ରାଜ୍ୟର ୩ ଜିଲାରେ ୨୩ରେ ଖୋଲିବ ସ୍କୁଲ

ଭୁବନେଶ୍ବର: ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲାରେ ଥିବା ସମସ୍ତ ବିଦ୍ୟାଳୟ ୨୩ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ୨୩ ଓ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲାର ସମସ୍ତ ସ୍କୁଲ ସକାଳୁଆ ହେବ। ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଯାଏ ଚାଲିବ ପାଠପଢା। ସାଢ଼େ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏଥିସହ ୨୬ ତାରିଖଠାରୁ ଜିଲାର ସମସ୍ତ ସ୍କୁଲ ନିୟମିତ ସ୍ୱାଭାବିକ ସମୟରେ ଚାଲିବ।

ସେହିପରି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲାରେ ୨୩ ଓ ୨୪ ତାରିଖ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ। ସାଢ଼େ ୮ଟାରୁ ୯ ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୬ ତାରିଖରୁ ସ୍ୱାଭାବିକ ସମୟରେ ଚାଲିବ ସ୍କୁଲ।

prayash

ଅପରପ​‌କ୍ଷେ, ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସବୁ ଜିଲାର ସମସ୍ତ ବିଦ୍ୟାଳୟ ୨୨ରୁ ୨୪ ତାରିଖ ଯାଏ ସକାଳୁଆ ହେବ। ସମ୍ବଲପୁର ଓ ଝାରସୁଗୁଡ଼ାରେ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସେହିପରି ବଲାଙ୍ଗିରରେ ସାଢ଼େ ୬ଟାରୁ ସାଢ଼େ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ।

ଏଠାରେ ସୂଚନାଯୋଗ୍ୟ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲାକୁ ବ୍ୟତୀତ ସବୁ ଜିଲାରେ ଆସନ୍ତାକାଲି ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବାକୁ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହି ୭ ଜିଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ ସେନେଇ ଜିଲାପାଳ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା।

 

Comments are closed.