ପଦ୍ମ ବିଜେତାଙ୍କ ସହାୟତା ରାଶି ୫ ହଜାର ବୃଦ୍ଧି
ଡେସ୍କ: ରାଜ୍ୟ ସରକାର ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ସହାୟତା ରାଶି ବୃଦ୍ଧି କରିଛନ୍ତି। ରାଜ୍ୟରେ ଯେଉଁମାନେ ପଦ୍ମ ପୁରସ୍କାର ପାଇଛନ୍ତି ସମାଜ ପ୍ରତି ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଚଳିତ ମାସ ଠାରୁ ରାଜ୍ୟ ସରକାର ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ। ତେବେ କେବଳ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯିବ। ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।
୨୦୨୪ ମସିହା ନଭେମ୍ବର ୯ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମ ବିଜେତାଙ୍କୁ ପୂର୍ବରୁ ଦିଆଯାଉଥିବା ୨୫ ହଜାର ଟଙ୍କା ସହାୟତା ରାଶି ବଦଳରେ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ବାର୍ଷିକ ଏଥିପାଇଁ ରାଜ୍ୟ ରାଜକୋଷରୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା।
ସୂଚନା ଯୋଗ୍ୟ, ୨୦୧୯ ଜୁନ୍ ମାସରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର ୭୫ ବର୍ଷୀୟ ଆଦିବାସୀ ଚାଷୀ ଦୈତାରୀ ନାୟକ ପଦ୍ମଶ୍ରୀ ପାଇବା ପରେ ଦିନ ମଜୁରିଆ ଭାବେ କୌଣସି କାମ ମିଳୁନଥିବାରୁ ତାଙ୍କୁ ପଦକ ବିକ୍ରି କରିବାକୁ ପଡ଼ିବ ବୋଲି କହିବା ପରେ ଓଡ଼ିଶା ସରକାର ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ ସମ୍ମାନ ଦେବା ଆରମ୍ଭ କରିଥିଲେ।
Comments are closed.