ଈଶ୍ବରଙ୍କ ସୂକ୍ଷ୍ମ ସତ୍ତା ଓ ଶାସ୍ତ୍ରୀୟ ସିଦ୍ଧାନ୍ତ

ଜୀବନ କୃ​‌ଷ୍ଣ ମହାପାତ୍ର

ଆମେ ସମସ୍ତେ ଈଶ୍ବରଙ୍କର ସନ୍ତାନ, ତେଣୁ ଆମ ଭିତରେ ଯେ ଈଶ୍ବରଙ୍କର ସତ୍ତା ବିଦ୍ୟମାନ, ଏ କଥା ଆମେ ‘ଜାଣିଛୁ’। ଏଇ ‘ଜାଣିଛୁ’ ଏକ ଭୟଙ୍କର ଦ୍ବନ୍ଦ୍ବାତ୍ମକ ଶବ୍ଦ ଓ ଜ୍ଞାନ- ଅନ୍ଧତ୍ବର ମୂଳ ଉତ୍ସ……। କୁହାଯାଇଛି ଯେ- ଆମେ ଯାହା ସବୁ ପଢ଼ିଛୁ, ସେ ସବୁ ଭୁଲିଗଲା ପରେ ଆମ ଭିତରେ ଯାହା ମଜ୍ଜି ରହିଯାଏ, ତାହା ହିଁ ଆମର ଜ୍ଞାନ। ଏପରି ଜ୍ଞାନର ପରିସୀମା ଅତ୍ୟନ୍ତ ଛୋଟ ଓ ସେଇ ପରିସୀମା ବାହାରେ ତ ଆମେ ଜ୍ଞାନାନ୍ଧ। ଏବେ ଟିକେ ଭାବିଲେ ଦେଖି, ଆମେ ଯାହା ‘ଜାଣିଛୁ’ ବୋଲି କହୁଛୁ ତାହା ଆମର ଜ୍ଞାନ ନା ଅର୍ଦ୍ଧ- ଜ୍ଞାନ….!! ମନେ ରଖନ୍ତୁୁ ଅର୍ଦ୍ଧ-ଜ୍ଞାନ, ଅର୍ଦ୍ଧ-ସତ୍ୟ ପରି ଅଜ୍ଞାନ ଓ ଅସତ୍ୟ ଠାରୁ ବି ଭୟଙ୍କର।….!! ତେଣୁ ଆମେ ଜାଣିଛୁ, ବୁଝିଛୁ, ହୃଦୟଙ୍ଗମ କରିଛୁ ଏବଂ ଆତ୍ମସ୍ଥ କରିଛୁ, ଏଇ ଚାରି ସ୍ତରରୁ କେଉଁ ସ୍ତରରେ ଆମର ଜ୍ଞାନ ଅଛି, ସେ ବିଷୟରେ ବିଶ୍ଳେଷଣ କରିବାର ସମୟ ଆସିଯାଇଛି।

ଅତି ବୋଧଗମ୍ୟ ଭାଷାରେ ଜଗନ୍ନାଥ ଦାସ ଭାଗବତରେ ଲେଖିଯାଇଛନ୍ତି- ସକଳ ଦେହେ ନାରାୟଣ / ବସନ୍ତି ଅନାଦି କାରଣ।।

ଏପରି ଗଭୀର ଜ୍ଞାନ ଓ ତତ୍ତ୍ବକୁ, ୟା’ଠାରୁ ତ ଆଉ ସରଳତର ଭାଷାରେ, ଲେଖାଯାଇ ପାରିବନି। ଏହି କ୍ରମରେ ‘କାର୍ତ୍ତିକ ମାହାତ୍ମ୍ୟ’ରେ ମହାଦେବ ଦାସ ଲେଖିଛନ୍ତି; ବିଷ୍ଣୁରେ ଲୀଳା ସର୍ବ ଦେହୀ / ତା ବିନୁ ଅନ୍ୟ ଗତି ନାହିଁ।।

