ରାଜନୀତିର ସ୍ବାର୍ଥ ଭୁଲି ଚୀନ୍‌ ସଙ୍ଗେ ସୁସମ୍ପର୍କ ଆଚରଣୀୟ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅନ୍ତରାଳରେ ବେଶ୍‌ କିଛିଦିନ ଧରି ବିଶ୍ବର ରାଜନୀତିରେ ଚୀନ୍‌, ଆମେରିକା ଏବଂ ଭାରତକୁ ନେଇ କିଛି ଦୃଷ୍ଟି ଆକର୍ଷଣକାରୀ ବିଷୟ ଭବିଷ୍ୟତ ଦୃଷ୍ଟିରୁ ବିଶେଷ ଭାବରେ ପ୍ରାସଙ୍ଗିକ ହୋଇପଡ଼ିଛି। ପ୍ରଥମରୁ କହି ରଖିବା ପ୍ରୟୋଜନ ଯେ, ଏହି ବିଶ୍ବରେ ସହଯୋଗିତା, ସହମର୍ମିତା ଏବଂ ଅନାକ୍ରମଣାତ୍ମକ ବୈଦେଶିକ ନୀତି ଛଡ଼ା କୌଣସି ଉପାୟ ନାହିଁ। ଦୁର୍ଭାଗ୍ୟକ୍ରମେ, ବହୁ ଶିକ୍ଷିତ କ୍ଷମତାଶାଳୀ ମନୁଷ୍ୟ ଏଇଟା ବୁଝିପାରନ୍ତି ନାହିଁ ବା ବୁଝିବାକୁ ଚାହାନ୍ତି ନାହିଁ। ବିଶେଷକରି ଭାରତ ଓ ଚୀନ୍ ମଧ୍ୟରେ ଯେ କୌଣସି ଧରଣର ସଂଘାତ ଭାରତୀୟ ଅର୍ଥନୀତି ପକ୍ଷରେ ଏବଂ ଚୀନ୍‌ର ଆନ୍ତର୍ଜାତିକ ଭାବମୂର୍ତ୍ତି ପାଇଁ କାମ୍ୟ ନୁହେଁ। ଚୀନ ଯେଉଁଥିରେ ଏକଘରକିଆ ହୋଇ ନପଡ଼େ, ସେଥିପାଇଁ ମଧ୍ୟ ଭାରତ ସଙ୍ଗରେ ହାତ ମିଳାଇବା ଭୀଷଣ ଭାବରେ ପ୍ରୟୋଜନ। ସାମଗ୍ରିକ ଅର୍ଥନୀତିର ନିରୀକ୍ଷଣ ଦୃଷ୍ଟିରୁ ପୃଥିବୀର ଦୁଇଟି ବୃହତ୍ତମ ଏବଂ ବଳଶାଳୀ ରାଷ୍ଟ୍ର ନିଜନିଜ ମଧ୍ୟରେ ବୁଝାମଣା କରି ଅନେକଟା ଅଗ୍ରସର ହୋଇପାରିବେ। ଆମେରିକା ବିଷୟରେ ଏହି ଦୁଇ ଦେଶର ଅବସ୍ଥାନ ଯାହା ହେଉ ନା କାହିଁିକି, ଭାରତ-ଚୀନ୍‌ର ଦ୍ବିପାକ୍ଷିକ ସମ୍ପର୍କରେ ତାହାର ପ୍ରଭାବ ପଡ଼ିବା ଅନୁଚିତ।
