Patra electronics

ସୁସ୍ଥ ରାଜନୈତିକ ପରିବେଶ ସମୟର ଆବଶ୍ୟକତା

ସୁଧାଂଶୁ ରଞ୍ଜନ ଦାସ

ଦୈନିକ ସମ୍ବାଦପତ୍ର ‘ସମାଜ’ରେ ପ୍ରକାଶିତ ‘ଶିକ୍ଷିତ ଯୁବପିଢ଼ି ରାଜନୀତି କ୍ଷେତ୍ରକୁ ଓହ୍ଲାନ୍ତୁ’ ସ୍ତମ୍ଭଟି ପ୍ରକାଶ ପାଇଲା ପରେ ଅନେକ ଯୁବନେତା, ଶିକ୍ଷାବିତ୍‌, ସମାଜସେବୀ, ଶିକ୍ଷକ, ଛାତ୍ର ଓ ବରିଷ୍ଠ ନାଗରିକ ଲେଖକଙ୍କୁ ଫୋନରେ ନିଜର ଆଶା ଓ ନିରାଶା ବ୍ୟକ୍ତ କରିଥିଲେ। ସମସ୍ତଙ୍କର ମନର ଜିଜ୍ଞାସା ଓ ଉଦ୍ଦୀପନା ଗୋଟିଏ ମାତ୍ର ପ୍ରଶ୍ନରେ କେନ୍ଦ୍ରିତ ଥିଲା। ସତରେ କ’ଣ ଶିକ୍ଷିତ ଯୁବପିଢି ଓ ସମାଜର ଶିକ୍ଷିତ ଲୋକେ ରାଜନୀତି କରିପାରିବେ? ଯଦିଓ ରାଜନୀତିରେ ଅର୍ଥବଳର କବଚକୁ ଭେଦ କରିବା କଷ୍ଟକର କିନ୍ତୁ ଶିକ୍ଷିତ ଓ ଜାଗରୁକ ସମାଜ ଯଦି ନିଜ ଚେଷ୍ଟାରୁ ଓହରି ଯିବେ ତେବେ ପରିସ୍ଥିତି ଆହୁରି ଜଟିଳ ହେବ ଫଳରେ ଲୋକେ ଅନେକ ପିଢି ଧରି କଷ୍ଟ ପାଇବେ।

ରାଜନୀତି କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସମସ୍ତ ଶିକ୍ଷିତ ବ୍ୟକ୍ତି ରାଜନୀତି କ୍ଷେତ୍ରକୁ ପ୍ରତ୍ୟକ୍ଷ ଭାବରେ ଆସିବାର ଆବଶ୍ୟକତା ନାହିଁ। ସେମାନେ ରାଜନୀତି କ୍ଷେତ୍ରକୁ ନଆସି ମଧ୍ୟ ରାଜନୀତି କ୍ଷେତ୍ରରେ ସଂସ୍କାର ଆଣିପାରିବେ। ସମାଜର ସମସ୍ତ ଅନୁଷ୍ଠାନ ଯଥା ପରିବାର, ସ୍କୁଲ, କଲେଜ, ସରକାରୀ ଦପ୍ତର, ବ୍ୟାଙ୍କ, ସାଂସ୍କୃତିକ ଅନୁଷ୍ଠାନ, ମଠ, ମନ୍ଦିର, ଗୁରୁଦ୍ବାର, ସ୍ବୟଂସେବୀ ସଂସ୍ଥା, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ସମାଜର ପ୍ରତିଷ୍ଠିତ ଲୋକ, ନ୍ୟାୟାଳୟ, ପୁଲିସ ଓ ସମାଜସେବୀମାନଙ୍କର ପ୍ରଭାବ ଯୁବପିଢିଙ୍କ ଉପରେ ପଡିଥାଏ । ରାଜନୈତିକ ନେତାମାନକର ବ୍ୟବହାର, ଆଚରଣ, ମାନସିକତା, କାର୍ଯ୍ୟଦକ୍ଷତା, ଶାସନ କରିବାର କ୍ଷମତା, ନିଷ୍ଠା, ନୈତିକତା ଓ ଦେଶପ୍ରେମ ଇତ୍ୟାଦି ଗୁଣଗୁଡିକର ବିକାଶ ସମାଜର ସମସ୍ତ ଅନୁଷ୍ଠାନଗୁଡିକରେ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରିଥାଏ। ରାଜନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପୂର୍ବରୁ ଅନୁଷ୍ଠାନ ଗୁଡିକରେ ଗୁଣାତ୍ମକ ପରିବର୍ତ୍ତନ ନିହାତି ଆବଶ୍ୟକ।