ପୁନଶ୍ଚ ପୀତାମ୍ବର ଦାଶଙ୍କ ନୃସିଂହ ପୁରାଣ (ଓଡ଼ିଆ ଭାଷାରେ ପଞ୍ଚ ପୁରାଣ ମଧ୍ୟରୁ ଏହା ଅନ୍ୟତମ)ରେ ଶ୍ରୀ ନୃସିଂହ ରୂପୀ ବିଷ୍ଣୁ, ଲକ୍ଷ୍ମୀଙ୍କୁ କହିଛନ୍ତି- ତୁ ଗଙ୍ଗା ମୁଁ ଶିବ; ତୁ ଭାରତୀ (ସରସ୍ବତୀ) ମୁଁ ଭାରତୀ ଭୂଷଣ (ବ୍ରହ୍ମା); ତୁ ରତି ଦେବୀ ମୁଁ କାମଦେବ; ତୁ ଭୃଗୁ ସୁତା ମୁଁ ବାସୁଦେବ; ତୁ ଲୋକମାତା ମୁଁ ଲୋକପିତା ଏବଂ ଏଇଥି ପାଇଁ ଏ ସଂସାରର ସବୁ ଲୋକ ବିଷ୍ଣୁ ଭକ୍ତ। ଏହି ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସବୁ ସ୍ତ୍ରୀଙ୍କ ଭିତରେ ଲକ୍ଷ୍ମୀଠାକୁରାଣୀ ଅଛନ୍ତି ଓ ସବୁ ପୁରୁଷଙ୍କ ଭିତରେ ଶ୍ରୀ ନୃସିଂହ ଅର୍ଥାତ୍‌ ବିଷ୍ଣୁ ଅଛନ୍ତି, ତେଣୁ ସେଥିରେ କୁହାଯାଇଛି;- ସବୁ ସ୍ତିରୀ ଉପରେ ତୁମେ ଠାକୁରାଣୀ/ ସବୁ ଉପରେ ଠାକୁର ତେଣୁ ଆମ୍ଭେ ପୁଣି।।

ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ବଜ୍ଞାନୀମାନେ ଏକ ଅଭୁତ ସାଦୃଶ୍ୟତାର ଆଧାରରେ ମତ ରଖନ୍ତି ଯେ ‘ନାର’ର ଅର୍ଥ ଜଳ ଏବଂ ତାହା ‘ଅୟନ’ ବା ଆଶ୍ରୟ ସହ ମିଶି ହୋଇଛି ‘ନାରାୟଣ’ (ଯାହା ଈଶ୍ବରଙ୍କର ଅନ୍ୟ ଏକ ନାମ) ଶବ୍ଦ। ସୃଷ୍ଟିର ପ୍ରାରମ୍ଭରେ ଯେଉଁ ଚେତନା ଜଳ ମଧ୍ୟରେ ଶୟନ କରିଥିଲା ବା ଅକର୍ମ ଭାବରେ ଥିଲା, ତାହା ହିଁ ‘ନାରାୟଣ’। ଠିକ୍‌ ସେହିପରି ପ୍ରତ୍ୟେକ ମଣିଷର ମୂଳ ଚେତନା ନିଜର ସୃଷ୍ଟିର ପ୍ରାରମ୍ଭିକ ଭ୍ରୂଣ ଅବସ୍ଥାରେ ଗର୍ଭ ମଧ୍ୟରେ ଜଳ ଭିତରେ ହିଁ ଶୟନ (ଅକର୍ମ ଭାବରେ) କରିଥାଏ। ତେଣୁ ସେଇ ଅବସ୍ଥାରେ ସେଇ ଭ୍ରୂଣର ପ୍ରତ୍ୟେକ କୋଷିକାରେ ଯେ ନାରାୟଣଙ୍କ ଅସ୍ତିତ୍ବ ସୂକ୍ଷ୍ମ ଭାବରେ ଥାଏ ଏଥିରେ ସନ୍ଦେହ ନାହିଁ। ପିଣ୍ଡ ବ୍ରହ୍ମାଣ୍ଡର ଯେ କୌଣସି କୋଷିକାର ଚେତନ ଏ ନାରାୟଣ ସତ୍ତା ସହ ସଂଶ୍ଳିଷ୍ଟ ହୋଇଥିବାରୁ ତାହା ପରିବର୍ତ୍ତୀ ଅବସ୍ଥାରେ ‘ନର’ରୂପ ପାଇଥାଏ। ସେଥିପାଇଁ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ବରେ ‘ନର-ନାରାୟଣ’- (ଅର୍ଥାତ୍‌ ଯିଏ ନର ସିଏ ନାରାୟଣ ଏବଂ ଯିଏ ନାରାୟଣ ସିଏ ନର) ଅବତାର ଧାରଣାର ବହୁଳ ବ୍ୟବହାର ଅଛି।

ପିଣ୍ଡ ବ୍ରହ୍ମାଣ୍ଡ ଦ୍ରଷ୍ଟାମାନଙ୍କର ଅନ୍ୟ ଏକ ମତବାଦ ମଣିଷର ଜନ୍ମ ସମୟ ପରର ଅବସ୍ଥା ଉପରେ ଆଲୋକପାତ କରେ। ସେଇ ମତାନୁସାରେ କ୍ଷୀରସାଗର ହେଉଛି ନବ ଜନ୍ମିତ ଶିଶୁ ତା’ ଚାରିପଟେ ଅନୁଭବ କରୁଥିବା ବିଶ୍ବ ଚେତନାର ବଳୟ। ଏଇ ଚେତନା, ପାର୍ଥକ୍ୟ ଓ କଳୁଷଶୂନ୍ୟ ଅଟେ। ତେଣୁ ଏହା କ୍ଷୀରସାଗର ପରି ଶୁଭ୍ର, ପବିିତ୍ର ଓ ଅନନ୍ତ ଅଟେ। ଶେଷ ନାଗ ହେଉଛି ଆମର କୁଣ୍ଡଳିନୀ ଶକ୍ତି, ଯାହା ନବଜାତ ଶଶୁ କ୍ଷେତ୍ରରେ ଅବସ୍ଥାନ କରିଥାନ୍ତି, ଶରୀରର ସବୁୁ ତତ୍ତ୍ବକୁ ସନ୍ତୁଳନରେ ରଖିଥିବା, ଶକ୍ତି ବା ବିଷ୍ଣୁ। ତେଣୁ ସେଇ ନବଜାତ ଅବସ୍ଥାରୁ ହିଁ ସବୁ ନବଜାତ ଶିଶୁର ଅନ୍ତରରେ ବିଷ୍ଣୁ ବିଦ୍ୟମାନ ଅଟନ୍ତି। ଏ ମତବାଦ ବିଷ୍ଣୁଙ୍କର ୨୪ ଅବତାର ମଧ୍ୟରୁ ଆଦି ପୁରୁଷ ଅବତାରଙ୍କ ବର୍ଣ୍ଣନାରେ ଉଲ୍ଲେଖ କରାଯାଇଛି।

ଅନ୍ୟ ଏକ ଶାସ୍ତ୍ରୀୟ ତତ୍ତ୍ବ ଦର୍ଶାଏ ଯେ ନଚିକେତା ଯେତେବେଳେ ଶେଷ ପ୍ରଶ୍ନରେ ଜାଣିବାକୁ ଚାହିଁଲେ ଯେ ‘ମୃତ୍ୟୁ’ କ’ଣ ଅଟେ, ସେତେବେଳେ ଯମରାଜ ଯାହା ତାଙ୍କୁ ବୁଝାଇଥିଲେ, ତା’ର ସାରାଂଶ ହେଲା:- ବ୍ୟକ୍ତିର ମୃତ୍ୟୁ ବେଳେ ଶରୀର-ମୁକ୍ତ ସତ୍ତା, ‘ଆତ୍ମା’, ଯାହା ପରଂବ୍ରହ୍ମଙ୍କର ଅଂଶ, ଯାହା ଶବ୍ଦହୀନ, ସ୍ପର୍ଶହୀନ, ଅଣାକାର, ଅବିନାଶୀ, ଅବିଚ୍ଛେଦ୍ୟ, ସ୍ବାଦହୀନ, ନିର୍ଗୁଣ, ଅବିଚଳ ଏବଂ ଗନ୍ଧହୀନ, ଏହି ଶରୀରକୁ ପରିତ୍ୟାଗ କରି ମୁକ୍ତ ଓ ସ୍ବାଧୀନ ହୋଇଯାଏ। ଈଶ୍ବରଙ୍କ ପରି ଆତ୍ମାର ଆରମ୍ଭ ନାହିଁ, ଅନ୍ତ ବି ନାହଁି, ଜନ୍ମ ନାହିଁ, ମୃତ୍ୟୁ ବି ନାହିଁ। ଏବେ ଆମେ ଗୀତାକୁ ଯିବା, କାରଣ ଗୀତା ହିଁ ସର୍ବଜ୍ଞାନ ଓ ତତ୍ତ୍ବର ଆଧାର ଅଟେ। ଗୀତାରେ ଈଶ୍ବର କହୁଛନ୍ତି (୧୦/୨୦), ‘ଅହମାତ୍ମା ଗୁଡ଼ାକେଶ ସର୍ବଭୂତାଶୟସିତଃ/ ଅହମାଦିଶ୍ଚ ମଧ୍ୟଂ ଚ ଭୂତାନାମନ୍ତ ଏବ ଚ।।’

ଭାବାର୍ଥ: ସମସ୍ତ ପ୍ରାଣୀଙ୍କର ଅନ୍ତରରେ ମୁଁ ଆତ୍ମା ରୂପରେ ଥାଏ, ସମସ୍ତ ପ୍ରାଣୀଙ୍କର ଉତ୍ପତ୍ତି, ସ୍ଥିତି ଓ ଲୟର ମୂଳ କାରଣ ମୁଁ ହିଁ ଅଟେ।

ଏଥିରୁ ସୁସ୍ପଷ୍ଟ ହେଲା ଯେ ଈଶ୍ବର (ପରମାତ୍ମା)ଙ୍କର ଏକ ସୂକ୍ଷ୍ମ ସତ୍ତା, ଆତ୍ମା ରୂପରେ, ସକଳ ପ୍ରାଣୀଙ୍କର ଅନ୍ତରରେ ବିଦ୍ୟମାନ। ତେବେ ଏଇ ସିଦ୍ଧାନ୍ତ ଉପରେ ମନରେ ପ୍ରଶ୍ନ ଉଠେ ଯେ, ଯେହେତୁ ମହର୍ଷି ବେଦବ୍ୟାସ (ଜଣେ ମାନବ)ଙ୍କର ସୃଷ୍ଟ ମହାକାବ୍ୟ ମହାଭାରତର ଭୀଷ୍ମ ପର୍ବରେ ଗୀତ ଅନ୍ତର୍ଭୁକ୍ତ, ତେଣୁ ଉପରେ ଉଦ୍ଧୃତ ଶ୍ଳୋକ ବେଦବ୍ୟାସ (ଜଣେ ମାନବ)ଙ୍କର ଚିନ୍ତାକଳ୍ପର ପ୍ରତିଫଳନ ମାତ୍ର….!! ଏଥିରେ ବିଶ୍ବାସଯୋଗ୍ୟ ବାସ୍ତବତା କାହିଁ?? ଏ ସମ୍ବନ୍ଧରେ ଦିବ୍ୟଦ୍ରଷ୍ଟା ଶ୍ରୀଶ୍ରୀ ପରମହଂସ ଯୋଗାନନ୍ଦଙ୍କର ମତାମତ ହେଲା;

prayash

‘ବ୍ୟାସଦେବ ତାଙ୍କର ନିଜର ଆତ୍ମାର, ଈଶ୍ବର (ପରମାତ୍ମା)ଙ୍କ ସହ ବାର୍ତ୍ତାଳାପକୁ ହିଁ ଭଗବଦ୍‌ ଗୀତାରେ ଅର୍ଜୁନଙ୍କର ଉଜ୍ଜୀବିତ ଆତ୍ମା ଓ ସର୍ବବିଦ୍ୟମାନ ଈଶ୍ବର (ଶ୍ରୀକୃଷ୍ଣ)ଙ୍କ ଭିତରେ କଥାବାର୍ତ୍ତା ରୂପରେ ପ୍ରକାଶ କରିଦେଇଛନ୍ତି।’

