ସ୍ଥାୟୀ ନବସୃଜନକୁ ଆର୍ଥିକ ସହାୟତା, ଜଳବାୟୁ ଜନିତ ବିପଦ ହ୍ରାସ ପାଇଁ ସମୟୋଚିତ ପଦକ୍ଷେପ ଏବଂ ଯୁବପିଢି ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଜରୁରୀ

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ୩ଦିନିଆ ବାର୍ଷିକ ସଷ୍ଟେନବିଲିଟି ସମ୍ମିଳନୀ; ‘ନବସୃଜନ, ସହଯୋଗ, ଉନ୍ନତି : ବିଶ୍ୱ ପାଇଁ ଏକ ସ୍ଥାୟୀ ସମାଧାନ’ ଶୀର୍ଷକ ଆଲୋଚନାଚକ୍ର

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ ଅଫ୍‌‌ ସଷ୍ଟେନବିଲିଟି ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ଠାରେ ଦଶମ ବାର୍ଷିକ ସଷ୍ଟେନବିଲିଟି ସମ୍ମିଳନୀ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନର ବିଶେଷଜ୍ଞମାନେ ଯୋଗଦେଇ ଜଳବାୟୁ ବିପଦ ପାଇଁ ସହଭାଗିତା, ନବସୃଜନ ଏବଂ ସ୍ଥାୟୀ ସମାଧାନ ଉପରେ ଆଲୋକପାତ କରିଥିଲେ।

ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର କୁଳପତି ଫାଦର ଆଣ୍ଟୋନି ଆର୍‌‌. ଉଭାରୀ ଉକ୍ତ ସମ୍ମିଳନୀକୁ ଉଦ୍‌‌ଘାଟନ କରିବା ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ଏବଂ ସମ୍ମିଳନୀର ଉଦ୍ଦେଶ୍ୟ ଓ ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ପ୍ରଥମ ଦିବସର ଅଧିବେଶନରେ ‘ନବସୃଜନ, ସହଯୋଗ, ଉନ୍ନତି : ବିଶ୍ୱ ପାଇଁ ଏକ ସ୍ଥାୟୀ ସମାଧାନ’ ଶୀର୍ଷକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇଆଇଏମ୍‌‌ଏ ଏବଂ ଆଇଆଇଟିବି ର ଅଧ୍ୟାପକ ତଥା ହନିବି ନେଟ୍‌‌ୱାର୍କର ପ୍ରତିଷ୍ଠାତା ପ୍ରଫେସର ଅନିଲ କୁମାର ଗୁପ୍ତା, ବିୱାଇସିଏସ୍‌‌ ର ଅଧ୍ୟକ୍ଷା ମିସ୍‌‌ ସାରା ରୋବର୍ଟ, ନରୱେ ସରକାରଙ୍କ ଆନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଏରିକ୍‌‌ ସୋଲ୍‌‌ହେମ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଦୟାନଦୀ ଇକୋ ସିଷ୍ଟମ ସ୍ଥାୟିତ୍ୱ ଉପରେ ବିଦ୍ୟାଳୟ ପକ୍ଷରୁ ଏକ ଡ୍ୟାସ୍‌‌ବୋର୍ଡ ଉପସ୍ଥାପନ ସହ ଭିଡିଓ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ସ୍କୁଲ ଅଫ୍‌‌ ସଷ୍ଟେନବିଲିଟି ର ଡିନ୍‌‌ ପ୍ରଫେସର ଡ଼ ସୁତାପା ପତି ଯୋଗଦେଇ ଏକ ସ୍ଥାୟୀ ପ୍ରଗତି ପାଇଁ ଏମ୍‌‌ଓୟୁ ଅଂଶୀଦାରମାନଙ୍କ ସହଯୋଗ ଓ ସହଭାଗୀତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କେତେକ ଏମ୍‌‌ଓୟୁ ଅଂଶୀଦାରମାନେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ମିଳନୀର ବିଷୟବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜର କଳା ମାଧ୍ୟମରେ ବର୍ଷ ବର୍ଷ ଧରି ଶିଳ୍ପ ନବସୃଜନର ବିକାଶକୁ ଦର୍ଶାଇଥିଲେ।

