ଆମର ପରମ୍ପରା.. ଶକ୍ତି ଉପାସନା..

ସମ୍ବଲପୁର: ଶକ୍ତି ଉପାସନାର ବିଶେଷ ଗୁରୁତ୍ୱ ହିନ୍ଦୁ ଧର୍ମଧାରାରେ ସବୁବେଳେ ରହି ଆସିଛି। ଶକ୍ତି ଉପାସନା ବହୁ ପୁରାତନ କାଳରୁ ଚାଲି ଆସିଛି ଏବଂ ଏହା ଅନନ୍ତ କାଳ ପର୍ଯ୍ୟନ୍ତ ଚାଲିଥିବ ବୋଲି ସନାତନ ଧର୍ମାବଲମ୍ବୀମାନଙ୍କର ବିଶ୍ୱାସ ରହିଛି। ବିଜ୍ଞାନର ପ୍ରଭାବ ତଥା ଯୁଗର ପରିବର୍ତ୍ତନ ଯୋଗୁଁ ଆମ ସମାଜ ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇବାରେ ଲାଗିଛି। ଏହାସତ୍ତ୍ବେ ଧର୍ମ ପ୍ରତି ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ କମିନାହିଁ। ଅନ୍ୟପଟେ ଏହା ଦିନକୁ ଦିନ ଲୋକ ଦେଖାଣିଆ ତଥା ପ୍ରଚାରଭିମୁଖୀ ହେବାରେ ଲାଗିଛି। ଫଳରେ ଦଶହରା ସମୟରେ ଚାକଚକ୍ୟ ସହିତ ମୃଣ୍ମୟୀ ମୂର୍ତ୍ତି ପୂଜା ଅଧିକ ଲୋକ ଦେଖାଣିଆ ଭାବରେ ବହୁଳ ଭାବରେ ବଢ଼ି ଚାଲିଛି ଏବଂ ଲୋକଙ୍କ ଉପରେ ଚାନ୍ଦାର ବୋଝ ମଧ୍ୟ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି।

ପୁରାତନ କାଳରୁ ଘରେ ଘରେ ଚାଲି ଆସିଥିବା ପୀଠ ପୂଜା ସହିତ ଶକ୍ତି ଉପାସନାର ପରମ୍ପରା ଦିନକୁ ଦିନ ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ପରମ୍ପରା ବିଶେଷ ଭାବରେ ଉତ୍କଳୀୟ ବ୍ରାହ୍ମଣ ସମାଜରେ ଦେଖିବାକୁ ମିଳିଥାଏ। ସମ୍ବଲପୁରର ନନ୍ଦପଡ଼ାର ଘରେ ଘରେ ଏହି ଶକ୍ତି ଉପାସନା ଚାଲିଥିଲା, କିନ୍ତୁ ଆଜିକାଲିର କର୍ମମୟ ଜୀବନଶୈଳୀ ହେଉ ଅଥବା ଲୋକଙ୍କ ମଧ୍ୟରେ ନିଷ୍ଠା ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ହେଉ, ଏହି ପରମ୍ପରା କ୍ରମଶଃ ଲୋପ ପାଇବାରେ ଲାଗିଛି। ପୀଠ ପୂଜାର ମୁଖ୍ୟ ତତ୍ତ୍ବ ହେଉଛି, ନିଜର ଇଷ୍ଟଦେବୀଙ୍କୁ ତାଙ୍କ ଆସ୍ଥାନରୁ ଉଠାଇ ଆଣି ପୀଠରେ ସ୍ଥାପନ କରି ଦଶହରା ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ତ୍ରିରାତ୍ର ପୂଜା କିମ୍ବା ମହାଳୟା ଦିନଠାରୁ ଦଶହରା ଦଶମୀ ପର୍ଯ୍ୟନ୍ତ ନବରାତ୍ର ପୂଜା ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିପୁତ ମନୋଭାବ ନେଇ କରାଯାଇଥାଏ। ଏଥିରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର କିଛି ନା କିଛି ଭୂମିକା ରହିଥାଏ। କେବଳ ସେତିକି ନୁହେଁ ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ପୂଜା ସମୟରେ ନିଶ୍ଚିତ ରୂପେ ଘରକୁ ଆସନ୍ତି। ଏହା ସହିତ ଘରର ବାହା ହୋଇଥିବା ଝିଅମାନେ ମଧ୍ୟ ଏହି ସମୟରେ ଶାଶୂଘରୁ ଆସି ପୂଜା ଓ ଉପାସନାରେ ସାମିଲ ହୋଇ ନିଜର ସାମର୍ଥ୍ୟ ମତେ ସେବା ଦେଇଥାନ୍ତି। ପରିବାରର ବହୂମାନେ ଏହି ସମୟରେ ତାଙ୍କର ପିତ୍ରାଳୟକୁ ନଯାଇ ପୂଜାରେ ପୂର୍ଣ୍ଣ ରୂପେ ସାମିଲ ହୋଇ ମା’ଙ୍କ ସେବା କରିଥାନ୍ତି।