ଏହି ତତ୍ତ୍ବ ଯେ ସତ୍ୟ ଅଟେ ଏଥିରେ ଦ୍ବିମତ ହେବାର ସମ୍ଭାବନା ନାହିଁ, କାରଣ ମହାଭାରତ ଈଶ୍ବରଙ୍କର ଚିନ୍ତା ଓ ଚେତନା ଧାରା, ବ୍ୟାସଦେବଙ୍କ ମୁଖରେ ପରିପ୍ରକାଶିତ ରୂପ ଅଟେ ବୋଲି ହିଁ ଶ୍ରୀ ଗଣେଶ ତା’ର ଶ୍ରୁତଲିଖନ ନେବାପାଇଁ ସମ୍ମତ ହେଲେ। ଏହି ତଥ୍ୟ ପରେ ତ ଉଦ୍ଧୃତ ଶ୍ଳୋକର ବାସ୍ତବତା ଉପରେ ସନ୍ଦେହ ପ୍ରକଟ କରିବାର ଅବକାଶ ନାହିଁ।

ତଥାପି ଅନ୍ୟ ଏକ ଐତିହାସିକ ଉଦାହରଣ…..

ଆମେ ସମସ୍ତେ ଜାଣିଛୁ ଯେ ଦସ୍ୟୁ ରତ୍ନାକର ହିଁ ମହର୍ଷି ବାଲ୍ମୀକି ରୂପରେ ରୂପାନ୍ତରିତ ହୋଇଥିଲେ। କାରଣ ତାଙ୍କୁ ତାଙ୍କ ସ୍ତ୍ରୀ ସ୍ପଷ୍ଟ ଭାବରେ କହିଦେଲେ, ‘ଆମକୁ ପୋଷିବା ପାଇଁ ତମେ ଯେଉଁ ପାପ କର୍ମ କରୁଛ, ଆମେ ତମର ସେ ପାପରେ ଭାଗୀ ହେବୁନି।’ ବାସ୍‌… ଏଇ ପଦେ କଥାରେ ରତ୍ନାକରରୁ ବାଲ୍ମୀକି…!! କେବେ ଭାବିଛନ୍ତି କି ଏହା କେମିତି ସମ୍ଭବ ହେଲା? ଏହା ସମ୍ଭବ ହେଲା ଏଇଥିପାଇଁ କି, ସ୍ତ୍ରୀ କଥା ଶୁଣି ରତ୍ନାକରର ଅନ୍ତରରେ ଯେଉଁ ପରିତାପ ସୃଷ୍ଟି ହେଲା, ସେଇ ବହ୍ନିରେ ତା’ର ଆତ୍ମା (ଈଶ୍ବରଙ୍କର ସୂକ୍ଷ୍ମ ସ୍ଥିତି) ଆନ୍ଦୋଳିତ ହୋଇ ଈଶ୍ବରଙ୍କ ସହ ସଂଯୁକ୍ତ ହୋଇଯାଇ ମୁକ୍ତିର ମାର୍ଗ ପ୍ରଦର୍ଶାଇବା ପାଇଁ ତାଙ୍କୁ ଅନୁରୋଧ କଲା ଏବଂ ପରିଣାମରେ ବନିଗଲା ବାଲ୍ମୀକି!! ଆଶ୍ଚର୍ଯ୍ୟର କଥା ଯେ କେବଳ ଏଇ ରୂପାନ୍ତରଣ ସୂଚିତ କରିବା ପାଇଁ ଈଶ୍ବର ରତ୍ନାକରର ଜନ୍ମ-ଜାତକର ଅଷ୍ଟମ ଘରେ ବୃହସ୍ପତିଙ୍କୁ ରଖି ଦେଇଥିଲେ….!! ମନେ ରଖନ୍ତୁ ବାଲ୍ମୀକି କୌଣସି ପୌରାଣିକ ଚରିତ୍ର ନୁହନ୍ତି, ସେ ଏକ ଐତିହାସିକ ବ୍ୟକ୍ତି।

ଧରନ୍ତୁ ଯଦି ଆପଣଙ୍କର ଓଠରୁ ହସ ଲିଭିଗଲା, ଆଖିରୁ ଲୁହ ଶୁଖିଗଲା, ହୃଦୟର କମ୍ପନ ବନ୍ଦ ହୋଇଗଲା, ସବୁ ଆଶା ମଉଳି ଗଲେ, ସବୁ ବାକ୍ୟ ନିଃସ୍ବ ହୋଇଗଲା, ସବୁ ସାଥୀ ହଜିଗଲେ, ସବୁ ଆସକ୍ତି ଜଳିଜଳି ଗଲେ, ସେତେବେଳେ ଆପଣ ଯଦି ଏକ ନିର୍ବାଣ, ନିର୍ବିକଳ୍ପ, ନିର୍ଗୁଣର ଦର୍ପଣ ସାମନାରେ ଠିଆ ହେବେ, ଆପଣ ଦର୍ପଣରେ ପ୍ରତିବିମ୍ବ ରୂପେ କ’ଣ ଦେଖିବେ?

