Patra electronics

ଛାଡ଼ୁରା ବିବାହ ଫେସନ

‘ଭାବ’ ଅନୁଭବ୍ୟ, ତାହା ଚକ୍ଷୁର ବିଷୟ ନୁହଁ। ‘ପବନ’ ଯେମିତି ଜାଣ। ଠାକୁରଙ୍କୁ କଦଳୀ, ଖିରା ଭୋଗ ଲଗେଇଲ। ମାତ୍ର ସେ ତାକୁ ଘେନିଲେ କି ନାହିଁ, କି ତମ ଭିତରେ ଭକ୍ତି କେତେ ଲହଡ଼ି ଭାଙ୍ଗୁଥିଲା କି ନାହିଁ ବା କୋଉ ଗୋଟେ ଦୁରୂହ କାମ ଆଦାୟ ପାଇଁ, ତହସିଲ ଅଫିସରେ ଲାଞ୍ଚ ଦେଲା ପରି ଇୟେ ଏ ପଥର ବା ପିତଳ ଠାକୁର ମୂର୍ତ୍ତିକୁ ସମର୍ପଣ ନାଁରେ ଲାଞ୍ଚ କି ନାହିଁ କିଏ କହିବ? ତେଣୁ ମନ ନିର୍ମଳ ନ ହେଲେ ‘ଭାବ’ର ଅନୁଭବ ହୁଏନି। ଦୀର୍ଘ ଚିନ୍ତନ ଯେତେବେଳେ ହୃଦ ସହ ଫେଣ୍ଟି ହୋଇଯାଏ ତା’ ପ୍ରବଣତା ସୃଷ୍ଟି କରେ ଓ ଭକ୍ତି, ପ୍ରବଣତାର ଏକ ରୂପାନ୍ତର ମାତ୍ର। ପ୍ରଭୁଙ୍କୁ ଭାବ ବିନୋଦିଆ କୁହାଯାଏ ଓ କୁହା ବି ଯାଇଛି, ‘‘ଭାବରେ ନିକଟ ଅଭାବରେ ଦୂର’’। ‘‘ଭକ୍ତିରେ ମିଳଇ ହରି ତର୍କେ ବହୁ ଦୂର।’’ ଏ ଦିହଟା ଭାବର ଅଧୀନ। ଥରେ ଭାବ ଦେଇ ଦେଲ ତ ଦିହ ବି ଦେଇ ଦେଲ। ଆମ ସଂସ୍କୃତିରେ ‘ସତୀ’ ଭାବ ସେଇ ତତ୍ତ୍ବାଧୀନ। ‘‘କାଲି ସକାଳୁ ଯେ ଆଖି ଆଗରେ ପଡ଼ିବ ସେ ମୋ ବର ହେବ।’’ ଏଇ ଭାବ ସକାଳର କୁଷ୍ଠ ରୋଗୀଠେଇ ପଡ଼ିଲା। ଯେ ଯେତେ ବୁଝାଇଲେ ବି ସେ ମାନିଲାନି। ହୃଦ ଥରେ ଜଣକୁ ଦେଲି। ଦୋଚାରୁଣୀ ହେବି କେମିତି? ଇୟେ ଥିଲା ସତୀ ଅନସୂୟାଙ୍କର ଶପଥ। ସତୀ ନାରୀର ଶକ୍ତି ପ୍ରଭାବ ଅପରିସୀମ ହୋଇଥାଏ, ଅନ୍ୟଥା ଦୂଷିତ, ଅ-ସତୀତ୍ବ। ଯେ କୌଣସି ବଧୂକୁ ଜବରଦସ୍ତ ସ୍ବାମୀ ଜୁଇକୁ ଫିଙ୍ଗାଯାଉ ନାହିଁ। ସ୍ବାମୀ ବିନା ସେ ଜୀବନ ଅସାର, ଅସୁଖ ଓ ନିରର୍ଥକ ମନେ କରୁଥିଲା। ପରଜନ୍ମ ପର୍ଯ୍ୟନ୍ତ ଏ ଅମୃତ ସମ୍ପର୍କକୁ ଲମ୍ବାଇ ଦେବାକୁ ତା’ ପ୍ରଥମ ଓ ଏକମାତ୍ର