ଇତିହାସର ବକ୍ରଗତି
ସୌଭାଗ୍ୟ ସୁନ୍ଦରରାୟ
ସ୍ୱିଜରଲାଣ୍ଡ ଐତିହାସିକ ବୁର୍କହାର୍ଡ଼ଙ୍କ ମତରେ ଇତିହାସ ହେଉଛି ଗୋଟିଏ ସମୟର ଏକ ଦସ୍ତାବିଜ୍ ଯେଉଁଥିରେ ଅନ୍ୟ ଏକ ସମୟର ଅନ୍ୱେଷଣ ପ୍ରତିଫଳିତ ହୋଇଥାଏ। ବ୍ରିଟିଶ ଐତିହାସିକ ହେନେରୀ ଜନସନ୍ଙ୍କ ମତରେ ମୋଟାମୋଟି ଭାବେ କହିଲେ ଇତିହାସ ହେଉଛି ତାହା, ଯାହା ଘଟିଯାଇଛି। ଅନ୍ୟତମ ବ୍ରିଟିଶ ଐତିହାସିକ ଇ.ଏଚ୍.କାର୍ଙ୍କ ମତରେ ତଥ୍ୟବିହୀନ ବିଷୟ ଏକ ଅପ୍ରୟୋଜନୀୟ ତଥା ମୂଳହୀନ ଇତିହାସ ସହ ସମାନ। ଏଣୁ ଇତିହାସ ବର୍ତ୍ତମାନ ଓ ଅତୀତ ମଧ୍ୟରେ ଏକ ଧାରାବାହିକ ତଥା ଅସମାପ୍ତ ସମ୍ପର୍କ ଭାବେ ଗତି କରି ଚାଲିଥାଏ। ଏଥିରେ ଇତିହାସକାର ମାର୍ଗଦର୍ଶକ ଓ ବ୍ୟାଖ୍ୟାକାର ଭାବେ ଦାୟିତ୍ୱ ତୁଲାଇଥାନ୍ତି ବୋଲି କାର୍ ମତ ଦେଇଛନ୍ତି।
ଚଳିତ ବର୍ଷଠାରୁ ହାଇସ୍କୁଲ ପାଠ୍ୟକ୍ରମରୁ କେତେକ ତଥ୍ୟ ଓ ବିଷୟ ନିର୍ବାଚିତ ଭାବେ ଏନ୍ସିଇଆରଟି ଉଚ୍ଛେଦ କରିଛନ୍ତି। ଏହି ଉଚ୍ଛେଦର କାରଣ କୋଭିଡ୍ ବୋଲି ସଂସ୍ଥାର ନିର୍ଦେଶକ ଦୀନେଶ ସାକଲାନି କହିଛନ୍ତି। ପାଠ୍ୟକ୍ରମରେ ସନ୍ତୁଳନ ଆଣିବା ଓ ପାଠ ବୋଝ ଲାଘବ ଉଦ୍ଦେଶ୍ୟରେ ବିଶେଷଜ୍ଞ କମିଟିର ସୁପାରିସ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମଧ୍ୟ ସେ ଦର୍ଶାଇଛନ୍ତି। ତେବେ ପାଠ୍ୟକ୍ରମରେ ସନ୍ତୁଳନ ଆଣିବା ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଭାବେ ଏକ ଐତିହାସିକ ବିବରଣୀ ବାଦ ଦେବା ଯୁକ୍ତିଯୁକ୍ତ ମନେହୁଏ ନାହିଁ। ବିଷୟବସ୍ତୁର ତଥ୍ୟ ବିଦ୍ୟାର୍ଥୀ କେତେ ପରିମାଣରେ ଗ୍ରହଣ କରିବେ ବା କେତେ ଗ୍ରହଣ ନକରିବେ ତାହା ବିଦ୍ୟାର୍ଥୀଙ୍କ ଉପରେ ଛାଡ଼ି ଦିଆଯିବା ଆବଶ୍ୟକ। ସବୁ ତଥ୍ୟ ଗ୍ରହଣ ପାଇଁ ବିଦ୍ୟାର୍ଥୀ ଉପରେ ଚାପ ସୃଷ୍ଟି କରାଯିବା ଉଚିତ୍ ନୁହେଁ କି, ତଥ୍ୟ ଚାପିବା ଏନସିଇଆରଟିର ଅଧିକାରଭୁକ୍ତ ନୁହେଁ। ଏନ୍ସିଇଆରଟି ନିଜେ ପ୍ରକାଶ କରିଥିବା ପୁସ୍ତକରେ ଏକଥା ଉଲ୍ଲେଖ କରାଯାଇଛି ଯେ, ଏକ ସାମାଜିକ ବ୍ୟବସ୍ଥାର ଅତୀତ ଘଟଣା ସମୂହକୁ ସାମ୍ପ୍ରତିକ ଘଟଣା ପରିପ୍ରେକ୍ଷୀରେ ବିଜ୍ଞାନସମ୍ମତ ଭାବେ ସାମଗ୍ରିକ ଦିଗରୁ ଅନୁଧ୍ୟାନ କରିବାକୁ ଇତିହାସ କୁହାଯାଇଥାଏ। ଦେଖିବାକୁ ଗଲେ ଇତିହାସ ଏକ ନିରନ୍ତର ତଥ୍ୟ ପ୍ରଦାନକାରୀ ବିଷୟ। ବର୍ତ୍ତମାନ ଦୃଷ୍ଟିକୋଣରୁ ଏହା ଅତୀତର ଅନ୍ୱେଷଣ କରିଥାଏ। ଇତିହାସକାର ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ସହ ଏହାର ଯୁକ୍ତିନିଷ୍ଟ ବିଶ୍ଲେଷଣ କରିଥାନ୍ତି। ଆବଶ୍ୟକ ତର୍ଜମା ପରେ ଯାଇ ଐତିହାସିକ ବିବରଣୀ ପ୍ରସ୍ତୁତ ହୋଇଥାଏ। ଏକ କାଳଖଣ୍ଡର ଧାରାବାହିକ ପ୍ରମାଣଯୁକ୍ତ ତଥ୍ୟ ଯେଉଁ ସୂତ୍ରରୁ ଆମେ ପାଇପାରିବା ତାହାକୁ ହିଁ ଇତିହାସ ବୋଲି ବିବେଚନା କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ପାଠ୍ୟକ୍ରମରେ ସନ୍ତୁଳନ ରକ୍ଷା କରିବାକୁ ଯାଇ ଏନ୍ସିଇଆରଟି ମୋଗଲ ସମୟର ବିବରଣୀ, ମହାତ୍ମା ଗାନ୍ଧୀଙ୍କ ନିହତ ଘଟଣା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଉପରେ ନିଷେଧାଦେଶ, ଗୁଜୁରାଟ ଦଙ୍ଗା, ହିନ୍ଦୁ-ମୁସଲିମ ଏକତା ପାଇଁ ଗାନ୍ଧୀଙ୍କ ଉଦ୍ୟମ, ମୌଲାନା ଅବୁଲ କଲାମଙ୍କ ସମ୍ପର୍କିତ ଆଦି ବିଷୟବସ୍ତୁ ବାଦ ଦେଇଛନ୍ତି। ଏସବୁ ବିଷୟବସ୍ତୁ ବାଦ ଦିଆଯିବା ଦ୍ୱାରା ଗୋଟିଏ ସମୟର ଘଟଣାବଳୀ ଲୋକଲୋଚନର ଅନ୍ତରାଳକୁ ଠେଲି ହୋଇଯାଇଛି। ଫଳରେ ଉତ୍ତର ପିଢ଼ି ଏ ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ କରିବାରେ ସମର୍ଥ ହୋଇପାରିବେ ନାହିଁ। ଏହାଦ୍ୱାରା ସମକାଳୀନ ଐତିହାସିକ ବିବରଣୀ ବିଖଣ୍ଡିତ ହେବା ସହ ପରବର୍ତ୍ତୀ ସମୟର ଗବେଷଣା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ମୋଗଲ ଶାସକ ଆମ ଦେଶରେ କିଛି