ଜୀବନର ଜୟଯାତ୍ରାରେ କୃତ୍ରିମ ବସ୍ତୁର ସମ୍ପର୍କ
ଆଜିର ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଚହଳ ପକାଇଥିବା ଦୁଇଟି ଶବ୍ଦ ହେଉଛି – କୃତ୍ରିମ ମାନବୀୟ ବୁଦ୍ଧିମତ୍ତା ଏବଂ ବସ୍ତୁ ବୁଦ୍ଧିମତ୍ତା (ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍)। ଯଦିଓ ଦୁଇଟି କ୍ଷେତ୍ର ସଂପୂର୍ଣ୍ଣ ଭିନ୍ନ, ଅନେକ ସମୟରେ ଅଜ୍ଞାନତାବଶତଃ, ସାଧାରଣରେ ଏହି ଦୁଇଟିକୁ ପ୍ରତିଶବ୍ଦ ବ୍ୟବହାର କରାଯାଇଥାଏ। ଇଣ୍ଟରନେଟ୍ ମାଧ୍ୟମରେ ମଣିଷ ପରସ୍ପର ମଧ୍ୟରେ ସଂପର୍କ ସ୍ଥାପନ କରିବାକୁ ସକ୍ଷମ ହେଲା; କିନ୍ତୁ ପର ମୁହୂର୍ତ୍ତରେ ସେ ଅନୁଭବ କଲା – ଏତିକି ଯଥେଷ୍ଟ ନୁହେଁ। ତା’ର ନିତ୍ୟ ବ୍ୟବହୃତ ସମସ୍ତ ବସ୍ତୁ ଯଥା: ଫ୍ରିଜ୍, ଚଷମା, ଦାନ୍ତଘଷା ବ୍ରଶ୍, ଟିଭି, ମୋଟର ସାଇକଲ, କାର୍ ଆଦି ସମସ୍ତଙ୍କ ସହିତ ସଂପର୍କ ରଖିବା ପାଇଁ ପ୍ରୟାସ କଲା ଏବଂ ତାହା ବସ୍ତୁ ବୁଦ୍ଧିମତା (ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ) ମାଧ୍ୟମରେ ସେଥିରେ ସଫଳ ହେଲା। ବସ୍ତୁ – ବସ୍ତୁ ମଧ୍ୟରେ ଏବଂ ବସ୍ତୁ -ମଣିଷ ମଧ୍ୟରେ ଏହା ସଂପର୍କର ସେତୁ। ପ୍ରକାରାନ୍ତରେ, ଏହି ପ୍ରକ୍ରିୟାରେ ବ୍ୟକ୍ତି ଏବଂ ବସ୍ତୁ ପରସ୍ପର ମଧ୍ୟରେ ନିରନ୍ତର ଭାବର ଆଦାନ ପ୍ରଦାନ କରି ପାରିଲେ। ବସ୍ତୁ ଆଉ ନିର୍ଜୀବ ହୋଇ ରହିଲା ନାହିଁ। ଗୋଟିଏ ଚିପ୍ସ୍ ବା ସେନ୍ସର ସାହାଯ୍ୟରେ ବସ୍ତୁ ମଧ୍ୟରେ ଅଫୁରନ୍ତ ପ୍ରାଣଶକ୍ତିର ପ୍ରାଚୁର୍ଯ୍ୟ ଭରିଗଲା। ସଂପର୍କ ଯୋଡି ହୋଇଗଲା। ଏହି ସଂପର୍କର ନାମ ହେଉଛି ବସ୍ତୁ ବୁଦ୍ଧିମତା (ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍)।
କେତୋଟି ଦୃଷ୍ଟାନ୍ତ ନେବା। ମଧୁମେହ ରୋଗୀଙ୍କର ରକ୍ତରେ ଶର୍କରା ସ୍ତର ମାପିବା ପାଇଁ ସାଧାରଣତଃ ଆଙ୍ଗୁଳି ଟିପରୁ ରକ୍ତ ନମୁନା ସଂଗ୍ରହ କରାଯାଏ। ଏଥି ନିମନ୍ତେ ବହୁ ରୋଗୀ କୁଣ୍ଠା ପ୍ରକାଶ କରୁଥିବାରୁ ସେମାନଙ୍କର ନିୟମିତ ପରୀକ୍ଷା ହୋଇପାରେ ନାହିଁ। ଏହି ଅସୁବିଧା ଦୂର କରିବା ପାଇଁ ବସ୍ତୁ ବୁଦ୍ଧିମତା (ଆଇଓଟି) ଆଧାରିତ ଉପକରଣର ପ୍ରଚଳନ ଆରମ୍ଭ ହୋଇଛି। ଏବେ ସ୍ମାର୍ଟ ଫୋନ କିମ୍ବା ପିନ୍ଧି ପାରୁଥିବା ସେହିଭଳି ସ୍ମାର୍ଟ ଉପକରଣ ରୋଗୀର ଶର୍କରା ସ୍ତର ପଢ଼ି ସେହି ତଥ୍ୟ ମୋବାଇଲ ଆପ୍ରେ ପରିବାର ସଦସ୍ୟ ଏବଂ ଡାକ୍ତରଙ୍କ ପାଖକୁ ପଠାଇ ପାରୁଛି। ‘ଅପରେସନ ଆଶା’ ନାମକ ଏକ ସଂସ୍ଥା ଆମ ଦେଶର ବିଭିନ୍ନ ରାଜ୍ୟରେ ଟିବି ଆକ୍ରାନ୍ତ ରୋଗୀଙ୍କ ସେବାରେ କାର୍ଯ୍ୟ କରୁଛି। ୨୦୧୦ ମସିହାରେ ଏହି ସଂସ୍ଥା ମାଇକ୍ରୋସଫ୍ଟ ରିସର୍ଚ୍ଚ ସହିତ ସଂଶ୍ଳିଷ୍ଟ ହେବା ପରେ କାର୍ଯ୍ୟ ପ୍ରଣାଳୀ ସହଜ ହୋଇଗଲା। ପ୍ରତ୍ୟେକ ରୋଗୀ ମୁଖ୍ୟ ସର୍ଭର ସହିତ ସଂଯୁକ୍ତ ହେବା ପରେ ସ୍ୱାସ୍ଥ୍ୟ କର୍ମୀ, ସ୍ମାର୍ଟ ଫୋନ୍ ସହାୟତାରେ ରୋଗୀ କେଉଁ ସ୍ଥାନରେ ଅଛନ୍ତି ଜାଣିପାରିଲେ, ରୋଗର ଉପଶମ ତଥ୍ୟ ସଂଗ୍ରହ କରିପାରିଲେ, ପରବର୍ତ୍ତୀ ସ୍ଥିତି ସଂପର୍କରେ ଅବଗତ ହେଲେ। ଡାକ୍ତର ମଧ୍ୟ ଏ ସବୁ ନିରୀକ୍ଷଣ କରିବା ପାଇଁ ସକ୍ଷମ ହେଲେ। ରୋଗୀଙ୍କର ଶିକ୍ଷା ଏବଂ ଆର୍ଥିକ ସ୍ଥିତି ସହିତ ଚିକିତ୍ସାର କୌଣସି ସଂପର୍କ ରହିଲା ନାହିଁ।
ଆମ ବ୍ୟକ୍ତିଗତ ଜୀବନର ଦୁଇଟି ଦୃଷ୍ଟାନ୍ତ ନେବା। ଜଣେ ବ୍ୟକ୍ତି ଅଫିସ୍ ଯିବାକୁ ପ୍ରସ୍ତୁତ ହେବା ପାଇଁ ସବୁଦିନ ସକାଳ ୭ଟାରେ ବିଛଣାରୁ ଉଠନ୍ତି। ଏଥି ନିମନ୍ତେ ନିୟମିତ ଭାବେ ଆଲାର୍ମ ଘଣ୍ଟାର ସହାୟତା ନିଅନ୍ତିି। ଗୋଟିଏ ଦିନ ବ୍ୟତିକ୍ରମ ଘଟିଲା। ସେ ବ୍ୟକ୍ତି ଯେଉଁ ଟ୍ରେନରେ ଅଫିସ ଯାଆନ୍ତି, ସେଦିନ ତାହା ବାତିଲ ହୋଇଯାଇଛି। ସକାଳୁ ବର୍ଷା ଲାଗି ରହିଛି। ଏଥି ନିମନ୍ତେ ସେ କାର୍ରେ ଅଫିସ ଯିବେ ଏବଂ ବର୍ଷା