ଏହି ପରମ୍ପରାକୁ ବଜାୟ ରଖି ଏ ପର୍ଯ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ପାଳନ କରୁଥିବା କିଛି ପରିବାର ମଧ୍ୟରେ ନନ୍ଦପଡ଼ା ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରେ ବାସ କରୁଥିବା ମିଶ୍ର ପରିବାର ଅନ୍ୟତମ। କାହିଁ କେଉଁ ପୁରା କାଳରୁ ଏହି ପରିିବାରରେ ଶକ୍ତି ଉପାସନା ଓ ପୂଜାର ପ୍ରଚଳନ ରହିଛି, ତାହା କହିବା କଷ୍ଟକର। ପ୍ରତି ବର୍ଷ ଇଷ୍ଟଦେବୀ ଭୁବନେଶ୍ୱରୀଙ୍କୁ ତାଙ୍କର ଆସ୍ଥାନରୁ ଆଣି ପୀଠରେ ସ୍ଥାପନ ପୂର୍ବକ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତି ପାଳନ କରି ତ୍ରିରାତ୍ର ପୂଜା ଓ ଶକ୍ତି ଉପାସନା ଏହି ପରିବାର ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ନିଷ୍ଠାର ସହିତ ମିଳିମିଶି କରିଥା’ନ୍ତି। ପୂର୍ବେ ନବମୀ ଦିନ ରାତିରେ ମା’ ଦୁର୍ଗାଙ୍କ ମନ୍ଦିରରେ ପଶୁବଳି ଦେଇ ଦଶମୀ ଦିନ ମା’ ଭୁବନେଶ୍ୱରୀଙ୍କ ନିକଟରେ ବଳି ମାଂସକୁ ଭୋଗ ଲାଗାଇବାର ପରମ୍ପରା ମଧ୍ୟ ରହି ଆସିଥିଲା। କିନ୍ତୁ ଏହି ପ୍ରଥାକୁ ନୁଆ ପୀଢିର ପରବାର ସଦସ୍ୟମାନେ ୩୦ ବର୍ଷ ପୂର୍ବେ ବନ୍ଦ କରି ଦେଇଥିଲେ। ଏବେ ମା’ଙ୍କ ନିକଟରେ ନାରିକେଳ ବଳି ପ୍ରଦାନ କରାଯାଇ ବିଧିକୁ ପାଳନ କରାଯାଉଛି।

