’ନୋ ପାସ୍-ଫେଲ୍’ ବ୍ୟବସ୍ଥା ବିଫଳ
ନୂଆଦିଲ୍ଲୀ: ପ୍ରାଥମିକ ଶିକ୍ଷାରେ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟବସ୍ଥା ଉଚ୍ଛେଦ ହୋଇପାରେ। ପ୍ରାଥମିକ ଶିକ୍ଷା ପ୍ରତି ପିଲାଙ୍କୁ ଆକୃଷ୍ଟ କରି ବିଦ୍ୟାଳୟକୁ ଆଣିବା ପାଇଁ ଉପରୋକ୍ତ ନିୟମ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ସାମୁହିକ ଶିକ୍ଷା ବ୍ୟବସ୍ଥାରେ ଏହାର ପ୍ରଭାବ ନକାରାତ୍ମକ ବୋଲି ଜଣାପଡ଼ିବା ପରେ ନିୟମ ଉଚ୍ଛେଦ ସମ୍ପର୍କରେ ସରକାର ବିଚାର କରୁଛନ୍ତି। ଗତ ଫେବ୍ରୁଆରୀ ୫ ତାରିଖରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିବା ନ୍ୟାଶ୍ନାଲ୍ ଆଚିଭ୍ମେଣ୍ଟ ସର୍ଭେର ରିପୋର୍ଟ ଅନୁଯାୟୀ, ଦେଶର ଅନେକାଂଶ ରାଜ୍ୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ୪୦% ନମ୍ବର ରଖିବା କଷ୍ଟକର ହୋଇପଡ଼ୁଛି। କିନ୍ତୁ ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ସେମାନେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ। ବିଶେଷକରି ସେମାନଙ୍କର ଗଣିତ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ଜ୍ଞାନ ଦୁର୍ବଳ। ପାସ୍ ଫେଲ୍ ବ୍ୟବସ୍ଥା ଉଚ୍ଛେଦ ହେତୁ ଶିକ୍ଷକମାନେ ପାଠ ପଢ଼ାଇବା ପ୍ରତି ଗୁରୁତ୍ୱ ଦେଉନଥିବା ବେଳେ ଛାତ୍ରଛାତ୍ରୀମାନ ଲଗାମ୍ ଛଡ଼ା ହୋଇଯାଉଛନ୍ତି। ତେଣୁ ଏଭଳି ପରିସ୍ଥିତି ଉପୁଜିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।