mission shakti banner

ଗଣତନ୍ତ୍ରରେ ପରିବାରବାଦ ବନାମ ବ୍ୟକ୍ତିବାଦ

nua o banner

ଆମର କଥାଟିଏ ରହିଛି, ଯାହା ବାପା ଚଢ଼େ ଘୋଡ଼ା, ତା’ ପୁଅ ଚଢ଼େ ଥୋଡ଼ାଥୋଡ଼ା। ଭାରତୀୟ ରାଜନୈତିକ ପ୍ରେକ୍ଷାପଟରେ ଏଇ କଥାଟି ସତ୍ୟ ପ୍ରମାଣିତ ହୋଇଛି। ଏପରିକି ନାତିମାନେ ବି ଘୋଡ଼ା ଚଢ଼ିବାକୁ ସମର୍ଥ ହେବାରେ କୌଣସ ପ୍ରତିବନ୍ଧକ ନାହିଁ। ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‍. ରାଜଶେଖର ରେଡ୍ଡୀଙ୍କ ପୁଅ ଜଗନ ମୋହନ ରେଡ୍ଡୀ ସମ୍ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଆସୀନ। ଦୀର୍ଘ ସଂଗ୍ରାମ ପରେ ସେ ପଦରେ ବସି ପାରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପିତା ଏମ.କରୁଣାନିଧି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ୫ ଥର ରହିଥିଲେ। ଆନ୍ଧ୍ରପ୍ରଦେଶର ଆଉ ଜଣେ ମୁଖ୍ୟମନ୍ତ୍ରୀ ଏନ.ଟି.ରାମାରାଓଙ୍କ ଜ୍ୱାଇଁ ଏନ.ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୟାନନ୍ଦ ପଟ୍ଟନାୟକ ଦୁଇଥର ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ଉତ୍ତରପ୍ରଦେଶରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂହ ଯାଦବ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ଜାମ୍ମୁ-କାଶ୍ମୀରରେ ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ପିତା ଫାରୁକ ଅବଦୁଲା ଓ ମେହବୁବା ମୁଫତିଙ୍କ ପିତା ମୁଫତି ମହମ୍ମଦ ସୟିଦ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଥିଲେ। ପିତାଙ୍କ ଅନ୍ତେ ପୁଅ, ଝିଅ, ଜ୍ୱାଇଁ ପ୍ରମୁଖ ବଂଶର ରାଜନୈତିକ ପରମ୍ପରାକୁ ଆଗେଇ ନେବାର ଏ ପ୍ରକାର ଆହୁରି ଅନେକ ନଜିର ଭାରତରେ ରହିଛି। କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏଚ.ଡ଼ି.କୁମାରସ୍ୱାମୀଙ୍କ ପିତା ଏଚ.ଡ଼ି.