www.samajalive.in
Monday, December 15, 2025
24.1 C
Bhubaneswar

ଅନୁଶାସନ ସର୍ବାଗ୍ରେ

ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନରଙ୍କ ଉପରେ ହୋଇଥିବା ଅମାନୁଷିକ ଓ ନିନ୍ଦନୀୟ ଆକ୍ରମଣ ଘଟଣାରେ ଅକଳରେ ପଡ଼ିଥିବା ଓଡ଼ିଶା ସରକାରଙ୍କୁ ଲୋକ ଲଜ୍ଜାରୁ ବଞ୍ଚାଇବାକୁ ଶାସକଦଳ ବିଜେପି ଯେଉଁ କସରତ ଚଳାଇଥିଲା ତାହା ସଫଳ ହୋଇଛି। ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଦଳର ଜଣେ ଟାଣୁଆ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ସର୍ବସାଧାରଣରେ ଏକ ବିବୃତି ରଖି ଭୁବନେଶ୍ବରର ଡିସିପି ଅଫିସକୁ ଯାଇ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ସେ ନିଜକୁ ନିର୍ଦୋଷ କହିବା ସହ ରାଜ୍ୟ ଓ ସରକାରଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। ତେବେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି ତଥ୍ୟ ପ୍ରମାଣ ଭିତ୍ତିରେ ତାହା କେତେ ଗ୍ରହଣୀୟ ହେବ ତାହା ତଦନ୍ତ ପ୍ରକ୍ରିୟାରେ ଚୂଡ଼ାନ୍ତ ହେବ। ତେବେ ଶ୍ରୀ ପ୍ରଧାନଙ୍କ ଏହି ‘ଆତ୍ମସମର୍ପଣ’କୁ ନେଇ ବିଜେପିର କର୍ମୀ ଓ ସଦସ୍ୟଙ୍କ ରାସ୍ତାରୋକ ଗ୍ରହଣୀୟ ନୁହେଁ। ଘଟଣାକୁ ଅଧିକ ବିବାଦୀୟ କରିବା ନିଶ୍ଚୟ ନିନ୍ଦନୀୟ।
ଅତିରିକ୍ତ କମିସନରଙ୍କୁ ଶାସକଦଳ ନେତାଙ୍କ ମାଡ଼, ଓଏଏସ୍‌ ଓ ଓଆରଏସ ସଙ୍ଘର ଆନ୍ଦୋଳନ ଏବେ ଏକ ଜାତୀୟ ଖବର ପାଲଟିଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଘଟଣାରେ ସଂପୃକ୍ତ ପାଞ୍ଚଜଣ ପୂର୍ବରୁ ଗିରଫ ହୋଇଛନ୍ତି। ସେମାନଙ୍କ ନାମ​‌େ​‌ର ସଂଗିନ ଦଫା ଲାଗିଛି। ସଙ୍ଘର ଦାବି ଅନୁସାରେ ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ଓଏଏସର ଆନ୍ଦୋଳନର ଅବସାନ ଘଟିଛି। ଶ୍ରୀ ପ୍ରଧାନ ନିଜକୁ ଏହି ଘଟଣାରେ ନିର୍ଦୋଷ କହିବା ସହ ବନ୍ୟା, ବାହୁଡ଼ାଯାତ୍ରା, ସୁନାବେଶ ଓ ଅନ୍ୟାନ୍ୟ ଯେଉଁସବୁ ପ୍ରସଙ୍ଗ ଉତ୍‌ଥାପନ କରି ତଦନ୍ତରେ ସହାୟତ କରିବାକୁ କହୁଛନ୍ତି ତାହା ଠିକ୍‌। ତେବେ ଏଥିପାଇଁ ସେ ଏତେ ଡେରି କଲେ କାହିଁକି? ଘଟଣା ପରେ ଶାସକ ଦଳର ଅଧିକାଂଶ ତୁଙ୍ଗନେତା ଓ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସମର୍ଥନ କରିବା ସହ ସମଗ୍ର ପ୍ରକରଣକୁ ଏକ ରାଜନୀତିକ ରଙ୍ଗଦେଇ ବିଗାଡ଼ିବାକୁ ଚେଷ୍ଟା କରୁଥିଲେ। ତେବେ ବୋଧହୁଏ ଦଳର ହାଇକମାଣ୍ଡଙ୍କ ଚାପ ଏବଂ ଶାସକ ଦଳର ଭାବମୂର୍ତ୍ତି ରକ୍ଷା ଦୃଷ୍ଟିରୁ ପରିସ୍ଥିତିରେ ପଡ଼ି ଶ୍ରୀ ପ୍ରଧାନ ଶେଷରେ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ମନେହୁଏ। ଦଳର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ବୁଧବାର ରାତିରେ ଜଗନ୍ନାଥ ଭେଟିବା ପରେ ଜଣାପଡ଼ୁଥିଲା ଯେ ଘଟଣାର ସମାଧାନ ପାଇଁ ବାଟ ଫିଟୁଛି।
ଶ୍ରୀ ପ୍ରଧାନ ଦୋଷୀ କି ନୁହନ୍ତି ତାହା ଅଭିଯୋଗର ତଦନ୍ତରୁ ସ୍ପଷ୍ଟ ହେବ ଏବଂ ଆଇନ ତା’ ବାଟରେ ଯିବ। ତେବେ ଏହି ଘଟଣାକୁ ଆଉ ଅଧିକ ବଢ଼ାନଯାଉ। ରାଜନୀତିକ ଉଦ୍ଦେଶ୍ୟ ରଖି ମାଡ଼ ଖାଇଥିବା ସଂପୃକ୍ତ ଅଧିକାରୀ ଓ ଆନ୍ଦୋଳନକାରୀ ନେତାଙ୍କୁ ହଇରାଣ ହରକତ କରା ନଯାଉ। ଓଏଏସ ଓ ଓଆରଏସ୍‌ ସଙ୍ଘ ତତ୍କାଳ ଆନ୍ଦୋଳନ ପ୍ରତ୍ୟାହାର କରିବା ସ୍ବାଗତଯୋଗ୍ୟ। ସେମାନେ ତୁରନ୍ତ ନିଜ କାମରେ ଯୋଗ ଦିଅନ୍ତୁ। ତେବେ ଏହାକୁ ଏକ ବିଜୟ ଭାବେ ଚିତ୍ରଣ କରା ନଯାଉ। ଦଳ ଓ ସରକାରର ଭାବମୂର୍ତ୍ତି ରକ୍ଷା କରାଯାଉ। ଦଳୀୟ ଅନୁଶାସନ ସର୍ବାଗ୍ରେ। ଦଳ ଭିତରେ ଗୋଷ୍ଠୀ ରହିବ। ତାହାର ଅର୍ଥ ନୁହେଁ ମୁଖ୍ୟମନ୍ତ୍ରୀ, ସରକାର ଓ ଦଳର ଭାବମୂର୍ତ୍ତିକୁ ନଷ୍ଟ କରିବା ଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ। ଏଭଳି ଅନୁଶାସନହୀନତାକୁ ବିଜେପି ଦୃଢ଼ହସ୍ତରେ ଦମନ କରୁ। ବିଳମ୍ବିତ ହେଲେ ମଧ୍ୟ ଦଳର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories