ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କିତ ନଥି ସାର୍ବଜନୀନ କରାଯାଉ

0

ନୂଆଦିଲ୍ଲୀ  ,୧୩ା୫: କେନ୍ଦ୍ରୀୟ ସୂଚନା ଆୟୋଗ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ବୈଦେଶିକ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦେଶ ଦିଆଯାଇଛି। ୧୯୬୬ ଜାନୁଆରୀ ୧୧ରାତିରେ ତାସ୍‍କେଣ୍ଟଠାରେ ପାକିସ୍ତାନ ରାଷ୍ଟ୍ରପତି ମହମ୍ମଦ ଆୟୁବ ଖାଁଙ୍କ ସହିତ ୧୯୬୫ ଯୁଦ୍ଧ ପରବର୍ତ୍ତୀ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରର ଠିକ୍‍ ପରେ ଶାସ୍ତ୍ରୀଙ୍କର ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ୧୯୭୭ରେ ତତ୍କାଳୀନ ଜନତା ପାର୍ଟି ସରକାରଙ୍କ ଦ୍ୱାରା ଗଠିତ ରାଜ୍‍ ନାରାୟଣ କମିଟି କେଉଁ ପରିସ୍ଥିତିରେ ଶାସ୍ତ୍ରୀଙ୍କର ମୃତ୍ୟୁ ହେଲା ତାହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ସମ୍ପ୍ରତି କେଉଁଠାରେ ରହିଛି ତାହା ମିଳୁ ନାହିଁ।
ସୂଚନା ଆୟୁକ୍ତ ଶ୍ରୀଧର ଆଚାର୍ଯ୍ୟାଲୁ ଏହି ପରିପ୍ରେକ୍ଷୀରେ ସରକାରଙ୍କ ପାଖରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସଂକ୍ରାନ୍ତ କେଉଁ ସବୁ ଦଲିଲ ମହଜୁଦ ରହିଛି ସେ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଶ୍ରୀଧର ଦର୍ଶାଇଛନ୍ତି ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ସମ୍ପର୍କରେ ସମସ୍ତ ତଥ୍ୟ ତାଙ୍କ ଆତ୍ମୀୟଙ୍କଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ଜନତା ଜାଣିବାର ନ୍ୟାୟସଂଗତ ଅଧିକାର ରହିଛି ଓ ସେମାନଙ୍କୁ ଏହା ଜଣାଇବାର ସାମ୍ବିଧାନିକ କର୍ତ୍ତବ୍ୟ ମଧ୍ୟ ସରକାରଙ୍କର ରହିଛି। ତା’ଛଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ମୁଖ୍ୟଙ୍କର କ’ଣ ହେଲା ତାହା ଜଣାଇବା ମଧ୍ୟ ପ୍ରାଥମିକ ଦାୟିତ୍ୱ; ଯାହା ଅଦ୍ୟାବଧି ନିର୍ବାହ ହୋଇ ନାହିଁ ବୋଲି ଶ୍ରୀଧର ଲେଖିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ନବଦୀପ ଗୁପ୍ତା ନାମକ ଜଣେ ବ୍ୟକ୍ତି ଶାସ୍ତ୍ରୀଙ୍କ ମୃତ୍ୟୁ କିପରି ହେଲା, ଶବ ବ୍ୟବଚ୍ଛେଦ ହୋଇଛି କି ନାହିଁ, ଏହାର ରିପୋର୍ଟ, ଅନ୍ତିମ ସଂସ୍କାର, ମୃତ୍ୟୁ ସମ୍ପର୍କିତ ତଥ୍ୟାବଳୀ ଇତ୍ୟାଦି ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଠାରୁ ଜାଣିବା ପାଇଁ ଆବେଦନ କରିଥିଲେ। ଏହି ଚର୍ଚ୍ଚିତ ମୃତ୍ୟୁ ପଛରେ କିଛି ରହସ୍ୟ ରହିଛି କି ନାହିଁ ତାହା ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ଏ ସମ୍ପର୍କିତ ଅନ୍ୟ ଏକ ମାମଲା ଉପରେ ସରକାର ଦେଶର ସ୍ୱାର୍ଥ ଦୃଷ୍ଟିରୁ ତଥ୍ୟ ସାର୍ବଜନୀନ କରିହେବ ନାହିଁ ବୋଲି ଯବାବ ଦେଇଥିଲେ। ୨୦୧୧ରେ ସୂଚନା ଆୟୁକ୍ତ ଏହାର ଶୁଣାଣି କରିବା ସହ ୧୧ପୃଷ୍ଠା ସମ୍ବଳିତ ‘ମୃତ୍ୟୁ ନଥି’ ସାର୍ବଜନୀନ କରିବାକୁ ନିର୍ଦେଶ ଦେଇଥିଲେ; କିନ୍ତୁ ଗୋଟିଏ ନଥି ଉନ୍ମୋଚନ ନ କରିବାକୁ ନିର୍ଦେଶ ଦେଇଥିଲେ। ଏହି ନଥି ସେତେବେଳେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ରହିଥିବା କୁହାଯାଇଥିଲା। ତେବେ ନବଦୀପଙ୍କ ବର୍ତ୍ତମାନର ଆବେଦନକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାତୀୟ ଅଭିଲେଖାଗାରକୁ ପଠାଇ ଦେଇଥିଲା। ବର୍ତ୍ତମାନ ଶୁଣାଣିବେଳେ ଅଭିଲେଖାଗାର କର୍ତ୍ତୃପକ୍ଷ ଜଣାଇଥିଲେ ଯେ ଏସବୁ ନଥି ବୈଦେଶିକ ମନ୍ତ୍ରଣାଳୟ କିମ୍ବା ରୁଷିଆର ଭାରତୀୟ ଦୂତାବାସ କିମ୍ବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଉପଲବ୍ଧ। ଏ ସମ୍ପର୍କରେ ଅଧିକ କିଛି ପ୍ରମାଣସିଦ୍ଧ ତଥ୍ୟ ନାହିଁ। ତେବେ ଶ୍ରୀଧର ଏ ସମ୍ପର୍କରେ ଅନୁସନ୍ଧାନ କରିବା ସମୟରେ ଗଣମାଧ୍ୟମ ରିପୋର୍ଟରୁ ରାଜ ନାରାୟଣ କମିଟି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାଛଡ଼ା ରାଜ୍‍ ନାରାୟଣ କମିଟିରେ ସାକ୍ଷୀ ଦେବା ପାଇଁ ଆସୁଥିବା ସମୟରେ ଦୁଇ ଜଣ ସାକ୍ଷୀ, ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଚିକିତ୍ସକ ଆର.ଏନ୍‍ ଚୁଗ୍‍ ଓ ବ୍ୟକ୍ତିଗତ ସହାୟକ ରାମ ନାଥଙ୍କର ସନ୍ଦେହଜନକ ଭାବେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଓ ଏହି ଦୁର୍ଘଟଣାର ତଦନ୍ତ ହୋଇ ନଥିବା ନେଇ ପ୍ରକାଶିତ ଖବର ସଂଗ୍ରହ କରିଥିଲେ। ଏସବୁ ସମ୍ପର୍କିତ ତଥ୍ୟ ସଂସଦ ଭବନ ଲାଇବ୍ରେରୀରେ ନଥିବା ମଧ୍ୟ ଶ୍ରୀଧର ଜାଣିବାକୁ ପାଇଲେ। ଏହି ପରିପ୍ରେକ୍ଷୀରେ ସେ ଏବେ କମିଟି ରିପୋର୍ଟ ଓ ଏ ସମ୍ପର୍କିତ ନଥିସବୁ କେଉଁଠାରେ ରହିଛି ଖୋଜି ବାହାର କରିବାକୁ ନିର୍ଦେଶ ଦେଇଛନ୍ତି। ସଂସଦୀୟ ସଚିବଙ୍କୁ ମଧ୍ୟ ଏହାର ଅନୁସନ୍ଧାନ ପାଇଁ ସେ ନିର୍ଦେଶ ଦେଇଛନ୍ତି। ସରକାର ଏ ସମ୍ପର୍କରେ ସାନି ପ୍ରୟାସ କରିବାକୁ ଏବଂ ସମ୍ପୃକ୍ତ ୧୧ପୃଷ୍ଠାର ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ ସେ କ୍ୟାବିନେଟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। କୌଣସି ତଥ୍ୟ ଯଦି ପ୍ରକାଶଯୋଗ୍ୟ ନୁହେଁ ବୋଲି କର୍ତ୍ତୃପକ୍ଷ ଅନୁଭବ କରନ୍ତି; ତେବେ ତାହାକୁ ମୁଦ ଦିଆ ଲଫାପାରେ ତାଙ୍କ ନିକଟରେ ଉପସ୍ଥାପନ କରିବାକୁ ଶ୍ରୀଧର ଉଲ୍ଲେଖ କରିଛନ୍ତି।

Leave A Reply