ଆଜି ଶିକ୍ଷିତ ସମାଜର ସବୁଠାରୁ ବଡ ବ୍ୟାଧି ହେଲା ଅଧିକାଂଶ ଶିକ୍ଷିତ ଭଦ୍ରଲୋକ ସୁନାପୁଅ ଭଳି ରହି ସମସ୍ତଙ୍କ ପ୍ରଶଂସାର ପାତ୍ର ହେବାକୁ ଚାହାନ୍ତି। କାଦୁଅରେ ଗୋଡ ପୁରାଇବାକୁ କେହି ଚାହୁଁ ନାହାନ୍ତି। ‘ନିଜେ ବଞ୍ଚିଲେ ବାପାର ନାଁ’ ମାନସିକତା ଆଜି ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବେଶକୁ ନଷ୍ଟ କରିଦେଇଛି। ଡ୍ରଇଂ ରୁମରେ, ଛକ ଜାଗାରେ, ଚା ଦୋକାନରେ ଓ ମଞ୍ଚ ଉପରେ ବସି ଆଜିର ଶିକ୍ଷିତ ଭଦ୍ରଲୋକମାନେ ଘଣ୍ଟାଘଣ୍ଟା ଧରି ଆଲୋଚନା ଓ ସମାଲୋଚନାରେ ସମୟ ବିତାଉଛନ୍ତି ; କିନ୍ତୁ ନିଜ ପରିବେଶ, ନିଜ ଗାଁ ସ୍କୁଲ, ପୋଖରୀ, ଖେଳ ପଡିଆ, ଚାଷ ଜମି, ସୂକ୍ଷ୍ମ ଆର୍ଥିକ ଗତିବିଧି ଓ କଳା ସଂସ୍କୃତି କିଭଳି ସୁରକ୍ଷିତ ରହିବ ସେଥିପାଇଁ ତୃଣମୂଳ ସ୍ତରରେ ନିଜକୁ ଜଡିତ କରୁନାହାନ୍ତି। ସମସ୍ୟାକୁ ଦୂରରୁ ଦେଖି ନିଜ ଘରେ କବାଟ କିଳି ରହୁଛନ୍ତି। “ସରକାର ସମସ୍ୟାର ସମାଧାନ କରିବା ଉଚିତ” ଏହି ବାକ୍ୟଟି ପ୍ରାୟ ଅଧିକାଂଶ ଲୋକ ଦୋହରାଉଛନ୍ତି। ସରକାରଙ୍କୁ ସ୍ଥାନୀୟ ନେତା, ଗଣମାଧ୍ୟମ ଓ ନାଗରିକ ସୁରକ୍ଷା ସମିତି ସମସ୍ୟା ବିଷୟରେ ଠିକ ଭାବରେ ଅବଗତ କଲେ ସରକାରୀ କଳ କାମ କରିବାର ସମ୍ଭାବନା ଥାଏ। ଆଜି କଟକ ସହରର ସାହି ବାସିନ୍ଦାମାନେ ନିଜ ଆଖପାଖର ସମସ୍ୟାକୁ ଅଣଦେଖା କରିବାରୁ କଟକର ସାହିଗୁଡିକ ମନୁଷ୍ୟ ରହିବା ଉପଯୋଗୀ ନାହିଁ। ଶିକ୍ଷିତ ପରିବାରରେ ପିଲା ଗୋଟିଏ କିମ୍ବା ଦୁଇଟି ଓ ସେମାନେ ରୋଜଗାର ପାଇଁ ବାହାର ରାଜ୍ୟକୁ ଚାଲିଗଲା ପରେ ବୃଦ୍ଧ ପିତାମାତା କଟକର ଖାଲ ଢିପ ରାସ୍ତା, ମଶା, ଖୋଲା ନାଳ ଓ ଅଳିଆ ଆବର୍ଜନା ଘେର ଭିତରେ ପଡିରହିଛନ୍ତି। କଟକର ସାହି ବାସିନ୍ଦାମାନେ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିଲେ ଲୋକେ ଆଉ ନିଜର ଭିଟାମାଟି ବିକି ବାହାରକୁ ନଯାଇ ଏହି ସାଂସ୍କୃତିକ କଟକ ନଗରର ଆନନ୍ଦ ନେଇପାରିବେ। ପିଲାମାନେ ମଧ୍ୟ ନିଜ ସହରର ଆକର୍ଷଣ ଦେଖି କଟକରେ ରହିବାକୁ ପସନ୍ଦ କରିବେ। ପରିବେଶରେ ଉନ୍ନତି ହେଲେ ଏହା କଟକର ସାହି ବାସିନ୍ଦାଙ୍କ ପାଇଁ ରୋଜଗାରର ବାଟ ଖୋଲିଦେବ। ନେତା ହେବା ପାଇଁ ଆଶାୟୀ ଯୁବପିଢି ଓଡିଶାର ସମସ୍ତ ସହରର ମୂଳ ସମସ୍ୟା ସହିତ ଅବଗତ ହେବା ଦରକାର। ନିଜ ସାହିବସ୍ତି, ଗାଁ ଗଣ୍ଡାର ସମସ୍ୟାକୁ ଯଦି ଶିକ୍ଷିତ ଭଦ୍ରଲୋକମାନେ ଲାଘବ କରିବା ପାଇଁ ଉଚିତ ମାର୍ଗରେ ପଦକ୍ଷେପ ନେବେ ତେବେ ଏହା ଯୁବପିଢିଙ୍କୁ ନେତୃତ୍ବ ନେବା ପାଇଁ ଉତ୍ସାହିତ କରିବ। ଆଜି ହଜାର ହଜାର ଶିକ୍ଷିତ ଭଦ୍ରଲୋକ ବିଭିନ୍ନ କ୍ଷେତ୍ରରୁ ଅବସର ନେଲା ପରେ ସାମାଜିକ ଦାୟିତ୍ବରୁ ନିଜକୁ ମୁକୁଳାଇ ଶାନ୍ତିରେ ଜୀବନ ବିତାଇବାକୁ ଚହୁଁଛନ୍ତି। ସେମାନଙ୍କର ଶାନ୍ତି ପାଇଁ ଲାଳାୟିତ ହେବା ପ୍ରକୃତରେ ସେମାନଙ୍କ ପାଇଁ ଅଶାନ୍ତିର ବାଟ ପ୍ରଶସ୍ତ କରିଦେଉଛି। ଯୁବପିଢିଙ୍କୁ ଆଜି ଦରକାର ପ୍ରକୃତ ଜ୍ଞାନ ଓ ଅନୁଭୂତି ଥିବା ବରିଷ୍ଠ ନାଗରିକଙ୍କର ମାର୍ଗଦର୍ଶନ। ଏହା ଯୁବପିଢିଙ୍କୁ ରାଜନୀତିରେ ସକ୍ରିୟ ହେବାପାଇଁ ପ୍ରେରଣା ଦେବ।

ରାଜନେତାମାନଙ୍କର ବ୍ୟବହାର, ଆଚରଣ, ସଂସ୍କାର, ଦେଶପ୍ରେମ, ସମ୍ବେଦନଶୀଳତା ଓ ମାନସିକତା ଯୁବକ ଅବସ୍ଥାରେ ସେମାନେ ଜଡିତ ଥିବା ଅନୁଷ୍ଠାନଗୁଡିକ ଉପରେ ନିର୍ଭର କରେ । ସେମାନଙ୍କ କର୍ମ, ଆଚରଣ କିମ୍ବା ବ୍ୟବହାରରେ ତ୍ରୁଟି ପାଇଁ ଏହି ଅନୁଷ୍ଠାନଗୁଡିକ ମଧ୍ୟ ଦାୟୀ। ତେଣୁ ସମାଜର ସମସ୍ତ ଅନୁଷ୍ଠାନରେ କାର୍ଯ୍ୟରତ ଲୋକମାନଙ୍କର ମାନସିକତାରେ ପରିବର୍ତ୍ତନ ହେଲେ ରାଜନୈତିକ ପରିବର୍ତ୍ତନ ସମ୍ଭବ ହେବ।

