କ୍ଷୁଧା:କାହାପାଇଁ ଖେଳ, କାହାପାଇଁ କାଳ

କିଛି ଦିନ ତଳେ ଭାରତ ଅନ୍ୟ ଦେଶକୁ ଗହମ ରପ୍ତାନି ବନ୍ଦ କରିଦେବାରୁ ତାହାକୁ ଉନ୍ନତ ଦେଶ ଯଥା ‘ଜି-୭’ ଦେଶଗୁଡିକର ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା; କିନ୍ତୁ ପ୍ରକୃତ ପକ୍ଷେ ଏହା କେବଳ ମାତ୍ର ବିଶ୍ବର ଉନ୍ନତ ଦେଶ ଗୁଡିକର ରାଜନୈତିକ ଏବଂ ବୈଦେଶିକ ନୀତିର କୁଟିଳ ଚକ୍ରାନ୍ତ ଛଡ଼ା ଅନ୍ୟ କିଛି ନୁହେଁ । ଅପରପକ୍ଷରେ ମିଳିଥିବା ପ୍ରକୃତ ତଥ୍ୟ ଅନୁସାରେ ଭାରତରେ ନିଜର ଚାହିଦା ଯେତିକି ରହିଛି, ସେହି ଅନୁସାରେ ଗହମ ଉତ୍ପାଦନ ଯଥେଷ୍ଟ ନୁହେଁ। ଫଳରେ ଗହମ ରପ୍ତାନିରେ ସଂପୂର୍ଣ୍ଣ ପୂର୍ଣ୍ଣ​‌େ​‌ଚ୍ଛଦ ପଡିବା ଅବଶ୍ୟମ୍ଭାବୀ।

ବିଶ୍ବରେ ଭାରତ ବର୍ତ୍ତମାନ ଗୋଟିଏ ନୁହେଁ ବରଂ ଦୁଇଟି ଖାଦ୍ୟ ସୁରକ୍ଷା ଯୋଜନା ଯଥା ‘ଜାତୀୟ ଖାଦ୍ୟ ସୁରକ୍ଷା’ ଏବଂ ‘ପି.ଏମ. ଗରିବ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେଉଛି। ପ୍ର​‌େ​‌ତ୍ୟକ ଯୋଜନାରେ ୮୦୦ ନିୟୁତ ହିତାଧିକାରୀ ହିସାବରେ ଉପରୋକ୍ତ ଦୁଇଟି ଯୋଜନାରେ ଏହାର ଦୁଇଗୁଣ ଜନତାଙ୍କୁ ଖାଦ୍ୟ ଯୋଗାଣ କରିବାକୁ ସକ୍ଷମ। କହିବା ବାହୁଲ୍ୟ ଯେ ଏହି ଜନସଂଖ୍ୟା ସମୁଦାୟ ‘ଜି-୭’ ଦେଶଗୁଡିକର ଜନସଂଖ୍ୟାର ପ୍ରାୟ ଦୁଇ ଗୁଣରୁ ଅଧିକ। ତେବେ ପ୍ରଥମେ ଆମେ ନିଶ୍ଚିତ ଭାବେ ଆମ ଘରର ପରିସ୍ଥିତିକୁ ବିଚାରକୁ ନେବା ଏବଂ ପରେ ଅନ୍ୟର ଘର କଥା ଦେଖିବା । ଏହି ନ୍ୟାୟରେ ଆମର ଚାହିଦା ଏବଂ ଯୋଗାଣର ଅଙ୍କ ମଧ୍ୟ ଆମକୁ କଷିବାକୁ ପଡିବ। ନିଜ ଘରର ଆବଶ୍ୟକତାକୁ ଭୁଲି ଯଦି ଆମେ ଅନ୍ୟକୁ ସହାୟତା ପ୍ରଦାନ କରିବା, ତେବେ ବାହାରୁ ଶୁଖିଲା ପ୍ରଶଂସା ମିଳିବା ବେଳେ ନିଜ ଦେଶରେ ବୁଭୁକ୍ଷିତଙ୍କ ସଂଖ୍ୟା ସ୍ବାଭାବିକ ଭାବେ ଦ୍ବିଗୁଣିତ ହେବ ଯାହା ଆମକୁ ଜଟିଳ ପରିସ୍ଥିତି ଆଡକୁ ଟାଣିନେବ। କିଛି ଦିନ ତଳର ‘ଜି-୭’ ଦେଶଗୁଡିକର କାରସାଦିର ଏକ ଜ୍ବଳନ୍ତ ନମୁନା ଏଠାରେ ପ୍ରଦାନ କରାଗଲେ ଏହା ସମସ୍ତଙ୍କର ବୋଧଗମ୍ୟ ହେବ । ୨୦୨୧ରେ ଯେତେବେଳେ ସମଗ୍ର ବିଶ୍ବବାସୀ କରୋନା-୧୯ ମହାମାରୀର ପ୍ରଭାବରୁ ମୁକୁଳି ପାରି ନ ଥିଲେ, ସେତେବେଳେ ବିଶ୍ବର ସମସ୍ତ ଦେଶ ପ୍ରତିଷେଧକ ଟିକା ପାଇବା ପାଇଁ ବ୍ୟସ୍ତବିବ୍ରତ ହେଉଥିଲେ । ସେତେବେଳେ କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ‘ଆମେରିକାର ପ୍ରଥମ ଯୋଜନା’ରେ କେବଳ ମାତ୍ର ପ୍ରତିଷେଧକକୁ ନୁହେଁ, ବରଂ ଏହାର ପ୍ରସ୍ତୁତି ଓ ଉତ୍ପାଦନ ନିମନ୍ତେ ସମସ୍ତ ଦରକାରୀ କଞ୍ଚାମାଲ ରପ୍ତାନି ଉପରେ ମଧ୍ୟ ନିଷେଧାଦେଶ ଲଗାଇଥିଲା। କେବଳ ଆମେରିକା ନୁହେଁ, ପରେ ୟୁରୋପୀୟ ସଂଘ ମଧ୍ୟ ତାହାକୁ ଅନୁସରଣ କରିବାକୁ ପଛାଇ ନ ଥିଲା।

prayash

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ନିଷେଧାଦେଶ ଫଳରେ କେତେ ଯେ ପ୍ରତିଷେଧକ ଟିକାର ମାତ୍ରା ଅଯଥାରେ ନଷ୍ଟ ହେଲା ତା’ର ସଂପୂର୍ଣ୍ଣ ହିସାବ ଅସମ୍ଭବ। ମାର୍ଚ୍ଚ ୨୦୨୨ରେ ଆମେରିକାର ‘ରୋଗ ନିୟନ୍ତ୍ରଣ ଏବଂ ନିବାରଣ ବିଭାଗ’ର ଜାତୀୟ ନଷ୍ଟ ଆକଳନ ଅନୁସାରେ ଫେବୃୟାରୀ ୨୦୨୨ ସୁଦ୍ଧା ସମୁଦାୟ ମୋଟ ପ୍ରତିଷେଧକ ଟିକାର ୯.୮୫% ଅର୍ଥାତ ୬୫ ନିୟୁତ ପାନ ଟିକା ନଷ୍ଟ ହୋଇଥିଲା । ଏହି ପ୍ରତିଷେଧକ ଟିକା ଦ୍ବାରା ବିଶ୍ବର ଦରିଦ୍ର ଦେଶର ଜନସାଧାରଣଙ୍କର ଅମୂଲ୍ୟ ଜୀବନ ଅକ୍ଲେଶରେ ରକ୍ଷା କରାଯାଇ ପାରିଥାନ୍ତା; ମାତ୍ର ତାହା ହେଲା ନାହିଁ।