କମ୍ ସମୟ ପାଇଁ ରହି ନାହାନ୍ତି। ପ୍ରାୟ ୩୦୦ ବର୍ଷ ଏମାନେ ଭାରତକୁ ଶାସନ କରିଛନ୍ତି। ଏହି ଶାସନ ସମୟରେ ଭାରତର କଳା ସଂସ୍କୃତିରେ ଅନେକ ବିକାଶ ମଧ୍ୟ ସାଧିତ ହୋଇଥିଲା। ସେମାନଙ୍କ କୀର୍ତ୍ତି ଦେଶର ବିଭିନ୍ନ ଅଞ୍ଚଳରେ ଏବେ ବି ବିଦ୍ୟମାନ। ୧୫୨୬ ମସିହାରେ ବାବରଙ୍କ ଦ୍ୱାରା ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇ ଗଡ଼ିଚାଲେ। ଆକବରଙ୍କ ଅମଳରେ ଫତେପୁର ସିକ୍ରି, ଆଗ୍ରା, ଲାହୋର ଓ ଆହ୍ଲାବାଦରେ ଦୁର୍ଗମାନ ପ୍ରତିଷ୍ଠା ହୋଇଥିଲା। ଆବୁଲ ଫାଜଲ, ଫୈଜି, ତୋଡ଼ର ମଲ୍, ବୀରବଲଙ୍କ ପରି ଜ୍ଞାନୀ, କବି, ସାହିତ୍ୟିକ ତାଙ୍କ ଦରବାରର ପୃଷ୍ଠପୋଷକତା ଲାଭ କରିଥିଲେ। ଶାହାଜାହାନଙ୍କ ସମୟରେ ଆଗ୍ରାରେ ତାଜମହଲ ପ୍ରତିଷ୍ଠା କରାଯାଇଥିଲା। ଏସବୁରେ ଅପୂର୍ବ କଳା, ସ୍ଥାପତ୍ୟ ପ୍ରଦର୍ଶିତ ହୋଇଛି। ଏହି କଳା ସ୍ଥାପତ୍ୟର ନିର୍ମାଣ ସାମଗ୍ରୀ କ’ଣ, ଏଗୁଡ଼ିକ କେଉଁଠାରୁ ଅଣାଯାଇଛି, କେଉଁ ଶୈଳୀରେ ସ୍ଥାପତ୍ୟଟି ନିର୍ମାଣ କରାଯାଇଛି ତାହାର ପୁଙ୍ଖାନୁପୁଙ୍ଖ ବିବରଣୀ ଇତିହାସରୁ ମିଳିପାରିଥାଏ। ଏଥିସହ ନିର୍ମାଣ କାର୍ଯ୍ୟ ପାଇଁ କେଉଁଠାରୁ ଶ୍ରମିକ ଅଣାଯାଇଛି ତାହା ମଧ୍ୟ ଜଣାପଡ଼ିଥାଏ। ଏସବୁ ତଥ୍ୟ ଜାଣିବା ଦ୍ୱାରା ଗୋଟିଏ ଅଞ୍ଚଳର ଅର୍ଥନୀତି, ସାମାଜିକ ଚଳଣି, ରାଜନୈତିକ ହାଲଚାଲ ଆଦି ବିଷୟରେ ତଥ୍ୟ ମିଳିଥାଏ। ଅର୍ଥାତ ଇତିହାସରୁ କେବଳ ଏକ ସ୍ଥାନୀୟ ତଥ୍ୟ ମିଳିନଥାଏ ବରଂ ଏକ ଆଞ୍ଚଳିକ ସଂସ୍କୃତିର ଝଲକ ମିଳିପାରିଥାଏ , ଯାହା ପରବର୍ତ୍ତୀ ସମୟର ଗବେଷକଙ୍କୁ ଗବେଷଣା କାର୍ଯ୍ୟରେ ସହାୟକ ହୋଇଥାଏ। ଯେଉଁ ବିଷୟଗୁଡ଼ିକୁ ପାଠ୍ୟପୁସ୍ତକରୁ ବାଦ ଦିଆଯାଇଛି ସେଗୁଡ଼ିକୁ ଅପ୍ରାସଙ୍ଗିକ ବୋଲି ଏନ୍ସିଇଆରଟି ପକ୍ଷରୁ କୁହାଯାଇଛି। ତାହାହେଲେ ତାଜମହଲକୁ କ’ଣ ଅପ୍ରାସଙ୍ଗିକ ବୋଲି କୁହାଯାଇପାରିବ ? ତାଜମହଲର ଇତିହାସ ଜାଣିବାକୁ ଚାହୁଁଥିବା ବ୍ୟକ୍ତିକୁ ନିଶ୍ଚୟ ମୋଗଲ ଇତିହାସର ପାଠ ଭିତରକୁ ଯିବାକୁ ପଡ଼ିବ। ଯଦି ଏହି ବିବରଣୀ ନ ମିଳିବ ତାହାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ତାଜମହଲ ଇତିହାସ ମଧ୍ୟ ଦୁର୍ବୋଧ୍ୟ ହୋଇଯିବ। ଇତିହାସରେ କେବଳ ଅତୀତର ଜ୍ଞାନ ପ୍ରଦାନ କରିନଥାଏ ବରଂ ବର୍ତ୍ତମାନର ଅବସ୍ଥାକୁ ଅତୀତ ମଧ୍ୟରେ ଚିହ୍ନଟ କରିଥାଏ।
୧୯୪୯ ମସିହାରେ ଦ୍ୱାଦଶ ଭାରତୀୟ ଇତିହାସ କଂଗ୍ରେସରେ ଉଦ୍ବୋଧନ ଦେଇ ଡକ୍ଟର ହରେକୃଷ୍ଣ ମହତାବ ପ୍ରଶ୍ନ କରିଥିଲେ ଯେ, ଗୋଟିଏ ସମୟରେ ଓଡ଼ିଶାର କୋଣ ଅନୁକୋଣରେ ବୌଦ୍ଧ ଧର୍ମ ପ୍ରବେଶ କରିଥିବା ବିଷୟ ହସ୍ତଗତ ହେଉଥିବା ବିଭିନ୍ନ ଅବଶେଷରୁ ଜଣାପଡ଼ୁଛି। ବିଭିନ୍ନ ନଦୀ ତଟ ଓ ବନାଞ୍ଚଳରୁ ଅବଶେଷ ମିଳୁଛି। ତେବେ ବୌଦ୍ଧଧର୍ମ ପ୍ରସାରିତ ଏକ ସମୃଦ୍ଧ ଅଞ୍ଚଳ କିଭଳି ଜନଶୂନ୍ୟ ହୋଇ ବୌଦ୍ଧ କୀର୍ତ୍ତି ଲୋପ ପାଇଗଲା ସେ ସମ୍ପର୍କରେ ଇତିହାସ କାହିଁକି ନୀରବ ? ଏଥିରୁ ଧରିନେବାକୁ ପଡ଼ିବ ଉକ୍ତ ସମୟର ବିଶେଷ କିଛି ଲିପିବଦ୍ଧ ବିବରଣୀ ଆମ ନିକଟରେ ନାହିଁ ବା ଏ ଦିଗରେ କୌଣସି ମୌଳିକ ଗବେଷଣା କାର୍ଯ୍ୟ ହୋଇପାରି ନାହିଁ। ଫଳରେ ତଥ୍ୟଗତ ଧାରାବାହିକତା ଖଣ୍ଡିତ ହୋଇଛି। ତେବେ ମୋଗଲ ସାମ୍ରାଜ୍ୟ ଭଳି ଯେଉଁ ତଥ୍ୟର ଧାରାବାହିକତା ରହିଛି ତାହା ଭାଙ୍ଗିବା ପାଇଁ ବର୍ତ୍ତମାନ ଏନ୍ସିଇଆରଟି ଚାହିଁଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରୀଙ୍କ ଜ୍ଞାନର ପରିସର ସଙ୍କୁଚିତ ହେବ ବୋଲି ଆଶା କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନିହତ ଘଟଣାରେ ନାଥୁରାମ ଗଡ଼ସେ ଜଡ଼ିତ। ସେ ଜଣେ କଠୋରପନ୍ଥୀ ହିନ୍ଦୁ। କେହିକେହି ତାଙ୍କ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ କହିଥାନ୍ତି। ମହାତ୍ମା ଗାନ୍ଧୀଙ୍କ ନିହତ ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ଦେଶରେ ନିଷେଧ କରାଯାଇଥିଲା। ୨୦୦୨ ମସିହାରେ ଗୁଜୁରାଟରେ ଯେଉଁ ଦଙ୍ଗା ଘଟିଥିଲା ତାହା ସାମ୍ପ୍ରଦାୟିକ ଥିଲା। ଏହି ସମୟରେ ରାଜଧର୍ମ ପାଳନ ନିମନ୍ତେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ଚେତାଇ ଦେଇଥିଲେ। ଯାହା ଜଣାପଡ଼ୁଛି ମତବାଦ ଓ ସାମ୍ପ୍ରଦାୟିକ ଭିତ୍ତିରେ ବିଷୟବସ୍ତୁ ବାଛିବାଛି ବାଦ ଦିଆଯାଇଛି। ସେହିପରି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଛାତ୍ରଛାତ୍ରୀ ଜାଣିବା ଆବଶ୍ୟକ। କେଉଁ ପରିସ୍ଥିତିରେ କ’ଣ ପାଇଁ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଗଲା ଏବଂ ଏହାର ପରିଣାମ ସ୍ୱାଧୀନୋତ୍ତର ଭାରତ ବର୍ଷର ଏକ ବଡ଼ ଘଟଣା। ଏ ବିଷୟରେ ଛାତ୍ରଙ୍କୁ ଅଜ୍ଞ ରଖାଯିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। କେନ୍ଦ୍ର ସରକାରଙ୍କ ନୀତିକୁ ସୁହାଇଲା ପରି ବିଷୟବସ୍ତୁ ବାଦ ଦେବାକୁ ବିଶେଷଜ୍ଞ କମିଟି ଉଦ୍ୟମ କରିଥିବା ପରି ଜଣାପଡ଼ୁଛି।
ଇତିହାସ ଏକ ମନଗଢ଼ା ଗଳ୍ପ ନୁହେଁ। ମୌଳିକ ଗବେଷଣା, ତଥ୍ୟ ସଂଗ୍ରହ ଓ ଏହାର ବିଶ୍ଲେଷଣ କରାଯାଇ ଐତିହାସିକ ବିବରଣୀ ପ୍ରସ୍ତୁତ କରାଯାଇଥାଏ। ତେବେ ଇତିହାସକୁ ଅନ୍ତିମ ସତ୍ୟ ବୋଲି କୁହାଯାଇପାରିବ ନାହିଁ। ଏହା ଏକ ଚଳନ୍ତି ଧାରା। ସମୟ ଗଡ଼ିବା ସହ ନୂଆ ତଥ୍ୟ ଲୋକଲୋଚନକୁ ଆସିଥାଏ। ନୂତନ ତଥ୍ୟ ସଂଯୋଜନା ଦ୍ୱାରା ଏହାର ଭିନ୍ନ ତର୍ଜମା କରାଯାଇପାରେ। ଭିନ୍ନ ମତବାଦର ପରିପ୍ରକାଶ ଘଟିପାରେ। କିନ୍ତୁ ଗୋଟିଏ ତଥ୍ୟ ସମ୍ପୂର୍ଣ୍ଣ ଉହ୍ୟ କରାଯିବାର କିଛି ଆବଶ୍ୟକତା ନାହିଁ। ନୂଆ ତଥ୍ୟ, ନୂଆ ବ୍ୟାଖ୍ୟା ଦ୍ୱାରା ଜ୍ଞାନଭଣ୍ଡାର ଗତିଶୀଳ ହୋଇ ଅଧିକ ଋଦ୍ଧିମନ୍ତ ହୋଇଥାଏ। ତଥ୍ୟ ବାଦ୍ ଦିଆଗଲେ ଜ୍ଞାନ ଖଣ୍ଡିତ ହୋଇଥାଏ।
Comments are closed.