prayash

ସମ୍ମିଳନୀର ଦ୍ୱିତୀୟ ଦିବସର ପ୍ରାରମ୍ଭରେ କ୍ଲିନ ଟେକ୍‌‌ ଇକୋ-ଇନୋଭେସନ ଷ୍ଟାର୍ଟଅପ୍‌‌ ମେଳାକୁ ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଫାଦର ଏସ୍. ଆଣ୍ଟୋନି ରାଜ ଫିତା କାଟି ଉଦ୍‌‌ଘାଟନ କରିଥିଲେ। ସ୍କୁଲ ଅଫ୍‌‌ ସଷ୍ଟେନବିଲିଟି ର ଡିନ୍‌‌ ପ୍ରଫେସର ଡ଼ ସୁତାପା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏନ୍‌‌ଆର୍‌‌ଡିସି ରୁ ଡ଼ଃ ବି.କେ ସାହୁ, ଏନ୍‌‌ଏସ୍‌‌ଆଇସି ରୁ ଅନୁପମ ଗାୟେନ ଏବଂ ଏସ୍‌‌ବିଆଇ ରୁ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ପାରସ୍ପରର ଶକ୍ତିକୁ ବ୍ୟବହାର କରି ସ୍ଥିର ସ୍ଥାୟୀ ବ୍ୟବସାୟ ଗଠନ ପାଇଁ ସହଯୋଗ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଅପରାହ୍ନରେ ଏକ ଷ୍ଟାର୍ଟଅପ୍‌‌ ପ୍ରଦର୍ଶନୀ ଓ ଆଲୋଚନାଚକ୍ରରେ ଛାତ୍ର, ଅଧ୍ୟାପକ ଓ ଅତିଥିମାନେ ବିଭିନ୍ନ ଷ୍ଟାର୍ଟଅପ୍‌‌ ଅଂଶୀଦାରଙ୍କ ସହିତ ଷ୍ଟାର୍ଟଅପ୍‌‌ ଷ୍ଟଲ ଠାରେ ସେମାନଙ୍କ ସଫଳତା ସଂପର୍କରେ ଆଲୋଚନା କରିବା ସହିତ ସେମାନଙ୍କ ଉତ୍ପାଦକୁ କ୍ରୟ କରିଥିଲେ। ଏଥିରେ ପ୍ରଯୁକ୍ତିବିଦ୍ୟା, ହସ୍ତଶିଳ୍ପ, ଜୈବିକ କୃଷି ଏବଂ ନବୀକରଣୀୟ ଶକ୍ତି ଭଳି ୨୧ଟି ଷ୍ଟାର୍ଟଅପ୍‌‌ ଅଂଶଗ୍ରହଣ କରିଥିଲେ। ଏଥିସହ ଅନ୍ୟ ଏକ ଅଧିବେଶନରେ ଅତିଥି ଭାବେ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଡ଼ଃ ବି.କେ ସାହୁ, ଡ଼ଃ ମନିଷ କୁମାର, ଜ୍ୟୋତିରାଜ ପାତ୍ର, ଖ୍ରୀଷ୍ଟୁଦାସ କେ. ଭି ଏବଂ ଦିଗବିଜୟ ସିଂହ ବିଷ୍ଟ ପ୍ରମୁଖ ଯୋଗଦେଇ ସାମାଜିକ ମଡେଲ ଗୁଡିକୁ ସମନ୍ୱିତ କରିବା, ସ୍ଥିରତାକୁ ପ୍ରୋତ୍ସାହିତ କରିବା, ଅଖଣ୍ଡତା ଏବଂ ଅନ୍ତର୍ଭୁକ୍ତିର ନୀତିକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଉପୁଜିଥିବା ଆହ୍ୱାନକୁ ମୁକାବିଲା କରିବା ପାଇଁ ସକ୍ଷମ ସ୍ଥାୟୀ ଭିତ୍ତିଭୂମି ବିକାଶ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଅପରାହ୍ନ ଅଧିବେଶନରେ ‘ସୀମା ଅତିକ୍ରମ କରିବା : କାର୍ଯ୍ୟରେ କର୍ପୋରେଟ୍‌‌ ନବସୃଜନକୁ ପ୍ରୋତ୍ସାହିତ କରିବା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଏଥିରେ ବକ୍ତା ଭାବେ ବିସିଜି ର ପାର୍ଟନର ଏଡି ଆଶିଷ କୁଲକର୍ଣ୍ଣୀ ଯୋଗଦେଇ ସ୍ଥାୟୀ ନବସୃଜନକୁ ଆର୍ଥିକ ସହାୟତା, ଜଳବାୟୁ ଜନିତ ବିପଦ ହ୍ରାସ ପାଇଁ ସମୟୋଚିତ ପଦକ୍ଷେପ ଏବଂ ଯୁବପିଢି ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ବକ୍ତା ଭାବେ ୟୁନିକସ୍‌‌ କନ୍‌‌ସଲଟେକ୍‌‌ ର ନୀରବ ପଟେଲ ଯୋଗଦେଇ ଏକ ସଂଗଠନର ରୂପାଙ୍କନରେ ନବସୃଜନକୁ ସମନ୍ୱିତ କରିବାର ଆବଶ୍ୟକତା, ଆର୍ଥିକ ଆହ୍ୱାନ ଏବଂ ଏକ ସ୍ଥାୟୀ ଭବିଷ୍ୟତ ଯାତ୍ରାରେ ରହିଥିବା ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ।