ପିଲାଟି ପରିବାରରୁ ପ୍ରଥମେ ସଂସ୍କାର ପାଇଥାଏ। ପରିବାରର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଶ ପିଲାକୁ ଉତ୍ତମ ନାଗରିକରେ ପରିଣତ କରିଥାଏ। ଯଦି ପରିବାରରେ ଅନୁକୂଳ ବାତାବରଣ ନଥାଏ ତେବେ ପିଲାଟିର ଶାରୀରିକ ଓ ମାନସିକ ବିକାଶ ହୋଇନଥାଏ। କୁସଂସ୍କାର ପାଇ ଯଦି ପିଲାଟି ବଡହୋଇ ରାଜନୀତିରେ ପ୍ରବେଶ କରେ ତେବେ ନେତାକୁ ଦୋଷ ଦେବା ପରିବର୍ତ୍ତେ ପରିବାରକୁ ଦୋଷ ଦେବା ଉଚିତ। ନେତୃତ୍ବ ବିକାଶର ଆରମ୍ଭ ପରିବାରରୁ ହୋଇଥାଏ ଯାହା ଉତ୍ତମ ସ୍କୁଲ ଶିକ୍ଷା ଦ୍ବାରା ବିକଶିତ ହୁଏ। ଆଜି ବିକଶିତ ଦେଶର ସ୍କୁଲପିଲାମାନେ ନିଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରିବା ସଙ୍ଗେ ସଙ୍ଗେ ସାମାଜିକ ଦାୟିତ୍ବ, ଅନୁଶାସନ ଓ ପରିବେଶର ସୁରକ୍ଷା କରିବା ଶିଖିଥାନ୍ତି। ଏଥିପାଇଁ ସ୍କୁଲଗୁଡିକରେ ଖେଳ ପଡିଆ, ପାଠାଗାର, ଉତ୍ତମ ଶିକ୍ଷା ଓ ସଂସ୍କାର ଦେବାର ବ୍ୟବସ୍ଥା ହେବା ଦରକାର। ନେତା ହେବା ପାଇଁ ଅଭିଳାଷ ରଖିଥିବା ଯୁବପିଢି ନିଜ ଇଲାକାରେ ଥିବା ଶିକ୍ଷା ଅନୁଷ୍ଠାନଗୁଡିକର ବିକାଶ ପାଇଁ କାମକଲେ ଶୀଘ୍ର ଲୋକପ୍ରିୟ ହୋଇ ପାରିବେ।

ଲଘୁଶିଳ୍ପଗୁଡିକ ପର୍ଯ୍ୟାବରଣର ସନ୍ତୁଳନ ରକ୍ଷା କରି ଆରମ୍ଭ କରିବା ଉଚିତ କାରଣ ପ୍ରାକୃତିକ ପରିବେଶ ଅନେକ ସୂକ୍ଷ୍ମ ଆର୍ଥିକ ଗତିବିଧି ସୃଷ୍ଟି କରିଥାଏ। ଜଳଧନ, ହସ୍ତଶିଳ୍ପ, ଗୋଧନ, ତୀର୍ଥ ପର୍ଯ୍ୟଟନ, କୃଷି ଓ କୁଟୀର ଶିଳ୍ପ ଅନେକ ରୋଜଗାର ସୃଷ୍ଟି କରିଥାଏ। ଏହି କ୍ଷେତ୍ରଗୁଡିକର ରୋଜଗାର ସୃଷ୍ଟି କରିବାର କ୍ଷମତା ପରିବେଶର ସୁରକ୍ଷା ଉପରେ ନିର୍ଭର କରିଥାଏ। ଜଙ୍ଗଲ ଶହେରୁ ଅଧିକ ଜଙ୍ଗଲ ଜାତ ପଦାର୍ଥ ଦେଇଥାଏ। ଏକ ସୁସ୍ଥ ନଦୀ କୃଷି କରିବାରେ ସହାୟକ ହୋଇଥାଏ। ହ୍ରଦ, ପୋଖରୀ, କୂଅ, ପାହାଡ ପର୍ବତ, ସମୁଦ୍ର ଇତ୍ୟାଦି ହଜାର ହଜାର ସୂକ୍ଷ୍ମ ଆର୍ଥିକ ଗତିବିଧି ସୃଷ୍ଟି କରିଥାଏ। ଏହି ପ୍ରାକୃତିକ ସମ୍ପଦର ବିକାଶ କରିବା ପରିବର୍ତ୍ତେ ଏହାର ସଂରକ୍ଷଣ ଅନେକ ରୋଜଗାର ସୃଷ୍ଟି କରିବ ଓ ଯୁବନେତାମାନେ ଏହି କ୍ଷେତ୍ରଗୁଡିକ ଉପରେ ତୃଣମୂଳ ଜ୍ଞାନ ସଂଗ୍ରହ କରି ଏହାର ସଂରକ୍ଷଣ କଲେ ଶୀଘ୍ର ଲୋକପ୍ରିୟ ହୋଇପାରିବେ।