ପରିଶେଷରେ ଅନେକ ପଚାରନ୍ତି, ‘ଆମ ଭିତରେ ଯଦି ଈଶ୍ବରଙ୍କର ସତ୍ତା ଅଛି, ତେବେ ଈଶ୍ବରଙ୍କର ଭୂଷଣ ଶଙ୍ଖ, ଚକ୍ର, ଗଦା, ପଦ୍ମର ପ୍ରତୀକ ରୂପେ ଆମକୁ ଈଶ୍ବର କ’ଣ ଦାନ କରିଛନ୍ତି। ଏହା ଉତ୍ତର ହେଲା- ଶଙ୍ଖ, ଶୁଭାରମ୍ଭ, ସୁମଙ୍ଗଳ ତଥା ପବିତ୍ରତାର ଆଧାର। ତା’ର ପ୍ରତୀକ ରୂପେ ଈଶ୍ବର ଆମକୁ ଦେଇଛନ୍ତି ଜ୍ଞାନ। ଚକ୍ର ଧର୍ମ ସ୍ଥାପନ ଓ ଅଧର୍ମର ବିନାଶ ପାଇଁ ଉଦ୍ଦିଷ୍ଟ। ତା’ର ପ୍ରତୀକ ରୂପେ ଈଶ୍ବର ଆମକୁ ଦେଇଛନ୍ତି ‘ବିବେକ’। ଗଦା ସର୍ବଶକ୍ତିର ଆଧାର। ତା’ର ପ୍ରତୀକ ରୂପେ ଈଶ୍ବର ଆମକୁ ଦେଇଛନ୍ତି ‘ବୁଦ୍ଧି’। ତାହା ସବୁ ଚେତନ ଶକ୍ତିର ଆଧାର ଅଟେ। ଶେଷରେ ପଦ୍ମ ଦେବତ୍ବ ଓ ଦିବ୍ୟାନୁଭୂତିର ସଂକେତ। ତା’ର ପ୍ରତୀକ ରୂପେ ଈଶ୍ବର ଆମକୁ ଦେଇଛନ୍ତି ‘ପ୍ରଜ୍ଞା’।

ପରିଶେଷରେ ଈଶ୍ବରଙ୍କର ସୂକ୍ଷ୍ମସ୍ଥିତିର ସର୍ବବ୍ୟାପକତା ବିଷୟରେ ଗୀତାର ୧୦ (୨୭) ଶ୍ଳୋକରେ କୁହାଯାଇଛି।

ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତି ପରମେଶ୍ବରମ୍‌
ବିନଶ୍ୟତ ସ୍ବବିନିଶ୍ୟାନଂ ଯଃ ପଶ୍ୟତି ସ ପଶ୍ୟତି।।

ଭାବାର୍ଥ: ଯେଉଁ ବ୍ୟକ୍ତି ବିନିଷ୍ଟ ହେଉଥିବା ସକଳ ଚରାଚର ସ୍ଥାବର ଜଙ୍ଗମ (ସଜୀବ ଓ ନିର୍ଜୀବ)ଠାରେ ପରମେଶ୍ବରଙ୍କୁ ନାଶ ରହିତ ଏବଂ ସମ ଭାବରେ ଅବସ୍ଥିତ ଥିବା ଦେଖନ୍ତି, ସେ ହିଁ ଯଥାର୍ଥ ଦେଖନ୍ତି। ଅଥର୍ବ ବେଦ, ମଣ୍ଡୁକ ଉପନିଷଦର ବାଣୀ ‘ଅହମ୍‌ ବ୍ରହ୍ମ ଅସ୍ମି’ ତ ସେଇଆ ହିଁ କହେ। ଏହା ହିଁ ତ ଅ​‌େ​‌ଦ୍ବୖତବାଦର ବୀଜତତ୍ତ୍ବ।

kalyan agarbati

Comments are closed.