ପସନ୍ଦ ବା ରୁଚି ତା’ ସ୍ବାମୀ ଅନୁଗାମିନୀ ହେଉଥିଲା। ନବବଧୂର ଅଳତା, ସିନ୍ଦୂର ଓ ନବବସ୍ତ୍ର ପରିହିତା ପ୍ରିୟଜନଙ୍କ ଅଶ୍ରାନ୍ତ ଲୁହ ଓ କୋହରେ ଫେଣ୍ଟା ହୋଇ ବିପୁଳ ହରିବୋଲ, ହୁଳହୁଳୀ ମଧ୍ୟରେ ସେ ଇହଲୋକ ଓ ପରଲୋକର ପତି ତା’ ସ୍ବାମୀର ଜୁଇରେ ସ୍ବାମୀ ସହ ଏକାକାର ହୋଇଯାଉଥିଲା। ଏ ପ୍ରଥା କିନ୍ତୁ ଅନର୍ଗଳ ରହିବା ଫିରିଙ୍ଗିମାନେ ଜମା ହଜମ କରିପାରୁ ନ ଥିଲେ। ସରକାରଙ୍କ ନିର୍ଦେଶ ଥିଲା, ଏ କ୍ଷେତ୍ରରେ ଯଦି କୌଣସି ସ୍ତ୍ରୀର ସତୀ ହେବାକୁ ମନ ନ ଥିବ ବା ସେ ଅମଙ୍ଗ ଥିବ ତାକୁ ଜବରଦସ୍ତ ତା’ ସ୍ବାମୀ ଜୁଇରେ ଫିଙ୍ଗା ଯାଇ ପାରିବନି। ସେଥିପାଇଁ ଜିଲାପାଳ ନିଜେ ଏ କ୍ଷେତ୍ରରେ ଉପସ୍ଥିତ ରହି ସମ୍ପୃକ୍ତା ମହିଳାର ଜମାନବନ୍ଦି ନେବେ। ସେମିତି ଏକ ଘଟଣାରେ ହୁଗୁଳି ଜିଲାପାଳ ଏକ ଶ୍ମଶାନରେ ହାଜର ହୋଇ ସତୀ ପାଇଁ ପ୍ରସ୍ତୁତ ୧୮/୧୯ ବର୍ଷୀୟା ଏକ ସୁନ୍ଦରୀ ବଧୂ ପାଖେ ପହଞ୍ଚି ତାକୁ ଏଥିରୁ ଓହରି ଯିବାକୁ ପ୍ରବର୍ତ୍ତାଇଲେ ଓ ସମସ୍ତ ସରକାରୀ ନିରାପତ୍ତା ଦିଆଯିବାକୁ ପ୍ରତିଶ୍ରୁତି ଦେଲେ। ମାତ୍ର ‘ସତୀ’ ପାଇଁ ତା’ର ନିଷ୍ପତ୍ତିର ଦୃଢ଼ତାରେ ଜିଲାପାଳ ବିବ୍ରତ ଓ କ୍ରୁଦ୍ଧ ହୋଇଗଲେ। କହିଲେ, ‘‘ନିଆଁରେ ଥରେ ପଡ଼ିଲେ ସେଥିରୁ ମୁକ୍ତି ନାହିଁ ଓ ତା’ ଦାରୁଣ ଏକ ପରିଣତି। ଜିଅନ୍ତା ମଣିଷଟେ ନିଆଁରେ କେମିତି ପୋଡ଼ିହେବ? ତୋ ଗୋଟିଏ ଅାଙ୍ଗୁଠି ଏ ଦୀପ ଆଗରେ ଦେଖା। ତା’ ପରେ ଜାଣିଯିବୁ ଅଗ୍ନିଦଗ୍ଧ କ’ଣ?’’ ସ୍ତବ୍ଧ ଓ ଭୀତ ସତୀପ୍ରସ୍ତୁତି ଜନତା ଚାହିଁ ରହିଥା’ନ୍ତି, ପଥର ପାଲଟି ଯାଇଥିବା ଏ ଉଛୁଳା ଯୌବନା ଆଡ଼େ। ଓଢ଼ଣା ଆଡ଼େଇ ଦେଇ ତା’ର ଗୋଟିଏ ଆଙ୍ଗୁଠି ଦୀପ ଆଡ଼କୁ ବଢ଼ାଇ ଦେଲା ଓ ତା’ ପୋଡ଼ି ରବର ତରଳିବା ଭଳି ଆଙ୍ଗୁଠି ମାଂସ ମହମବତି ଉପରେ ପଡ଼ି ତାକୁ ଲିଭାଇ ଦେଲା। ପଥର ହୋଇ ଯାଇଥିଲେ ସେତେବେଳକୁ ଏ ସଂସ୍କାରବାଦୀ ଜିଲାପାଳ। ଏ ପଶ୍ଚିମା ପଣ୍ଡିତଙ୍କ ସଭ୍ୟତାକୁ ସେମିତି ଚହଲାଇ ଦେଇଥିଲେ ଫ୍ରାନ୍‌ସ ରାଜକନ୍ୟା ମାର୍ଗୁରାଇଟ୍‌। ଇତିହାସର କଥା। ଷୋଳ ବର୍ଷିଆ ଯୌବନା ମାର୍ଗୁରାଇଟ୍‌ ସମ୍ରାଟ କକାଙ୍କ ସହ ଜାହାଜରେ ଯାଉଥାନ୍ତି। ଜଣେ ସୁନ୍ଦର, ଗୁଣର ଯୁବ ରାଜକର୍ମଚାରୀ ସହ ତାଙ୍କର ପ୍ରେମ ହେଲା। ଦୁହିଁଙ୍କ ଏ ଗୋପନ ମିଳନ ଘଟଣା ଅକସ୍ମାତ୍‌ ଜଣେ ରାଜକର୍ମଚାରୀ ଦେଖିଦେଲା ସିନା, କିଏ ଏ କର୍ମଚାରୀ ତା’ ନାଁ କହି ପାରିଲାନି କି ଜାଣି ପାରିଲାନି। ସମ୍ରାଟଙ୍କୁ ଏ କଥା ଜଣାଇଦେଲା। ସମ୍ରାଟଙ୍କ କ୍ରୋଧ ତାଳୁକୁ ଉଠିଗଲା। କି ବହପ ଓ ଧୃଷ୍ଟତା ଏ କର୍ମଚାରୀର!! ଆସନ୍ନ ରାଜପଦର ସମ୍ରାଜ୍ଞୀ ମାର୍ଗୁରାଇଟ୍‌ଙ୍କୁ ତା’ ନାଁ କହିବାକୁ ବାଧ୍ୟ କଲେ। ମାତ୍ର ମାର୍ଗୁରାଇଟ ଜାଣିଥିଲେ, ସେ ନାମ ପ୍ରକାଶ କଲେ ତା’ର ତୁରନ୍ତ ମୁଣ୍ଡକାଟ ହେବ। ତେଣୁ ସେ ବହୁ ବାଧ୍ୟବାଧକତା ଓ ଧମକ ସତ୍ତ୍ବେ ତାଙ୍କ ପ୍ରିୟତମ ପ୍ରଥମ ଓ ଏକମାତ୍ର ପସନ୍ଦର ତାଙ୍କ ପ୍ରଣୟୀର ଜୀବନ ରକ୍ଷା ପାଇଁ ନାମ କହିଲେ ନାହିଁ। ଅଗ୍ନିକୁ ସାକ୍ଷୀ ରଖି ଦିନକର ଉଛୁଳା ପ୍ରେମରେ ବିଭା ହେଉଥିବା ଆଜିର ହଳହଳ ସ୍ବାମୀ ସ୍ତ୍ରୀ କେମିତି ଥରକୁ ଥର ଛାଡ଼ପତ୍ର ଦିଆନିଆ ହେଉଛନ୍ତି!! ଷଣ୍ଢ କି ପଶୁ ସମାଜ ପରି ବିବାହ ବନ୍ଧନ ସମ୍ପର୍କ ହୀନ ବେଛାପର ଅନର୍ଗଳେ ଯୌନାକାଙ୍‌କ୍ଷିତ ଛାଡ଼ୁରା ଛାଡ଼ୁରୀଗୁଡ଼ା ମାର୍ଗୁରାଇଟ୍‌ଙ୍କର ଏ ତ୍ୟାଗ ଭାବ ବୁଝିବେ କେମିତି? ତାଙ୍କୁ ମୃତ୍ୟୁ ଦଣ୍ଡ ନ ଦେଇ ପ୍ରଶାନ୍ତ ମହାସାଗରରେ, ଏକ ହୁଲି ଡଙ୍ଗାରେ ବସାଇ ଛାଡ଼ି ଦିଆଗଲା, ତାଙ୍କ ଧାଈଙ୍କ ଶତ ଅଶ୍ରୁଳ ନିବେଦନରେ। ମାର୍ଗୁରାଇଟ କାହା ଅନୁରୋଧ ନ ଶୁଣି ପ୍ରେମିକକୁ ଦେଇଥିବା ଏ ଦେହ ଓ ମନ ଅାଉ କାହାକୁ ଦେବେ ନାହିଁ, ଜିଦ୍‌ ଓ ସରଳ ପ୍ରେମରେ ସ୍ବୀୟା କରାଳ ମୃତ୍ୟୁକୁ ଆଲିଙ୍ଗନ କଲେ। ଭାସି ଚାଲିଲା ଏ ହୁଲି ଡଙ୍ଗା ପ୍ରଶାନ୍ତ ମହାସାଗରରେ, ତିମି ବା ତିମିଙ୍ଗଳଙ୍କ ଜଳଖିଆ ବନିବାକୁ। ପଛରେ ପକାଇ ଏ ଅସହାୟା ଅଭାଗୀର ହୁଲି ଡଙ୍ଗାକୁ, ସମ୍ରାଟଙ୍କ ବିରାଟ ପୋତ ନିର୍ବିକାରରେ ମାଡ଼ି ଚାଲିଲା ଆଗକୁ, ସତେ ଯେମିତି ସେ ବି ସମ୍ରାଟଙ୍କ ଅନୁଗତ। ହଠାତ୍‌ ଜାହାଜରୁ ଏକ ଯୁବକ ପ୍ରଶାନ୍ତ ମହାସାଗରକୁ ଲମ୍ଫ ପ୍ରଦାନ କଲେ ଓ ପହଁରି ପହଁରି ସେ ହୁଲି ଡଙ୍ଗାରେ ଚଢ଼ିଗଲେ। କିଏ ଏ ନିର୍ବୋଧ ନିଜ ଜୀବନକୁ ପାଣି ଛଡ଼େଇ ଦେଲା? ସେ ଆଉ କିଏ ନୁହଁ ତାଙ୍କ ପ୍ରାଣର ପ୍ରେମିକ। ହଲଚଲ ହେଉଥିବା ସେ ହୁଲିଡଙ୍ଗାଟା ଦୁହିଁଙ୍କ ମିଳନ ମୁଦ୍ରାରେ ମୁହୂର୍ତ୍ତକ ପାଇଁ ସେମିତି ସ୍ଥିର ହୋଇଗଲା। ଦିହେଁ ଭାସି ଚାଲିଲେ ଏକ ଅଦୃଶ୍ୟ ଭାଗ୍ୟ ଓ ସାହା ଆଡ଼କୁ। ପ୍ରାୟ ପନ୍ଦର କୋଡ଼ିଏ ବର୍ଷ ପରେ ଖିଆଲୀ ବିଧାତାର ଖେଳ ନିଶାରେ ୩୫/୪୦ ବର୍ଷର ସୁନ୍ଦରୀ ଯୌବନା ବିଧବା ମାର୍ଗୁରାଇଟ୍‌ ଷାଠିଏ ବର୍ଷର ବୁଢ଼ୀ ଅସୁରୁଣୀ ଚେହେରାରେ ତାଙ୍କ ରାଜ୍ୟକୁ ଫେରିଥିଲେ ଓ ସମ୍ରାଜ୍ଞୀ ହୋଇଥିଲେ। ତା’ର ଚମକପ୍ରଦ ରୋମାଞ୍ଚକର ଓ ଦାରୁଣ କଥା ଫ୍ରାନ୍‌ସ ଇତିହାସରେ ଏବେ ବି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ମାର୍ଗୁରାଇଟ୍‌ଙ୍କୁ ଦେଖିଲେ ମନେ ପଡ଼ନ୍ତି ଆମ ପରମ୍ପରାର ସୀତା, ସାବିତ୍ରୀ, ଅନସୂୟା ଆଦିଙ୍କୁ।

