ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ଜାଗ୍ରତ ହୁଏ। ଏଥର ମଧ୍ୟ ସାମୁଦ୍ରିକ ଝଡ଼ ‘ମନ୍ଥା’କୁ ନେଇ ଚିନ୍ତା ଦେଖାଦେଇଛି। ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ମନ୍ଥା ସମ୍ଭବତଃ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ, ତଥାପି ଓଡ଼ିଶାବାସୀ ସତର୍କ। କାରଣ ୧୯୯୯ ମହାବାତ୍ୟାର ଭୟାବହ ସ୍ମୃତି ଆଜି ମଧ୍ୟ ଆମ ମନରୁ ଯାଇନାହିଁ। ସେବେ ୧୦,୦୦୦ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ, ଲକ୍ଷ ଲକ୍ଷ ପରିବାର ବିସ୍ଥାପିତ ହୋଇଥିଲେ ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଉପଯୁକ୍ତ ସତର୍କତା ବ୍ୟବସ୍ଥା ଏବଂ ପ୍ରସ୍ତୁତିର ଅଭାବ ସେହି ବିପର୍ଯ୍ୟୟକୁ ଆହୁରି ଭୟାବହ କରିଦେଇଥିଲା। ବାତ୍ୟା ‘ମନ୍ଥା’ ଆନ୍ଧ୍ର ଉପରେ ମାଡ଼ ହେଉଥିଲେ ମଧ୍ୟ ତାହାର ପ୍ରତ୍ୟକ୍ଷ ପ୍ରଭାବରେ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲା ରହୁଛି। ତେଣୁ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।
ଗତ ୨୬ ବର୍ଷରେ ଓଡ଼ିଶା ଅନେକ ବାତ୍ୟା, ଝଡ଼ତୋଫାନ ଓ ବନ୍ୟାକୁ ସାମ୍ନା କରିଛି। ବିଶ୍ୱ ବ୍ୟାଙ୍କର ଅଧ୍ୟୟନ ଅନୁସାରେ ରାଜ୍ୟରେ ପ୍ରତି ୨ ବର୍ଷରେ ଗୋଟିଏ ସାଧାରଣ ଝଡ଼ବତାସ ହେଉଥିବା ବେଳେ ୪ ବର୍ଷରେ ଥରେ ଘଟୁଛି ବଡ଼ଧରଣର ବାତ୍ୟା; କିନ୍ତୁ ଏ କଥା ନିଶ୍ଚିତ, ପରବର୍ତ୍ତୀ ବାତ୍ୟାଗୁଡ଼ିକରେ ଜୀବନହାନି ଲକ୍ଷଣୀୟ ଭାବେ କମିଛି। ଫାଇଲିନ୍, ହୁଡ଼ହୁଡ଼, ତିତିଲି, ଫଣି, ବୁଲବୁଲ, ଆମ୍ଫାନ୍, ୟାସ୍ – ପ୍ରତ୍ୟେକ ବାତ୍ୟାରେ ସରକାରଙ୍କ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି ପାଇଛି। ଏହା ଏକ ପ୍ରଶଂସନୀୟ ସଫଳତା।
ଏହି ସଫଳତା ପଛରେ ଅଛି ବିଶ୍ୱ ବ୍ୟାଙ୍କ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସହଯୋଗ। ୨୦୦୪ର ସୁନାମି ପରେ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ୨୦୧୦ରେ ଜାତୀୟ ବାତ୍ୟା ବିପଦ ପରିଚାଳନା ପ୍ରାଧିକରଣରେ ପରିଣତ ହୋଇଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ ସମେତ ୧୦ଟି ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ୪୫୦ଟି ବହୁମୁଖୀ ଆଶ୍ରୟ କେନ୍ଦ୍ର ନିର୍ମାଣ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ଆଧୁନିକ ଉପକରଣ ଏବଂ ମାନବ ସମ୍ବଳ ବିକାଶ ସମ୍ଭବ ହୋଇଛି। ପାଣିପାଗ ସୂଚନା ଜିଲାସ୍ତରରେ ଅଟକି ନରହି ଗ୍ରାମ ପର୍ଯ୍ୟନ୍ତ ପହଞ୍ଚୁଛି ଏବଂ ସ୍ଥାନୀୟ ଲୋକଙ୍କ ସକ୍ରିୟ ଯୋଗଦାନ ବିପର୍ଯ୍ୟୟ ପରିଚାଳନାକୁ ସଫଳ କରୁଛି।
ତେବେ ପ୍ରଶ୍ନ ଉଠୁଛି – ଏତେ ସଫଳତା ସତ୍ତ୍ୱେ ଲୋକମାନେ କାହିଁକି ଏବେ ବି ଭୟରେ ଅଛନ୍ତି? କାରଣ ସ୍ପଷ୍ଟ। ବିଗତ ୨୬ ବର୍ଷରେ ମଧ୍ୟ ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ସମସ୍ତଙ୍କ ପାଇଁ ପକ୍କାଘର ଯୋଗାଣ ହୋଇପାରିନି। ପ୍ରତିଥର ବାତ୍ୟା ଆସିଲେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼େ। ବିଦ୍ୟୁତ୍ ଖମ୍ବ ଭାଙ୍ଗିଯାଏ, ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୁଏ, ସରକାରୀ କୋଠାବାଡ଼ିର ଛାତ ଉଡ଼ିଯାଏ, ରେଳ ସେବା ବନ୍ଦ ହୁଏ, ବିମାନବନ୍ଦର ଓ ବନ୍ଦରଗୁଡ଼ିକ କ୍ଷତିଗ୍ରସ୍ତ ହୁଏ। କୋଟି କୋଟି ଟଙ୍କାର ସମ୍ପତ୍ତି ବାରମ୍ବାର ନଷ୍ଟ ହୁଏ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ସମୁଦ୍ର ତଟରେ ଲୁଣା ଜଙ୍ଗଲ ସୃଷ୍ଟି ଓ ବୃକ୍ଷରୋପଣ – ଯାହା ବାତ୍ୟା ପ୍ରତିରୋଧର ସବୁଠୁ ପ୍ରଭାବଶାଳୀ ପ୍ରାକୃତିକ ନିରାପତ୍ତା ବଳୟ – ତାହାକୁ ଅବହେଳା କରାଯାଉଛି। ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ଏଭଳି ବଣ କିପରି ବାତ୍ୟାର ବେଗ କମାଉଛି, ଓଡ଼ିଶା ସେଥିରୁ ଶିକ୍ଷା ନେବା ଦରକାର। ସମୁଦ୍ର ଉପକୂଳରେ ସବୁଜ ବଳୟ ସୃଷ୍ଟି କଲେ ତାହା କେବଳ ବାତ୍ୟାର ଗତିବେଗ କମାଇବ ନାହିଁ, ଲୁଣାପାଣି ପ୍ରବେଶକୁ ମଧ୍ୟ ରୋକିବ ଏବଂ ଜୈବ ବିବିଧତା ରକ୍ଷା କରିବ। ଜୀବନ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସମ୍ପତ୍ତି ରକ୍ଷା ମଧ୍ୟ ସମାନ ଭାବେ ଆବଶ୍ୟକ। ସରକାର ବିପର୍ଯ୍ୟୟ ପରିଚାଳନାରେ ସଫଳ, କିନ୍ତୁ ବିପର୍ଯ୍ୟୟ ପ୍ରତିରୋଧରେ ଏବେ ବି ବହୁତ କିଛି କରିବାକୁ ବାକି ରହିଛି।



