ନବରଙ୍ଗପୁର: ୨୦୧୬ ମସିହାରୁ ଚୁକ୍ତି ହୋଇ ମନ୍ଥର ଗତିରେ ଚାଲୁଥିବା ଜୟପୁର- ନବରଙ୍ଗପୁର ରେଳପଥ କାର୍ଯ୍ୟକୁ ତ୍ଵରାନ୍ବିତ କରି ଅତି ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ଦିଗରେ ପଦକ୍ଷେପ ନେବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଲୋକସେବା ଭବନରେ ଭେଟି ନିବେଦନ କରିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି। ଏସମ୍ପର୍କରେ ସେ ମନ୍ତ୍ରୀ ଜେନାଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଚଳିତ ବଜେଟରେ ରାଜ୍ୟ ସରକାର ଜୟପୁର- ନବରଙ୍ଗପୁର ଓ ଜୟପୁର -ମାଲକାନଗିରି ଓ ଅନ୍ୟାନ୍ୟ ରେଳପଥ କାର୍ଯ୍ୟ ପାଇଁ ୬୦୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ବିଧାୟକ ମାଝୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଦୁଇଟି ରେଳ ପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇନାହିଁ । ଫଳରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନବରଙ୍ଗପୁର ଓ ମାଲକାନଗିରି ଦୁଇଟି ଉପାନ୍ତ ଜିଲାବାସୀ ରେଳସେବାରୁ ବଞ୍ଚିତ ହୋଇରହିଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ୨୦୧୬ ରେ ଚୁକ୍ତିନାମା କରିଥିବାବେଳେ ଦୀର୍ଘ ୮ ବର୍ଷ ପରେ ମଧ୍ୟ ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ଏହି ଦୁଇଟି ପଛୁଆ ଜିଲାର ସ୍ୱପ୍ନ ପୂରଣ ହୋଇପାରିନାହିଁ। ତେଣୁ ତୁରନ୍ତ ଜମି ଅଧିଗ୍ରହଣ ହେଲେ ଏହି ଦୁଇଟି ଜିଲାରେ ରେଳ ସଂଯୋଗ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହି ଅବସରରେ ବିଜେପି ଯୁବନେତା ମାନସ ଦାସ ଉପସ୍ଥିତ ରହି ଆଲୋଚନା କରିଥିଲେ।
ଜୟପୁର-ନବରଙ୍ଗପୁର-ମାଲକାନଗିରି ରେଳପଥ ନିର୍ମାଣ: ଜମି ଅଧିଗ୍ରହଣ ତ୍ୱରାନ୍ୱିତ ପାଇଁ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ
Popular Categories



