ତଥାଗତଙ୍କର ଅତି ପ୍ରିୟ ଶିଷ୍ୟଥିଲେ ଆନନ୍ଦ। ତାଙ୍କ ପାଖେ ପାଖେ ଛାୟା ସହ କାୟା ପରି ରହୁଥିଲେ। ତାଙ୍କର ବିଶେଷତ୍ବ ଥିଲା ତଥାଗତଙ୍କ ପ୍ରତି ମନ-ବଚନ-କର୍ମରେ ସେ ପୂର୍ଣ୍ଣ ସମର୍ପିତ ଥିଲେ। ମର୍ତ୍ତ୍ୟରେ ଜନ୍ମଗ୍ରହଣ କଲେ ଦେବତା ହେଲେ ବି ମୃତ୍ୟୁ ଅବଶ୍ୟମ୍ଭାବୀ। ଏହି ଶାଶ୍ବତ ନିୟମକୁ କିଏ ବା ଲଙ୍ଘି ପାରିବ? କୋଟିକୋଟି ପଥହୁଡ଼ା ଲୋକଙ୍କୁ ମୋକ୍ଷ, ନିର୍ବାଣ ମନ୍ତ୍ରରେ ଅଭିମନ୍ତ୍ରିତ କରି ସେମାନଙ୍କ ଜୀବନରେ ଏକ ନୂତନ ଦିଶା ପ୍ରଦାନ କରିଥିବା ତଥାଗତଙ୍କ ମହାନିର୍ବାଣ ସମୟ ଉପସ୍ଥିତ ହେଲା, ଅନ୍ତିମ ସମୟ ନିକଟ ହୋଇଆସୁଛି ବୋଲି। ତଥାଗତ ଶିଷ୍ୟ ମଣ୍ଡଳୀରେ ଘୋଷଣା କରିଦେଲେ। ଏହା ଶୁଣିବା ପରେ ଆନନ୍ଦଙ୍କୁ ବଜ୍ର ତୁଲ୍ୟ ଦାରୁଣ ଆଘାତ ଦେଇଥିଲି। ଅତି ଦୁଃଖରେ କାନ୍ଦିବାକୁ ଲାଗିଲେ ପିଲାଙ୍କ ପରି। ବ୍ୟଥିତ ହୋଇ ହତାଶାଭରା ସ୍ବରରେ ତଥାଗତଙ୍କୁ କହିଲେ- ‘ଏବେ ମୁଁ କ’ଣ କରିବି, ମୋର କ’ଣ ହେବ?’
ତାଙ୍କଠାରେ ଏଭଳି ଅସ୍ଥିରତା, ନିଜ ଉପରେ ଅବିଶ୍ବାସ, ହତାଶା ଭାବ, ସ୍ବଭବିଷ୍ୟତକୁ ନେଇ ଆଶଙ୍କା ଲକ୍ଷ୍ୟ କରି ତଥାଗତ କହିଥିଲେ- ‘ଆନନ୍ଦ! ଏଭଳି ପାଗଳ ପଣ ତ୍ୟାଗ କର। ଧୈର୍ଯ୍ୟ ଧର। ମୋ ପୂର୍ବରୁ ଅନେକ ବୁଦ୍ଧ (ଜ୍ଞାନୀ) ଏହି ମର୍ତ୍ତ୍ୟରେ ଜନ୍ମ ହେଇ ସମୟ କ୍ରମେ ଚାଲି ଯାଇଛନ୍ତି। ଘଟଣାଚକ୍ରରେ ନୂଆନୂଆ ବୁଦ୍ଧ ଜନ୍ମ ହୋଇଛନ୍ତି। ଏହି ପ୍ରକ୍ରିୟା ନିରବଚ୍ଛିନ୍ନ ଚାଲିଛି। ଯଦି ତୁମେ ନିଜକୁ ଅପୂର୍ଣ୍ଣ ମନେ କରୁଛ, ତୁମର କିଛି ଶିଖିବାର ଅଛି, ତୁମେ ଏହା ଅନ୍ୟଠାରୁ ଶିଖିପାର। ତୁମେ ମୋ ସହ ଦୀର୍ଘ ୪୦ବର୍ଷ ରହିଲା ପରେ କହୁଛ ଯେ ମୋର ଜ୍ଞାନପ୍ରାପ୍ତି ପୂର୍ଣ୍ଣ ହୋଇନାହିଁ। ମୋର ମୃତ୍ୟୁ ପରେ ତୁମର ଭବିଷ୍ୟତ କ’ଣହେବ, ଏହି ଚିନ୍ତା ତୁମକୁ ଅସ୍ଥିର, ବିବ୍ରତ କରୁଛି, ଯେଉଁଥି ପାଇଁ ତୁମେ ଏଭଳି ରୋଦନ କରୁଛ, ଦୁଗ୍ଧପୋଷ୍ୟ ପିଲାଙ୍କ ପରି। ଯଦି ୪୦ ବର୍ଷ ଭିତରେ କିଛି ଜ୍ଞାନ ପାଇପାରିଲ ନାହିଁ, ଆଗାମୀ ଜନ୍ମରେ ଯେ ସେ ଜ୍ଞାନପ୍ରାପ୍ତି ହେବ, ଏହି ଆଶ୍ବାସନା ମୁଁ ତୁମକୁ ଦେଇପାରିବିନି। ହଁ, ଏହା ହୋଇପାରେ ମୋର ଉପସ୍ଥିତ କାରଣରୁ ତୁମେ ଉପଯୁକ୍ତ ଜ୍ଞାନଲାଭ କରିପାରି ନାହଁ। ତୁମର ଶିଖିବାର କ୍ଷମତା କ୍ଷୀଣ ଓ ଆକାଙ୍କ୍ଷା ଦୁର୍ବଳ ହୋଇଯାଇଛି। ତୁମେ ଭାବି ନେଇଥିଲ ଜଣେ ଗୁରୁ ମିଳିଗଲେ ସବୁକିଛି ମିଳିଗଲା। ଏହା ହିଁ ତୁମର ତ୍ରୁଟି। ଏବେ ତୁମେ ନିଜକୁ ବଦଳାଇବାର, ନୂଆ ଭାବେ ଗଢ଼ିବାର ସମୟ ଉପନୀତ ହେବାକୁ ଯାଉଛି। ଶଙ୍କିତ ହେବାର କିଛି କାରଣ ନାହିଁ। ମୋର ମହାନିର୍ବାଣ ପରେ ହୁଏତ ତୁମକୁ ବୁଦ୍ଧତ୍ବ (ଜ୍ଞାନ)ପ୍ରାପ୍ତି ପଥ ମିଳିଯିବ।
ଆନନ୍ଦଙ୍କ ସକଳ ଆଶଙ୍କା ଦୂର ହୋଇ ଯାଇଥିଲା ତଥାଗତଙ୍କ ଠାରୁ ଏହି ଶାଶ୍ବତ ସତ୍ୟ କଥା ଶୁଣି। ସେ ନିଜ ଭିତରେ ଏକ ନୂତନ ଶକ୍ତିର ପ୍ରବାହ ଅନୁଭବ କରିଥିଲେ। ଯାହା ଅଦ୍ୟାବଧି ସେ ପର୍ଯ୍ୟନ୍ତ ସେ ଅନୁଭବ କରିନଥିଲେ। ଏହା କହିବାର କିଛି ସମୟ ପରେ ତଥାଗତ ମହା ପରିନିର୍ବାଣ ଲାଭ କରିଥିଲେ।