ଦ୍ବିତୀୟ କାରଣଟି ବିଶେଷ ଭାବରେ ପ୍ରଣିଧାନଯୋଗ୍ୟ। ସଂପ୍ରତି ଚୀନ୍‌ର ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତର ବାଣିଜ୍ୟ ଓ ଅନ୍ୟାନ୍ୟ ଧରଣର ସହଯୋଗିତାମୂଳକ ଗୋଷ୍ଠୀ ‘କୋୟାଡ଼’ ଆସିଲେ ଚୀନ୍‌କୁ ଏସିଆରେ ପତିତ ଦଳିତ କରିବାର ଚେଷ୍ଟା। ଏହି ମୁହୂର୍ତ୍ତରେ ଚୀନ୍‌ ଏବଂ ଆମେରିକାର କୂଟନୈତିକ ସମ୍ପର୍କର ଅବସ୍ଥା ଟ୍ରମ୍ପ ଜମାନାଠାରୁ ମଧ୍ୟ ଖରାପ ଅବସ୍ଥାରେ। ଚୀନ ଉପରେ ଅତିରିକ୍ତ ଆମଦାନୀ ଶୁଳ୍‌କ ଚାପି ଦିଆଯିବାର ନୀତିକୁ ଶହଶହ ମାଇଲ୍‌ ପଛକୁ ଠେଲି ଦେଇ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଚୀନ୍‌ର ରୁଷିଆର ପକ୍ଷ ନେଇ ପ୍ରତ୍ୟକ୍ଷର ସାହାଯ୍ୟ କରିବାର ବ୍ୟାପାରଟିକୁ ଏବେ ଅନେକ ବେଶୀ ଗୁରୁତ୍ବ ପ୍ରଦାନ କରାଯାଉଛି। ବିଶେଷ କରି ଆମେରିକାର ପ୍ରଯୁକ୍ତି ନିର୍ଭର ବିଶେଷ ପ୍ରୟୋଜନୀୟ ଉପାଦାନ ଯାହାଦ୍ବାରା ଚୀନ ଆମଦାନୀ କରି ନ ପାରିବ। ତା’ର ବ୍ୟବସ୍ଥା କରାହୋଇଛି। ତା’ ସଙ୍ଗେସଙ୍ଗେ ପ୍ରଯୁକ୍ତିହରଣ ଏବଂ କୋଭିଡ୍‌ ସମ୍ପର୍କିତ ସମାଲୋଚନା ମଧ୍ୟ ଅଛି। ଟିକିଏ ଲକ୍ଷ୍ୟ କଲେ ବୁଝାଯିବ ଯେ, ଏହି ମୁହୂର୍ତ୍ତରେ ଯଦିଓ ବିଶ୍ବ ଅର୍ଥନୀତିର ଅନେକଟା ଟଳମଟଳ ଅବସ୍ଥା, ତଥାପି ଭୂରାଜନୀତି ଭାରତ-ଚୀନ ଅର୍ଥନୈତିକ ସହଯୋଗିତାର ଚେହେରାଟା ଅନେକ ଭାବରେ ଭାବରେ ନିର୍ଦ୍ଧାରଣ କରୁଛି।
କିଛିଦିନ ଆଗରୁ ଭାରତ-ଚୀନ ସୀମାନ୍ତରେ ସଂଘାତ ଓ କୂଟନୈତିକ ସମ୍ପର୍କରେର ଅବନତିର ପରିପ୍ରେକ୍ଷୀରେ ଏହି ଦେଶର ସରକାର ବିଭିନ୍ନ ଆପ୍‌ର କ୍ଷେତ୍ରରେ ଚୀନା ବିନିଯୋଗ ଉପରେ ନିଷେଧାଜ୍ଞାର ଆରୋପ କରିଥିଲା। ଅନ୍ୟ ଦିଗରୁ ଶୁଣାଯାଉଛି, ଚୀନର ଯେଉଁ ସଂସ୍ଥାଟି ଆପଲ ଏବଂ ଆସେମ୍ବଲ୍‌ର ହିସାବରେ କାର୍ଯ୍ୟ କରୁଛି। ଅର୍ଥାତ୍‌ ସ୍ଥାନୀୟ ପ୍ରଯୁକ୍ତି, କଞ୍ଚାମାଲ ଓ ଶ୍ରମର ସଙ୍ଗରେ ଆପଲର ମୂଳ ପ୍ରଯୁକ୍ତି ଓ ଡିଜାଇନ ମିଶାଇ ଦେଇ ଯେଉଁମାନେ ମୂଳ ସଂସ୍ଥାର ପଣ୍ୟ ଉତ୍ପାଦନ କରିଥାଏ, ସେହିପରି ଗୋଟିଏ ସଂସ୍ଥା ସହ ଆଉ ବେଶ୍‌ କେତୋଟି ଚୀନା ସଂସ୍ଥା ଭାରତର ବିଭିନ୍ନ ସଂସ୍ଥା ସହ ମିଶି ଯୌଥ ଉଦ୍ୟୋଗରେ ଶିଳ୍ପ ପ୍ରତିଷ୍ଠାର ଅନୁମତି ପାଇଯାଇଛି। ଅର୍ଥାତ୍‌ ଇନ୍ଦୋ-ଚୀନ ଅର୍ଥନୈତିକ ଯୌଥ ଉଦ୍ୟୋଗକୁ ଦୁଇ ଦେଶ ହିଁ କାମ୍ୟ ବୋଲି ମାନି ନେଇଛି। ଯେପରି ଭାବରେ ୟୁରୋପ, ଆମେରିକା, ଜାପାନ ଇତ୍ୟାଦି ଦେଶଗୁଡ଼ିକ ସଙ୍ଗରେ ଭାରତର ସଂସ୍ଥାସମୂହ ଅର୍ଥନୈତିକ ସୁସମ୍ପର୍କ ବାନ୍ଧି ଆସିଛି ବହୁ ଦିନ ଧରି, ଚୀନ ସେହି ତାଲିକାରେ ଯୁକ୍ତ ହେବାରେ ଚାଲିଛି। ଏହା ସହିତ ମନେ ରଖିବାକୁ ହେବ ଯେ ଚୀନ ଭାରତର ଆନ୍ତର୍ଜାତିକ ବାଣିଜ୍ୟର ଗୋଟିଏ ମହାମୂଲ୍ୟବାନ୍‌ ଅଂଶୀଦାର ଅନେକ ଦିନ ଧରି; କିନ୍ତୁ ପାକିସ୍ତାନ ପ୍ରସଙ୍ଗରେ ଭାରତର ଉତ୍ତରଭାଗ ଦେଇ ପଶ୍ଚିମ ଏସିଆର ପ୍ରବେଶ କରିବାର ଚୀନ ପରିକଳ୍ପନାର ପରିପ୍ରେକ୍ଷୀରେ ଏବଂ ଭାରତର ପ୍ରତ୍ୟନ୍ତ ଉତ୍ତର-ପୂର୍ବର ସୀମାନ୍ତରେ ସେ ଦେଶର ସାମରିକ କାର୍ଯ୍ୟକଳାପ ନେଇ ଭାରତ ଏବଂ ଚୀନ୍‌ର ନୀତିଗତ ସଂଘାତ ମଧ୍ୟ ବହୁଦିନର। ଏହି ଅଞ୍ଚଳର ଭୂରାଜନୀତିକୁ ଚାପିଦେଇ ଆନ୍ତର୍ଜାତିକ ସ୍ତରରେ ଚୀନ-ଆମେରିକାର କୂଟନୈତିକ ସମ୍ପର୍କର ଅଧୋଗତି ଏବଂ ବିଶେଷ ଭାବରେ ରୁଷିଆର ବନ୍ଧୁ ଚୀନ ଏବେ ଆମେରିକାରେ ଶତ୍ରୁର ସାର୍ଟିଫିକେଟ ଲାଭ କରିଛି।