ଦେବେଗୌଡ଼ା ଥିଲେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ। ପିତାଙ୍କ ଅନ୍ତେ ବହୁ ବ୍ୟକ୍ତି ଦେଶରେ ମୁଖ୍ୟମନ୍ତ୍ରୀ ପଦ ହାସଲ କରିଛନ୍ତି। ଏଥିସହ ବିଭିନ୍ନ ଦଳରେ ରାଜନୈତିକ ପରିବାରର ସଦସ୍ୟ ରହିଛନ୍ତି; କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ତାହା ହୋଇପାରି ନାହିଁ। ଏହା କେବଳ ଭାରତୀୟ ଜାତୀୟ କଂଗ୍ରେସ କ୍ଷେତ୍ରରେ ହିଁ ହୋଇଛି। ପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ କନ୍ୟା ଇନ୍ଦିରା ଗାନ୍ଧୀ ହୋଇପାରିଥିଲେ ଦେଶର ପ୍ରଧାନମନ୍ତ୍ରୀ। ପରେ ଇନ୍ଦିରା ଗାନ୍ଧୀଙ୍କ ପୁଅ ରାଜୀବ ଗାନ୍ଧୀ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ। ଭାରତୀୟ ରାଜନେତିକ ଦୃଶ୍ୟପଟରେ ପୁତ୍ର କନ୍ୟାଙ୍କର ରାଜନୈତିକ ଉତ୍‍ଥାନକୁ ବଂଶବାଦ ପରମ୍ପରା ବୋଲି କୁହାଯାଉଛି। ଏହାର ଅର୍ଥ ଯାହା ପିତାମାତା ଡ଼ାକ୍ତର ସେମାନଙ୍କ ସନ୍ତାନସନ୍ତତି ଡ଼ାକ୍ତର ହୋଇପାରିବେ ନାହିଁ। ଯାହା ପିତାମାତା ରାଜନେତା ସେମାନଙ୍କ ସନ୍ତାନ ରାଜନୀତିରେ ରହିପାରିବେ ନାହିଁ। ଏହା ରାଜତନ୍ତ୍ରରେ ଥିବା ବଂଶବାଦ ସହ ସମାନ ବୋଲି କୁହାଯାଉଛି। ରାଜତନ୍ତ୍ରର ଅବସାନ ଘଟିଛି। ଭାରତ ଏବେ ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର। ଯେଉଁ ପରବର୍ତ୍ତୀ ପିଢ଼ି ରାଜନୀତିକୁ ଆସୁଛନ୍ତି ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ କ୍ଷମତା ଆରୋହଣ କରୁଛନ୍ତି ବୋଲି ଆମକୁ ସ୍ୱୀକାର କରିବା ପାଇଁ ପଡ଼ିବ।
ଚଳିତ ବର୍ଷ ସମ୍ବିଧାନ ଦିବସ ଉତ୍ସବ ପାଳନ ଅବସରରେ ସଂସଦର କେନ୍ଦ୍ରୀୟ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନୈତିକ ବଂଶାନୁବାଦ ଦେଶର ଗଣତାନ୍ତ୍ରିକ ସ୍ୱାସ୍ଥ୍ୟ ପାଇଁ ଅହିତକର। ଏହି ମନ୍ତବ୍ୟ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ରାଜତନ୍ତ୍ର ଚାଲିଯିବା ପରେ ରାଜନୈତିକ ବଂଶାନୁବାଦ କହିଲେ କିଛି ନାହିଁ। ଯିଏ ଯୋଗ୍ୟ ସେ କ୍ଷମତା ଅଧିକାର କଲା ବା କ୍ଷମତାସୀନ କରାଗଲା। ୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀ କଂଗ୍ରେସର ବିଭାଜିତ କଂଗ୍ରେସ (ଆର) ଦଳର ନେତୃତ୍ୱ ନେଇଥିଲେ। ପରବର୍ତ୍ତୀ ସମୟରେ ଏହା କଂଗ୍ରେସ (ଆଇ)ରେ ରୂପାନ୍ତରିତ ହୋଇଥିଲା। ଏହା ନିର୍ବାଚନ କମିସନରେ ସମ୍ପ୍ରତି ମୂଳ କଂଗ୍ରେସ ଭାବେ ପରିଗଣିତ ହେଉଛି। କିନ୍ତୁ ସଂକେତ ବଦଳି ଯାଇଛି। ନିଜ ଦକ୍ଷତା ବଳରେ ଇନ୍ଦିରା ଏହା କରିବାରେ ସମର୍ଥ ହୋଇଥିଲେ। ଦେଶର ଯେଉଁ ଉତ୍ତର ପିଢ଼ି ରାଜନୈତିକ କ୍ଷମତାରେ ରହିଛନ୍ତି ସେମାନେ ରାଜନୈତିକ କାର୍ଯ୍ୟକଳାପକୁ ଅତି ନିକଟରୁ ଦେଖିଛନ୍ତି। ନିଜ ପୂର୍ବ ପିଢ଼ିଙ୍କ କାର୍ଯ୍ୟଧାରା ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଚାଲିଚଳଣ ସାମାଜିକ ଦାୟିତ୍ୱବୋଧକୁ ଲକ୍ଷ୍ୟ କରିଛନ୍ତି ବୋଲି ଆମକୁ ଗ୍ରହଣ କରିବାକୁ ପଡ଼ିବ। କାରଣ ସେମାନଙ୍କ ପରିବାର ରାଜନୀତି ସହ ଓତପ୍ରୋତ ଭାବେ ଜଡ଼ିତ ରହିଆସିଛନ୍ତି।
ଗଣତନ୍ତ୍ରର ସ୍ୱାସ୍ଥ୍ୟ କୌଣସି ଦଳ, ବ୍ୟକ୍ତି ବା ପରିବାର ଉପରେ ନ୍ୟସ୍ତ ନୁହେଁ। ଦେଶର ସ୍ୱାଧୀନତା ସଂଗ୍ରାମ କେବଳ କିଛି ଦଳ ବା ବ୍ୟକ୍ତି ଚଳାଇ ନଥିଲେ। ସମଗ୍ର ଦେଶବାସୀ ସ୍ୱାଧୀନତା ସଂଗ୍ରାମର ସ୍ରୋତରେ ଝାସ ଦେଇଥିଲେ। ଏଣୁ ଯେଉଁ ଦେଶବାସୀଙ୍କ ବଳିଦାନରେ ଦେଶ ସ୍ୱାଧୀନତା ଲାଭ କରି ଗଣତନ୍ତ୍ରରେ ପରିଣତ ହେଲା, ସେହିମାନେ ହିଁ ଗଣତନ୍ତ୍ରର ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବାରେ ସମର୍ଥ। ଦେଶ ପାଇଁ ଗଣତନ୍ତ୍ର ଏକ ବିଚାରଧାରା। ପ୍ରତ୍ୟେକ ଦେଶପ୍ରେମୀ ଭାରତୀୟଙ୍କ ରକ୍ତରେ ଏହି ବିଚାରଧାରା ପ୍ରବାହିତ। ଗଣତନ୍ତ୍ରରେ ସଂଖ୍ୟା ଗରିଷ୍ଠ ଦଳ ଶାସନ କରିବାର ସୁଯୋଗ ପାଇଥାଏ; କିନ୍ତୁ ସଂଖ୍ୟାଲଘୁ ଦଳ ଉପେକ୍ଷିତ ହେବାର ବ୍ୟବସ୍ଥା ନାହିଁ। ସଂଖ୍ୟାଲଘୁଙ୍କୁ କହିବାର ଓ ଶୁଣିବାର ସୁଯୋଗ ଦିଆଯିବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଗଣତନ୍ତ୍ରର ସ୍ୱାସ୍ଥ୍ୟ ଅଧିକ ଭଲ ରହିଥାଏ। ବିଗତ କିଛି ବର୍ଷ ହେଲା ଦେଖାଯାଉଛି