ବିଷ ଖାଇ ଆଖି ବୁଜିଲେ ଭାଗଚାଷୀ

0

ଚିପିଲିମା/ବୁର୍ଲା : ଅବିଭକ୍ତ ସମ୍ବଲପୁର ଜିଲାରେ ପୁଣି ଆରମ୍ଭ ହୋଇଛି ଚାଷୀ ଆତ୍ମହତ୍ୟା ଧାରା। ଗତ ୧ ତାରିଖରୁ ୫ ତାରିଖ (ଶନିବାର) ମଧ୍ୟରେ ବିଭିନ୍ନ କାରଣରୁ ୪ ଜଣ ଚାଷୀ ବିଷ ପିଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୨ ଜଣ ଜୀବନ ହରାଇଛନ୍ତି। ଗତ ୧ ତାରିଖରେ ବରଗଡ଼ ଜିଲାର ହୃଦାନନ୍ଦ ଡ଼ିଲା ବିଷପିଇ ଆତ୍ମହତ୍ୟା କରିଥିବାବେଳେ ଶନିବାର ସମ୍ବଲପୁର ଜିଲାର ଜଣେ ଭାଗଚାଷୀ ରୋହି ଦାସ ବିଷ ପିଇ ମୃତ୍ୟୁବରଣ କରିଛନ୍ତି। ଗୋରୁ ତାଙ୍କ ଫସଲ ଖାଇ ଦେବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ସମ୍ବଲପୁର ସହର ନିକଟବର୍ତ୍ତୀ ଗୋଶାଳା ପାଖ ଚାଉଁରପୁର ଝାଙ୍କରପାଲିର ଭାଗ ଚାଷୀ ଭକ୍ତ ରୋହିଦାସ (୩୭)ଙ୍କର ନିଜସ୍ୱ ଜମି ନାହିଁ। ଭାଗ ସୂତ୍ରରେ ଆଣିଥିବା ଅଢ଼େଇ ଏକର ଜମିରୁ ୨ ଏକରରେ ଧାନ ଚାଷ ଓ ଅଧା ଏକରରେ ଭେଣ୍ଡି ଚାଷ କରିଥିଲେ। ଭକ୍ତଙ୍କ କିଛି ଧାନ ଫସଲ ଚକଡ଼ା ପ୍ରଭାବିତ ମଧ୍ୟ ହୋଇଥିଲା। ଭେଣ୍ଡି ଚାଷରୁ କିଛି ଅର୍ଥ ଆଦାୟ ହେବ ବୋଲି ସେ ଆଶା କରିଥିଲେ। ଶୁକ୍ରବାର ଦିନ ପ୍ରାୟ ଗୋଟାଏ ବେଳେ ସେ ଧାନ କ୍ଷେତ ଜଗିବାକୁ ଯାଇଥିଲେ। କିନ୍ତୁ ଦେଢ଼ ଏକର ଜମିର ଫସଲ ଗୋରୁ ଖାଇ ଦେଇଥିବା ଦେଖି ସେ ହତାଶ ହୋଇ ପଡ଼ିଥିଲେ। ସେ କ୍ଷେତରେ ବିଷ ଖାଇ ଦେଇ ସେଠାରେ ସଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁଇ ଦିନ ହେଲା ମୃତ୍ୟୁ ସହିତ ସଂଗ୍ରାମ କଲା ପରେ ଆଜି ସନ୍ଧ୍ୟାରେ ଭକ୍ତ ଆଖି ବୁଜିଛନ୍ତି। ତାଙ୍କ ପତ୍ନୀ ଓ ୨ ଛୋଟ ଛୋଟ ଛୁଆ ଅଛନ୍ତି।
ସ୍ଥାନୀୟ ଚାଷୀ ସଙ୍ଗଠନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ବୁଲା ଗାଈ ଗୋରୁ ଫସଲ ଖାଇ ଦେଉଥିବାରୁ ଚାଷୀ ମିଶି ଜଗୁଆଳୀ ବ୍ୟବସ୍ଥା କରିଥିଲେ। ସେମାନେ ଚିତ୍ତରଂଜନ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତିଙ୍କୁ ଜଗୁଆଳୀ ନିଯୁକ୍ତ କରିଥିଲେ ଓ ତାଙ୍କୁ ମିଶି ଦରମା ଦେଉଥିଲେ। କିନ୍ତୁ ୪ ମାସ ତଳେ ସାପ କାମୁଡ଼ାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଚାଷୀମାନେ ଏହି ସମସ୍ୟା ସଂପର୍କରେ ସେତେବେଳେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ପ୍ରତିକାର ବ୍ୟବସ୍ଥା ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନଥିଲା ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply