ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆଉ ଏକ ଚିକିତ୍ସା ପ୍ରଣାଳୀ ମଧ୍ୟ ଏବେ ବେଶ ଲୋକାଦୃତ ହେଉଛି, ତାହା ହେଉଛି ହୋମିଓପାଥିକ ଚିକିତ୍ସା। ଏହି ଚିକିତ୍ସା ପଦ୍ଧତିର ଜନକ ଫେଡରିକ ସାମୁଏଲ ହ୍ୟାନିମ୍ୟାନ ଜର୍ମାନୀର ସାକ୍ସୋନି ରାଜ୍ୟର ମିସେନ ସହରରେ ଏକ ଚିତ୍ରକର ପରିବାରରେ ୧୭୫୫ ମସିହା ଏପ୍ରିଲ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଦୁଃସ୍ଥ, ଅସହାୟ ଓ ଗରିବ ଜନସାଧାରଣଙ୍କ ପ୍ରତି ବିମୋହିତ ହୋଇ ପଡୁଥିଲେ। ବହୁ ବାଧାବିଘ୍ନ ସତ୍ତ୍ବେ ୧୭୭୯ ମସିହାରେ ଭେଷଜ ବିଜ୍ଞାନରେ ସେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତତ୍କାଳୀନ ଚିକିତ୍ସା ପଦ୍ଧତିରେ କରାଯାଉଥିବା ତ୍ରୁଟିପୂର୍ଣ୍ଣ ଶଲ୍ୟ ପ୍ରକ୍ରିୟା ବା ଅପରେସନକୁ ସେ ନାପସନ୍ଦ କରୁଥିଲେ। ରୋଗୀମାନଙ୍କୁ ସରଳ ଓ ଉତ୍ତମ ରୂପେ କଷ୍ଟ ଦୂର କରିବା ପାଇଁ ଏକ ଚିକିତ୍ସା ପଦ୍ଧତି ଉପରେ ସେ ଗବେଷଣାକରି ଶେଷରେ ହୋମିଓପାଥିକ ଚିକିତ୍ସା ବିଜ୍ଞାନକୁ ଜନ୍ମ ଦେଇଥିଲେ। ବୃକ୍ଷଲତା, ଖଣିଜ ସଂପଦ, ଜୀବଜନ୍ତୁ ଅବଶେଷ ଆଦି ଉପରେ ଗବେଷଣା କରି ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରିବା ସହିତ ନିଜର ବନ୍ଧୁ ପରିଜନଙ୍କ ଉପରେ ପ୍ରୟୋଗ କରି ତାହାର ଚମତ୍କାର ପ୍ରଭାବ ପାଇଲେ। ଏହି ଗବେଷଣାର ଚମତ୍କାର ପ୍ରଭାବ ଓ ସୁଫଳ ନେଇ ତତ୍କାଳୀନ ପାଶ୍ଚତ୍ୟ ଚିକିତ୍ସକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସ୍ଥୂଳ ଦ୍ରବ୍ୟକୁ ଅତି ସୂକ୍ଷ୍ମ ପଦ୍ଧତିରେ ପ୍ରସ୍ତୁତ କରି ତଥା ଏହାର ଶକ୍ତି ବୃଦ୍ଧି କରି ଶରୀରରେ ପ୍ରୟୋଗ କରି ରୋଗକୁ ସମୂଳେ ନଷ୍ଟ କରିବା ଓ ଶରୀରରେ ଆରୋଗ୍ୟ ଆଣିବା ଏହି ଚିକିତ୍ସା ପଦ୍ଧତିର ମୂଳ ସୂତ୍ର ଥିଲା। ଔଷଧର ସୂକ୍ଷ୍ମ ପରିମାଣକୁ ପ୍ରୟୋଗ କରି ଶରୀରରେ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ପାଉଛି ଓ ରୋଗ ଭଲ ହେଇ ପାରୁଛି ଏହି ସମ୍ପର୍କରେ ସର୍ବତ୍ର ଆଲୋଡନ ସୃଷ୍ଟି ହୋଇଥିଲା। ପ୍ରକୃତି ଦତ୍ତ ଶରୀର ଓ ପ୍ରାକୃତିକ ଔଷଧର ସୂକ୍ଷ୍ମ ସଂରଚନା ଶରୀର ପାଇଁ କେତେ ଆବଶ୍ୟକ ସେ ସମ୍ପର୍କରେ ଡାକ୍ତର ସାମୁଏଲ ହ୍ୟାନିମ୍ୟାନ ସେ ସମୟରେ ଡାକ୍ତରମାନଙ୍କୁ ବିଭିନ୍ନ ସମୟରେ ବୁଝାଉ ଥିଲେ। ତାଙ୍କର ଏହି ଚିନ୍ତାଧାରାକୁ ତତ୍କାଳୀନ ଡାକ୍ତରମାନେ ସହମତି ପ୍ରଦାନ କରିଥିଲେ।
କମ୍ ଖର୍ଚ୍ଚ, ବିନା ଶଲ୍ୟ ଚିକିତ୍ସା, ଦ୍ରୁତ ଆରୋଗ୍ୟ, ଔଷଧର ସୂକ୍ଷ୍ମ ସେବନ, ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ, ଅତ୍ୟନ୍ତ ଜଟିଳ ଓ ମୁମୂର୍ଷୁ ରୋଗୀଙ୍କ ଠାରେ ଏହାର ପ୍ରୟୋଗ ଓ ଆରୋଗ୍ୟତା ଗୁଣ ଅଧିକ ଯୋଗୁଁ ହୋମିଓପାଥିକ ଚିକିତ୍ସାର ସ୍ୱତନ୍ତ୍ରତା ଅଧିକ। ନିରାପଦ ମାତୃତ୍ୱ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ଏହି ଚିକିତ୍ସା ପ୍ରଣାଳୀ ଏବେ ସବୁ ଦେଶରେ ଲୋକପ୍ରିୟ ହୋଇପଡିଛି। ଆମ ଦେଶ ଓ ରାଜ୍ୟରେ ଏହି ଚିକିତ୍ସକମାନେ ଏବେ ଆଧୁନିକ ଚିକିତ୍ସକଙ୍କ ସହିତ ସମାନ ଭାବରେ ରାଷ୍ଟ୍ରୀୟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଦେଶ ଓ ରାଜ୍ୟରେ ସରକାର ଏହି ଚିକିତ୍ସକଙ୍କୁ ଆୟୁଷ ଚିକିତ୍ସକ ମାନ୍ୟତା ପ୍ରଦାନ କରିଛନ୍ତି। ପ୍ରତେକ ବର୍ଷ ଏପ୍ରିଲ ୧୦ ତାରିଖରେ ହ୍ୟାନିମ୍ୟାନଙ୍କ ଜୟନ୍ତୀକୁ ବିଶ୍ବ ହୋମିଓପାଥିକ ଦିବସ ରୂପେ ସବୁଆଡେ ପାଳନ କରାଯାଉଛି।
ଡା ତ୍ରୈଲୋକ୍ୟ ନାଥ ମହାରଣା, ବାଲୁଗାଁ



