ଡହଡହ ଖରାକୁ ସରକାରଙ୍କ ଶୀତଳ ନୀତି; ଶିଝୁଛନ୍ତି ଛାତ୍ରଛାତ୍ରୀ
ନର୍ଲା: ବୈଶାଖ ମାସର ନିଦାଘ ଖରା । ପ୍ରଚଣ୍ଡ ଖରାରେ ଫୁଟୁଛି ପଶ୍ଚିମାଞ୍ଚଳ । କଥାରେ ଅଛି ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ । ତେବେ ପୂର୍ବାଞ୍ଚଳ ଅପେକ୍ଷା ଓଡ଼ିଶାର ପଶ୍ଚିମାଞ୍ଚଳରେ ବର୍ତ୍ତମାନ ଖରା ତାଣ୍ଡବ ରଚୁଛି । ଏହି ସମୟରେ ସରକାର ସରକାରୀ କି ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରି ନାହାନ୍ତି । ଫଳରେ ଛୋଟରୁ ବଡ ଶ୍ରେଣୀର ଛାତ୍ରଛାତ୍ରୀମାନେ ଡହଡହ ଖରାରେ ଶିଝୁଛନ୍ତି । ଶ୍ରେଣୀ କକ୍ଷଗୁଡିକ ପ୍ରଚଣ୍ଡ ଗରମ ଲାଗୁଥିବା ବେଳେ ୧୦ ଟା ସମୟରେ ଛୁଟି ହେବା ପରେ ଝାଞ୍ଜି ଖରାରେ ପିଲାମାନେ ବହିବସ୍ତାନି ବୋହି ଘରକୁ ଫେରୁଛନ୍ତି, ଯାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ସରକାର ପଶ୍ଚିମାଞ୍ଚଳରେ ପ୍ରଭାବିତ ଖରାର ମାତ୍ରାକୁ ଅନୁମାନ କରିପାରୁ ନଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଥରେ ପଶ୍ଚିମାଞ୍ଚଳ ଆସି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର କୋଠରିରେ ଘଣ୍ଟାଏ କାଳ ବସି ନିଜକୁ ପରୀକ୍ଷା କରନ୍ତୁ ବୋଲି ଲୋକେ ଦାବୀ କରିଛନ୍ତି ।
ସମଗ୍ର ଅଂଚଳ ଖରାର ପ୍ରଭାବରେ ଜଳୁଥିବା ବେଳେ ନର୍ଲା ଭଳି ଶୁଷ୍କ ଅଞ୍ଚଳ ଏଥିରୁ ବାଦ୍ ପଡିବ କେମିତି । ସରକାର ଖରାକୁ ଦୃଷ୍ଟିରେ ରଖି ପଥିକମାନଙ୍କ ପାଇଁ ପଞ୍ଚାୟତସ୍ତରରେ ଜଳଛତ୍ରର ବ୍ୟବସ୍ଥା କରି ସାରିଛନ୍ତି । ପଥିକ ପାଇଁ ଯେତେବେଳେ ପାଣିର ଲୋଡା ପଡିଲାଣି ସେତେବେଳେ ନିରୀହ କୋମଳ ଛାତ୍ରଛାତ୍ରୀମାନଙ୍କ ପାଇଁ ଖରାର ପ୍ରଭାବ କଣ ଥିବ ତାହା ସହଜରେ ଅନୁମେୟ । ପୂର୍ବାଞ୍ଚଳରେ ଖରା କମ୍ ଅନୁଭୂତ ହେଉଥିବାକୁ ନେଇ ସମଗ୍ର ଓଡ଼ିଶାକୁ ଗୋଟିଏ ନୀତିର ପରିଚାଳିତ କରିବା ସରକାରଙ୍କ ଦୂରଦୃଷ୍ଟିର ଅଭାବ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ତେବେ ଜିଲ୍ଲାପାଳ କଳାହାଣ୍ଡି ଖରାର ଗତିବିଧିକୁ ଲକ୍ଷ୍ୟ କରି ବିଦ୍ୟାଳୟକୁ ଛୁଟି ଘୋଷଣା କରିବା ନିମନ୍ତେ ସରକାରଙ୍କୁ ଅବଗତ କରାଇବା ଉଚିତ୍ ବୋଲି ଦାବୀ ହେଉଛି । ପ୍ରଚଣ୍ଡ ଖରାରେ ଲୋକେ ଜୀବନ ପ୍ରତି ଭୟ କରୁଥିବା ବେଳେ ଆଗକୁ ଛାତ୍ରଛାତ୍ରୀମାନଙ୍କ ଜୀବନ ବିପଦମୁକ୍ତ ନୁହେଁ ଓ ଏଥିପାଇଁ ସରକାର ବିଚାର କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବୀ ହେଉଛି ।
Comments are closed.