ଟି୨୦ରେ ଭାରତର ସହଜ ବିଜୟ
ଡବ୍ଲିନ୍ : ଦୁଇ ଓପ୍ନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଚମତ୍କାର ଇନିଂସ ପରେ ସ୍ପିନ୍ ଯୋଡ଼ି କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ବଳରେ ବୁଧବାର ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଘରୋଇ ଆୟରଲାଣ୍ଡ ବିରୋଧରେ ୭୬ ରନ୍ରେ ଜିତି ୨ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି୨୦ ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଛି। ରୋହିତଙ୍କ ୯୭ ଓ ଧାୱନଙ୍କ ୭୪ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟ ହରାଇ ୨୦୮ ରନ୍ କରିଥିଲା। ପରେ ଜେମ୍ସ ସାନନ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଆୟରଲାଣ୍ଡ ୯ ୱିକେଟ ହରାଇ ୧୩୨ ରନ୍ କରି ପାରିଥିଲା। ଶୁକ୍ରବାର ୨ୟ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ପରେ ଇଂଲଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ। ଇଂଲଣ୍ଡ ବିପକ୍ଷରେ ଭାରତ ଟ୍ୱେଣ୍ଟି୨୦, ଦିନିକିଆ ଓ ଟେଷ୍ଟ ସିରିଜ୍ ଖେଳିବ।
ଆୟରଲାଣ୍ଡ ଇନିଂସର କୌଣସି ସମୟରେ ଲାଗିନଥିଲା ଯେ ଏହା ୨୦୯ ରନ୍ର ପିଛା କରିପାରିବ। ଓପ୍ନର ପଲ ଷ୍ଟର୍ଲିଂ ୧ ରନ୍କରି ବିଦାୟ ନେଇଥିବା ବେଳେ ଆଣ୍ଡି ବାଲ୍ବର୍ନି ୧୧ ରନ୍ ମାତ୍ର କରି ପାରିଥିଲେ। କେବଳ ଜେମସ୍ ସାନନ୍ କିଛି ସମୟ କ୍ରିଜ୍ରେ ରହି ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ। ସିମି ସିଂହ ୭ ଓ ଅଧିନାୟକ ଗ୍ୟାରୀ ୱିଲ୍ସନ ୫ ରନ୍କରି ଆଉଟ ହୋଇଥିଲେ। ଜେମ୍ସ ସାନନ୍ ବିଧ୍ୱଂସୀ ବ୍ୟାଟିଂକରି ମାତ୍ର ୩୫ ବଲ୍ରୁ ୪ଟି ଛକା ଓ ୫ଟି ଚୌକା ସହ ୬୦ ରନ୍ର ଇନିଂସ ଖେଳିଥିଲେ। ସାନନ୍ ଆଉଟ ହେବା ପରେ ଆୟରଲାଣ୍ଡ ପୁଣି ଦିଗହରା ହୋଇ ଯାଇଥିଲା। ଅଭିଜ୍ଞ କେଭିନ୍ ଓ’ବ୍ରାଇନ୍ ୧୦ ଓ ଷ୍ଟୁଆର୍ଟ ଥମ୍ପ୍ସନ ୧୧ ରନ୍ର ଇନିଂସ ଖେଳିଥିଲେ। ଏକଦା ୨ ୱିକେଟ ହରାଇ ୭୨ ରନ୍ କରିଥିବା ଆୟରଲାଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା। ଭାରତୀୟ ସ୍ପିନ୍ ଯୋଡ଼ି କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲ ଆୟରଲାଣ୍ଡ ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ। ବାମହାତି ଚାଇନାମ୍ୟାନ୍ ସ୍ପିନର କୁଲଦୀପ ମାତ୍ର ୨୧ ରନ୍ଦେଇ ୪ଟି ୱିକେଟ ପାଇଥିବା ବେଳେ ୟୁଜୁବେନ୍ଦ୍ର ଚହଲ ୩ଟି ୱିକେଟ ପାଇଥିଲେ ହେଁ ୩୮ ରନ୍ ବ୍ୟୟ କରିଥିଲେ। ଯଶପ୍ରୀତ ବୁମ୍ରା ୨ଟି ୱିକେଟ ନେଇଥିଲେ। ଆୟରଲାଣ୍ଡର ଶେଷ ଯୋଡ଼ି ଶେଷ ୩ ଓଭର ଖେଳି ନେଇଥିଲେ। କୁଲଦୀପ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ଟସ୍ ଜିତି ଆୟରଲାଣ୍ଡ ଫିଲ୍ଡିଂ ନେବା ପରେ ଏହାର ବୋଲରଙ୍କୁ ନିସ୍ତାର ମିଳିଥିଲା। ଦୁଇ ଭାରତୀୟ ଓପ୍ନର ରୋହିତ ଶର୍ମା ଓ ଶିଖର ଧାୱନ ଚମତ୍କାର ଷ୍ଟ୍ରୋକ୍ସବୁ ଖେଳି ଦ୍ରୁତଗତିରେ ସ୍କୋର୍ ବଢ଼ାଇ ଚାଲିଥିଲେ। ୬ ଓଭରର ପାୱରପ୍ଲେରେ ଭାରତ ୫୯ ରନ୍କରି ବଡ଼ ସ୍କୋର୍ର ମୂଳଦୁଆ ପକାଇଥିଲା। ଭାରତୀୟ ଓପ୍ନିଂ ଯୋଡ଼ି ୧୬ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହି ୧୬୦ ରନ୍ର ଭାଗିଦାରୀ କରିଥିଲେ। ଆନ୍ତର୍ଜାତିକ ଟ୍ୱେଣ୍ଟି୨୦ରେ ଏହା ଭାରତର ୨ୟ ସର୍ବାଧିକ ଓପ୍ନିଂ ଭାଗିଦାରୀ। ଗତବର୍ଷ ଇନ୍ଦୋରରେ ଶ୍ରୀଲଙ୍କା ବିରୋଧରେ ରୋହିତ ଶର୍ମା ଓ କେ.ଏଲ୍. ରାହୁଲ ୧୬୫ ରନ୍ର ଓପ୍ନିଂ ଭାଗିଦାରୀ କରିଥିଲେ। ବାମହାତି ଧାୱନ ମାତ୍ର ୪୫ ବଲ୍ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୭୪ ରନ୍ର ବିସ୍ଫୋରକ ଇନିଂସ ଖେଳି ପ୍ରଥମେ ଆଉଟ ହୋଇଥିଲେ। ପରେ ସୁରେଶ ରୈନା ୧୦ ରନ୍କରି ଆଉଟ ହୋଇ ଯାଇଥିଲେ। ମହେନ୍ଦ୍ର ସିଂହ ଧୋନି ୫ ବଲ୍ରୁ ୧୧ ରନ୍ କରିଥିଲେ। ମାତ୍ର ୩ ରନ୍ ପାଇଁ ରୋହିତ ଶର୍ମା ୩ୟ ଟ୍ୱେଣ୍ଟି୨୦ ଶତକରୁ ବଞ୍ଚିତ ହୋଇଥିଲେ। ରୋହିତ ଶର୍ମା ମାତ୍ର ୬୧ ବଲ୍ରୁ ୫ଟି ଛକା ଓ ୮ଟି ଚୌକା ସହ ୯୭ ରନ୍ କରିଥିଲା। ଅଧିନାୟକ ବିରାଟ କୋହଲି ବିନା ସ୍କୋର୍ରେ ଆଉଟ ହୋଇ ଯାଇଥିଲେ। ହାର୍ଦିକ ପାଣ୍ଡ୍ୟା ୬ ରନ୍କରି ଅପରାଜିତ ଥିଲେ। ଘରୋଇ ଦଳର ପିଟର ଚେଜ୍ ୨ଟି ୱିକେଟ ପାଇଥିଲେ। ଆୟରଲାଣ୍ଡ ଫିଲ୍ଡର ଏକାଧିକ କ୍ୟାଚ୍ ଛାଡ଼ିବା ଏହା ପାଇଁ ମହଙ୍ଗା ପଡ଼ିଥିଲା।