ଯେତେ ଚୂନା ସେତେ ପିଠା
୨୦୨୨-୨୩ କାମଚଳା ବଜେଟ ‘ଯେତିକି ଚୂନାକୁ ସେତିକି ପିଠା’ ପରି ମାପଚୁପକରା ହୋଇଛି; ତେବେ ପୂର୍ଣ୍ଣାଙ୍ଗ ବଜେଟରୁ ହିଁ ଅସଲ ଚିତ୍ର ମିଳିବ
ବିଗତ ଦୁଇ ବର୍ଷ ଧରି ବିଶ୍ବର ବିକଶିତ ଓ ପ୍ରଗତିଶୀଳ ଅର୍ଥନୀତିଗୁଡ଼ିକ ମଧ୍ୟ କୋଭିଡ୍ ପ୍ରକୋପରୁ ବର୍ତ୍ତିପାରି ନଥିବାବେଳେ ଭାରତର ଅଭିବୃଦ୍ଧି ବେଶ୍ ପ୍ରଭାବିତ ହୋଇଥିଲା। ଏଥିରୁ ଦେଶର ଅନେକ ରାଜ୍ୟ ମଧ୍ୟ ଏ ପର୍ଯ୍ୟନ୍ତ ଉଧୁରିପାରି ନଥିବା ସମୟରେ ବୁଧବାର ଓଡ଼ିଶା ସରକାର ୨୦୨୨-୨୩ ପାଇଁ ଯେଉଁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି, ତାକୁ ଆଶାପ୍ରଦ ବୋଲି କୁହାଯାଇପାରେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିବା ସହ ଏପ୍ରିଲ-ଜୁଲାଇ ଚତୁର୍ମାସିକ କାମଚଳା ବଜେଟ୍ର ଅନୁମୋଦନ ପାଇଁ ପ୍ରସ୍ତାବ ଆଣିଛନ୍ତି, ଯାହାର ପରିମାଣ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କା। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳକୁ ବିଶେଷ ଗୁରୁତ୍ବ ଦିଆଯିବା ଉଲ୍ଲେଖନୀୟ। ରାଜ୍ୟର ବାସ୍ତବ ଅଭିବୃଦ୍ଧି କରିବାକୁ ହେଲେ ଏସବୁ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଏଥିେର ଅଧିକ ବ୍ୟୟ କରିବା ଜରୁରୀ ବୋଲି ସରକାର ବୁଝିପାରିଥିବା ମନେହୁଏ।
ଓଡ଼ିଶାରେ ଗତ ବର୍ଷେ ଦି’ ବର୍ଷ ହେଲା ଶିକ୍ଷାକେନ୍ଦ୍ରଗୁଡ଼ିକ ଉପରେ ଅଧିକ ଦୃଷ୍ଟି ଦିଆଯାଉଛି ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରାଯିବାର କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ସ୍କୁଲ୍ ଘର ନିର୍ମାଣ, ପାଠାଗାର ଓ ଅନ୍ୟ ଭିତ୍ତିଭୂମିଗୁଡ଼ିକୁ ସଜାଡ଼ିବା ସମୟରେ ଶିକ୍ଷାର ଆତ୍ମିକ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଦରକାର। ପାଠ୍ୟଖସଡ଼ାଠାରୁ ଆରମ୍ଭ କରି ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ, ସବୁକିଛି ଯଦି ଉନ୍ନତ ମାନର କରା ନଯାଏ, ତେବେ ଶିକ୍ଷା ରୂପାନ୍ତରୀକରଣ କାର୍ଯ୍ୟକ୍ରମ କେବଳ ସ୍କୁଲ୍ଗୃହ ରୂପାନ୍ତରୀକରଣ ଭିତରେ ସୀମାବଦ୍ଧ ହୋଇଯିବ। ଅତଏବ ଶିକ୍ଷା ପାଇଁ ଯେଉଁ ବ୍ୟୟବରାଦ କରାଯାଇଛି, ତାକୁ ଯଥେଷ୍ଟ ବୋଲି କୁହାଯାଇପାରିବ ନାହିଁ। ପ୍ରକୃତରେ ଶିକ୍ଷା ପାଇଁ ମୋଟ ବଜେଟର ୧୫ରୁ ୨୦ ଶତାଂଶ ଏବଂ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ଅନ୍ତତଃ ୫ ଶତାଂଶ ବ୍ୟୟ କରାଯିବା ଦରକାର। ତା’ହେଲେ ହୁଏତ ଏହି ଅବହେଳିତ କ୍ଷେତ୍ରଟିରେ ଆଖିଦୃଶିଆ ବାଞ୍ଛିତ ପରିବର୍ତ୍ତନ ଆସିପାରିବ। ସେହିପରି ବଜେଟକୁ ଅନୁଧ୍ୟାନ କଲେ ମନେହେଉଛି, ସ୍ବାସ୍ଥ୍ୟ ଓ କୃଷିକୁ ସରକାର ନିଶ୍ଚିତ ଭାବେ ଅଧିକ ଗୁରୁତ୍ବ ଦେଇଛନ୍ତି; କିନ୍ତୁ ପୂର୍ବପ୍ରଚଳିତ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ଚାଲୁ ରଖିବାର ପ୍ରଯତ୍ନ ଅଧିକ କରିଥିବା ଜଣାଯାଉଛି। ହୁଏତ ପୂର୍ଣ୍ଣାଙ୍ଗ ବଜେଟ୍ରେ ସରକାର ନୂଆ ଓ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିବେ। ଏଥର ସ୍ବତନ୍ତ୍ର କୃଷି ବଜେଟ୍ ମଧ୍ୟ ଉପସ୍ଥାପିତ ହୋଇନାହିଁ। ଆଗାମୀ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନବେଳେ ସମ୍ଭବତଃ ସରକାର ଏହାକୁ ମଧ୍ୟ ଉପସ୍ଥାପନ କରିପାରନ୍ତି। ଅନ୍ୟପକ୍ଷରେ, ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଆଦୌ ଉତ୍ସାହଜନକ ନୁହେଁ। ତେଣୁ ଏ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ବେଶି ବ୍ୟୟବରାଦର ଆବଶ୍ୟକତା ରହିଛି। ବିଶେଷକରି ନୂଆ ଷ୍ଟାର୍ଟଅପ୍ ସୃଷ୍ଟି ପାଇଁ ଯେଉଁ ବାତାବରଣ ଆବଶ୍ୟକ, ତାହା ଏ ପର୍ଯ୍ୟନ୍ତ ରାଜ୍ୟରେ ପରିଲକ୍ଷିତ ହେଉନାହିଁ। ଅବଶ୍ୟ ସରକାର ଷ୍ଟାର୍ଟଅପ୍ର ପ୍ରୋତ୍ସାହନ ପାଇଁ ଅଧିକ ୩୭ ଶତାଂଶ ଅର୍ଥ ଯୋଗାଇଦେବା ସହ ୨୦୨୨-୨୩ରେ ୧୬୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରିଛନ୍ତି, ଯାହା ସ୍ବାଗତଯୋଗ୍ୟ।
ସରକାର ଯେଉଁ ଲେଖାନୁଦାନ ଆଗତ କରିଛନ୍ତି, ସେଥିରୁ ଜଣାଯାଉଛି ଯେ ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ପୁଞ୍ଜିଖର୍ଚ୍ଚ ୫୬ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧି ପାଇବ, ଯାହାର ପରିମାଣ ୪୦ ହଜାର ୧୧ କୋଟି