ଭାରତ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏକ ଭାବରେ ଲାଭବାନ୍‌ ହୋଇଛି। ରୁଷିଆଠାରୁ ଆମଦାନୀ କରାଯାଉଥିବା ତୈଳର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରିଦିଆଯିବା ଫଳରେ ଭାରତ ରୁଷିଆଠାରୁ ତେଲ କ୍ରୟ କରିବା ବ୍ୟାପାରରେ ଆମେରିକାର କଥା ବି ଶୁଣିଲେ ମଧ୍ୟ। ଆମେରିକା ଯେହେତୁ ଭାରତକୁ ସଂପୂର୍ଣ୍ଣ ଭାବରେ ଦୋଷୀ ସାବ୍ୟସ୍ତ କରୁନାହିଁ, ତେଣୁ ଭାରତ କମ୍‌ ଦାମ୍‌ରେ ତେଲ କିଣିପାରୁଛି। ଯଦିଓ ବିଶ୍ବରେ ପେଟ୍ରୋଲିୟମର ସାମଗ୍ରିକ ମୂଲ୍ୟବୃଦ୍ଧି ଫଳରେ ପଣ୍ୟମୂଲ୍ୟର ଯେଉଁ ସାମଗ୍ରିକ ସ୍ଫୀତି ଘଟୁଛି, ସେଥିରେ ଭାରତର କିଛିଟା କ୍ଷତି ହୋଇଛି। ତଥାପି ରୁଷିଆ ଅନ୍ୟତ୍ର ପେଟ୍ରୋଲିୟମ ରପ୍ତାନି କରି ନପାରି ଭାରତକୁ ବେଶୀ ତେଲ ପଠାଉଛି ବୋଲି ଶୁଣାଯାଉଛି। ଭାରତ ଏବେ ଦୁଇ ଦିଗରୁ ଚୀନ-ରୁଷିଆ ବିରୋଧୀ ବିଶ୍ବର ନିକଟରେ ମୂଲ୍ୟବାନ। ଗୋଟିଏ ଦିଗରେ ଚୀନକୁ ତ୍ୟାଜ୍ୟ ପ୍ରମାଣ କରିବାର ଅଭିଯାନରେ ଭାରତ ନିଶ୍ଚିତ ହେବ ଉନ୍ନତ ବିଶ୍ବର କାମ୍ୟ। ତାହାର କାରଣ ଗଣତାନ୍ତ୍ରିକ ପରିବେଶରେ କଠୋରପନ୍ଥୀ ଆନ୍ତର୍ଜାତିକ ନୀତି ପ୍ରଣୟନରେ ଦେଶର ଅଭ୍ୟନ୍ତରରେ ଅନେକ ଗୋଷ୍ଠୀ ଏବଂ ରାଜନୈତିକ ଦଳର ମତାମତ ଗୁରୁତ୍ବପୂର୍ଣ୍ଣ ହୋଇପାରେ। ତା’ଛଡ଼ା ଭାରତ ପ୍ରଯୁକ୍ତି ଚୋରି କରି ଗୋପନରେ ଆମେରିକାକୁ ଧକ୍କା ଦେବାର ସ୍ପର୍ଦ୍ଧା ସେପରି ଦେଖାଏ ନାହିଁ ବୋଲି ଆମେରିକାର ବିଶ୍ବାସ।
ଅନ୍ୟ ଦିଗରେ ଦେଖିଲେ, ଯଦି ଭାରତର ପ୍ରୟୋଜନ ହୁଏ, ତା’ହେଲେ ରୁଷିଆଠାରୁ ତେଲ ଆମଦାନୀ କରିବା ବା ରୁଷିଆ ସଙ୍ଗରେ ଦୀର୍ଘକାଳୀନ ସାମରିକ ଚୁକ୍ତିଜାତ ବାଧ୍ୟବାଧକତା ନେଇ ଏବେ ଆଉ ଆମେରିକା ସେପରି କଥାବାର୍ତ୍ତା କରୁନାହିଁ। ଫଳରେ ଆମେରିକାର ସ୍ନେହ ଭଲପାଇବା ଏବଂ ବିପଦରେ ପଡ଼ି ରୁଷିଆ ଆଡ଼କୁ ବନ୍ଧୁତ୍ବର ହାତ ବଢ଼ାଇଦେବା- ଏହି