ସଂଖ୍ୟା ବହୁଳତାର ଚାପରେ ସଂଖ୍ୟାଲଘୁଙ୍କ ସ୍ୱର ଚାପି ହୋଇଯାଉଛି। ଏହାକୁ ରାଜନୈତିକ ଏକଛତ୍ରବାଦ ବୋଲି କୁହାଯାଇପାରେ? ଦେଶରେ ଏକ କୃଷି ବିଲ୍‌ ଅଣାଗଲା। ସଂସଦରେ ଏ ସମ୍ପର୍କରେ ଆବଶ୍ୟକ ଆଲୋଚନା କରାଗଲା ନାହିଁ। ସଂଖ୍ୟାଲଘୁ ସଦସ୍ୟଙ୍କ ମତକୁ ଉପେକ୍ଷା କରାଯାଇ ଏହାକୁ ଆଇନରେ ପରିଣତ କରାଗଲା। ଏହାର ପ୍ରତିବାଦ ଜଣାଇଲେ ଦେଶର ଲକ୍ଷଲକ୍ଷ ଚାଷୀ। ଦୀର୍ଘ ୧ବର୍ଷ ଆନ୍ଦୋଳନ ଚାଲିଲା। ଚାଷୀଙ୍କୁ ସନ୍ତ୍ରାସବାଦୀ, ଆନ୍ଦୋଳନଜୀବୀ ଆଖ୍ୟା ଦିଆଗଲା। ଶେଷକୁ ଏହି ଆଇନ ପ୍ରତ୍ୟାହାର କରାଗଲା; କିନ୍ତୁ ଏହା ଉପରେ ମଧ୍ୟ ସଂସଦରେ ଆବଶ୍ୟକ ଆଲୋଚନା କରାଗଲା ନାହିଁ। ଆଇନ ପ୍ରତ୍ୟାହାର ପାଇଁ ଘୋଷଣା ତାରିଖ ଥିଲା ଗୁରୁ ନାନକ ଦେବଙ୍କ ଜନ୍ମ ତିଥି ବା ଶିଖ୍‍ ସମ୍ପ୍ରଦାୟର ଗୁରୁପର୍ବ ଦିବସ। ଚାଷୀ ଆନ୍ଦୋଳନରେ ଅଧିକ ଶିଖ୍‍ ସମ୍ପ୍ରଦାୟର ଲୋକ ଥିବାରୁ ଧାର୍ମିକ ଭାବନା ଜାଗ୍ରତ ନିମନ୍ତେ ଏହି ଦିବସକୁ ଚିହ୍ନଟ କରାଯାଇଥିବା ମନେ ହୁଏ। ଭାରତର ଗଣତାନ୍ତ୍ରିକ ପରମ୍ପରାରେ ଧର୍ମ ନିରପେକ୍ଷତାର ସ୍ଥାନ ରହିଛି। ବ୍ୟକ୍ତି ଭାବମୂର୍ତ୍ତି ପ୍ରତିଷ୍ଠାର ସ୍ଥାନ ନାହିଁ କି ପରିବାରବାଦର ସ୍ଥିତି ମଧ୍ୟ ନାହିଁ। ଲକ୍ଷଲକ୍ଷ ଚାଷୀଙ୍କ ସଂଗ୍ରାମ ଦ୍ୱାରା ଆଇନ ପ୍ରତ୍ୟାହାର ହୋଇପାରିଲା। କୌଣସି ଦଳ ବା ବ୍ୟକ୍ତି ଦ୍ୱାରା ଏହା ହେଲା ବୋଲି କୁହାଯାଇପାରିବ ନାହିଁ। ଏଥିପାଇଁ ବହୁ ଚାଷୀଙ୍କୁ ପ୍ରାଣବଳି ଦେବାକୁ ପଡ଼ିଲା।
କୋଭିଡ୍‌ ଲହର ପରିପ୍ରେକ୍ଷୀରେ ହଠାତ୍‍ ଦେଶରେ ତାଲାବନ୍ଦୀ ଘୋଷଣା କରାଗଲା। ଲକ୍ଷଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇ ରାଜରାସ୍ତାରେ ପଡ଼ି ପ୍ରାଣ ହରାଇଲେ ତାହା ଦେଶ ବିଭାଜନ ବେଳର ଦୃଶ୍ୟପଟର ଝଲକ ସୃଷ୍ଟି କରୁଥିଲା। ଏହା ସମଗ୍ର ଦେଶର ସମସ୍ୟା। କୋଭିଡ୍‌ ପାଇଁ କ’ଣ ନିଷ୍ପତ୍ତି ନିଆଯିବ ସେ ସମ୍ପର୍କରେ ସଂସଦର ଜରୁରୀକାଳୀନ ଅଧିବେଶନ ଆହୂତ କରାଯାଇ ପାରିଥାନ୍ତା। ସର୍ବଦଳୀୟ ବୈଠକ ଡକାଯାଇ ମତାମତ ଲୋଡ଼ାଯାଇ ପାରିଥାନ୍ତା; କିନ୍ତୁ ତାହା ହେଲା ନାହିଁ। ଅର୍ଥାତ୍‌ ଦେଶରେ ସଂଖ୍ୟାଲଘୁ ଅବସ୍ଥାରେ ଥିବା ବିରୋଧୀ ଦଳ ଭୂମିକାକୁ ଗୌଣ କରିଦିଆଗଲା। ଏକଥା ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାହିଁ।
ଗଣତନ୍ତ୍ରର ସଶକ୍ତୀକରଣ ପାଇଁ ଇତିହାସ ଏକ ଉପାଦାନ ହୋଇପାରେ, ଏହା ଉଦାହରଣ ହୋଇ ନପାରେ। ଇତିହାସ ତତ୍କାଳୀନ ସମୟର, ତତ୍କାଳୀନ ପରିସ୍ଥିତର ଆବଶ୍ୟକତା। ବର୍ତ୍ତମାନର ସମୟ ପାଇଁ ଇତିହାସକୁ ସର୍ବଦା ଟାଣିବା ଅପେକ୍ଷା ଇତିହାସ ସୃଷ୍ଟି କରାଯିବା ଆବଶ୍ୟକ। ନିଜ ସମୟର ପରିସ୍ଥିତିକୁ ଚାହିଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ବିରୋଧରେ ସାମୟିକ ଯୁଦ୍ଧ କରିଥିଲେ, ଯାହା କାରଗିଲ ଯୁଦ୍ଧ ଭାବେ ପରିଗଣିତ। ସାମାଜିକ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଦେଶବାସୀଙ୍କ ପାଇଁ ତାଙ୍କର ଏକ ଅମୂଲ୍ୟ ଉପହାର। ପୋଖରାନ୍‌ଠାରେ ଆଣବିକ ବିସ୍ଫୋରଣ ଘଟାଇ ଆନ୍ତର୍ଜାତିକ ବାସନ୍ଦର ସମ୍ମୁଖୀନ ହୋଇ ମଧ୍ୟ ଏହାର ଦୃଢ଼ ମୁକାବିଲା କରିପାରିଥିଲେ। ଏହାର କାରଣ ଥିଲା ବିରୋଧୀ ଦଳ ଓ ଦେଶବାସୀଙ୍କ ସାଥିରେ ନେଇ ଚାଲିବାରେ ସେ ସମର୍ଥ ଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ରଖିଥିଲେ। ଏହା ସତ୍ତ୍ବେ ପରବର୍ତ୍ତୀ ନିର୍ବାଚନରେ ତାଙ୍କ ନେତୃତ୍ୱ ପରାଜିତ ହୋଇଥିଲା। ଏହାଦ୍ୱାରା ଗଣତନ୍ତ୍ରରେ ଜନତା ଶକ୍ତିଶାଳୀ ପ୍ରମାଣିତ ହୋଇଥିଲା। ପାକିସ୍ତାନ ଏକ ମୃତ ଦେଶ କହିଲେ ଚଳେ। ପାକିସ୍ତାନ ବିଷୟ ବାରମ୍ବାର ଉଚ୍ଚାରଣ କରୁଥିବାବେଳେ ଚୀନ ବିଷୟ ଆମେ ଏତେଟା କାହିଁକି ଉଚ୍ଚାରଣ କରିବାରେ ସମର୍ଥ ନୋହୁଁ। ପରିବାରବାଦ ଓ ବ୍ୟକ୍ତିବାଦ ଊର୍ଦ୍ଧ୍ବକୁ ଯାଇ କାର୍ଯ୍ୟ କରାଯାଇପାରିଲେ ଗଣତନ୍ତ୍ର ସୁଦୃଢ଼ ହେବା ସହ ମୂଲ୍ୟବୋଧ ଅକ୍ଷୁଣ୍ଣ ରହିପାରିବ। ସର୍ବଜନଙ୍କୁ ନ୍ୟୂନ କରି ଗଣତନ୍ତ୍ରକୁ ସଶକ୍ତ କରାଯାଇପାରିବ ନାହିଁ।

ସୌଭାଗ୍ୟ ସୁନ୍ଦରରାୟ
ବରିଷ୍ଠ ସାମ୍ବାଦିକ, କଟକ
ଦୂରଭାଷ:୯୪୩୭୨୨୯୨୩୩

Comments are closed.