ଆଜି କିନ୍ତୁ ଏ କଥା ଅନ୍ଧାନୁସରଣ ଓ ମୂର୍ଖତା ରୂପେ ବିବେଚିତ। ‘ସତୀ’ ଶବ୍ଦ ଏକ ଅନବୌଦ୍ଧିକ ଉଦ୍ଭଟ ଓ ଅବାନ୍ତର କଳ୍ପନା ବୋଲି ବଡ଼ ବଡ଼ ଲୋକେ କହୁନାହାନ୍ତି କେବଳ, କାର୍ଯ୍ୟତଃ ଦେଖେଇ ଦଉଚନ୍ତି। ତା’ପରେ ରାମା, ଦାମା, ଶାମା ଏ ଉଲ୍ଲଙ୍ଘନର ଉଦାହରଣ ନୁହନ୍ତି। ସେମାନେ ‘ମହାଜନ!’ ‘‘ମହାଜନଃ ଯେନ ଗତଃ ସ ପନ୍ଥା।’’ ତାଙ୍କୁ କ’ଣ ଅନୁସରଣ କରିବାକୁ ପଡ଼ିବ? ନିଆଁ ଲାଗିଯିବ ଏ ପରମ ମାନବିକ ଭାବ ଓ ବ୍ୟବସ୍ଥାରେ। ଇଂରାଜୀରେ କୁହାଯାଏ ‘‘Marriage is made in Heaven.’’ କାଇଁ ସେ କଥା ଏ ଛାଡ଼ପତ୍ର ଦିଆନିଆରେ!

ଏବେ ଖବର ବାହାରିଲା ସମ୍ବଲପୁର ଆଇ.ଏ.ଏସ୍‌. ଜିଲାପାଳ, ବଲାଙ୍ଗିର ଆଇ.ଏ.ଏସ୍‌. ମହିଳା ଜିଲାପାଳଙ୍କୁ ବିବାହ କରୁଚନ୍ତି। ଆନନ୍ଦ ଲାଗିଲା, ଯା’ ହେଉ ରାଜଯୋଟକଟେ। ମାତ୍ର ଯେତେବେଳେ ଏ ବେପାରପତ୍ରିଆ ବାଲା ଲେଖିଲେ ସେ ବି ଛାଡ଼ୁରା ୟେ ବି ଛାଡ଼ୁରୀ, ସେତେବେଳେ ଗୁଳାମାର୍ଗିଆ ଏ ଚେତନା ଓ ଭାବ ଟିକିଏ ଶଙ୍କିଗଲା। ତେବେ ଆଇ.ଏ.ଏସ୍‌. ଗୁଡ଼ା ତ ଏ ଦେଶର ସବୁଠୁ ମେଧା ଶ୍ରେଣୀର, ସର୍ବାଗ୍ରେ ପୂଜିତ ଓ ସମ୍ମାନିତ। ତାଙ୍କ ମୂଲ (ରେଟ୍‌) ବଜାରରେ, ସମାଜରେ ଢେର୍‌। ସେମାନେ କ’ଣ ଭୁଲ କରି ପାରନ୍ତି!!! ତା’ ପରେ ସେମାନେ ଯାହାଙ୍କୁ ସବୁ ଛାଡ଼ପତ୍ର ଦେଇଛନ୍ତି ସେମାନେ ବି ଆଇ.ଏ.ଏସ୍‌. ଓ ଓଡ଼ିଶାର ଅନ୍ୟ ଜିଲାରେ ଜିଲାପାଳ ଭାବେ ଆଜି ବି ଅବସ୍ଥାପିତ। ସେତିକି ନୁହଁ; ଜଣେ ପୂର୍ବତନ ମନ୍ତ୍ରୀ କ୍ୟାପ୍‌ଟେନ ଶ୍ରୀ ଦିବ୍ୟଶଙ୍କର ମଧ୍ୟ ଦ୍ବିତୀୟ ବିବାହ କଲେ ପୁଣି ଢେର ୍‌ କମ୍‌ ବର୍ଷର ଝିଅକୁ। ଆଇ.ଏ.ଏସ୍‌. ରାଣା ଛାଡ଼ପତ୍ର ଦେଇ ଆଇ.ଏ.