ଆହୁରି ମଧ୍ୟ ୧୯୭୫ ଡିସେମ୍ବରରେ ଆମେରିକା ସରକାର ‘ଊର୍ଜା ନିୟମ ଏବଂ ସଂରକ୍ଷଣ’ ଆଇନ ପ୍ରଣୟନ କଲେ, ଯାହା ଫଳରେ ଆମେରିକାରୁ ଅଶୋଧିତ ତୈଳ ରପ୍ତାନି ସଂପୂର୍ଣ୍ଣ ରୂପେ ବନ୍ଦ ହେଲା। ତେବେ ଏହି ନିଷେଧାଦେଶ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଏଣେ ବର୍ତ୍ତମାନର ବିଶ୍ବ ଖାଦ୍ୟ ସଙ୍କଟ ଏବଂ ବର୍ଦ୍ଧିତ ମୁଦ୍ରାସ୍ଫୀତି ପାଇଁ ରୁଷିଆର ୟୁକ୍ରେନ ଆକ୍ରମଣକୁ ଦାୟୀ କରାଯାଉଛି। ଅବଶ୍ୟ ଉଭୟ ରୁଷିଆ ଏବଂ ୟୁକ୍ରେନ ଖାଦ୍ୟ ବଜାରର ବଳିଷ୍ଠ ସଦସ୍ୟ; କିନ୍ତୁ ତା’ଠାରୁ ବିଷମ ସମସ୍ୟା ହେଉଛି ଊର୍ଜା ଯୋଗାଣ ଯାହା ଉପରେ ଶିଳ୍ପଠାରୁ ଆରମ୍ଭ କରି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ମଧ୍ୟ ସଂପୂର୍ଣ୍ଣ ନିର୍ଭରଶୀଳ । ସୁତରାଂ ୟୁରୋପୀୟ ଦେଶଗୁଡିକ ଯେଉଁ ପରିମାଣରେ ରୁଷିଆ ଉପରେ ଖାଦ୍ୟ ପାଇଁ ନିର୍ଭରଶୀଳ, ତାହା ହୁଏତ ସଂପୂର୍ଣ୍ଣ ନ ହେଲେ ବି କିଛି ପରିମାଣରେ ଏଡାଇ ହୋଇଥାନ୍ତା, ଯଦି ପୂର୍ବରୁ ଆମେରିକା ନିଜର ଖାଦ୍ୟ ରପ୍ତାନି ବନ୍ଦ କରି ନଥାନ୍ତା ଏବଂ କାନାଡାକୁ ଗ୍ୟାସ ପାଇପ ଲାଇନ ବନ୍ଦ କରି ନ ଥାନ୍ତା । ରୁଷିଆ ୧୯୧୪ରେ କ୍ରିମିୟା ଅଧିକାର କରିବା ପରେ ୟୁରୋପର ଶକ୍ତି ସଙ୍କଟ ଆରମ୍ଭ ହୋଇଥିଲା । ତେବେ ମଧ୍ୟ ଆମେରିକା ହେଉ କିମ୍ବା ୟୁରୋପୀୟ ଦେଶ ଗୁଡିକ ହୁଅନ୍ତୁ କେହି ହେଲେ ଊର୍ଜାର ବିକଳ୍ପ ଉତ୍ସ ପାଇଁ ଅନିସନ୍ଧିତ୍ସୁ ହୋଇ ନ ଥିଲେ, ଯାହା ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । କାରଣ ଏହି ଦେଶଗୁଡିକ ନିଜର ଚାହିଦାର ପ୍ରାୟ ୪୦ ପ୍ରତିଶତ ରୁଷିଆର ଶକ୍ତି ଯୋଗାଣ ଉପରେ ନିର୍ଭର କରୁଥିଲେ।

ଏହିପରି ଭାବରେ ବର୍ତ୍ତମାନର ସମସ୍ୟା ସମଗ୍ର ବିଶ୍ବର ସମସ୍ୟା ଭାବେ ପରିଗଣିତ ହୋଇଛି । ଯଦି ଏହାକୁ ପୂର୍ବରୁ ଧ୍ୟାନ ଦିଆଯାଇପାରିଥାନ୍ତା, ତେବେ ହୁଏତ ବର୍ତ୍ତମାନର ସମସ୍ୟାକୁ ସଂପୂର୍ଣ୍ଣ ନ ହେଲେ ମଧ୍ୟ କିଛି ମାତ୍ରାରେ ଏଡାଇ ଦିଆଯାଇ ପାରିଥାନ୍ତା । ଏହା ନିରାଟ ସତ୍ୟ ଯେ ବର୍ତ୍ତମାନ ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ପାଇଛି । ବିଶ୍ବ ବ୍ୟାଙ୍କର ରିପୋର୍ଟ ୨୦୨୨ ଅନୁସାରେ ଖାଦ୍ୟଶସ୍ୟର ମୂଲ୍ୟ ସୂଚକାଙ୍କ ୨୦୨୧ ଅପେକ୍ଷା ପ୍ରାୟ ୪୧ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ଏବେକାର ଗହମ ଏବଂ ମକାର ମୂଲ୍ୟ ୨୦୨୧ ଅପେକ୍ଷା ଯଥାକ୍ରମେ ୫୪ ଏବଂ ୬୦ ପ୍ରତିଶତ ବୃଦ୍ଧି ଘଟିଛି । ଏଣୁ ଭାରତର ଗହମ ରପ୍ତାନି ବନ୍ଦକୁ ଆଳ କରି ଭାରତ ମୁଣ୍ଡରେ ଦୋଷ ଲଦିବା ଉନ୍ନତ ଦେଶମାନଙ୍କ ପକ୍ଷେ ଆଦୌ ସମୀଚୀନ ନୁହେଁ ।

kalyan agarbati

Comments are closed.