ସମାଜ ଡିଜିଟାଲ ଡେସ୍କ: କିଛି ଦିନ ତଳେ ରାଜଧାନୀ ନୂଆଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ମିଳିଥିଲା। ବୋମା ବିସ୍ଫୋରଣ ଦ୍ଵାରା ସ୍କୁଲ ଉଡ଼ାଇ ଦେବାକୁ ସ୍କୁଲଗୁଡ଼ିକୁ ଧମକ ଦିଆଯିବା ପରେ ପୁଲିସ ଏବଂ ସାଇବର ଟିମ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ଏହି ଯାଞ୍ଚରୁ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୪୦ରୁ ଅଧିକ ସ୍କୁଲକୁ ଦିଆଯାଇଥିବା ବୋମା ଧମକ ମଧ୍ୟରୁ ୩ଟି ସ୍କୁଲକୁ ସେହି ବିଦ୍ୟାଳୟର କିଛି ଛାତ୍ର ଧମକ ଦେଇଥିଲେ। କାରଣ ଥିଲା ପରୀକ୍ଷା। ପରୀକ୍ଷା ବନ୍ଦ କରିବା ଉଦ୍ଦେଶ୍ୟରେ ନିଜ ସ୍କୁଲକୁ କିଛି ଛାତ୍ର ଯୋଜନାବଦ୍ଧ ଭାବେ ବୋମା ଧମକ ଦେଇଥିଲେ ବୋଲି ଏବେ ତଦନ୍ତରୁ ଜଣାପଡ଼ିଛି।
ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ, ଏହି ଘଟଣାରେ ୨ଜଣ ଛାତ୍ରଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ପୂର୍ବରୁ ଅନେକ ସ୍କୁଲକୁ ବୋମା ଧମକ ମିଳୁଥିବାରୁ କେହି ଜାଣିପାରିବେ ବୋଲି ଭାବି ଏହି ୨ ଛାତ୍ର ନିଜ ସ୍କୁଲ ସମେତ ଆଉ ୨ଟି ସ୍କୁଲକୁ ବୋମା ଧମକ ଦେଇଥିଲେ। ସେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ନ ଥିବାରୁ ଏପରି ଧମକ ଦେଲେ ପରୀକ୍ଷା ବନ୍ଦ ହୋଇଯିବ ବୋଲି ସେମାନଙ୍କ ଧାରଣା ରହିଥିଲା। ତଦନ୍ତରୁ ଏହା ଜଣାପଡ଼ିବା ପରେ ସେମାନଙ୍କ ଅଭିଭାବକଙ୍କୁ ଏ ବିଷୟରେ ଅବଗତ କରାଯିବା ସହିତ ଚେତାବନୀ ଦେଇ ଛାଡ଼ି ଦିଆଯାଇଛି। ଏହି ସ୍କୁଲ ସବୁ ରୋହିଣୀନଗର ଏବଂ ପଶ୍ଚିମ ବିହାର ଅଞ୍ଚଳରେ ରହିଛି।