ଦୁଇଟା କାର୍ଯ୍ୟ ଭାରତ କରିପାରୁଛି। ସବୁ କିଛି ଚାପିଦେଇ ଶେଷ କଥାଟା କହିବ ଅର୍ଥନୈତିକ ମୁନାଫା ଏବଂ ସମ୍ପର୍କ। ଚୀନ୍‌ ସମ୍ପର୍କରେ ଅନେକଟା ଆକ୍ରମଣାତ୍ମକ ଏହି ଦେଶର ସରକାର ଯେ ଅସଲ ବ୍ୟବସାୟଟା ଭଲ ଭାବରେ ବୁୁଝିଛି, ସେ କଥାଟା ଅନେକେ ସ୍ବୀକାର କରନ୍ତି। ଯେଉଁଠାରେ ମୁନାଫା, ସେଠାରେ ହିଁ ସରକାର। ତେଣୁ ଯଦି ଆମେରିକାରେ ଜିନିଷପତ୍ର ରପ୍ତାନି କରିବା ବା ଆମେରିକା ପ୍ରଯୁକ୍ତି ପ୍ରସୂତ ବିଭିନ୍ନ ଚୀନା ଶୈଳ୍ପିକ କର୍ମକାଣ୍ଡ ସହିତ ଭାରତ ସଂଯୁକ୍ତ ରହିପାରେ, ତା’ହେଲେ ଭାରତୀୟ ଶିଳ୍ପର ଉପକାର ହେବ। ଏହା ଭାବି ସରକାର ଯୌଥ ଉଦ୍ୟୋଗ ପାଇଁ ଅନୁମତି ଦେଉଛନ୍ତି। ଏହି ନୀତି ଫଳରେ ଦେଶର କେତେ ପରିମାଣରେ ସାମଗ୍ରିକ ଉନ୍ନତି ହେବ, ତାହା ଏବେ ମଧ୍ୟ ସ୍ପଷ୍ଟ ନୁହେଁ। ତେବେ ଦେଶ ଭିତରର କିଛି ସଂସ୍ଥା ଯେ ପେଟ ଫୁଲାଇ ଉଠିଆସିବେ ସେଥିରେ କୌଣସି ସନ୍ଦେହ ନାହିଁ।
ଯଦି ଆମେରିକା ଓ ଚୀନ୍‌ ବନ୍ଧୁତ୍ବର ବନ୍ଧନରେ ଆବଦ୍ଧ ହୁଅନ୍ତେ, ତା’ହେଲେ ଭାରତର କପାଳରେ ଶିକା ଛିଡ଼ିବ ନାହିଁ। ଏତେ ଦିନ ଧରି କୌଣସି ଚୀନା କମ୍ପାନୀ ଆମେରିକାର ପଣ୍ୟ ଉତ୍ପାଦନ କରିବା ପାଇଁ ଏ ଦେଶର ଦ୍ବାରସ୍ଥ ହୋଇନାହାନ୍ତି। ଏବେ କୌଣସି କାରଣରୁ ଆମେରିକା ସଙ୍ଗରେ ଗଣ୍ଡଗୋଳ ହେଲେ ଆମେରିକା ହୁଏତ ଚୀନ୍‌ର ବ୍ୟବସାୟର କ୍ଷତି ଘଟାଇ ନପାରେ। କାରଣ ତା’ହେଲେ ଭାରତର ସମସ୍ୟା ଉପୁଜିବ। ଆଉ ଯଦି ଚୀନକୁ ସମ୍ଭାଳିବାକୁ ଯାଇ ଭାରତକୁ ନେଇ ତାଙ୍କ ଦଳରେ ସାମିଲ କରିବାକୁ ହୁଏ, ତା’ ହେଲେ ଭାରତର ଯୌଥ ଉଦ୍ୟୋଗଗୁଡ଼ିକୁ ବିପଦରେ ପକାଇବାଟା ଆମେରିକା ପକ୍ଷରେ ଠିକ୍‌ ନୀତି