ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୫୦% ବୃଦ୍ଧି, ୭୦୦୦ କୋଟିରେ ପହଞ୍ଚିଲା
ଜୁରିଚ : କଳାଧନ ନେଇ ସୁଇସ୍ ନ୍ୟାସନାଲ ବ୍ୟାଙ୍କ (ଏସ୍ଏନ୍ବି) ପକ୍ଷରୁ ଜାରି ରିପୋର୍ଟ ମୋଦୀ ସରକାରଙ୍କୁ ଏକ ବଡ଼ ଝଟକା ଦେଇଛି। ଏହି ରିପୋର୍ଟରେ ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ୫୦% ବୃଦ୍ଧି ପାଇଁ ୭୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ଦର୍ଶାଯାଇଛି। ଭାରତୀୟଙ୍କ ଦ୍ୱାରା ସିଧାସଳଖ ସୁଇସ୍ ଆକାଉଣ୍ଟରେ ରଖାଯାଉଥିବା ଜମା ଅର୍ଥରେ ୯୯.୯ କୋଟି ସୁଇସ୍ ଫ୍ରାଙ୍କ୍ (ପ୍ରାୟ ୬,୯୦୦ କୋଟି ଟଙ୍କା) ବୃଦ୍ଧି ପାଇଛି ଓ ଅନ୍ୟ ମାଧ୍ୟମରେ ରଖାଯାଇଥିବା ଧନ ବୃଦ୍ଧି ପାଇ ୧.୬ କୋଟି ସୁଇସ୍ ଫ୍ରାଙ୍କ୍ (ପ୍ରାୟ ୧୧୦ କୋଟି ଟଙ୍କା)ରେ ପହଞ୍ଚିଛି। ତଥ୍ୟ ଅନୁସାରେ ସୁଇସ୍ ବ୍ୟାଙ୍କରେ ବିଦେଶ ଗ୍ରାହକଙ୍କ ଜମା ଧନ୧୪୬୦ ଅରବ ସୁଇସ୍ ଫ୍ରାଙ୍କ (ପ୍ରାୟ ୧୦୦ ଲକ୍ଷ କୋଟି) ଟଙ୍କାରୁ ଅଧିକ। କଳାଧନ ବିରୋଧରେ ଅଭିଯାନ ସତ୍ତ୍ବେ ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ବୃଦ୍ଧି ସମସ୍ତଙ୍କୁ ଚକିତ କରିଦେଇଛି। ସୁଇସ୍ ବ୍ୟାଙ୍କଗୁଡ଼ିକରେ ଗ୍ରାହକଙ୍କ ତଥ୍ୟ ଅତିଗୋପନୀୟ ରଖାଯାଉଥିବାରୁ ଭାରତୀୟ ଏହି ବ୍ୟାଙ୍କଗୁଡ଼ିକରେ କଳାଧନ ରଖୁୁଛନ୍ତି। ୨୦୧୬ରେ ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ୪୫% ହ୍ରାସ ପାଇଥିଲା। ସେହି ବର୍ଷ ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଧନ ୬୭୬ ନିୟୁତ ସୁଇସ୍ ଫ୍ରାଙ୍କ୍ (୪,୫୦୦ କୋଟି ଟଙ୍କା) ରହିଥିଲା। ୧୯୮୭ରେ ୟୁରୋପୀୟ ବ୍ୟାଙ୍କଗୁଡ଼ିକ ତଥ୍ୟ ସାର୍ବଜନୀନ କରିବା ପରେ ଏହି ଜମା ସବୁଠାରୁ ନିମ୍ନସ୍ତରର ଥିଲା। ଏସ୍ଏନ୍ବି ତଥ୍ୟ ଅନୁସାରେ ଭାରତୀୟଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ଜମା କରାଯାଉଥିବା ଅର୍ଥ ୨୦୧୭ରେ ବୃଦ୍ଧି ପାଇ ୬,୮୯୧ କୋଟି ଟଙ୍କାରେ ପହଞ୍ଚିଛି ଓ ଅନ୍ୟ ମାଧ୍ୟମରେ ଜମା କରାଯାଉଥିବା ଧନ ବୃଦ୍ଧି ପାଇ ୧୧୨ କୋଟି ଟଙ୍କାରେ ପହଞ୍ଚିଛି। ଭାରତୀୟ ଗ୍ରାହକ ସିଧାସଳଖ ସୁଇସ୍ ଆକାଉଣ୍ଟରେ ୩,୨୦୦ କୋଟି ଟଙ୍କା ଜମା କରିଥିବାବେଳେ ଅନ୍ୟ ବ୍ୟାଙ୍କରୁ ୧,୦୫୦ କୋଟି ଟଙ୍କା ସୁଇସ୍ ବ୍ୟାଙ୍କକୁ ସ୍ତାନାନ୍ତର କରିଛନ୍ତି ଓ ୨,୬୪୦ କୋଟି ଟଙ୍କା ଅନ୍ୟ ଋଣ ଆକାରରେ ରହିଛି।