ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ

0

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସୋମବାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତଥା ତୃତୀୟ ଅତିରିକ୍ତ ଜିଲା ଜଜ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଇଜିଲାସରେ ଜଣେ ଡାକ୍ତର ହାଜର ହୋଇଥିଲେ। ତେବେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଅମରେନ୍ଦ୍ର ନାୟକ ସାକ୍ଷ୍ୟ ପ୍ରଦାନ ପାଇଁ ହାଜର ହୋଇଥିବାବେଳେ ଅପରପକ୍ଷ ଜେରା କରିବା ପାଇଁ ମହଲତ ଲୋଡିଥିଲେ। ଅନ୍ୟ ସାକ୍ଷୀମାନଙ୍କୁ ଜେରା ପରେ ଡାକ୍ତର ନାୟକଙ୍କୁ ଜେରା କରାଯିବ ବୋଲି ଆବେଦନ କରାଯାଇଥିଲା। କୋର୍ଟ ଏହି ପିଟିସନକୁ ଖାରଜ କରିଦେଇଥିଲେ। ଆସନ୍ତାକାଲି ଏସସିବି ଡାକ୍ତର ଜ୍ୟୋତିଷ ଚୌଧୁରୀଙ୍କୁ ଜେରା କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ୫ଜଣ ସାକ୍ଷ୍ୟ ପ୍ରଦାନ କରିସାରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅକ୍ଷୟ କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି। ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏସ୍‍ ଜାଡୋରିଆ, ପୀଡିତାଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଅମରେନ୍ଦ୍ର ନାୟକ, ଏସସିବି ମେଡ଼ିକାଲ କଲେଜ ଏଫଏମଟି ବିଭାଗ ଡାକ୍ତର ରଜନୀକାନ୍ତ ସ୍ୱାଇଁ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ସାଲେପୁର ପୁଲିସ ପକ୍ଷରୁ ମେ ୧୧ତାରିଖରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍‍ଙ୍କ ବିରୋଧରେ ପାଖାପାଖି ୫୦୦ ପୃଷ୍ଠାର ଅଭିଯୋଗ ଫର୍ଦ କୋର୍ଟରେ ଦାଖଲ ହୋଇଥିଲା। ଏହି ଚାର୍ଜସିଟ୍‍ରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୦୨, ୩୬୩, ୩୭୬-ଏବି, ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକସୁଆଲ ଅଫେନସେସ୍‍ ଆକ୍ଟ-୨୦୧୨ର ସେକସନ ୬ ଏବଂ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଅଡିନାନ୍ସ ୨୦୧୮ ଅନୁଯାୟୀ ଏହି ଧାରାରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ତେବେ ଏହି ମାମଲାରେ ସମୁଦାୟ ୪୬ଜଣ ସାକ୍ଷୀ ରହିଛନ୍ତି। ଏପ୍ରିଲ ୨୧ରେ ନାବାଳିକା ସହ ଦୁଷ୍କର୍ମ କରାଯାଇଥିବାବେଳେ ଏପ୍ରିଲ ୨୯ରେ ପୀଡ଼ିତା ଆଖି ବୁଜିଦେଇଥିଲା। ଏପ୍ରିଲ ୨୨ରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Leave A Reply