟ କର ବିଭାଗ ମଧ୍ୟରେ ସୀମିତ ରୁହନ୍ତା। ବିଡ଼ମ୍ବନା ହେଉଛି ଟିକସ ଆତଙ୍କର ଶେଷତମ ଶିକାର ହେଉଛନ୍ତି ଉପଭୋକ୍ତା। ଯେଉଁ ବ୍ୟବସାୟୀ/କମ୍ପାନୀମାଲିକ ଟିକସ ଆତଙ୍କଜନିତ ମାନସିକ ଦୁଶ୍ଚିନ୍ତାକୁ ପ୍ରତିହତ କରିବାରେ ସକ୍ଷମ ହୋଇପାରୁଛନ୍ତି, ସେମାନେ ଟିକସ ବୋଝକୁ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଲଦି ଦେଉଛନ୍ତି। ଟେଲିକମ୍‍ ଶିଳ୍ପକୁ ଏହାର ସଦ୍ୟତମ ଓ ନିଚ୍ଛକ ଉଦାହରଣ ରୂପେ ନିଆଯାଇପାରେ। ଟେଲିକମ୍‍ କମ୍ପାନୀମାନେ ଏଜିଆର ବକେୟା ଦେବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟର ତତ୍କାଳ ପ୍ରଭାବରେ ଅକ୍ଟୋବର ମାସରୁ ଟେଲିକମ୍‍ ସେବା ଆଶାତୀତ ଭାବରେ ମହଙ୍ଗା ହୋଇଯାଇଛି, ଯଦିଓ ଗତ ସୋମବାରଠାରୁ ଟେଲିକମ୍‍ କମ୍ପାନୀମାନେ ଏଜିଆର ବାବଦ ଅର୍ଥ ପୈଠ କରିବା ଆରମ୍ଭ କରିଛନ୍ତି। ଅନ୍ୟ ଅର୍ଥରେ କହିଲେ ଟେଲିକମ୍‍ ଏଜିଆର ବାବଦ ଅର୍ଥବୋଝକୁ ଉପଭୋକ୍ତାମାନଙ୍କୁ ହିଁ ଶେଷରେ ମୁଣ୍ଡାଇବାକୁ ପଡ଼ିଛି। ଏହି ପରିପ୍ରେକ୍ଷୀରେ ବ୍ୟକ୍ତିଗତ ଆୟକରରେ ଜନସାଧାରଣଙ୍କୁ ୨୦୨୦-୨୧ ଆର୍ଥିକ ବଜେଟ୍‍ରେ ଯେଉଁ ଲାଭ ମିଳିବ ବୋଲି କୁହାଯାଉଛି, ତାହା ହୁଏତ ଟିକସ ଆତଙ୍କ ଯୋଗୁଁ ଅର୍ଥହୀନ ହୋଇପାରେ।
ଏକ ସମୃଦ୍ଧ ଅର୍ଥନୀତିର ଗତିଶୀଳତା ଓ ଚିରସ୍ଥାୟୀ ବିକାଶ ପାଇଁ ସରଳ ଓ କୋହଳ ନୀତି ଅପରିହାର୍ଯ୍ୟ। ଜନମଙ୍ଗଳ ରାଷ୍ଟ୍ରର ସାମାଜିକ ଓ ଆର୍ଥିକ ବ୍ୟବସ୍ଥାରେ ନୀତି ଓ ଯୋଜନାର ପ୍ରଭାବ ଯେଭଳି ସକାରାତ୍ମକ ଏବଂ ସମସ୍ତଙ୍କ ପାଇଁ ଅନୁକୂଳ ହୁଏ ସେଥିପ୍ରତି ନୀତି ନିର୍ଦ୍ଧାରକମାନେ ଦୃଷ୍ଟି ଦେବା ଆବଶ୍ୟକ। କେନ୍ଦ୍ର ସରକାରଙ୍କଠାରୁ ଏହି ଦୂରଦର୍ଶିତା ଆଶା କରାଯାଏ।

kalyan agarbati

Comments are closed.