ଏହି ସମ୍ମିଳନୀର ତୃତୀୟ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ନିକଟବର୍ତ୍ତୀ ଦୟାନଦୀ ପରିଦର୍ଶନ କରିଥିଲେ। ସେଠାରେ ସ୍କୁଲ ଅଫ୍‌‌ ସଷ୍ଟେନବିଲିଟି ର ପ୍ରଫେସର ତନ୍ମୟ ଖୁଣ୍ଟିଆଙ୍କ ଦ୍ୱାରା ଦୟାନଦୀ ଇକୋସିଷ୍ଟମ ଉପରେ ଆୟୋଜିତ କର୍ମଶାଳାରେ କେପିଏମ୍‌‌ଜି ର ଚେରିଶ କାରୁଭେଲି, ଏନ୍‌‌ଆଟି ରାଉରକେଲା ର ଡ଼ଃ ମୈଥିଲି ମହାନ୍ତି, କୋଲକାତା ସ୍ଥିତ ଆଇଆଇଏସ୍‌‌ଇଆର୍‌‌ ର ଡ଼ଃ ପୁଣ୍ୟଶ୍ଳୋକ ଭାଧୁରୀ ଏବଂ ସ୍କୁଲ ଅଫ୍‌‌ ସଷ୍ଟେନବିଲିଟି ର ପ୍ରଫେ଼ସରମାନେ ଯୋଗଦେଇ ନଦୀକୂଳ ପର୍ଯ୍ୟବେକ୍ଷଣ ଓ ପୁନରୁଦ୍ଧାର ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବି. ଗୌତମୀଙ୍କ ଦ୍ୱାରା ଗବେଷଣା ପ୍ରଚାରପତ୍ର ପ୍ରଦର୍ଶନ ସହ ଦୟାନଦୀ ଇକୋସିଷ୍ଟମ ଚାର୍ଟରର ଉନ୍ମୋଚନ କରାଯାଇଥିଲା।

kalyan agarbati

Comments are closed.