prayash

ପ୍ରତି ବର୍ଷ ଶ୍ରାବଣ ପୂର୍ଣ୍ଣିମା ପରେ ପରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଯେଉଁ କୋଠରୀରେ ମା’ଙ୍କ ପୀଠ ସ୍ଥାପିତ ହୁଏ, ସେହି କୋଠରୀକୁ ଚୁନ ସଫେଇ କରି ସଫାସୁତୁରା କରାଯାଇଥାଏ। ଦଶହରା ଷଷ୍ଠୀ ଦିନ ସେଇ ଘରେ ରଙ୍ଗୀନ ଚାନ୍ଦୁଆ, ଆମ୍ବ ତୋରଣ ଆଦି ଲାଗାଯାଇ ପାରମ୍ପରିକ ସାଜସଜ୍ଜା କରାଯାଇଥାଏ। ସେହି ଦିନ ସନ୍ଧ୍ୟାରେ ପରିବାରର ପୁତ୍ରମାନଙ୍କ ଦ୍ୱାରା ଗୋଟିଏ କାଠ ନିର୍ମିତ ଟେବୁଲ ଉପରେ ଧଳା କନା ଲାଗାଇବା ପରେ ମା’ ଭୁବନେଶ୍ୱରୀଙ୍କ ଯନ୍ତ୍ରକୁ ତିଆରି କରାଯାଇଥାଏ, ଯାହାକୁ ‘ମଣ୍ଡଳ’ ବୋଲି କୁହାଯାଇଥାଏ। ମଣ୍ଡଳ ନିର୍ମାଣରେ ଧଳା, କଳା, ନାଲି, ହଳଦିଆ ଓ ସବୁଜ ରଙ୍ଗର ଚାଉଳ ବ୍ୟବହାର କରାଯାଇଥାଏ। ମଣ୍ଡଳ ନିର୍ମାଣ ପାଇଁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥାଏ। ସପ୍ତମୀ ଦିନ ସନ୍ଧ୍ୟାରେ ମୁଖ୍ୟ ପୁଜକ ମଙ୍ଗଳ ମୁହୂର୍ତ୍ତ ଦେଖି ଘଣ୍ଟ ଓ ଶଙ୍ଖ ଧ୍ୱନି ମଧ୍ୟରେ ମହାନଦୀରୁ କଳସରେ ପବିତ୍ର ଜଳ ଭର୍ତ୍ତି କରିବା ପରେ ଏହାକୁ ପୂଜା କୋଠରୀରେ ଆଣି ସ୍ଥାପନା କରିଥାନ୍ତି। କଳସ ସ୍ଥାପନ ସହିତ ଉପଯୁକ୍ତ ରିତିନୀତିରେ ତ୍ରିରାତ୍ର ପୁଜାର ଶୁଭାରମ୍ଭ ହୋଇଥାଏ। ରୀତି ଅନୁଯାୟୀ ଅଖଣ୍ଡ ଜାଗର ଦୀପ ପ୍ରଜ୍ୱଳନ କରାଯାଇ ବିଧିବଦ୍ଧ ଭାବରେ ସପ୍ତମୀ ରାତ୍ରରେ ପୂଜା ଆରମ୍ଭ ହେବା ସହ ନବମୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାତ୍ରିରେ ଷୋଡଶପଚାର ସହିତ ମା’ଙ୍କର ପୂଜା ଉପାସନା କରାଯାଇଥାଏ। ପ୍ରତ୍ୟେକ ଦିନ ପ୍ରଥମ ପୂଜାରେ ପିଠାପଣା ଓ ଭାଙ୍ଗ ଭୋଗ, ଦ୍ୱିତୀୟ ପୁଜାରେ ଭାତ ଭୋଗ ଏବଂ ତୃତୀୟ ପୁଜାରେ ଗୃହରେ ପ୍ରସ୍ତୁତ ବିଭିନ୍ନ ପିଠାପଣା ଓ ଫଳମୂଳକୁ ମହତୀ ଭୋଗ ରୂପେ ଅର୍ପଣ କରାଯାଇଥାଏ। ସପ୍ତମୀରୁ ନବମୀ ତିଥି ପର୍ଯ୍ୟନ୍ତ ପ୍ରତି ଦିନ ଦେବୀଙ୍କ ନିକଟରେ ଚଣ୍ଡି ପାଠ କରାଯାଇଥାଏ। ଅଷ୍ଟମୀ ତିଥି ରାତ୍ର ସମୟରେ ନନ୍ଦପଡ଼ା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ମା’ ଦୁର୍ଗାଙ୍କ ମନ୍ଦିରରେ ଅନ୍ନ ଓ ପିଠାପଣା ଭୋଗ ଅର୍ପଣ କରାଯାଇଥାଏ। ପୂର୍ବରୁ ନବମୀ ରାତ୍ରି ରେ ପଶୁବଳୀର ନିୟମ ରହିଥିଲା, କିନ୍ତୁ ପଶୁବଳୀ ବନ୍ଦ ହେବା ପରେ ପ୍ରତିକାତ୍ମକ ବଳି ଭାବରେ ସେହି ରାତିରେ ନାରିକେଳ ବଳି ଏବେ ଦିଆଯାଉଛି। ନବମୀ ରାତ୍ରରେ ମାଁ ଭୁବନେଶ୍ୱରୀଙ୍କ ପୂଜା ପରେ ମା’ ଦୁର୍ଗାଙ୍କୁ ମନ୍ଦିରରେ ଭୋଗ ଲଗାଇବା ପରେ ଶାନ୍ତି ସ୍ତୋତ୍ର ପାଠ କରାଯାଇଥାଏ। ଦଶହରା ଦଶମୀ ଦିନ ଲଗ୍ନ ଅନୁଯାୟୀ ମାଁ ଙ୍କର ପୂଜାର୍ଚ୍ଚନା ପୂର୍ବାହ୍ନରେ କରାଯାଇ ଭାତ ଭୋଗ ଓ ପିଠାପଣା ଭୋଗ ଲାଗି କରାଯାଇ ମା’ ଭୁବନେଶ୍ୱରୀଙ୍କ ନିକଟରେ କ୍ଷମାପରାଧ ସ୍ତୋତ୍ର ପାଠ କରାଯାଇ କ୍ଷମା ପ୍ରାର୍ଥନା କରାଯାଇଥାଏ। ଏହାପରେ ବ୍ରାହ୍ମଣ ଭୋଜନ କରାଯାଇଥାଏ। ବ୍ରାହ୍ମଣ ଭୋଜନ ଚାଲିଥିବା ସମୟରେ ହିଁ ମହାନଦୀ ଜଳରେ ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ସହିତ ସପ୍ତମୀ ଦିନ ସ୍ଥାପନା କରାଯାଇଥିବା କଳସକୁ ବିର୍ସଜନ କରାଯାଇଥାଏ। ତ୍ରିରାତ୍ର ପୂଜା ସମୟରେ ଅଜାଣତରେ ଯଦି କୌଣସି ଭୁଲ ହୋଇଥାଏ, ସେଥି ପାଇଁ ପୁଣି ଥରେ ମା’ ଭୁବନେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ।

