ଜାନୁଆରୀ ୧୮ରେ ଚିଲିକାରେ ପକ୍ଷୀ ଗଣନା, ୨୧ଟି ଦଳ ଗଠିତ
ଡେସ୍କ: ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଦେଶାଗତ ପକ୍ଷୀ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ଚଳିତ ଜାନୁଆରୀ ମାସ ୧୮ ତାରିଖକୁ ଗଣନା ପାଇଁ ଧାର୍ଯ୍ୟ କରାଯାଇଛି। ଅବିଭକ୍ତ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ରାଜସ୍ବ ଜିଲ୍ଲାର ଅଂଶବିଶେଷକୁ ନେଇ ୧୧୬୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଚିଲିକାର ନୀଳ ଜଳରାଶିକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନେ ଆସିଥାନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ୫ଟି ବନାଂଚଳ ବାଲୁଗାଁ, ଟାଙ୍ଗୀ, ରମ୍ଭା, ଚିଲିକା ଏବଂ ସାତପଡ଼ା ଏବଂ ୧୪ଟି ଉପବିଭାଗ ଓ ୪୫ଟି ଚକଲାକୁ ନେଇ ଗଠିତ।
ପକ୍ଷୀ ଗଣନା ଲାଗି, ଆସନ୍ତା ୧୭ ତାରିଖରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଧୁକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଓୟୁଏଟିର ଅଧାପକ/ ପ୍ରଫେସର ଏବଂ ଛାତ୍ରଛାତ୍ରୀ, କାର୍ଯ୍ୟରତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଶିକ୍ଷାବିତ ଏବଂ ଛାତ୍ରଛାତ୍ରୀ ଓ ଅଣ ସରକାରୀ ସଂସ୍ଥା, ଏନଜିଓ ମାନେ ଯୋଗଦେବେ।
ଗଣନା ନିମନ୍ତେ ଚଳିତ ବର୍ଷ ସମଗ୍ର ଚିଲିକାକୁ ୨୧ଟି ଭାଗରେ ବିଭକ୍ତ କରାଯାଇ ୨୧ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ଜଣେ ପକ୍ଷୀ ବିଶାରଦଙ୍କ ସହିତ ୩ରୁ ୫ ଜଣ ଲେଖାଏଁ ପକ୍ଷୀ ବିଶେଷଜ୍ଞ ରହିବେ। ପ୍ରତି ଦଳରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ କାର୍ଯ୍ୟରତ ଜଣେ ଜଣେ ସରକାରୀ କର୍ମଚାରୀଙ୍କୁ ଗାଇଡ଼ ଭାବେ ରଖାଯାଇ ସେମାନଙ୍କୁ ଗଣନା ପାଇଁ ଆବଶ୍ୟକ ପଡ଼ୁଥବା ମାନଚିତ୍ର ଓ ତାର ଗନ୍ତବ୍ୟ ସ୍ଥଳ ଚିତ୍ର ଓ ଅନ୍ୟାନ୍ୟ ଜରୁରୀ ଉପକରଣ ଦିଆଯିବ। ମୋଟ ୧୩୦ ଜଣ ଏହି ଗଣନାରେ ଭାଗ ନେବେ।
ସୂଚନାଯୋଗ୍ୟ, ଚିଲିକାକୁ ଆସୁଥିବା ପକ୍ଷୀ ସଂଖ୍ୟାରେ ୨୦୨୩ ତୁଳନାରେ ୨୦୨୪ରେ ବୃଦ୍ଧି ଘଟିଥିଲା। ୨୦୨୩ରେ ମୋଟ ୧୮୪ଟି ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ଟି ପକ୍ଷୀ ଚିଲିକାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୦୫ଟି ବିଦେଶାଗତ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ଟି ଓ ୭୯ଟି ସ୍ଥାନୀୟ ପ୍ରଜାତିର ୩୮ ହଜାର ୮୮୦ଟି ପକ୍ଷୀ ଆସିଥିଲେ। ସେହିପରି ୨୦୨୪ରେ ମୋଟ ୧୮୭ଟି ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ଟି ପକ୍ଷୀ ଚିଲିକାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୦୮ଟି ବିଦେଶାଗତ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୧୩ଟି ଓ ୭୯ଟି ସ୍ଥାନୀୟ ପ୍ରଜାତିର ୩୮ ହଜାର ୯୪୬ଟି ପକ୍ଷୀ ଆସିଥିଲେ।
Comments are closed.