ଟଙ୍କା। ଏହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୬ ଶତାଂଶ। ଆଶ୍ବାସନାର କଥା ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ଖୋଲାବଜାରରୁ ଆଦୌ ଋଣ ଆଣିନାହାନ୍ତି ଏବଂ ପ୍ରଥମ ଥର ପାଇଁ ରାଜ୍ୟର ମୋଟ ଋଣ ପରିମାଣ ହ୍ରାସ ପାଇ ୧ ଲକ୍ଷ କୋଟିରୁ କମ୍ ହେବ ବୋଲି ଆକଳନ କରାଯାଉଛି। ରାଜ୍ୟ ଅର୍ଥନୀତି ପାଇଁ ଏହା ଏକ ଭଲ ସଙ୍କେତ। ୨୦୨୧-୨୨ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ମଧ୍ୟ ବହୁ ଆଶାଜନକ ସୂଚନା ରହିଛି, ଯାହା ଓଡ଼ିଶାର ଆର୍ଥିକ ସ୍ବଚ୍ଛଳତାକୁ ଦର୍ଶାଇଥାଏ। ଏହି ରିପୋର୍ଟ ଅନୁସାରେ, ଏହି ବର୍ଷ ଜାତୀୟ ମୋଟ ଘରୋଇ ଉତ୍ପାଦ ୮.୮ ଶତାଂଶ ରହିଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୧୦.୧ ଶତାଂଶରେ ପହଞ୍ଚିଛି। ରାଜ୍ୟର ବାର୍ଷିକ ବାସ୍ତବ ଅଭିବୃଦ୍ଧି ହାର ୯.୨ ଶତାଂଶ ରହିବା ମନ୍ଦ ନୁହେଁ। ସେହିପରି ଓଡ଼ିଶାର ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇ ୧ ଲକ୍ଷ ୨୭ ହଜାର ୩୮୩ ଟଙ୍କା ହୋଇଛି। ଭାରତର ମୁଣ୍ଡପିଛା ଆୟଠାରୁ ଏହା ଅବଶ୍ୟ କମ୍, କିନ୍ତୁ ଖୁବ୍ଶୀଘ୍ର ଏହା ତାକୁ ଟପିଯିବ ବୋଲି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଆଶା କରାଯାଇଛି। ଖଣି ସୂତ୍ରରୁ ରାଜସ୍ବ ସଂଗ୍ରହ ବୃଦ୍ଧି ରାଜ୍ୟ ଅର୍ଥନୀତିକୁ ଭଲ ସହାୟତା ଯୋଗାଇ ପାରିବ। ୨୦୨୦-୨୧ରେ ଏହା ପ୍ରାୟ ୧୩ ହଜାର କୋଟି ଥିବାବେଳେ ୨୦୨୧-୨୨ରେ ଏହା ୪୮ ହଜାର କୋଟିକୁ ଛୁଇଁବ ବୋଲି ଆଶା କରାଯାଉଛି। ଏଥିରୁ ବଳକା ଅର୍ଥ ୨୦୨୨-୨୩ରେ ଖର୍ଚ୍ଚ କରାଯାଇପାରିବ। ବଜେଟରେ କରିଥିବା ବ୍ୟୟବରାଦ ଅନୁସାରେ ସରକାର ଖର୍ଚ୍ଚ କରିବାରେ ସମସ୍ୟା ରହିବ ନାହିଁ। ଯଦି ୨୦୨୨-୨୩ ବର୍ଷରେ କୃଷି ଉତ୍ପାଦନ ଠିକ୍ ରହେ, କରୋନା ଜନିତ ସମସ୍ୟା ନ ଉପୁଜେ ଏବଂ ବାଣିଜ୍ୟ ବ୍ୟବସାୟ ଠିକ୍ ଚାଲେ, ତେବେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଆହୁରି ବଢ଼ିବାର ସମ୍ଭାବନା ଉଳ। ୨୦୨୨-୨୩ କାମଚଳା ବଜେଟ୍କୁ ‘ଯେତିକି ଚୂନାକୁ ସେତିକି ପିଠା’ ସଦୃଶ ମାପଚୁପକରା ବଜେଟ୍ କୁହାଯାଇପାରେ।
Comments are closed.