ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୮୭ଟି ଫୌଜଦାରୀ ମୋକଦ୍ଦମାର ଫଇସଲା
ସମ୍ବଲପୁର: ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ନୁଆଦିଲ୍ଲୀର ଆନୁକୂଲ୍ୟରେ ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି। ସମ୍ବଲପୁର ଜିଲା ସଦର ମହକୁମା ଠାରେ ଅବସ୍ଥିତ କୋର୍ଟ ଗୁଡିକ ସମେତ ଜିଲା ଅନ୍ତର୍ଗତ ତାଲୁକ ସ୍ତରୀୟ କୁଚିଣ୍ଡା ଓ ରେଢ଼ାଖୋଲ ଅଦାଲତ ଗୁଡିକରେ ଏହି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ ମୋଟରଯାନ ଦୁର୍ଘଟଣା ଜନିତ ୯ଟି ମାମଲାର ସମାଧାନ ଓ କ୍ଷତିପୁରଣ ବାବଦରେ ୩ କୋଟି ୩୦ ଲକ୍ଷ ୧୫ ହଜାର ୫୮୮ ଟଙ୍କା, ୩୦ଟି ପରିବାର ସଂକ୍ରାନ୍ତୀୟ ମାମଲାରେ ଫଇସଲା, ୫୦ଟି ଦେୱାନୀ ମୋକଦ୍ଦମାର ଫଇସଲା କରାଯାଇ ୯, କୋଟି ୩୮ ଲକ୍ଷ ୧୧୩ ଟଙ୍କା ଆଦାୟ କରାଯାଇଛି। ସେହିଭଳି ୩୮୭ଟି ଫୌଜଦାରୀ ମୋକଦ୍ଦମାର ଫଇସଲା କରାଯାଇଛି। ୧୨ଟି ଏନଆଇ ଆକ୍ଟ ମାମଲାର ଫଇସଲା କରାଯାଇ ୪ କୋଟି ୨୦ ଲକ୍ଷ ୨୮ ହଜାର ୪୯୬ ଟଙ୍କା ଆଦାୟ କରାଯାଇଛି। ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଅନ୍ୟାନ୍ୟ ବ୍ୟାଙ୍କ ଯୋଗ ଦେଇ ୯୮ଟି ପ୍ରି ଲିଟିଗେସନ ମାମଲାର ଫଇସଲା କରାଯାଇ ୨୬ ଲକ୍ଷ ୬୬ ହଜାର ୯୫୫ ଟଙ୍କା ଆଦାୟ କରିଛଣ୍ତି। ରାଜସ୍ୱ ବିଭାଗରେ ୫୮୭୭ ଟି ମାମଲାର ଫଇସଲା କରାଯାଇ ୯ ଲକ୍ଷ ୩୨ ହଜାର ୫୩୬ ଟଙ୍କା ଆଦାୟ କରାଯାଇଛି।
ସମ୍ବଲପୁର ଠାରେ ଅନୁଷ୍ଠିତଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲା ଜଜ ତଥା ଆଇନ ସେବା ପ୍ରାଧିକରଣ ସମ୍ବଲପୁର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଦ୍ୱିତୀୟ ଏସଏସିଟି ବିଚାରପତି ଲୋକନାଥ ମହାପାତ୍ର, ବିଚାରପତି ପରିବାର ଅଦାଲତ ସମ୍ବଲପୁର ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ମୋଟର ଜନିତ ଦୁର୍ଘଟଣା, ପରିବାର ସମ୍ପର୍କିୟ ମୋକଦ୍ଦମା ଗୁଡିକର ସମାଧାନ କରିଥିଲେ। ସେହିଭଳି ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମୋକଦ୍ଦମା ଗୁଡିକର ଫଇସରଲା କରାଯାଇଛି। ତାଲୁକସ୍ତରରେ କୁଚିଣ୍ଡା ଠାରେ ଅତିରିକ୍ତ ଜିଲା ଜଜ ରାଜ କିଶୋର ଲେଙ୍କା ଏବଂ ରେଢ଼ଖୋଲ ସ୍ତରରେ ଅତିରିକ୍ତ ଜିଲା ଜଜ ଦୀପ୍ତି ପ୍ରକାଶ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଛି। ଜିଲା ଆଇନ ସେବା ପ୍ରାଧିକରଣ ସମ୍ବଲପୁରର ସଚିବ ସୌମ୍ୟା ପ୍ରଧାନ, ରେଜିଷ୍ଟାର ସିଭିଲ କୋର୍ଟ ସମ୍ବଲପୁର ଶୋଭେନ କାନୁନଗୋଙ୍କ ଦ୍ୱାରା ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ପରିଚାଳନା କରାଯାଇଥିଲା।
Comments are closed.