ହେବନାହିଁ। ଅର୍ଥାତ୍‌ ଚୀନ୍‌ ପକ୍ଷରେ ଭାରତୀୟ ଯୌଥ ଉଦ୍ୟୋଗ ଏକଧରଣର ବୀମା ପରି। ଏଥିପାଇଁ ଚୀନକୁ ପ୍ରିମିୟମ ଦେବାକୁ ହେଉଛି। କାରଣ ଭୂ-ରାଜନୀତି ସ୍ଥାଣୁ ତଥା ଗତିଶୂନ୍ୟ ଅବସ୍ଥାରେ ସୃଷ୍ଟି ନକଲେ ଚୀନା କମ୍ପାନୀ ଏହା ମଧ୍ୟରେ ଜୀବନ ହରାଇବ ବୋଲି ମନେ ହୁଏ ନାହିଁ। ମନେ ରଖିବାକୁ ହେବ, ଚୀନ୍‌ର ଜାତୀୟ ଆୟରେ ଶିଳ୍ପର ଭାଗ ଐତିହାସିକ ଭାବରେ ଭାରତ ଅପେକ୍ଷା ଅନେକ ବେଶୀ। ତା’ଛଡ଼ା ଜାତୀୟ ଆୟରେ ଚୀନ୍‌ର ବିନିଯୋଗର ଭାଗ ଅନେକଦିନ ଧରି ଗଡ଼ିଗଡ଼ି ପ୍ରତିବର୍ଷରେ ଭାରତ ଅପେକ୍ଷା ଦଶଠାରୁ ପନ୍ଦର ଶତାଂଶ ବେଶୀ। କେବଳ ଶିଳ୍ପର ଅଂଶ ନୁହେଁ, ଚୀନ୍‌ର ବୈଜ୍ଞାନିକ ଓ ପ୍ରଯୁକ୍ତି ସଂକ୍ରାନ୍ତ ଗବେଷଣାର ପରିବେଶର ଅଭୂତପୂର୍ବ ଉନ୍ନୟନ ଫଳରେ ଚୀନର ଭାରତଠାରୁ ସେମିତି କିଛି ପାଇବାର ନାହିଁ। ହୁଏତ ଅନେକଟା ଅର୍ଥନୈତିକ କ୍ଷତି ସ୍ବୀକାର କରି ସେମାନଙ୍କୁ ଉଦ୍ୟୋଗ କରିବାକୁ ହେବ। ଭୂରାଜନୀତି ଏବଂ ଆନ୍ତର୍ଜାତିକ ଭାବମୂର୍ତ୍ତିରେ ଅ​‌େ​‌ଧାଗତି ଅନେକାଂଶରେ ଏଥିପାଇଁ ଦାୟୀ।
ବିଶ୍ବଶାନ୍ତି ପକ୍ଷରେ ଅଗଣତାନ୍ତ୍ରିକ ଚୀନ୍‌ ଓ ଗଣତାନ୍ତ୍ରିକ ଭାରତ ମଧ୍ୟରେ ସୁସମ୍ପର୍କ ନିହାତି ପ୍ରୟୋଜନ; କିନ୍ତୁ ଚୀନ ସଙ୍ଗେ ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କ ସୁଗମ ହେଲେ ତାହା କଥାରେ କଥାରେ ‘ଯୁଦ୍ଧଂ ଦେହି’ ମନୋଭାବ ପକ୍ଷରେ ଅମଙ୍ଗଳର କାରଣ ହୋଇପାରେ। ଆଭ୍ୟନ୍ତରୀଣ ରାଜନୀତିର ସ୍ବାର୍ଥରକ୍ଷା କରିବାକୁ ଯାଇ ସେହି କଥାଟା ଭୁଲିଗଲେ ଚଳିବ ନାହିଁ।

ସୁଧାଂଶୁ ଶେଖର ଭୂୟାଁ
ଭୁବନେଶ୍ବର
ଦୂରଭାଷ: :୯୪୩୮୫୦୪୦୯୩

Comments are closed.