ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ ହେଉଛି। ଇତି ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଶାସନର ମାତ୍ର ୬ମାସ ବିତିଛି। ଏହି ସମୟ ମଧ୍ୟରେ ତାଙ୍କ ବିରୋଧରେ ଆନ୍ଦୋଳନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗ୍ୟତା, ପାରଦର୍ଶିତା, କାର୍ଯ୍ୟଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ‘ଆମେରିକା ଗ୍ରେଟ୍ ଏଗେନ୍’ ଧ୍ୱନିଦେଇ କ୍ଷମତା ଲାଭ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇତି ମଧ୍ୟରେ ଆମେରିକାକୁ ପୁଣି ବିଖ୍ୟାତ କରିବେ କ’ଣ, ଆମେରିକା ଓ ଏହାର କୋଟି କୋଟି ନାଗରିକଙ୍କ ପାଇଁ ଅନେକ ସମସ୍ୟାର କାରଣ ହୋଇଯାଇଛନ୍ତି। ଖାଲି ସେତିକି ନୁହେଁ; କ୍ଷମତା ଦଖଲର ଅଳ୍ପଦିନ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରାଇବେ, ଗାଜା-ପାଲେଷ୍ଟାଇନ ଯୁଦ୍ଧକୁ ବନ୍ଦ କରିବେ, ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରି ନଥିଲାବେଳେ ନୂଆ ଯୁଦ୍ଧ ଦେଶ-ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି। ଏଥିସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଣିଜ୍ୟିକ ଟିକସ ବଢାଇ ବିଶ୍ୱର ଅନେକ ଦେଶକୁ ଆପଣାର ବଶ୍ୟତା ସ୍ୱୀକାର କରାଇବାରେ ସଫଳ ହୋଇଥିଲାବେଳେ ଅନେକ ଦେଶ ଆମେରିକାର ଏହି ତାରିଫ୍ ଭୟକୁ ଖାତର କରନ୍ତି ନାହିଁ। ଟିକସ ଭୟ ଦେଖାଇ ବିଶ୍ୱ ବାଣିଜ୍ୟକୁ ଏକଚାଟିଆ କରିବାରେ ଓ ଆମେରିକାକୁ ବିଶ୍ୱରେ ପୁଣି ବିଖ୍ୟାତ କରାଇବାର ଯେଉଁ ପ୍ରୟାସ ଟ୍ରମ୍ପ ସାହେବ କରୁଛନ୍ତି, ସେଥିରେ ବିଶ୍ୱରେ ଆର୍ଥିକ ଅସମାନତା ପ୍ରକାଶ ପାଇବା ସହିତ ବିଶ୍ୱ ଅର୍ଥନୀତିରେ ଆଉ ଏକ ମାନ୍ଦାବସ୍ଥା ଆସିବାର ଅଭାସ ମିଳୁଛି। ଆମେରିକାରେ ଘରୋଇ କନ୍ଦଳ, ଟ୍ରମ୍ପଙ୍କ ଆର୍ଥିକ ବିଭ୍ରାଟ ନୀତି, ବିଦେଶ ନୀତିରେ ତାଳମେଳ ନରହିବା ଏବଂ ବିଶ୍ୱରେ ଆମେରିକାକୁ ପୁଣି ବିଖ୍ୟାତ କରିବା ଆଳରେ ଆପଣାକୁ ବିଖ୍ୟାତ କରିବାର ଯେଉଁ ହୀନ ଉଦ୍ୟମ ଡୋନାଲ୍ଡ ଟ୍ରମ୍ପ କରିଚାଲିଛନ୍ତି ତା’ର ପରିଣାମ ଭୟଙ୍କର ହୋଇପାରେ, ସେପରି ପ୍ରତୀୟମାନ ହେଉଛି ଆମେରିକାବାସୀଙ୍କ ଆନ୍ଦୋଳନ ଓ ପ୍ରତିକ୍ରିୟାରୁ।
ଦୀର୍ଘ ତିନି ବର୍ଷ ଧରି ଜାରି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ କରିଥିଲେ। ପ୍ରଥମେ ୟୁକ୍ରେନକୁ ଆମେରିକାର ଅସ୍ତ୍ରଶସ୍ତ୍ର ଯୋଗାଣ ଓ ଆର୍ଥିକ ସହାୟତା ବନ୍ଦ କରିବା, ରୁଷ ସହିତ କଥାହେବା, ରୁଷକୁ ଷାଠିଏ ଦିନର କଣ୍ଟ ଦେବା ପରେ ଯେତେବେଳେ ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେଲା ନାହିଁ ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ୟୁକ୍ରେନକୁ ଆମେରିକାର ଅସ୍ତ୍ରଶସ୍ତ୍ର ଯୋଗାଣ ଓ ଆର୍ଥିକ ସହାୟତା ଦେବାକୁ ଆରମ୍ଭ କରିଦେଇଛନ୍ତି, ଯାହା ଏକ ଦୋମୁହାଁ ନୀତିରେ ପରିଣତ ହୋଇଛି। କୌଣସି ପ୍ରକାରେ ରୁଷକୁ ଆପଣା ପ୍ରଭାବରେ ରଖିବା ଯେତେବେଳେ ଆମେରିକା ପାଇଁ ସମ୍ଭବ ହୋଇପାରି ନାହିଁ ସେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିବା ଛଡା ଅନ୍ୟ ଗତି ନାହିଁ। ଇରାନକୁ ବାର ଦିନର ମହଲତ ଦେଇ ମାତ୍ର ଦୁଇ ଦିନ ପରେ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିବା ଆମେରିକା ପାଇଁ ମହଙ୍ଗା ହୋଇଯାଇଛି। ଆମେରିକା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନା ବନ୍ଦ କରିପାରୁଛି ନା ତା’ ଉପରେ କଟକଣା ଲଗାଇ ପାରୁଛି ନା ତା’ ଉପରେ ପୁଣି ଆକ୍ରମଣ କରିପାରୁଛି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏପରି ବାଚାଳ କାରବାର ସାରା ବିଶ୍ୱରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଯାଇଛି। ଭାରତ-ପାକିସ୍ତାନ ଓ ଇସ୍ରାଏଲ-ଇରାନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଛନ୍ତି ବୋଲି କହୁଛନ୍ତି, ମାତ୍ର ଏହି ଦେଶମାନଙ୍କ ମଧ୍ୟରେ ପାରସ୍ପରିକ ଅବସ୍ଥା କିଛି ଠିକ୍ ନାହିଁ। ଏଣୁ ଯେଉଁ ଅସ୍ତ୍ରବିରତି ହୋଇଛି, କେତେ ଦିନ ବଳବତ୍ତର ରହିବ, ତାହା କହିହେବ ନାହିଁ। ଏହା ପରେ ପୁଣି ଇସ୍ରାଏଲ-ସିରିୟା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା, ଯାହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତି କରାଇଛନ୍ତି। ସେହିପରି ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ବନ୍ଦ କରିବା ନେଇ ଡୋନାଲ୍ଡ ଟ୍ରମ୍ପ ଫତୁଆ ଜାରି କରୁଛନ୍ତି।
ବିଶ୍ୱର ଯେଉଁଠି ବି ଯୁଦ୍ଧ ଓ ଗୃହଯୁଦ୍ଧ ପରିସ୍ଥିତି ଦେଖାଦେଉଛି, ସେଠି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବେଶକରି, ଆର୍ଥିକ କଟକଣାର ଭୟ ଦେଖାଇ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି; କିନ୍ତୁ ଟ୍ରମ୍ପଙ୍କର ଏହି ପ୍ରୟାସକୁ କେହି ଗୁରୁତ୍ୱ ଦେଉନାହାନ୍ତି। ନୋବେଲ ଶାନ୍ତି ପୁରସ୍କାର ଲୋଭର ବଶବର୍ତ୍ତି ହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି କେତେକ ବାଚାଳ କାମ କରୁଛନ୍ତି ଓ ପୂର୍ବ ରାଷ୍ଟ୍ରପତି ବାରାକ୍ ହୁସେନ୍ ଓବାମାଙ୍କ ପରି ନୋେବଲେ ଶାନ୍ତି ସମ୍ମାନ ହାସଲ ପୂର୍ବକ ଆପଣାକୁ ବିଶ୍ୱର ଉଦ୍ଧାରକର୍ତ୍ତା, ଶାନ୍ତିର ଅଗ୍ରଦୂତ ବୋଲାଇବାକୁ ଆଗ୍ରହ ରଖୁଛନ୍ତି। ଗାଜାରେ ଆମେରିକା ସମର୍ଥିତ ନରସଂହାର, ଯେଉଁଥିରେ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଓ ସେଠାରେ ଜୀବନଧାରଣ ଏକପ୍ରକାର ଅସମ୍ଭବ ହୋଇଯାଇଛି, ଏଥିପାଇଁ ଆମେରିକା ପ୍ରମୁଖ ଭାବେ ଦାୟୀ। ଇସ୍ରାଏଲ ମାଧ୍ୟମରେ ଆତଙ୍କବାଦ ଦମନମୂଳକ ନରସଂହାର, ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିବାକୁ ଆମେରିକାର ପ୍ରୟାସ ଚାଲିଛି। ଏସିଆଠୁ ନେଇ ମଧ୍ୟପ୍ରାଚ୍ୟ, ୟୁରୋପ ଆଦିରେ ଆଞ୍ଚଳିକ ଯୁଦ୍ଧର ଯେଉଁ ବାତାବରଣ ରହିଛି, ତାହା ଯେ କେଉଁ ସମୟରେ ବିଶ୍ୱଯୁଦ୍ଧରେ ପରିଣତ ହେବ, ତାହା କେହି କହି ପାରିବେ ନାହିଁ। ଏପରି ସ୍ଥିତିରେ ଆମେରିକାର ଘରୋଇ ସମସ୍ୟା ଯଥେଷ୍ଟ ବଢିଯାଇଛି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର, ପ୍ରଶାସନ ଏହି ସମସ୍ତ ସମସ୍ୟା ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ଆମେରିକାବାସୀ କହିବାକୁ ଆରମ୍ଭ କଲେଣି।
ଚଳିତ ବର୍ଷ ଜୁନ୍ ମାସ ୧୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ କୋଟି କୋଟି ଲୋକ ରାଜରାସ୍ତାକୁ ଆସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନକୁ ‘ନୋ କିଙ୍ଗ୍’ ବୋଲି ନାମକରଣ କରାଯାଇଛି। ‘ନୋ କିଙ୍ଗ୍’ ବା ଆମେରିକାବାସୀଙ୍କ ପାଇଁ କୌଣସି ରାଜାଙ୍କର ଆବଶ୍ୟକତା ନାହିଁ, ସେମାନେ କାହାରିକୁ ରାଜା ଭାବେ ଦେଖିବାକୁ ଚାହାନ୍ତି ନାହିଁ। ଏପରି ଏକ ଆନ୍ଦୋଳନ ପଛରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧୀ, ତାଙ୍କ ରିପବ୍ଲିକାନ୍ ଦଳ ବିରୋଧୀ ଶକ୍ତି ରହିଛି ବୋଲି ସାଧାରଣରେ କୁହାଯାଇ ପାରେ, ମାତ୍ର ‘ନୋ କିଙ୍ଗ୍’ ଆମେରିକାର ସାଧାରଣ ଜନତାଙ୍କ ସ୍ୱର। ଏହି ସ୍ୱର ଯାହା ଆଜି ଆମେରିକାରେ ଶୁଭିଛି ତାହା ଦିନେ ବିଶ୍ୱର ଅନ୍ୟ ଦେଶରେ, ଯେଉଁଠି ଯେଉଁଠି ଏକଛତ୍ରବାଦୀ ଶାସକମାନେ କ୍ଷମତା ଦଖଲକରି ଆପଣାକୁ ରାଜା ଭାବେ ପ୍ରତିଷ୍ଠିତ କରିଛନ୍ତି, ସେଠାରେ ମଧ୍ୟ ‘ନୋ କିଙ୍ଗ୍’ ଆନ୍ଦୋଳନ ଗଢିଉଠିବା ବିଚିତ୍ର କଥା ହେବ ନାହିଁ। ଆମେରିକାର ପ୍ରାୟ ସମସ୍ତ ୫୦ଟି ରାଜ୍ୟର ୨୧୦୦ ସହରରେ ‘ନୋ କିଙ୍ଗ୍’ ଆନ୍ଦୋଳନ ଆରମ୍ଭ ହୋଇଥିଲାବେଳେ, ଆମେରିକା ଅନ୍ତର୍ଗତ ଗୁମା, ଉତ୍ତରମାରିଆନା, ଆଇସଲ୍ୟାଣ୍ଡ, ପୁଟ୍ରୋ ରିକୋ, ଭର୍ଜିନ ଆଇଲ୍ୟାଣ୍ଡ ସମେତ କାନାଡା, ଜାପାନ, ମେକ୍ସିକୋ ଏବଂ ୟୁରୋପର ୨୦ ଟି ଦେଶରେ ଆରମ୍ଭ ହୋଇଥିବା ‘ନୋ କିଙ୍ଗ୍’ ଆନ୍ଦୋଳନରୁ ଏହି ଆଭାସ ମିଳୁଛି ଯେ ବିଶ୍ୱରେ ଭୟର ବାତାବରଣ ଚଳିବ ନାହିଁ, ବିଶ୍ୱରେ ଏକଛତ୍ରବାଦ ଲୋଡା ନାହିଁ, ରାଜତନ୍ତ୍ର ଆବଶ୍ୟକ ନାହିଁ। ଆମେରିକା ଜନତାଙ୍କ ଏହି ଆନ୍ଦୋଳନ ପ୍ରକାରାନ୍ତରେ ଘୋଷଣା କରୁଛି ଯେ “ଆମେ ସ୍ୱେଚ୍ଛାଚାରିତାକୁ ପ୍ରତ୍ୟାଖ୍ୟାନ କରୁ, ଆମେ ଭୟକୁ ପ୍ରତ୍ୟାଖ୍ୟାନ କରୁ, ଆମେ ଅତ୍ୟାଚାରୀମାନଙ୍କୁ ପ୍ରତ୍ୟାଖ୍ୟାନ କରୁ”।
ଟ୍ରଷ୍ଟି, ସର୍ବ ସେବା ସଂଘ, ଅରୁଣୋଦୟ ନଗର, କଟକ-୧୨