ଦଶମୀ ଦିନ ସନ୍ଧ୍ୟାରେ ମା’ଙ୍କୁ ପୀଠରୁ ଓହ୍ଲାଇ ଆଣି ଗଙ୍ଗା ଜଳରେ ମହାସ୍ନାନ କରାଯାଇଥାଏ। ଏହି ଗୁପ୍ତ ପୂଜା ସମ୍ପୂର୍ଣ୍ଣ ରୂପେ ଆବଦ୍ଧ କୋଠରୀରେ କରାଯାଏ ଏବଂ ଦେବୀଙ୍କ ମହାସ୍ନାନ ପରେ ତାଙ୍କୁ ଦହି ପଖାଳ ଭୋଗ ଲାଗି ଶାନ୍ତ କରାଯାଇଥାଏ। ଏହି ପ୍ରକ୍ରିୟା ପରେ ମୁଖ୍ୟ ପୁଜକ ସମ୍ବଲପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ ନିମନ୍ତେ ଯାଇ ମା’ଙ୍କୁ ନାରିକେଳ ସର୍ମପିତ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଏହା ପରେ ଚାରି ଦିନ ଧରି ଚାଲିଥିବା ଦଶହରା ପୂଜା ଓ ଶକ୍ତି ଉପାସନା ବିଧିବଦ୍ଧ ଭାବରେ ସେହି ବର୍ଷ ପାଇଁ ସମାପ୍ତ ହୋଇଥାଏ।

ଏହିପରି ଏକ ପୁରାତନ ତଥା ଅନନ୍ୟ ଧାର୍ମିକ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ନନ୍ଦପଡ଼ାର ମିଶ୍ର ପରିବାର ଶତ ଚେଷ୍ଟିତ। ପୀଢି ପରେ ପୀଢି ଏହି ପବିତ୍ର ପୂଜା ଓ ଉପାସନାକୁ ଅତ୍ୟନ୍ତ ନିଷ୍ଠାର ସହିତ କରିଆସୁଛନ୍ତି। ଆଗକୁ ମଧ୍ୟ ଏହାକୁ ଏମିତି ଜାରି ରଖିବେ ବୋଲି ସମଗ୍ର ପରିବାର ସଂକଳ୍ପ ବଦ୍ଧ। ସମାଜର ଏପରି ଏକ ଅନନ୍ୟ, ବିରଳ ଓ ପବିତ୍ର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ଉଦ୍ୟମ କରିବାର ବେଳ ଆସି ଯାଇଛି। ମା’ ଭୁବନେଶ୍ୱରୀଙ୍କ କୃପା ଓ ଆଶୀର୍ବାଦରୁ ଏହି ଧର୍ମଧାର କାଳକୁ କାଳ ବଜାୟ ରହିବ ବୋଲି ମିଶ୍ର ପରିବାରର ଆଶା ଓ ବିଶ୍ୱାସ।

Comments are closed.