ନୂଆଦିଲ୍ଲୀ: ଇଲେକ୍ଟେରାଲ ବଣ୍ଡ୍ (ନିର୍ବାଚନ ବଣ୍ଡ୍) ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ଅଧିକ ଦିନ ମହଲତ ଦେବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କରିଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା ୧୧ ତାରିଖରେ ଶୁଣାଣି କରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ୫ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ଏସ୍ବିଆଇ ଆବେଦନର ଶୁଣାଣି କରିବେ। ଏହା ସହିତ ଏସ୍ବିଆଇ ବିରୋଧରେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର) ଓ କମନ କଜ୍ ପକ୍ଷରୁ ଦାୟର କରାଯାଇଥିବା ଅଦାଲତ ଅବମାନନା ମାମଲାକୁ ମଧ୍ୟ ଉକ୍ତ ସାମ୍ବିଧାନିକ ପୀଠ ଶୁଣାଣି କରିବେ। ଫେବୃଆରୀ ୧୫ରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ବଣ୍ଡ୍ ଯୋଜନାକୁ ଅବୈଧ ଘୋଷଣା କରିଥିଲେ।
ତେବେ ଷ୍ଟେଟ ବ୍ୟାଙ୍କ ଜୁନ ୧୫ ପର୍ଯ୍ୟନ୍ତ ସମୟ ଲୋଡି ଥିବା ବେଳେ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି। ଷ୍ଟେଟ ବ୍ୟାଙ୍କ ଜାଣିଶୁଣି ଅର୍ଥଦାତାଙ୍କ ନାମ ନିର୍ବାଚନ ପୂର୍ବରୁ ପ୍ରକାଶ ନ କରିବାକୁ ଚାହୁଁ ଥିବା କୁହାଯାଇଛି।



