ଆଜିଠୁ ଖୋଲିବ ବିଦ୍ୟାଳୟ ଓ ଅଙ୍ଗନବାଡ଼ି

ସମ୍ବଲପୁରରେ ଆଉ ୨ ଦିନ ଛୁଟି

ଭୁବନେଶ୍ବର/ସମ୍ବଲପୁର : : ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ବନ୍ଦ ଥିବା ରାଜ୍ୟର ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ସୋମବାରଠାରୁ ଖୋଲିବ। ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଗତ ୧୨ ତାରିଖରୁ ବନ୍ଦ ଥିଲା। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ଗ୍ରୀଷ୍ମପ୍ରବାହକୁ ଦେଖି ସ୍ଥଳ ବିଶେଷରେ ଜିଲାପାଳମାନେ ସ୍ଥାନୀୟ ସ୍ତରରେ ସେମାନଙ୍କ ଜିଲାର ବିଦ୍ୟାଳୟ ଗୁଡ଼ିକର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଓ ନିଷ୍ପତ୍ତି ନେଇପାରିବେ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା ସେହି ଆଧାରରେ ସମ୍ବଲପୁର ଜିଲାର ବିଦ୍ୟାଳୟଗୁଡ଼ିକୁ ଆଉ ଦୁଇଦିନ ବନ୍ଦ ରଖିବା ଲାଗି ଜିଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି । ସମ୍ବଲପୁର ଜିଲାରେ ଆଉ ୨ ଦିନ ବିଦ୍ୟାଳୟ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧି ବଢ଼ାଇ ଦିଆଯାଇଛି। ଏପ୍ରିଲ ୧୭ ଓ ୧୮ ତଥା ସୋମବାର ଏବଂ ମଙ୍ଗଳବାର ସମ୍ବଲପୁର ଜିଲାର ସବୁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ରାଜ୍ୟର ୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଦିନ ୨ଟା ୩୦ରେ ସମ୍ବଲପୁର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ତେଣୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଅପ୍ରେଲ ୧୭ ଓ ୧୮ ତାରିଖ ଦୁଇଦିନ ଛୁଟି ଘୋଷଣା କରାଯାଇଛି।
ଅନ୍ୟପକ୍ଷରେ ସମସ୍ତ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାପାଳମାନେ ସେମାନଙ୍କ ଜିଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ଆବଶ୍ୟକ ପଡ଼ିଲେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରିପାରିବେ।

Comments are closed.