ମେଗାସେସେ ପୁରସ୍କାରପ୍ରାପ୍ତ, ପ୍ରଖ୍ୟାତ ସମାଜସେବୀ, ଅନ୍ନା ହଜାରେ ମହାରାଷ୍ଟ୍ରର ରାଲେଗାଓଁସିଦ୍ଧି ଗାଁରେ ରହନ୍ତି। ଯେତେବେଳେ ସେ ଭାରତୀୟ ସେନାରୁ ଅବସର ନେଇ ନିଜ ଗାଁକୁ ଫେରିଲେ ସେତେବେଳେ ରାଲେଗାଓଁସିଦ୍ଧି ଗାଁ ଓ ଏହି ଗାଁର ଆଖପାଖରେ ଚାଳିଶରୁ ଅଧିକ ମଦ ଦୋକାନ ଥିଲା। ଗ୍ରାମବାସୀମାନେ ମଦ, ମାଂସ ଓ ଭୋଜିଭାତ ଖାଇ ସମୟ କଟାଉଥିଲେ। ବେରୋଜଗାରି, ପାରିବାରିକ ଅଶାନ୍ତି, ଆଳସ୍ୟ, ଗୋଷ୍ଠୀ ବିବାଦ, ନିରାଶବାଦ, ଅସହିଷ୍ଣୁତା, ହିଂସା ଓ ପରଶ୍ରୀକାତରତା ରାଲେଗାଓଁସିଦ୍ଧି ଗାଁର ସାମାଜିକ, ଆର୍ଥିକ, ସାଂସ୍କୃତିକ ପରିବେଶକୁ ନଷ୍ଟ କରିଦେଇଥିଲା। ଗାଁର ପରିସ୍ଥିତି ସୁଧାରିବା ଅସମ୍ଭବ ଲାଗୁଥିଲା। ଅନ୍ନା ହଜାରେ ପ୍ରଥମେ ଅଳ୍ପ କେତେଜଣ ଯୁବକଙ୍କୁ ଏକାଠିକରି ଛୋଟ ଛୋଟ ବିକାଶ ମୂଳକ କାମ ଆରମ୍ଭ କରିଥିଲେ। ଗାଁରେ ପାଣିର ଘୋର ଅଭାବ ଥିଲା ଫଳରେ ଚାଷୀମାନେ ଗୋଟିଏ ଫସଲ ଉତ୍ପାଦନ କରୁଥିଲେ। ଅନ୍ନା ହଜାରେ ଗାଁରେ ୱାଟରସେଡ଼ ପ୍ରଣାଳୀ ଦ୍ବାରା ଛୋଟ ଛୋଟ ବନ୍ଧ, ପୋଖରୀ, ଚେକ୍‌ଡ୍ୟାମ ଓ ବାରିକେଡ ତିଆରିକରି ବହି ଯାଉଥିବା ବର୍ଷା ଜଳକୁ ସଂରକ୍ଷଣ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଭୂମିତଳର ଜଳସ୍ତର ବଢିବାକୁ ଲାଗିଲା। ଗ୍ରାମବାସୀମାନେ ପର୍ଯ୍ୟାପ୍ତ ଜଳ ପାଇପାରିଲେ ଓ ସେମାନେ ବର୍ଷରେ ଦୁଇଟି ଫସଲ ଉତ୍ପାଦନ କଲେ। ୱାଟରସେଡର ସଫଳତା ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲା। ଅନ୍ନାଙ୍କ ବଳିଷ୍ଟ ନେତୃତ୍ବ, ସେବାଭାବ, ନିଷ୍ଠା, ସାଧୁତା ଓ ସାହସ ରାଲେଗାଓଁସିଦ୍ଧି ଗାଁର ଭାଗ୍ୟ ପରିବର୍ତ୍ତନ କରିଦେଇଥିଲା। ଗ୍ରାମବାସୀମାନେ ଧାନ, ମକା, ବାଜରା, ଆଖୁ, ସୋୟାବିନ, ସପେଟା, ପିଜୁଳି ଓ ଆତ ଆଦି ଫସଲ କରିବା ସଙ୍ଗେ ସଙ୍ଗେ ଅନେକ ପ୍ରକାରର ପରିବା ଚାଷ କରିବାକୁ ଲାଗିଲେ। ସାମାଜିକ, ଆଧ୍ୟାତ୍ମିକ ଓ ସଂସ୍କୃତିକ ପରିବେଶରେ ଗୁଣାତ୍ମକ ପରିବର୍ତ୍ତନ ରାଲେଗାଓଁସିଦ୍ଧି ଗାଁରେ ଅନେକ ଆର୍ଥିକ ଗତିବିଧି ପାଇଁ ବାଟ ଖୋଲିଦେଇଥିଲା। ଏଥିପାଇଁ ଅନ୍ନା ସକାରାତ୍ମକ ବିଚାରଥିବା ଗ୍ରାମବସୀଙ୍କୁ ଏକାଠି କରି ଗାଁ ଭିତରେ ଓ ଆଖପାଖରେ ଥିବା ମଦ ଦୋକାନଗୁଡିକୁ ବନ୍ଦ କରିଦେଇଥିଲେ। ଏଥିପାଇଁ ଅନ୍ନାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଗାଁରେ ଯେଉଁ ଉଦ୍ଦଣ୍ଡ ଯୁବକମାନେ ରାସ୍ତାରେ ମଦ ପିଇ ଅସଭ୍ୟ ଆଚରଣ କରୁଥିଲେ ଅନ୍ନା ସେମାନଙ୍କୁ ଦଣ୍ଡ ଦେଉଥିଲେ। ଫଳରେ ରାଲେଗାଓଁସିଦ୍ଧି ଗାଁରେ ଆର୍ଥିକ ଗତିବିଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଏକଦା ମରୁଡି ଗ୍ରସ୍ତ, ବେରୋଜଗାର ଓ ମାନସିକ ବ୍ୟାଧି ଗ୍ରସ୍ତ ରାଲେଗାଓଁସିଦ୍ଧି ଆଜି ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ରାଲେଗାଓଁସିଦ୍ଧି ଗାଁକୁ ବୁଲିବାକୁ ଆସୁଛନ୍ତି। ପଚାଶରୁ ପଞ୍ଚାଅଶୀ ବର୍ଷ ପର୍ଯ୍ୟନ୍ତ ଅନ୍ନା ହଜାରେ ଅବିରତ ଗାଁର ବିକାଶରେ ନିଜର ସବୁକିଛି ଅର୍ପଣ କରିଦେଇଛନ୍ତି। ଭାରତୀୟ ସେନାରୁ ପାଉଥିବା ପେନ୍‌ସନ ଓ ନିଜର ଜମି ସେ ନିଜ ଗାଁକୁ ଉତ୍ସର୍ଗ କରିଦେଇଛନ୍ତି। ଅନ୍ନା ଚାହିଁଥିଲେ ଭାରତୀୟ ରାଜନୀତିରେ ବହୁତ ବଡ ନେତା ହୋଇପାରିଥାନ୍ତେ । ୨୦୧୧ରେ ଜନ ଲୋକପାଳ ବିଲ୍‌ ପାଇଁ ଅନ୍ନାଙ୍କ ଆନ୍ଦୋଳନ ଏକ ଗଣ ଆନ୍ଦୋଳନର ରୂପ ନେଇଥିଲା। ଏହା ଅନ୍ନା ହଜାରେଙ୍କୁ ଏକ ଲୋକପ୍ରିୟ ଜନନେତା ଭାବରେ ପ୍ରତିଷ୍ଠିତ କରିଥିଲା। ଅନ୍ନା ହଜାରେ କହନ୍ତି, “ସତ୍ୟ, ଶୁଦ୍ଧତା ଓ ଅଖଣ୍ଡତା ନେତାକୁ ମହାଦେବଙ୍କର ତ୍ରିଶୂଳର ଶକ୍ତି ପ୍ରଦାନ କରିଥାଏ। ଯାହାର ଉପଯୋଗରେ ପ୍ରକୃତ ନେତା ରାଜନୀତି କ୍ଷେତ୍ରର ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରିପାରିବ।” ପଞ୍ଚାଅଶୀ ବର୍ଷ ବୟସରେ ଅାଜି ମଧ୍ୟ ଅନ୍ନା ହଜାରେ ଗାଁରେ ଅନେକ ଗଠନ ମୂଳକ କାମ କରୁଛନ୍ତି । ଅନ୍ନାଙ୍କ ନେତୃତ୍ବ, ନିଷ୍ଠା, ନୈତିକ ସାହସ, ସାଧୁତା ଓ ସଂକଳ୍ପ ସବୁ ପିଢିର ଲୋକଙ୍କୁ ସମାଜର ନେତୃତ୍ବ ନେବାପାଇଁ ପ୍ରେରଣା ଯୋଗାଇବ।

Comments are closed.