ଗୋପାଳର ହସ: କ୍ଷମତାର ଭିନ୍ନ ବେଶ
ଅଧ୍ୟାପକ ବିଶ୍ବରଞ୍ଜନ
ଗୋପାଳ ହସୁଚି, ହତ୍ୟା ଅଭିଯୁକ୍ତ ଆସାମୀ ଗୋପାଳ ଦାସ। ଗୋପାଳର ହସ ଆମର ଆଇନ ଓ ଶାସନ ବ୍ୟବସ୍ଥା ପ୍ରତି କ୍ରୂର ପରିହାସ; କିନ୍ତୁ ବେଶ୍ ମନୋହର ଦିଶୁଚି ରାଜନୀତିର ରସରାଜ ବେଶ। ଏ ରାଜନୀତି ସତ୍ୟ ସମ୍ବଳିତ ନୁହେଁ। କ୍ଷମତା ଆଧାରିତ, କ୍ଷମତା କେନ୍ଦ୍ରିତ। ବ୍ୟକ୍ତି ହାତରେ ଥାଉ ବା ସଂଗୋଷ୍ଠୀ ପାଖରେ, କ୍ଷମତା ସର୍ବଦା ସକ୍ଷମ କରିଥାଏ ସେବାପରାୟଣତାର ସଂକଳ୍ପ ସାଧନ ପାଇଁ। ଏ ସେବା ରାଜନୀତିର ହୋଇପାରେ, ପ୍ରଶାସନର ହୋଇପାରେ ଅବା ଶିକ୍ଷା ଓ ସାହିତ୍ୟର। ସମାଜର ଯେ କୌଣସି କ୍ଷେତ୍ରପାଇଁ କ୍ଷମତାକୁ ଉପଯୋଗ କରାଯାଇପାରେ। ଏହା କ୍ଷମତାଧରକୁ ଶକ୍ତିଦିଏ। ସମର୍ଥ କରାଏ। ‘ମୋ ହାତରେ କିଛି କ୍ଷମତା ଅଛି’ ବୋଲି ତାକୁ ଅହଂସ୍ଫୀତ, ସ୍ପର୍ଦ୍ଧିତ ନ କରି ସେବା ସମର୍ପିତ ବ୍ୟକ୍ତିରେ ପରିଣତ କରିଦିଏ। ପ୍ରକୃତ କ୍ଷମତାଶାଳୀ ବ୍ୟକ୍ତିଟିଏ ଘୋଷଣା କରେ ଯେ, ପ୍ରକୃତରେ ତା’ ପାଖରେ କ୍ଷମତା ବୋଲି କିଛି ନାହିଁ। ଯାହା ଅଛି, ତାକୁ ଅନ୍ୟମାନେ ଦେଇଛନ୍ତି। ବୃହତ୍ତର ଅର୍ଥରେ ସମାଜ ଦେଇଛି। ଶକ୍ତିଦାନ କରିଛି। ସେହି ଶକ୍ତିକୁ ସେମାନଙ୍କ ସେବାରେ ବିନିଯୋଗ କରିବାକୁ ହେବ।
ମାତ୍ର ଏକଥା ସମସ୍ତେ ବୁଝିପାରନ୍ତି ନାହିଁ। କ୍ଷମତାର ଅସଲ ଅର୍ଥକୁ ଯେଉଁମାନେ ବୁଝିନଥାନ୍ତି, ଆମର ଦୁର୍ବଳତା ଓ ଦୁର୍ଭାଗ୍ୟକୁ ସେହିମାନଙ୍କ ହାତରେ ଆମେ କ୍ଷମତା ଅର୍ପଣ କରିଦେଇ ନିଶ୍ଚିନ୍ତରେ ନିଦ୍ରାଯାଉ। ତା’ ପରେ ସ୍ବପ୍ନ ଦେଖୁ, ସୁନ୍ଦର ସୁନ୍ଦର ସ୍ବପ୍ନ, ଆମର ଆଗତ ଓ ଅନାଗତ ସମୟର। ମାତ୍ର ଆଖି ଖୋଲିଲାବେଳକୁ ଦେଖୁ, ସ୍ବପ୍ନସବୁ ଦୁଃସ୍ବପ୍ନରେ ପରିଣତ ହୋଇଯାଇଛି। ଆଉ ଯେଉଁମାନଙ୍କ ହାତରେ କ୍ଷମତା ଦେଇଥିଲୁ, ;ସେମାନେ କ୍ଷମତାର ଔଲ୍ୟରେ ଅନ୍ଧ ହୋଇ ଆମମାନଙ୍କୁ ଅନ୍ଧାର ଭିତରକୁ ଟାଣି ନେଉଛନ୍ତି। ଆଉ ସେଇ ଅନ୍ଧାର ଭିତରେ ଆମେ ସମସ୍ତେ ଅଣ୍ଡଳି ହେଉଛୁ। ‘ଆଲୁଅ କାହିଁ’, ‘ଆଲୁଅ କାହିଁ’ ବୋଲି ବିଳାପ କରୁଛୁ; କିନ୍ତୁ ପ୍ରକୃତରେ ଏସବୁ ବିଳାପ ବ୍ୟର୍ଥ, ଅର୍ଥହୀନ ମନେହୁଏ। କାରଣ ଆଲୁଅର କଥାକହି ଆମେ ପ୍ରକୃତରେ ଅନ୍ଧାର ଭିତରେ ଘାଣ୍ଟି ହେବାକୁ ହିଁ ପରମ ସୁଖ ମଣୁଛେ। ଆଲୋକର କାମନାରେ ଆମର ପ୍ରକୃତ ଆନ୍ତରିକତା ଥିଲେ ଆଲୁଅ କେଉଁଦିନୁ ଦେଖିବାକୁ ମିଳନ୍ତାଣି। କାରଣ କୁହାଯାଇଛି ଯେ ଆମର ଯୋଗ୍ୟତା ଅନୁସାରେ ହିଁ ମିଳିଥାଏ ଆମକୁ ଆମର ସରକାର। ଆମେ ଯେଉଁଭଳି ପୃଥିବୀଟିଏ ଚାହୁଁ, ସେହିଭଳି ପୃଥିବୀଟିଏ ହିଁ ଆମକୁ ପ୍ରାପ୍ତ ହୋଇଥାଏ। ପ୍ରକୃତିକୁ ଧ୍ବଂସ କରି ସବୁଜସୁନ୍ଦର ବିଶ୍ବର ବାସିନ୍ଦା ହେବା କେବେ ସମ୍ଭବ କି? କର୍ମରେ, କଥନରେ, ଆହାରବିହାରରେ, ବିଚାର ଓ ବ୍ୟବହାରରେ, ଚାହାଣି ଓ ଚଳଣିରେ ବିଷସଂଚାର କରି ଅମୃତ-ଆଲୋକର ସନ୍ଧାନରେ ବାହାରି ପଡ଼ିଲେ, ତାହା ହେବ ଏକ ନିଷ୍ଫଳ ପ୍ରୟାସ। ପ୍ରକୃତିର ଆଶୀର୍ବାଦ ଓ ଅବଦାନକୁ ଅଣଦେଖା କରି ଆମେ ଯଦି ବୈଷୟିକ ବିକୃତିରେ ଆମ ଜ୍ଞାନଶକ୍ତିର ଦୁରୁପଯୋଗ କରୁ। ତେବେ ପ୍ରକୃତିର କ୍ରୋଧ ଓ କମ୍ପନ ସୃଷ୍ଟି ହେବା ସ୍ବାଭାବିକ। ତା’ପରେ ଖୋଜି ଚାଲିଥିବା ଜୀବନ କ୍ରମଶଃ ଅପହଞ୍ଚ ଦୂରତାକୁ ଚାଲିଯାଇଥିବ।
କ୍ଷମତାର ଶକ୍ତି ହେଉଛି ସତ୍ୟ-ଶିବ-ସୁନ୍ଦରର ଆବାହନ। ରାଜନୀତିରେ ରାଜ୍ୟବାସୀଙ୍କ ପାଇଁ ଅପରାଧମୁକ୍ତ ଏକ ନ୍ୟାୟୋଚିତ ଜୀବନ ପ୍ରଦାନ। ଶିକ୍ଷାରେ କେବଳ ସୂଚନା-ପ୍ରଦାନ ଅବା ଏକ ଉଚ୍ଚବେତନର ବୃତ୍ତିଗତ ଜୀବନ ନୁହେଁ, ବ୍ୟକ୍ତିର ଅନ୍ତର୍ନିହିତ ପ୍ରତିଭାର ବିକାଶରେ ଏକ ସମାଜଉପଯୋଗୀ ଭୂମିକା ପ୍ରଦାନ। ସମ୍ବାଦ ପତ୍ରରେ ବ୍ୟାବସାୟିକ ସମୃଦ୍ଧିଲାଗି ସରକାରୀ କୃପା ଓ ଅନୁଦାନରେ ବିଜ୍ଞାପନ ଜନିତ ଅର୍ଥ ସଂଗ୍ରହ ନୁହେଁ ଶାସିତର ସୁଖଦୁଃଖ ତଥା ସାମାଜିକ ସମସ୍ୟାର ନିର୍ଭୀକ, ନିରପେକ୍ଷ ଉପସ୍ଥାପନ। ଅର୍ଥନୀତିରେ ବୈଷମ୍ୟ ଦୂରୀକରଣ ଏବଂ ସାହିତ୍ୟରେ ଉପଯୁକ୍ତ ପ୍ରତିଭାର ପ୍ରସ୍ଫୁଟନ ପାଇଁ ପ୍ରୋତ୍ସାହନ। ମୂଳରୁ କହିଛି, କ୍ଷମତା କହିଲେ ଏହା କେବଳ ପ୍ରଶାସନିକ କିମ୍ବା ରାଜନୈତିକ ନୁହେଁ, ବିଭିନ୍ନ କ୍ଷେତ୍ରରେ ପ୍ରଭାବ ଓ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କର ନିଜକୁ କ୍ଷେତ୍ରଅନୁକୂଳ କରି କିଛି ଅବଦାନ ରଖିବା ଲାଗି ଥିବା ସାମର୍ଥ୍ୟ ମଧ୍ୟ କ୍ଷମତା ଅନ୍ତର୍ଭୁକ୍ତ। କ୍ଷମତା ଯଦି ଜଣକୁ କାର୍ଯ୍ୟକ୍ଷମ କରିବା ବଦଳରେ ଅବିଚାରୀ, ଅହଂକାରୀ, ଉଦ୍ଧତ ଓ ଅକ୍ଷମ କରିଦିଏ, ତେବେ ବୁଝିବାକୁ ହେବ, ତାହା କ୍ଷମତା ନୁହେଁ, ଅକ୍ଷମଣୀୟ ଅକ୍ଷମତା। ଶକ୍ତି ନୁହେଁ, ଅପଶକ୍ତି। ଅନ୍ଧର ଅନ୍ଧାର ପରିକ୍ରମା।
ଆମେ ତଥାକଥିତ ଉଚ୍ଚଶିକ୍ଷିତ ବୁଦ୍ଧିଜୀବୀ, ବିଦ୍ୟାଜୀବୀ, ବାଣୀସାଧକ, ଯେଉଁମାନେ ଖାଲି ରାଜନୀତିରେ ଅପରାଧୀକରଣ କ୍ଷମତାର ଅପପ୍ରୟୋଗ ହୋଇଗଲା ବୋଲି ନିଜ ସାଧୁତାର ଡିଣ୍ଡିମ ପିଟୁଥାଉ। କହିବାରେ ଦ୍ବିଧାନାହିଁ ଯେ ଦେଖିବାକୁ ଭୁଲିଯାଉ, ଆମରି ଭିତରେ କିଭଳି ବେଶ୍ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ଛଦ୍ମବେଶୀ ଅପରାଧୀମାନେ। ନିଜର ସମସ୍ତ ବିଦ୍ୟାବୁଦ୍ଧି, କଳାକୌଶଳକୁ ଅନୁଚିତ ଉପାୟରେ ଅର୍ଥ ସଂଗ୍ରହରେ ବିନିଯୋଗ କରିବାକୁ ସେମାନେ କୁଣ୍ଠାବୋଧ କରନ୍ତି ନାହିଁ। ପ୍ରତିକ୍ଷେତ୍ରରେ ଉପଯୁକ୍ତ ପ୍ରତିଭା ପ୍ରତି ଅବିଚାର କରି ପ୍ରିୟାପ୍ରୀତି ତୋଷଣରେ ଲାଗିପଡ଼ିଥାନ୍ତି। କ୍ଷମତାର ମତ୍ତହସ୍ତୀମାନଙ୍କୁ ଅଙ୍କୁଶ ଦ୍ବାରା ଆୟତ୍ତ କରିବାପାଇଁ ଯେଉଁ ମାହୁନ୍ତର ଆବଶ୍ୟକତା ଥାଏ, ସେଇ ମାହୁନ୍ତମାନେ ହେଉଛନ୍ତି କ୍ଷମତା ଲୋଡ଼ୁ ନଥିବା, କ୍ଷମତାଠାରୁ ଦୂରରେ ଥିବା ସରଳ ସାଧାରଣ ମଣିଷ। ମାତ୍ର ସେମାନେ ଯଦି ନିଜ କ୍ଷମତାର ପ୍ରୟୋଗ ନକରନ୍ତି, ତେବେ ଅପରାଧୀମାନେ ପ୍ରାଣଖୋଲା ହସ ହସୁଥିବା, ମନୋହର ବେଶ ଧାରଣ କରି ସମାଜରେ ମୁକ୍ତ ବିହାର କରିବା କିଛି ଅସମ୍ଭବ ନୁହେଁ।
Comments are closed.