ଏସ୍‌. ଅନନ୍ୟାଙ୍କୁ ବିବାହ କଲେ, ସେ ବି ତାଙ୍କ ପ୍ରଥମ ସ୍ବାମୀ ଅବ୍‌ଦୁଲ ଇଫ୍‌ତାରଙ୍କୁ ଛାଡ଼ପତ୍ର ଦେଇ। ଅଶୀବର୍ଷର ଟୋକା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରର ପୂର୍ବତନ ରାଜ୍ୟପାଳ ଏନ.ଡି. ତିୱାରୀ ତୃତୀୟ ବିବାହ କରିଥିଲେ। ଏପରି କି ପ୍ରଥମ ସ୍ତ୍ରୀର ପୁଅକୁ ନିଜ ପୁଅ ବୋଲି ଅସ୍ବୀକାର କରିବାରୁ ଚାଳିଶ ବର୍ଷର ଏ ଯୁବକ ନିଜ ପିତୃତ୍ବ ସାବ୍ୟସ୍ତ କରିବାକୁ ଅଦାଲତ ଗଲା। ଅଦାଲତ ନିର୍ଦେଶରେ ତାଙ୍କର ଡି.ଏନ୍‌.ଏ. ପରୀକ୍ଷାରୁ ଏ ଯୁବକ ତାଙ୍କ ଔରସର ବୋଲି ଜଣାପଡ଼ିଲା। ସେମିତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଷତଶଠି ବର୍ଷ ବୟସରେ ଦ୍ବିତୀୟ ବିବାହ କଲେ। ଯୁବକତ୍ବ କି ଲହଡ଼ି ଭାଙ୍ଗୁଥିଲା ଏମାନଙ୍କ ଠେଇ ଲୋ ବୋପା! ଏମାନେ ତୁଙ୍ଗ ପ୍ରଶାସକ ଓ ଗଣତାନ୍ତ୍ରିକ ପଦ୍ଧତିର ମଙ୍ଗୁଆଳ, ମୁଣ୍ଡିଆଳ ଜାଣ। ଏମାନେ ସବୁ ମହାଜନ ନୁହନ୍ତି ତ ଆଉ କିଏ? ପୁରାତନତାଖୋର୍‌ ଗୁଡ଼ା କୂପମଣ୍ଡୁକ, ଏକୁ ଅଶାସ୍ତ୍ରୀୟ ଓ ଅନୈତିକ ଓ ପବିତ୍ର ବନ୍ଧନ ସମ୍ପର୍କ ବୋଲି ସ୍ବୀକାର କରୁ ନାହାନ୍ତି। ତେବେ ସମୟର ସୁଅ ଇୟେ। ବେଙ୍ଗ ବେଙ୍ଗୁଲୀ ତ କୁହାକୁହି ହୁଅନ୍ତି ‘‘ପୃଥ୍ବୀ ଘଡ଼ି ଘଡ଼ିକେ ଆନ’’। ତେବେ ଏଥିରେ ବ୍ୟସ୍ତ ବିବ୍ରତ ହେବାର ନାହିଁ। ‘ସପ୍ତପଦୀ’ର ଶପଥ ଓ ପରିବର୍ତ୍ତିତ ରୁଚି ଏବେ ଏ ଶପଥକୁ ଗୌଣ କରୁଚି ତ କ’ଣ ହୋଇଗଲା ସେଠୁ। ସେ ଯା ହେଲେ, ଏ ଛାଡ଼ପତ୍ର ଶେଷ ପତ୍ର ଓ ଏ ବିବାହ ଆଉ ଛାଡ଼ପତ୍ର ନ ଛୁଇଁ ଯୋଡ଼ିକୁ ଯୋଡ଼ିରଖୁ ଏଇ ପ୍ରାର୍ଥନା ମଣିଷପଣିଆକୁ ଅାହ୍ବାନ କରିବ ଓ ଅଧିକ କ୍ଷତରୁ ରକ୍ଷା କରିବ। ଗୀତା ତ କହିଲେ ‘‘ଯାହା ହେଉଛି ଭଲ ହେଉଛି।’’

Comments are closed.