ଆଲିଗଡରେ ଇଣ୍ଟରନେଟ ସେବା ବନ୍ଦ
ଚେନ୍ନଇ : ଉତ୍ତରପ୍ରଦେଶର ଆଲିଗଡ ମୁସଲିମ୍ ୟୁନିଭର୍ସିଟି (ଏଏମ୍ୟୁ)ରୁ ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ହଟାଇବା ଦାବିକୁ ନେଇ ଦେଖାଯାଇଥିବା ବିବାଦ ସାମ୍ପ୍ରଦାୟିକ ହିଂସାର ରୂପ ନେବାକୁ ଯାଉଛି। କେତେକ ଅସାମାଜିକ ଲୋକ ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବାର ଉଦ୍ୟମ କରିଛନ୍ତି। ଏହି ଅସାମାଜିକ ଲୋକମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଗୁଜବ ପ୍ରଚାର କରୁଛନ୍ତି। ତେଣୁ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ କେତେକ କଟକଣା ଲାଗୁ କରିଛି। ଜିଲାପାଳ ଚନ୍ଦ୍ର ଭୂଷଣ ସିଂହଙ୍କ କହିବା ଅନୁଯାୟୀ ଶୁକ୍ରବାର ଅପରାହ୍ଣ ୨ଟାରୁ ଶନିବାର ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ ଆଲିଗଡରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ଏଏମୟୁର ଛାତ୍ର ସଂସଦ କାର୍ଯ୍ୟାଳୟରେ ରହିଥିବା ଜିନ୍ନାଙ୍କ ଫଟୋ ହଟାଇବା ଲାଗି ଆଲଗିଡର ବିଜେପି ସାଂସଦ ସତୀଶ ଗୌତମ କୁଳପତିଙ୍କୁ ପତ୍ର ଲେଖିବା ପରେ ବିବାଦ ଦେଖାଯାଇଥିଲା। ସତୀଶ ଦାବିକୁ ଦଳର ରାଜ୍ୟସଭା ସାଂସଦ ହରନାଥ ସିଂହ ସମର୍ଥନ ଜଣାଇଥିଲେ। ଗୌତମଙ୍କ ଚିଠି ପରେ ଦକ୍ଷିଣ ପନ୍ଥୀ ଛାତ୍ର ଗୋଷ୍ଠୀ ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ଜିନ୍ନାଙ୍କ ଫଟୋ ହଟାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଅନେକ ଛାତ୍ର ଆହତ ହୋଇଥିଲେ। ବିବାଦ ଉପରେ ମୁହଁ ଖୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର କହିଛନ୍ତି ଯେ ଭାରତରେ ଜିନ୍ନାଙ୍କ ଜୟଗାନ ଗ୍ରହଣ କରାଯାଇପାରିବ ନାହିଁ। ବିଜେପିର ଅନ୍ୟତମ ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ କହିଛନ୍ତି ଯେ ରାଷ୍ଟ୍ରପତି ଭବନରୁ ବ୍ରିଟିଶ ଭାଇସ ରାଏଙ୍କ ଫଟୋ ଓ ପ୍ରତିମୂର୍ତ୍ତି ହଟାଇ ଯାଇଛି। ତେଣୁ ଏଏମୟୁର ଜିନ୍ନାଙ୍କ ଫଟୋ ହଟାଇବାରେ କୌଣସି ଆପତ୍ତି ନାହିଁ।