ପାଇଁ ଧୀର ଗତିରେ କାର ଚଳେଇବାକୁ ପଡିବ। ଆଲାର୍ମ ଘଣ୍ଟାଟି ଆଇଓଟି ସଂଯୁକ୍ତ/ସକ୍ଷମ ହୋଇଥିବାରୁ, ଟ୍ରେନ ବାତିଲ ହୋଇଛି ବୋଲି ଜାଣି ପାରିଲା। ବର୍ଷା ଯୋଗୁଁ ଡ୍ରାଇଭିଂରେ କେତେ ଅଧିକ ସମୟ ଅଧିକ ଲାଗିବ, ତାହା ଆକଳନ କରି ସେହି ଅନୁସାରେ ବ୍ୟକ୍ତିଙ୍କୁ ବିଛଣାରୁ ଉଠାଇଲା। ଆର୍ଲାମ ଘଣ୍ଟାଟି ସୁପର ସ୍ମାର୍ଟ ଥିବାରୁ, ଆଇଓଟି ସଂଯୁକ୍ତ କଫି ମେକରକୁ ମଧ୍ୟ ସେହି ଅନୁସାରେ କଫି ପ୍ରସ୍ତୁତ କରିବା ପାଇଁ ସତର୍କ କରିଦେଲା। ଧରି ନିଆଯାଉ, ସେହି ବ୍ୟକ୍ତି ବସ୍ତୁ ବୁଦ୍ଧିମତ୍ତା (ଆଇଓଟି) ସଂଯୁକ୍ତ କାରରେ ଅଫିସରୁ ଘରକୁ ଫେରୁଥିବାବେଳେ କାର୍ର କୌଣସି ଏକ ଯନ୍ତ୍ରାଂଶ ଖରାପ ହୋଇଯାଇଛି, ଯାହା ତାଙ୍କ ନଜରକୁ ଆସି ପାରିନାହିଁ। କିନ୍ତୁ କାର୍ରେ ଥିବା ‘ଡାଏଗ୍ନୋଷ୍ଟିକ୍ ବସ୍’ ନାମକ ଏକ ଉପକରଣ, ସେନ୍ସର ମାଧ୍ୟମରେ ତାହା ଜାଣିପାରି କାର୍ରେ ଥିବା ପ୍ରମୁଖ ତଥ୍ୟକେନ୍ଦ୍ରକୁ ଖବର ପଠାଇ ଦେଇଛି। ତଥ୍ୟକେନ୍ଦ୍ର ତୁରନ୍ତ ତାହା ନିର୍ମାତାଙ୍କୁ ଜଣାଇ ଦେଇଛି ଏବଂ ନିର୍ମାତା, ନିକଟବର୍ତ୍ତୀ ଡିଲରଙ୍କ ସହିତ ଯୋଗାଯୋଗ କରି କାର୍ର ସେହି ଯନ୍ତ୍ରାଂଶ ବଦଳାଇବା ନିମନ୍ତେ ତାରିଖ ସ୍ଥିର କରି ସେହି ବ୍ୟକ୍ତିଙ୍କୁ ଜଣାଇ ଦେଇଛନ୍ତି। କେତୋଟି ମୁହୂର୍ତ୍ତରେ ସବୁ କିଛି ଘଟିଯାଇଛି। ଖରାପ ଯନ୍ତ୍ରାଂଶ ଦ୍ୱାରା ଅନାଗତ ଅଘଟଣକୁ ଏଡାଇ ଦିଆଯାଇଛି। ଏହା ହିଁ ହେଉଛି ବସ୍ତୁ ବୁଦ୍ଧିମତ୍ତାର (ଆଇଓଟି) କମାଲ।
ବସ୍ତୁ ବୁଦ୍ଧିମତ୍ତାରେ (ଆଇଓଟି) ଅପରିମିତ ସଂଖ୍ୟାର ବସ୍ତୁ ଓ ଉପକରଣ ଅନ୍ତର୍ଭୁକ୍ତ କରାଯାଇପାରେ – ଯେପରିକି ସ୍ମାର୍ଟ ମାଇକ୍ରୋୱେଭ୍, ଯାହା ଆମର ଖାଦ୍ୟ ସ୍ୱୟଂ ରାନ୍ଧିପାରେ; ସ୍ୱୟଂଚାଳିତ କାର୍, ଯାହା ଜଟିଳ ସେନ୍ସର ସହାୟତାରେ ରାସ୍ତାରେ ଥିବା ବସ୍ତୁକୁ ଚିହ୍ନଟ କରିପାରେ ଏବଂ ପରିଧାନଯୋଗ୍ୟ ଫିଟନେସ୍ ଉପକରଣ; ଯାହା ଆମର ହୃଦ୍ସ୍ପନ୍ଦନ ମାପିବା ସହିତ ବ୍ୟାୟାମ ନିମନ୍ତେ ପରାମର୍ଶ ଦେଇଥାଏ। ଏ ତାଲିକା ଦୀର୍ଘ। ୨୦୨୩ ମସିହା ଶେଷ ସୁଦ୍ଧା ବସ୍ତୁ ବୁଦ୍ଧିମତ୍ତା (ଆଇଓଟି)ର ମାର୍କେଟ ପ୍ରାୟ ୨୦୦ ବିଲିୟନ ଡଲାର ଛୁଇଁବ ବୋଲି ଆଶା କରାଯାଏ ଏବଂ ସେହି ହାରରେ ୨୦୨୮ ମସିହା ସୁଦ୍ଧା ଏହା ୩୦୦ ବିଲିୟନ ଡଲାର ଅତିକ୍ରମ କରିଯିବ। ୨୦୨୩ ମସିହା ସୁଦ୍ଧା ବସ୍ତୁ ବୁଦ୍ଧିମତ୍ତା (ଆଇଓଟି) ସଂଯୁକ୍ତ ବସ୍ତୁ/ଉପକରଣ ସଂଖ୍ୟା ୧୫ ବିଲିୟନ ଅତିକ୍ରମ କରିବ, ଯାହା ବିଶ୍ୱ ଜନସଂଖ୍ୟାର ଦୁଇଗୁଣ ଏବଂ ମାତ୍ର ୭ ବର୍ଷ ପରେ, ୨୦୩୦ ମସିହାରେ ଏହି ସଂଖ୍ୟା ୩୦ ବିଲିୟନ ଛୁଇଁବା ଆକଳନ କରାଯାଉଛି। ଏହିଥିରୁ ବସ୍ତୁ ବୁଦ୍ଧିମତ୍ତା (ଆଇଓଟି)ର ଚମତ୍କାରିତା ଅନୁମାନ କରାଯାଇପାରେ।
କୃତ୍ରିମ ବୁଦ୍ଧିମତ୍ତା ସଂପର୍କରେ ଏଠାରେ ଏତିକି କହିଲେ ଯଥେଷ୍ଟ ହେବ – ଏହା ଏପରି ଏକ ଶକ୍ତିଶାଳୀ ସାଧନ ଯାହା ମେସିନକୁ ମଣିଷ ମସ୍ତିଷ୍କର ବିଲକ୍ଷଣ ଯଥା : ବିଚାରଶକ୍ତି, ସମସ୍ୟା ସମାଧାନର ଉପାୟ ଆଦି ଅନୁକରଣ କରିବା ପାଇଁ ଜ୍ଞାନକୌଶଳ ପ୍ରଦାନ କରିବା ସହିତ ପରିବର୍ତ୍ତିତ ପରିସ୍ଥିତିରେ ସ୍ୱୟଂ ଶିକ୍ଷା ପାଇଁ ଶକ୍ତି ପ୍ରଦାନ କରିଥାଏ। କୃତ୍ରିମ ବୁଦ୍ଧିମତ୍ତା ଏପରି ଏକ ପ୍ରଭାବଶାଳୀ କ୍ଷମତା ଯାହା ମଣିଷ ଭଳି ମେସିନକୁ ନୂତନ ପରିବେଶ, ପରିସ୍ଥିତି ସହିତ ଖାପ ଖୁଆଇ ଚାଲିବା ସହିତ ଅତୀତର ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବା ପାଇଁ ସାମର୍ଥ୍ୟ ପ୍ରଦାନ କରିଥାଏ। କୃତ୍ରିମ ବୁଦ୍ଧିମତ୍ତାର ଜ୍ଞାନକୌଶଳ ଏବଂ ବସ୍ତୁ ବୁଦ୍ଧିମତ୍ତା (ଆଇଓଟି)ର ଭିତ୍ତିଭୂମି – ଏହି ଦୁଇଟିର ସମନ୍ୱୟରେ ଯେଉଁ ନୂତନ କ୍ଷେତ୍ର ସୃଷ୍ଟି ହୋଇଛି, ତାହା କୃତ୍ରିମ ବସ୍ତୁ-ସମ୍ପର୍କ (ଆର୍ଟିଫିସିଆଲ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍) ନାମରେ ଅଭିହିତ। ଏହି କ୍ଷେତ୍ରରେ ଆଇଓଟି ଉପକରଣଗୁଡିକୁ ଡିଜିଟାଲ ସ୍ନାୟୁ ପ୍ରଣାଳୀ ସହିତ ଏବଂ କୃତ୍ରିମ ବୁଦ୍ଧିମତାକୁ ମସ୍ତିଷ୍କ ସହିତ ତୁଳନା କରାଯାଇପାରେ। ବସ୍ତୁ ବୁଦ୍ଧିମତ୍ତା (ଆଇଓଟି) ମାଧ୍ୟମରେ ବ୍ୟାପକ ତଥ୍ୟ ସଂଗ୍ରହ କରାଯାଇ କୃତ୍ରିମ ବୁଦ୍ଧିମତା ସହାୟତାରେ ତାହାର ବିଶ୍ଳେଷଣ କରାଯାଇଥାଏ।
କୃତ୍ରିମ ବୁଦ୍ଧିମତ୍ତା ଏବଂ ବସ୍ତୁ ବୁଦ୍ଧିମତ୍ତା ସମନ୍ୱୟରେ ବର୍ତ୍ତମାନ, ପ୍ରତିରକ୍ଷା, ଶିଳ୍ପ, ବାଣିଜ୍ୟ, ଉତ୍ପାଦନ, ଶିକ୍ଷା, ସ୍ୱାସ୍ଥ୍ୟସେବା ପ୍ରତିଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଟେସଲା କଂପାନୀ ଦ୍ୱରା ନିର୍ମିତ ସ୍ୱୟଂଚାଳିତ କାର୍ ଏବେ ଅଟୋମୋବାଇଲ ଉତ୍ପାଦନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି। ସେନସର, କ୍ୟାମେରା ଏବଂ ଅତ୍ୟାଧୁନିକ ଉପକରଣରେ ସଜ୍ଜିତ ଏହି କାର୍ ସୁରକ୍ଷିତ ଡ୍ରାଇଭିଂ ସହିତ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। କୃଷିକ୍ଷେତ୍ର ଏଥରୁ ବାଦ ପଡିନାହିଁ। ଉପଗ୍ରହ ଆଧାରିତ ଉପକରଣ ସହାୟତାରେ ମୃତ୍ତିକାର ପ୍ରକାର ଭେଦ ଚିହ୍ନଟ କରିବା ସହିତ ଜିପିଏସ୍, ରିମୋଟ ସେନସିଂ ଏବଂ ଡ୍ରୋନ୍ ବ୍ୟବହାର ଫଳରେ ସମୃଦ୍ଧ ରାଷ୍ଟ୍ରମାନଙ୍କରେ ସ୍ମାର୍ଟ କୃଷି ଏକ ଆନ୍ଦୋଳନରେ ପରିଣତ ହୋଇସାରିଛି। ଫସଲର ସ୍ୱାସ୍ଥ୍ୟ, ମୃତ୍ତିକାର ଉନ୍ନତି, ପାଣିପାଗର ପୂର୍ବାନୁମାନ, ରୋଗ ଚିହ୍ନଟ ଆଦି ପାଇଁ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇ ବିଭିନ୍ନ ଫସଲ ଗଛର ଆନୁବଂଶିକ ଗଠନ ନିର୍ଦ୍ଧାରଣ କରିବା ସହଜ ହୋଇଯାଇଛି; କିନ୍ତୁ ଦୁର୍ଭାଗ୍ୟ ଆମ ଦେଶରେ ଏହା କେବଳ ପରୀକ୍ଷାଗାରରେ ସୀମିତ ରହିଛି। ସ୍ମାର୍ଟ ସହରରେ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ କୃତ୍ରିମ ବସ୍ତୁ-ସମ୍ପର୍କ (ଆର୍ଟିଫିସିଆଲ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍)ର ବ୍ୟାପକ ବ୍ୟବହାର କରାଯାଉଛି। ଅତ୍ୟାଧୁନିକ ଉପକରଣ ସହାୟତାରେ ଦୁର୍ଘଟଣା ଏଡାଇବା ସହିତ ଭିଡ ନିୟନ୍ତ୍ରଣ ଏବଂ ସ୍ମାର୍ଟ ଡ୍ରୋନ୍ ସହାୟତାରେ ଚାରିଆଡେ ତୀକ୍ଷ୍ଣ ନଜର ରଖିହେଉଛି।
ଶିଳ୍ପ, ବାଣିଜ୍ୟ ଓ କାରଖାନା କ୍ଷେତ୍ରରେ ‘କୃତ୍ରିମ ବସ୍ତୁ-ସମ୍ପର୍କ’ (ଆର୍ଟିଫିସିଆଲ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍)ର ବ୍ୟାପକ ବ୍ୟବହାର ଅନେକ ସମସ୍ୟା ସମାଧାନରେ ସହାୟକ ହୋଇ ପାରିଛି। କାରଖାନାରେ ରୋବୋର୍ଟର ବ୍ୟବହାର ଏହାର ସମୁଳ ଦୃଷ୍ଟାନ୍ତ। ରିଟେଲ ମାର୍କେଟିଂରେ ବିଭିନ୍ନ ଗ୍ରାହକଙ୍କର ମନ ପସନ୍ଦ ବସ୍ତୁ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହରେ ଏହା ବହୁ ସାହାଯ୍ୟ କରୁଛି। ‘ଆମାଜନ ଗୋ’ ରିଟେଲିଂ ଷ୍ଟୋର ଏହାର ସଦ୍ୟତମ ନମୁନା। ଏହି ଦୋକାନରେ ସହାୟତା ନିମନ୍ତେ କିମ୍ବା ବିଲ୍ କାଟି ଟଙ୍କା ରଖିବା ନିମନ୍ତେ କୌଣସି କର୍ମଚାରୀ ନଥାନ୍ତି। ପ୍ରବେଶ ଦ୍ୱାରରେ ସ୍ମାର୍ଟ ଫୋନ୍ ସହାୟତାରେ ଗ୍ରାହକଙ୍କୁ ଚିହ୍ନଟ କରିହୁଏ ଏବଂ ସେ ଯାହା କିଣନ୍ତି, ତାହା କ୍ୟାମେରା ଓ ସେନ୍ସର ମାଧ୍ୟମରେ ରେକର୍ଡ କରାଯାଏ। ପ୍ରସ୍ଥାନ ଦ୍ୱାରରେ ସମସ୍ତ ବସ୍ତୁର ମୂଲ୍ୟ ଗ୍ରାହକଙ୍କ ଆକାଉଣ୍ଟରୁ ଆପଣାଛାଏଁ କଟିଯାଏ; ଯେମିତି ଟୋଲ୍ ଗେଟ ଦେଇ କୌଣସି ଗାଡ଼ି ଗଲାବେଳେ ଫାଷ୍ଟଟାଗ୍ ସହାୟତାରେ ଟଙ୍କା କଟିଯାଏ, ସେହିଭଳି। ଏହି ଦୁଇଟି ଜ୍ଞାନକୌଶଳ ଆମ ଭବିଷ୍ୟତ ଜୀବନକୁ ଆହୁରି ସୁନ୍ଦର କରି ଗଢ଼ିତୋଳିବ, ଏଥିରେ ସନ୍ଦେହ ନାହିଁ।
ଅଭୟ ଦ୍ବିବେଦୀ
ଭଦ୍ରାଣୀ, ସାଳନ୍ଦୀ ନଗର, ଭଦ୍ରକ
ଦୂରଭାଷ:୯୪୩୭୧୯୧୩୫୦
Comments are closed.